ପରିବର୍ତ୍ତନ

                ଫେରିବାଲା ତା’ଗଣ୍ଠିଲି ଖୋଲିବାକୁ ଯାଉଥିଲା, କିନ୍ତୁ ରତ୍ନା ତାକୁ ଅପେକ୍ଷା କରିବାକୁ କହି ଘର ଭିତରକୁ ଯାଇ ଖଣ୍ଡିଏ ମଳିନ ଦିଶୁଥିବା ସାଢୀ ଧରି ବାହାରି ଆସି ତାକୁ ପଚାରିଲା, “ଏ ସାଢୀ ତମକୁ କିପରି ଲାଗୁଛି?”

                ଫେରିବାଲା ଥତମତ କରି କହିଲା, “ଇଏତ ନିହାତି ନାକରା ସାଢୀ! ୟାକୁ କେଉଁଠାରୁ କିଣିଲ?”

                ରତ୍ନା ଗମ୍ଭୀର ଭାବରେ କହିଲା “ତମଠୁଁ  । ତମେ ଏହା ଅତି ଉତ୍ତମ ଚିଜ ବୋଲି କହି ମୋତେ ଧରାଇ ଦେଇଥିଲ ।”

                ଫେରିବାଲା କହିଲା “ନା, ନା, ତୁମେ ଥଟ୍ଟା କରୁଛ । ଏମିତି ଚିଜ ତ ମୁଁ କେବେବି ଦେବି ନାହିଁ ।”

                “ତୁମ ସହ ଥଟ୍ଟା କରି ମୋର କୌଣସି ଲାଭ ହେବ ନାହିଁ । ତମେହିଁ ଏ ଚିଜ ଦେଇଥିଲ । ଅତଏବ ତମଠୁଁ ଆଜି ପୁଣି ଗୋଟାଏ ଚିଜ ନେବି ବୋଲି ଆଶା କର ନାହିଁ । ମୁଁ ତମକୁ ଗୋଟାଏ ଉପଦେଶ ଦେବି । ଠକା ଠକିରେ ତମେ ସାମୟିକ ଭାବରେ ଲାଭବାନ ହୋଇପାର । କିନ୍ତୁ ସାଧୁତା ଭଳି ମୂଳଧନ ଆଉ କିଛିବି ନାହିଁ । ତମେ ମୋତେ ନ ଠକି ଭଲ ସାଢୀ ଦେଇଥିଲେ ସେଦିନ କମ୍ ଲାଭ କରିଥାନ୍ତ । କିନ୍ତୁ ଆଜି ମୁଁ ପୁଣି କିଣିଥାନ୍ତି । ଆଉ ଥରେ ଆସିଲେ ବି କିଣିଥାନ୍ତି । ମୋ ସାଙ୍ଗସାଥୀମାନେ ବି କିଣିଥାନ୍ତେ । ଥରେ ଠକିଦେଇ ଯେତିକି ଲାଭ ପାଇଲ, ତାହାଠୁଁ ବହୁତ ଅଧିକ ଲାଭ ପାଇଥାନ୍ତ । ହେଉ, ଏଥର ଯାଅ ।”

                ରତ୍ନା ତା’ କଣ୍ଠସ୍ୱର ନିମ୍ନ କରି କଥା କହୁଥିବା ସତ୍ତ୍ୱେ ରମେଶବାବୁ ଏକ ଧ୍ୟାନରେ ତା’ କଥା ଶୁଣୁଥିଲେ । ଫେରିବାଲା ସେଠାରୁ ଚାଲିଯିବା ପରେ ସେ ହସି ହସି କହିଲେ, “ଝିଅ, ତାକୁ ଭଲ କରି ଶୁଣାଇଦେଲୁ ତ! ତୋତେ ସଙ୍କୋଚ ଲାଗିଲା ନାହିଁ ।”

“ମଉସା! ସେ ମୋତେ ଠକିଲା । ପୁଣି ମିଛ ବି କହିଲା । ତାକୁ ଯଦି ସଙ୍କୋଚ ନ ଲାଗିଲା, ତେବେ ସତ କଥା କହିବାକୁ ଯାଇ ମୋତେ କାହିଁକି ବା ସଙ୍କୋଚ ଲାଗିବ? ଲୋକେ ଯଦି ସତ କହିବାକୁ ଡରିବେ, ତେବେ ଏ ଦୁନିଆରେ ମିଥ୍ୟାବିଦ୍ୟାମାନଙ୍କ ଉତ୍ପାତକୁ ତ ଆଉ କେହି ମଧ୍ୟ ରୋକି ପାରିବେ ନାହିଁ ।” ରତ୍ନା ହସି ହସି ଏତକ କହି ଘର ଭିତରକୁ ଚାଲିଗଲା ।

ରମେଶବାବୁ ରତ୍ନାର ଏଭଳି କଥା ଓ ବ୍ୟବହାରରେ ଅତିଶୟ ମୁଗ୍ଧ ହେଲେ । ଦିବାହାର ପରେ ସେ ରଘୁ ଚୌଧୁରୀଙ୍କୁ କହିଲେ, “ଭାଇ, ତମକୁ ଗୋଟାଏ ନିବେଦନ କରିବି ।”

ରମେଶବାବୁ କହିଲା “ମୁଁ ଯେଉଁ ପ୍ରସ୍ତାବ ଦେଉଛି, ସେଥିରେ ତମର କିଛିବି ଅହିତ ହେବ ନାହିଁ । କିନ୍ତୁ ତଦ୍ୱାରା ମୋର ହିତ ହେବ । ରତ୍ନାକୁ ମୋତେ ମୋ ବୋହୁ ଭାବରେ ସମର୍ପିତଦିଅ ।”

ରବି ସମ୍ପର୍କରେ ଚୌଧୁରୀଙ୍କୁ ମୋଟାମୋଟି ଭାବେ ସବୁ ଜଣାଥିଲା । ଚୌଧୁରୀ କହିଲେ, “ରମେଶ! ମୁଁ ତୁମକୁ ଯେଉଁ ପ୍ରସ୍ତାବ ଦେବା ସ୍ୱାଭାବିକ, ତମେ ମୋତେ ସେ ପ୍ରସ୍ତାବ ଦେଉଛ । ଧନ୍ୟବାଦ । ରବିକୁ ଜାମାତା ଭାବରେ ପାଇଲେ ମୁଁ ଅତ୍ୟନ୍ତ ଆନନ୍ଦିତ ହେବି ।”

ଏହାପରେ ରମେଶବାବୁ ଆନନ୍ଦରେ ଘରକୁ ଫେରିଗଲେ । ଯାଇ ସାନପୁଅ ରବିକୁ ନିଜ ଅଭିଜ୍ଞତା ଗପି କହିଲେ, “ପୁଅ, ରତ୍ନା ଯେପରି ବୁଦ୍ଧିମତୀ, ଠିକ୍ ସେହିପରି ସେ ସତ୍ୟବାଦୀ ମଧ୍ୟ । ତୋ ମା’ଙ୍କୁ କେବଳ ସେହିଁ ଠିକ୍ ଜବାବ୍ ଦେଇ ପାରିବ । କମଳା ଭଳି ସହି ସହି ହଠାତ୍ ଦିନେ ଘର ଛାଡି ଯିବା ଅପେକ୍ଷା ମୁହେଁ ମୁହେଁ କହିଦେବା ବରଂ ବହୁତ ଭଲ ।”

ରବି ତା’ବାପାଙ୍କ କଥାରେ ରାଜି ହେଲା । କିଶୋରୀ ଦେବୀ ରବି ଯାଇ କନ୍ୟା ଦେଖି ଆସିଲେ । ମନେ ହେଲା, କନ୍ୟା ଦେଖି କିଶୋରୀ ଦେବୀ ଖୁବ୍ ଖୁସି ।

ବାହାଘର ହୋଇଗଲା । ପନ୍ଦର ଦିନ ପର୍ଯ୍ୟନ୍ତ କିଶୋରୀ ଦେବୀ ବୋହୁ ସହ ବେଶ୍ ଭଲ ବ୍ୟବହାର କଲେ । କିନ୍ତୁ ତା’ପରେ ତାଙ୍କ ଅସଲ ରୂପ ପ୍ରକାଶ ପାଇଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ