ପରିବର୍ତ୍ତନ

ଜମିଦାରି ସିନା ଯାଇଛି, କିନ୍ତୁ କୁମାରବାବୁଙ୍କ ଘରର ଖାନ୍ଦାନ୍ ଅତୁଟ ଥାଏ । ସେ ଯୁବକ ଲୋକ । ସଦ୍ୟ ବାହା ହୋଇଥାନ୍ତି । ସ୍ତ୍ରୀ ବି ସମ୍ଭ୍ରାନ୍ତ ଘରର ଝିଅ । ତେଣୁ ତାଙ୍କ ଘରକୁ ଆସିବା ପରେ ସ୍ତ୍ରୀ ବସୁମତିର ପ୍ରଥମଥର ଜନ୍ମଦିନ ଉପଲକ୍ଷ୍ୟେ ସେ ସହରରୁ ଗୋଟିଏ ଦୁର୍ମୁଲ୍ୟ ଉପହାର ଆଣିବାକୁ ସ୍ଥିର କଲେ ।

                ସହରର ବିଶିଷ୍ଟ ଗହଣା ଦୋକାନରୁ ଅଢେଇହଜାର ଟଙ୍କା ମୂଲ୍ୟର ହାରଟିଏ ଖରିଦ୍ କରି ସେ ଗାଁ ମୁହାଁ ଫେରିବା ବେଳକୁ ସଞ୍ଜ ହୋଇ ଆସିଲାଣି । ଅବଶ୍ୟ ସେ ନିଜ ଘୋଡାଗାଡିରେ ଯାଇଥାନ୍ତି । ତଥାପି ବେଶି ରାତି ହୋଇଯିବା ଆଶଙ୍କାରେ ନିଜ କଚୁଆନ ଜୟସିଂହକୁ କହିଲେ, “ଯେତେ ଶୀଘ୍ର ସମ୍ଭବ ଚାଲ!”

                ବାଟରେ ଜୟସିଂହ ହଠାତ୍ ଘୋଡାର ଲଗାମ୍ ଟାଣି ଗାଡି ଅଟକାଇଲା । ଦେଖିବା ବେଳକୁ ବାଟ କଡରେ ଜଣେ ଲୋକ ଠିଆ ହୋଇଛି । ତା’ ସହ ସେ କ’ଣ କଥାବାର୍ତ୍ତା ହେଲା ।

                କୁମାରବାବୁ ପଚାରିଲେ “ଡେରି କାହିଁକି?”

ଜୟସିଂହ କହିଲା “ହଜୁର୍, ଇଏ ହେଲା କାଶୀରାମ, ମୋ ସ୍ତ୍ରୀର କକା ପୁଅ ଭାଇ । ଆମ ଗାଁରେ ଏହାର ଅଜାର ଘର । ଅଜା ଭୀଷଣ ଅସୁସ୍ଥ । ଆପଣଙ୍କ ଅନୁମତି ହେଲେ ଏହାକୁ ଗାଡିରେ ନେଇଯିବି ।”

କୁମାରବାବୁ ତାଙ୍କ ଗାଡିରେ ଅଜଣା ଅଚିହ୍ନା ଲୋକଙ୍କୁ ନେବାକୁ ପସନ୍ଦ କରୁ ନଥାନ୍ତି । କିନ୍ତୁ ସେ ବା ଏବେ କିପରି ମନା କରିବେ? ଏଣୁ କହିଲେ, “ହଉ, ଚାଲୁ!”

କାଶୀରାମ କୁମାରବାବୁଙ୍କ ପାଖରେ ବସିଲା । ଅବଶ୍ୟ ସେ ବହୁତ ସଙ୍କୋଚରେ ବସିଥାଏ ।

କୁମାରବାବୁ ପୁଣି ହୁକୁମ୍ ଶୁଣାଇ ଦେଲେ “ଶୀଘ୍ର ଚାଲ, ଶୀଘ୍ର!”

ରାସ୍ତା ବହୁତ ଖରାପ ଥାଏ । ଗାଡିର ଗୋଟାଏ ଚକା ହଠାତ୍ ଏକ ଗାତରେ ପଶିଗଲା । ଜୟସିଂହ ଠିକ୍ ସମୟରେ ତଳକୁ କୁଦି ପଡିଲା, କିନ୍ତୁ କୁମାରବାବୁ ତଳେ ପଡିଗଲେ । ଗାଡିରେ ଥିବା ଜିନିଷପତ୍ର ଏଣେ ତେଣେ ବିଛେଇ ହୋଇ ପଡିଲା । ଜୟସିଂହ ଓ କାଶୀରାମ କୁମାରବାବୁଙ୍କୁ ଧରି ଉଠାଇଲେ ଓ ତା’ପରେ ଗାଡି ସଳଖ କରି ମଝି ରାସ୍ତାକୁ ଆଣିସାରି ଜିନିଷପତ୍ର ଗୋଟାଇ ଗାଡିରେ ରଖିଲେ ।

ଗାଡି ପୁଣି ଚାଲିଲା । ଟିକିଏ ଉଛୁରରେ ସେମାନେ କୁମାରବାବୁଙ୍କ ଘରେ ଯାଇ ପହଁଚିଲେ । କୁମାରବାବୁ ଛୋଟେଇ ଛୋଟେଇ ଘର ଭିତରେ ପଶିବାବେଳକୁ ବସୁମତି ବାହାରି ଆସି ପଚାରିଲା, “ଦେଖିବା, କ’ଣ ଉପହାର ଆଣିଲ!”

କୁମାରବାବୁ ପ୍ରଥମେ ନିଜ ଦୁରାବସ୍ଥା ସକାଶେ ଟିକିଏ ସାନ୍ୱନା ଚାହୁଁଥିଲେ । ସେ କହିଲେ, “ବାଟରେ ଗାଡି ଓଲଟିଗଲା । କୌଣସି ବଡ ଦୁର୍ଘଟଣା ଯେ ଘଟିନାହିଁ ତାହା ସୌଭାଗ୍ୟର କଥା ବୋଲିବାକୁ ହେବ । ତେବେ…”

“ସେସବୁ ପରେ ଆରାମ୍ରେ ବସି ଶୁଣିବା ମ! ଦେଖେ କ’ଣ ଆଣିଛ!” ଏହା କହି ବସୁମତି ତା’ ହାତ ବଢାଇ ଦେଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ