ପରିଶ୍ରମ କରି କିଏ ଛୋଟ ହୋଇଯାଏନାହିଁ

                ନଗର ରାସ୍ତାରେ ଗଲାବେଳେ ଏକ ବିରାଟ ପ୍ରାସାଦ ନିର୍ମାଣ କାର୍ଯ୍ୟ ଚାଲିଥାଏ । ସେଇଠି ୱାଶିଂଟନ କାହିଁକି ଟିକେ ଅଟକିଗଲେ । ଦେଖିଲେ ଶ୍ରମିକମାନେ କାର୍ଯ୍ୟରେ ଲାଗିପଡିଛନ୍ତି । କେତେଜଣ ଶ୍ରମିକ ମିଶି ଏକ ବିରାଟ ପଥର ଖଣ୍ଡକୁ ଉଠାଇବା ପାଇଁ ଚେଷ୍ଟା କରୁଥାନ୍ତି ସିନା ହେଲେ ପାରୁନଥାନ୍ତି । ୱାଶିଂଟନ୍ ଦେଖିଲେ ସେମାନଙ୍କ ପାଖରେ ଠିଆହୋଇଥିବା ହୃଷ୍ଟପୁଷ୍ଟ ବପୁଧାରୀ ଠିକାଦାର ଜଣକ ଶ୍ରମିକମାନଙ୍କର ଅପାରଗତା ପାଇଁ ରୁକ୍ଷ ଗଳାରେ ସେମାନଙ୍କୁ ଭର୍ତ୍ସନା କରୁଛି ସିନା ହେଲେ ସହାୟତା ଦେବାଲାଗି ମୋଟେ ଆଗେଇ ଆସୁ ନାହିଁ ।

                ଜର୍ଜ ୱାଶିଂଟନ୍ ଏହି ଘଟଣା ଦେଖି ଅତ୍ୟନ୍ତ ମ୍ରିୟମ୍ରାଣ ହୋଇପଡିଲେ । ସେ ଠିକାଦାରଙ୍କ ନିକଟକୁ ଆସି କହିଲେ, “ଭାଇ! ଏଇ ମୂଲିଆମାନଙ୍କୁ ଟିକିଏ ସାହାଯ୍ୟ କରିଦିଅନ୍ତୁ । ମୋର ମନେହେଉଛି, ଯଦି ଆଉ ଜଣେ ବ୍ୟକ୍ତି ସେମାନଙ୍କ ସହିତ ସହଯୋଗ କରିଦିଅନ୍ତା, ହୁଏତ ପଥର ଖଣ୍ଡିକ ଅନାୟାସରେ ଉଠିଯାଆନ୍ତା ।”

                ସେ ଠିକାଦାର ଜଣକ ତ ଆଉ ୱାଶିଂଟନ୍ଙ୍କୁ ଚିହ୍ନି ନଥିଲେ । ତେଣୁ ସେ ତତ୍କ୍ଷଣାତ୍ ଚଢାଗଳାରେ କହିଲେ, “ତୁମେ କ’ଣ ଜାଣିପାରୁ ନାହଁ ଯେ, ମୁଁ ଠିକାଦାର ବୋଲି? ଶ୍ରମିକମାନଙ୍କୁ କାମରେ ଲଗାଇ ସେମାନଙ୍କଠାରୁ କାମ ଆଦାୟ କରିବା ହିଁ ମୋର କାମ । ମୁଁ ଜଣେ ସାଧାରଣ ଶ୍ରମିକ ନୁହେଁ ଯେ, ସେମାନଙ୍କ ସହିତ ମିଶି କାମ କରିବି । ଏମାନଙ୍କୁ ମୁଁ ପାରିଶ୍ରମିକ ଦେବାଲୋକ । ନିଜେ କାହିଁକି ପରିଶ୍ରମ କରିବି?

                ୱାଶିଂଟନ୍ ଏକଥା ଶୁଣିବା ପରେ ଆଉ କିଛି ବି ନକହି ସେ ଶ୍ରମିକମାନଙ୍କ ସହିତ ପଥର ଉଠାଇବା କାମରେ ଲାଗିଗଲେ । ସତକୁ ସତ ଏଥର ସେଇ ପଥରଟା ଅତି ସହଜରେ ଉଠିଗଲା । ୱାଶିଂଟନ୍ ସେଠାରୁ ଫେରିଆସି ନିଜ ଘୋଡାରେ ବସିଲେ । ଘୋଡା ପିଠିରେ ବସି ସେହି ଠିକାଦାର ଉଦ୍ଧେଶ୍ୟରେ ସେ କହିଲେ, “ନମସ୍କାର ଠିକାଦାର ସାହେବ । ଭବିଷ୍ୟତରେ ଯଦି କୌଣସି କାମରେ ସହାୟତା ନିମନ୍ତେ ଲୋକ ଆବଶ୍ୟକ ହୁଅନ୍ତି ତେବେ ରାଷ୍ଟ୍ରପତିଭବନ ଯାଇ ଜର୍ଜ ୱାଶିଂଟନ୍ଙ୍କୁ ମନେପକାଇ ଦେବାକୁ ଅନୁରୋଧ ରହିଲା ।”

                ଏହା ଶୁଣି ସେ ଠିକାଦାର ଜଣକ ହଠାତ୍ ଚମକି ପଡିଲେ । ସେ ବିଶ୍ୱାସ କରିପାରିଲେ ନାହିଁ ଯେ, ଯାହାଙ୍କର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ସେ ଶ୍ରମିକମାନଙ୍କୁ ସାହାଯ୍ୟ କରିନଥିଲେ, ଆଉ ଯେଉଁ ବ୍ୟକ୍ତି ପଥର ଉଠାଇବା କାର୍ଯ୍ୟରେ ସାହାଯ୍ୟ କରିଥିଲେ, ସିଏ ଆଉ କେହି ନୁହଁନ୍ତି, ଖୋଦ୍ ରାଷ୍ଟ୍ରପତି ଜର୍ଜ ୱାଶିଂଟନ୍ ।

ଏକଥା ଜାଣିଲା ପରେ ଠିକାଦାର ବୋଲାଉଥିବା ସେହି ବ୍ୟକ୍ତି ଜଣକର ମୁଣ୍ଡ ହଠାତ୍ ଲାଜରେ ନଇଁଗଲା । ତା’ପରେ ସେ ୱାଶିଂଟନ୍ଙ୍କ ପାଦତଳେ ପଡି ନିଜର ଏଭଳି ବ୍ୟବହାର ପାଇଁ କ୍ଷମା ପ୍ରାର୍ଥନା କଲେ ।

ତହୁଁ ଜର୍ଜ ୱାଶିଂଟନ୍ ସେହି ବ୍ୟକ୍ତି ଉଦ୍ଧେଶ୍ୟରେ କହିଲେ, “ପରିଶ୍ରମ କରି କେହି କେବେ ବି ଛୋଟ ହୋଇଯାଏନି । ଶ୍ରମିକମାନଙ୍କୁ ସାହାଯ୍ୟ କଲେ ସେମାନେ ତୁମକୁ ସମ୍ମାନ ଦେବେ । ଆଉ ସବୁବେଳେ ମନେରଖ, ଅନ୍ୟକୁ ସାହାଯ୍ୟ କରିବା ଲାଗି ନିଜକୁ ସର୍ବଦା ପ୍ରସ୍ତୁତ ରଖୁଥିବା ବ୍ୟକ୍ତି ହିଁ ସମାଜରେ ଯଶ, ପ୍ରତିଷ୍ଠା, ଆଦର, ସମ୍ମାନ ଲାଭରେ ସମର୍ଥ ହୋଇଥାଏ । ଜୀବନରେ ସଫଳତା ହାସଲ କରିବାକୁ ହେଲେ ବା ଉଚ୍ଚତମ ଶିଖରକୁ ଉଠିବାକୁ ହେଲେ ବ୍ୟବହାରରେ ନମ୍ରତା ଆଣିବା ଅତ୍ୟନ୍ତ ଜରୁରୀ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ