ପରିଶ୍ରମ ହିଁ ଶ୍ରେଷ୍ଠ

                କିଛିଦିନ ପରେ ସେ ପାହାଡ ଉପରେ ବର୍ଷା ହେଲା । ବର୍ଷା ହେବାରୁ ସେ ପାହାଡରେ ଭୂସ୍ଖଳନ ମଧ୍ୟ ହେଲା । ତାପରେ ସେ କୃଷକର ଜମି ଉପରେ ପ୍ରଚୁର ଉର୍ବର ମାଟି ଆସି ଜମା ହେଲା । ଏସବୁ ଦେଖି ସେ କୃଷକ ଜଣକ ବହୁତ ପରିଶ୍ରମ କଲା । ଫଳରେ ତା ଜମିରେ ସେ ପାହାଡିଆ କଖାରୁ, କାକୁଡି, ବାଇଗଣ, ପୋଟଳ, ସପୁରୀ, କଦଳୀ ଆଦି ଚାଷ କଲା । ଗୋଟିଏ ଗୋଟିଏ କଖାରୁ କୋଡିଏ କିଲୋରୁ ବି ଅଧିକ ହୋଇଥାଏ । ଆଉ ଗୋଟିଏ ଗୋଟିଏ କଦଳୀ କାନ୍ଧିରେ ପାଂଚଶହରୁ ବି ଅଧିକ  କଦଳୀ ହୋଇଥାଏ । ସପୁରୀଗୁଡିକ ବଡ ପଣସ ପରି ହୋଇଥାଏ । ସେ କୃଷକ ଜଣକ ଏସବୁ ଫଳ ପନିପରିବା ହାଟବଜାରରେ ବିକି ବେଶ୍ ଦୁଇ ପଇସା ଅର୍ଜନ କଲା । ଏହିପରି ତା’ର ଦୁଃଖର ଦିନ ଚାଲିଗଲା । ତାପରେ ସେ ଓ ତା’ର ପାଂଚପ୍ରାଣୀ ପରିବାର ମହାଆନନ୍ଦରେ ଦିନ କଟାଇଲେ ।

                ସେ କୃଷକର ଏଭଳି ଅବସ୍ଥାର ପରିବର୍ତ୍ତନ ଦେଖି ଗାଁ ଜମିଦାର ଖାଲି ଇର୍ଷାରେ ଜଳିଗଲା । ସେ ଜାଣିଲା ଯେ ଯଦି ଏ କୃଷକଟି ଏଭଳି ଫସଲ ଅମଳକରେ ତେବେ ଅତି ଶୀଘ୍ର ତ ସେ କୋଟିପତି ହୋଇଯିବ । ତାପରେ ଗାଁଟା ସାରାଲୋକ ଆଉ ଏ ଜମିଦାରକୁ ଥୋଡେ ବି ମାନିବେ ନାହିଁ । ସମସ୍ତେ ଖାଲି ସେହି କୃଷକ ପାଖକୁ ହିଁ ଯିବେ । ଏମିତି ହେଲେ ତ ଜମିଦାରର ଜୀବନ ଦୁର୍ବିସହ ହୋଇପଡିବ ।

                ଏପରି କଥା ଭାବି ଭାବି ଶେଷରେ ସେ ଜମିଦାର ଏକ ଖରାପ ଉପାୟ ଚିନ୍ତା କଲା । ସେ ଯାଇ ରାଜାଙ୍କ ଆଗରେ ଫେରାଦ ଦେଲା ଯେ ସେହି କୃଷକର ବାପା ଜମିଦାରଙ୍କ ଠାରୁ କରଜ ନେଇଥିଲା । ସେତେବେଳେ ଏହି କୃଷକର ବାପା କରଜ ନ ସୁଝି ଥିବାରୁ ଏବେ ଏହି କୃଷକ ହିଁ ସେ କରଜ ସୁଝୁ । ତାପରେ ସେ ଜମିଦାର ହିସାବ କରି ସୁଧମୂଳ ବାବଦକୁ ଉକ୍ତ କୃଷକର ସେହି ପାହାଡିଆ ଜମିକୁ ହାତେଇ ନେଇଗଲା । ପାହାଡିଆ ଜମି ତିନିଖଣ୍ଡ ହାତରୁ ଚାଲିଯିବାର ଦେଖି ସେହି କୃଷକର ଭାଳେଣି ପଡିଗଲା । ତେଣୁ ସେ ସିଧାସଳଖ ଯାଇ ଜମିଦାରଙ୍କ ଗୋଡ ତଳେ ପଡିଲା । କହିଲା – ‘ଜମିଦାର ମହାଶୟ, ବିନା ଜମିରେ ଏବେ ମୁଁ ଚାଷ କରିବି କିପରି? ଆଉ ମୋ ସ୍ତ୍ରୀ ପିଲାଛୁଆ ଖାଇବେ ବା କେମିତି?’ ଏସବୁ କଥା ଶୁଣି ସେ ଜମିଦାର କହିଲେ – ‘ରାଜାଙ୍କ ପାଖକୁ ଯା । ଏବେ କେବଳ ସେ ହିଁ ତୋର ବ୍ୟବସ୍ଥା କରିବେ ।’


ଗପ ସାରଣୀ

ତାଲିକାଭୁକ୍ତ ଗପ