ପଶୁଧର୍ମ

ବୀରଦାସ ପୁଅର କଥା ମାନିଲା; ସେହି ଦିନଠାରୁ ଗନ୍ଧର୍ବ ଗୀତ ଗାଏ । ଦର୍ଶକଙ୍କ ସଂଖ୍ୟା କ୍ରମେ ବଢିଲା । ସେମାନଙ୍କର ରୋଜଗାର ମଧ୍ୟ ବହୁତ ବଢିଗଲା । ପରିବାରଟି ବଡ ଆନନ୍ଦରେ ଦିନ କାଟୁଥା’ନ୍ତି ।

ଦିନେ ଗନ୍ଧର୍ବ ମାଙ୍କଡ ନାଚ ପାଇଁ ଗୀତ ଗାଉଛି, ସେଇବାଟେ ଜଣେ ସଙ୍ଗୀତଜ୍ଞ ଯାଉଥିଲେ । ସେ ତାକୁ ଡାକି କହିଲେ, “ତୁମର ଗଳା ତ ବଡ ମଧୁର । ତାଳଲୟ ଜ୍ଞାନ ମଧ୍ୟ ବହୁତ ଭଲ । ତୁମେ ମୋ ପାଖକୁ ଆସ ମୁଁ ତୁମକୁ ସଙ୍ଗୀତ ଶିଖାଇବି ।”

ଗନ୍ଧର୍ବ ଏକଥା ତା’ ବାପାକୁ କହିଲା । ବାପା ତ ସମ୍ପୂର୍ଣ୍ଣ ନାରାଜ । ସେ କହିଲା, “ମାଙ୍କଡ ନାଚ ପାଇଁ ଗୀତ ବୋଲୁଛୁ ଠିକ୍ ଅଛି । ସେଥିରେ ପୁଣି ସାଧନା ଗୋଟେ କ’ଣ କରିବୁ । ଭଲ ଚାକିରୀଟିଏ ବା କାମଧନ୍ଦା ଦେଖିଲେ ପଇସା ରୋଜଗାର ହେବ । ଆଜିକି କାଲି ତୁ ବାହା ହେବୁ । ଆମ ସଂସାର ବଢିବ । ସେତେବେଳେ ଗୀତ ବୋଲି ତୁ କ’ଣ ତୋ ପେଟ ପୋଷିବୁ? ପୁଣି ମୁଁ ଆଉ ତୋ’ ମା, ଆସି ବୁଢାବୁଢୀ ହେଲୁଣି । ଆମକୁ ଛାଡିଦେଇ ତୁ କୁଆଡେ ଯିବୁ?” ହେଲେ ଗନ୍ଧର୍ବ ତା’ ବାପା କଥା ଆଦୌ ନ ଶୁଣି ସେଠୁ ଚାଲିଗଲା । ଏଣେ ବୀରଦାସ ସେହି ସଙ୍ଗୀତଜ୍ଞଙ୍କୁ ଓ ଗନ୍ଧର୍ବକୁ ବହୁତ ଗାଳି ଦେଲା । ଇତିମଧ୍ୟରେ ପ୍ରାୟ ଚାରିବର୍ଷ ବିତିଗଲାଣି । ବୀରଦାସ ପଇସା କିଛି ଜମା କରି ନିଜର ଏକ ଛୋଟ ଘରଟିଏ କଲା । କିନ୍ତୁ ପୁଅ କଥା ଭାବି ସେ ସ୍ୱାମୀ ସ୍ତ୍ରୀ ବଡ ମନଦୁଃଖରେ ଥା’ନ୍ତି ।

ସେମାନେ ମାଙ୍କଡ ନଚାଇ ପେଟ ପୋଷନ୍ତି । କିଛିଦିନ ପରେ ଦିନେ ଜଣେ ଧନୀ ତାକୁ ମାଙ୍କଡ ନଚାଇବାକୁ ଡାକିଲେ ଓ କହିଲେ ଯେ ପ୍ରତ୍ୟେକ ଖେଳ ପାଇଁ ତାଙ୍କୁ ସେ ହଜାରେ ଟଙ୍କା ଦେବେ । ବଡ ଖୁସି ମନରେ ସେ ଧନୀଙ୍କ ଘରକୁ ଗଲା । ସେଠାରେ ଯାଇ ସେ ଦେଖେ ତ ଅତି ମୂଲ୍ୟବାନ୍ ଗଦି ଓ ଆସନ ଉପରେ ସେହି ଧନୀ ଜଣକ ବସିଛନ୍ତି ।

ବୀରଦାସର ଖେଳ ଦେଖି, ପରେ ସେ ସୁନାମୋହର ଭରା ଥିବା ଥଳୀକୁ ତାଙ୍କ ପାଖକୁ ପକାଇ ଦେଇ କହିଲେ, “ମନେ ହେଉଛି ତୁମେ ମୋତେ ଚିହ୍ନି ପାରୁନାହଁ । ମୁଁ ଗନ୍ଧର୍ବ । ତୁମର ଋଣ ପରିଶୋଧ ପାଇଁ ମୁଁ ତୁମକୁ ଏଠାକୁ ଡାକିଥିଲି । ଏତକ ମୋହର ନିଅ ଓ ଖୁସିରେ ରହ ।”

ବୀରଦାସ ଆଶ୍ଚର୍ଯ୍ୟ ହୋଇ ଚାହିଁଥିଲା । ତା’ପରେ ସେ କହିଲା “ପୁଅ, ତୋ ପଥ ଚାହିଁ ଆମ ମନ ଭାଙ୍ଗି ପଡିଲାଣି । ତୁ କିପରି ଏତେ ବଡ ଲୋକ ହେଲୁ?”

ଗନ୍ଧର୍ବ କହିଲା “ଛଅମାସ ଭିତରେ ମୁଁ ସଙ୍ଗୀତ ବିଷୟରେ ସମସ୍ତ ଜ୍ଞାନ ପ୍ରାପ୍ତ କଲି । ତା’ପରେ ସଙ୍ଗୀତଜ୍ଞ ଭାବରେ ମୋର ଦୁଇଥର କନକାଭିଷେକ ମଧ୍ୟ ହେଲାଣି । ମୁଁ ବହୁତ ରୋଜଗାର କଲିଣି । ଏପରିକି ଦଶ ପୁରୁଷ ପର୍ଯ୍ୟନ୍ତ ବସି ଖାଇଲେ ମଧ୍ୟ ତାହା ସରିବ ନାହିଁ ।”

ବୀରଦାସ କହିଲା “ତୁ ଯଦି ଏତେ ଧନ ଅର୍ଜ୍ଜନ କରିଛୁ, ତେବେ ମୋର ମାଙ୍କଡ ନଚାଇବାର ଆଉ କିଛିବି ଦରକାର ନାହିଁ । ଏକଥା ଶୁଣି ତୋ ମା ବହୁତ ଖୁସି ହେବ ।”

ଗନ୍ଧର୍ବ ଗମ୍ଭୀର ଭାବରେ କହିଲା, “ତୁମେମାନେ କିପରି ଭାବେ ଜୀବନ ଯାପନ କରୁଛ ସେସବୁ ଜାଣିବା ମୋର ଆଦୌ ଦରକାର ନାହିଁ । ତୁମେ ବା ମା, ଏ ଘରକୁ ଆଉ କେବେବି ଭୁଲ୍ରେ ମଧ୍ୟ ଆସିବାକୁ ଇଚ୍ଛା କରିବ ନାହିଁ । ମା’କୁ ଦେଖିବାକୁ ଇଚ୍ଛା ହେଲେ ମୁଁ ନିଜେ ଯାଇ ଦେଖି ଆସିବି । ତମେମାନେ ମୋତେ ପାଳିଛ, ପୋଷିଛ, ସେହି ଋଣ ପରିଶୋଧ କରିବାପାଇଁ ମୁଁ ଆଜି ତୁମକୁ ଏତକ ଟଙ୍କା ଦେଲି । ଯଦି ମୋର କେବେ ଇଚ୍ଛା ହୁଏ ତ ମୁଁ ତୁମକୁ କିଛି ଧନ ଦେଇପାରେ । କିନ୍ତୁ ତମେମାନେ ମୋତେ ଆଉ କିଛିବି ମାଗିବ ନାହିଁ । ଏବେ ମୋର ଆଉ କିଛି ହେଲେ କହିବାର ନାହିଁ । ତୁମେ ଏଠୁ ଯାଇପାର ।” ଏତିକି କହି ଗନ୍ଧର୍ବ ଭିତରକୁ ଉଠିଗଲା ।

ବୀରଦାସ ଘରକୁ ଫେରି ନିଜ ସ୍ତ୍ରୀକୁ ସବୁକଥା ବୁଝାଇ କହିଲା । ସ୍ତ୍ରୀ ଦୁଃଖିତ ହୋଇ କହିଲା, “ଆମେ ତାକୁ ଜନ୍ମ ଦେଇଛୁ । ଅଥଚ ଏତେ ଖରାପ କଥାସବୁ ସେ କହି ପାରିଲା । ଚାଲ ଆମେ ବିଚାରପତିଙ୍କ ପାଖକୁ ଯିବା ।”

ସେମାନେ ବିଚାରପତିଙ୍କ ପାଖକୁ ଯାଇ ସବୁପ୍ରକାର ଅଭିଯୋଗ କଲେ । ବିଚାରପତି ଦୁଇପକ୍ଷର ସବୁକଥା ଶୁଣି ତାଙ୍କ ବିଚାର ଶୁଣାଇଲେ । ସେ କହିଲେ, “ଗନ୍ଧର୍ବକୁ ସଙ୍ଗୀତଜ୍ଞ ବଡମଣିଷ କଲେ, ତେଣୁ ସେ ତାଙ୍କୁ ପିତା ମାନି ରହିଲା । ତାହା ମଧ୍ୟ ନ୍ୟାୟ ସଙ୍ଗତ । କିନ୍ତୁ ନିଜ ଜନ୍ମିତ ମା’ବାପାଙ୍କୁ କେବଳ ହଜାରେ ମୁଦ୍ରା ଦେଇ ଋଣ ମୁକ୍ତ ହେବାଟା ଅସଙ୍ଗତ । ତା’ର ଉଚିତ୍ ଥିଲା ନିଜ ସ୍ଥାନରେ ତାଙ୍କୁ ସେ ଗୋଟିଏ ମାଙ୍କଡ ଦେଇଥା’ନ୍ତା ।”

ବେତାଳ ଗଳ୍ପଟି ଶୁଣାଇ ସାରି କହିଲା, “ମାତାପିତାଙ୍କୁ ରକ୍ଷା କରିବା ସନ୍ତାନର ଧର୍ମ । ପଇସା ପାଇଁ ସେ ଏହି ପବିତ୍ର ସମ୍ପର୍କକୁ ଭୁଲିଗଲା । ଏହା କ’ଣ ପିତୃଦ୍ରୋହ ନୁହେଁ? ପୁଣି ବିଚାରପତି କେଉଁ ଭାବରେ କହିଲେ ଯେ ତାଙ୍କୁ ମାଙ୍କଡଟିଏ ଦେବା ଉଚିତ୍ ଥିଲା । ଏଇଟା କି ପ୍ରକାର ନ୍ୟାୟ? ଏହା ତ ସମ୍ପୂର୍ଣ୍ଣ ଅବିବେକିତା ଓ ଅନ୍ୟାୟ । ବିଚାରପତି ରାମଭଦ୍ର ଏପରି କାହିଁକି କହିଲେ? ଏସବୁ ବିଷୟରେ ହୋଇଥିବା ମୋର ସନ୍ଦେହ ମୋଚନ କର । କିନ୍ତୁ ଉତ୍ତର ଜାଣିକିବି ତମେ ଯଦି ନୀରବ ରହିବ ତେବେ ତୁମର ଶିର ସ୍କନ୍ଧଚ୍ୟୁତ ହେବ ।”

ବିକ୍ରମାର୍କ କହିଲେ, ମଣିଷ ମଧ୍ୟ ଏକ ଜନ୍ତୁ । କେବଳ ତା’ ଚିନ୍ତାଶକ୍ତି ଓ ବିବେକ ଯୋଗୁଁ ସେ ପଶୁଠାରୁ ଭିନ୍ନ । ପଶୁ ମାନଙ୍କର ଜନ୍ମଠାରୁ ଜଣାଯାଏ ସେ କି କି କାମ କରିବ । କିନ୍ତୁ ମଣିଷ କ୍ଷେତ୍ରରେ ତାହା ଟିକେ ଭିନ୍ନ । ସେ ନିଜର ଶକ୍ତି ଓ ସାମର୍ଥ୍ୟ ଦ୍ୱାରା ଜାଣିପାରେ ସେ କିକି କାମ କରିବ । ସନ୍ତାନର ଯୋଗ୍ୟତା ଓ ଅଭିରୁଚି ଅନୁସାରେ ତାକୁ ପ୍ରୋତ୍ସାହନ ଦେବା ପିତାମାତାଙ୍କର ମଧ୍ୟ କର୍ତ୍ତବ୍ୟ । ବୀରଦାସ ପୁଅକୁ ଚାଷକାମରେ ବନ୍ଦୀ କରି ରଖିଲା । ଅଥଚ ସଙ୍ଗୀତ ଶିଖିବାକୁ ଦେଲାନାହିଁ । ନିଜ ସ୍ୱାର୍ଥ ପାଇଁ ମାଙ୍କଡଛୁଆକୁ ମଧ୍ୟ ମାରପିଟ କରି ଖେଳ ସବୁ ଶିଖାଇଲା । ମାଙ୍କଡ ଯାହାବି କିଛି ଖେଳକୁଦରୁ ପାଇଲା ତାକୁ ତ ମାଙ୍କଡର ମାବାପା ପାଇଲେ ନାହିଁ । ବୀରଦାସ ସେସବୁ ପାଇଲା । ପଶୁଧର୍ମକୁ ପାଳନ କରୁଥିବା ଏପରି ଲୋକଙ୍କ ପିଲାମାନେ ନିଜ ରୋଜଗାର ମାବାପାଙ୍କୁ ଦେବାର କିଛି ଦରକାର ନାହିଁ ।

ସଙ୍ଗୀତଜ୍ଞ ଗନ୍ଧର୍ବର ବହୁତଦିନର ସ୍ୱପ୍ନ ସଫଳ କଲେ । ତାକୁ ଆଦରରେ ସଙ୍ଗୀତ ଶିଖାଇ ଜଣେ ସଫଳ ମଣିଷ ଭାବେ ତିଆରି କଲେ । ବିଚାରପତି କହିଲେ ମାତାପିତାଙ୍କୁ ମାଙ୍କଡଟିଏ ଦେଇଥିଲେ ହୋଇଥା’ନ୍ତା । ତା’ର ଅର୍ଥ ପଶୁଧର୍ମ ପାଳନ କରୁଥିବା ବୀର ଦାସ ପଶୁରହିଁ ପିତା ହେବାକୁ ଯୋଗ୍ୟ । ଏତେ ବଡ ଜ୍ଞାନୀ ସରସ୍ୱତୀଙ୍କ ବରପୁତ୍ର ଗନ୍ଧର୍ବର ପିତା ହେବାକୁ ସେ କେବେବି ଯୋଗ୍ୟ ନୁହଁ । ବିଚାରପତି ତାଙ୍କ ଭୁଲ୍ ବୁଝାଇବାକୁ ଯାଇ ସେପରି କହିଲେ । ତେଣୁ ବିଚାରପତି ରାମଭଦ୍ରଙ୍କ ବିଚାର ଅତ୍ୟନ୍ତ ଉଚ୍ଚ କୋଟୀର । ରାଜାଙ୍କର ମୌନ ଭଙ୍ଗ ହେବାମାତ୍ରେ ବେତାଳ ଶବ ସହିତ ତାଙ୍କ କାନ୍ଧରୁ ଖସି ଯାଇ ପୁଣି ପୂର୍ବଗଛରେ ଝୁଲି ପଡିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ