ପାଞ୍ଚ ପ୍ରଶ୍ନ

ଦ୍ୱିତୀୟ ଦିନ ଯେତେବେଳେ ଧୀରସିଂହ ରାଜକୁମାରୀ ସୁଲୋଚନାଙ୍କୁ ଭେଟିବାକୁ ଆସିଲେ, ସେତେବେଳେ ରାଜକୁମାରୀ ତାଙ୍କୁ ସ୍ୱାଗତ କରି କହିଲେ, “ରାଜକୁମାର, ଏ ରାଜ୍ୟର ପଶ୍ଚିମ ପ୍ରାନ୍ତରେ ଯେଉଁ ଅରଣ୍ୟ ରହିଛି, ତାହା ଭିତର ଦେଇ ନଈଟିଏ ବହିଯାଇଛି । ଯିଏ ବଣ ଭିତରକୁ ଯାଏ, ସିଏ କେବଳ ସେ ନଈହିଁ ଦେଖି ପାରେ । ବଡ ବିସ୍ମୟର କଥା ଯେ ଗତ ଦୁଇବର୍ଷ ହେବ ସେ ନଈର ଜଳ ଲାଲ୍ ଦିଶୁଛି । ଏହାର କାରଣ କ’ଣ? ଏହାହିଁ ମୋର ଦ୍ୱିତୀୟ ପ୍ରଶ୍ନ ।”

                “ରାଜକୁମାରୀ, ମୋତେ ନଅଦିନ ସମୟ ଦିଅନ୍ତୁ । ମୁଁ ଏ ପ୍ରଶ୍ନର ଯଥାର୍ଥ ଉତ୍ତର ଆଣିଦେବି ।” ଏହା କହି ରାଜକୁମାର ଧୀରସିଂହ ତାଙ୍କଠୁ ବିଦାୟ ନେଲେ ଓ ପଶ୍ଚିମ ଦିଗକୁ ଘୋଡା ଛୁଟାଇ ଦେଲେ । ବଣ ଭିତରେ ପଶି ସେ ଅନେକ ଦୂର ଯିବା ପରେ ତାଙ୍କ ଆଖିରେ ନଈଟିଏ ପଡିଲା । ବାସ୍ତବିକ ସେ ନଈର ପାଣି ଲାଲ୍ ଦିଶୁଥାଏ । ଧୀରସିଂହ ନଈକୂଳେ କୂଳେ ଧୀରଗତିରେ ଘୋଡା ଚଳାଇ ଗୋଟାଏ ସରୋବର ପାଖରେ ଆସି ପହଁଚିଲେ । ସରୋବର ତଟରେ ଅନେକ ଗୁଡିଏ ଫଳପୁଷ୍ପ ଶୋଭିତ ଗଛ । ସେ ସରୋବରର ପାଣି ମଧ୍ୟ ଲାଲ୍ । ନଈଟି ସେହି ବିଶାଳ ସରୋବରରୁ ବାହାରିଛି ବୋଲି ତାଙ୍କର ଧାରଣା ହେଲା ।

ସେ ଘୋଡାରୁ ଓହ୍ଲାଇପଡି, ଘୋଡାକୁ ଗୋଟାଏ ଗଛରେ ବାନ୍ଧିଦେଇ ଗଛ ମୂଳରେ ବିଶ୍ରାମ କରୁଛନ୍ତି, ତାଙ୍କ ଆଖିରେ ଗୋଟିଏ ବିଚିତ୍ର ଦୃଶ୍ୟ ପଡିଲା । ସେ ଦୃଶ୍ୟ ଦେଖି ତାଙ୍କ ଲୋମମୂଳ ଟାଙ୍କୁରି ଉଠିଲା । ସେ ଦେଖିଲେ, ସରୋବର ଉପରକୁ ଝୁଙ୍କି ହୋଇ ରହିଥିବା ଗୋଟିଏ ଗଛର ଶାଖା ପ୍ରଶାଖାରୁ ଅନେକ ଗୁଡିଏ ନାରୀ-ମୁଣ୍ଡ ଝୁଲି ରହିଛି । ସେହିସବୁ ଛିନ୍ନ ମୁଣ୍ଡରୁ ଟପ୍ ଟପ୍ ହୋଇ ରକ୍ତ ସରୋବର ଉପରେ ପଡୁଛି । ଫଳରେ ସେ ସରୋବର ରକ୍ତବର୍ଣ୍ଣ ।

ଧୀରସିଂହଙ୍କ ବିସ୍ମୟର ଆଉ ସୀମା ରହିଲା ନାହିଁ । ରାଜକୁମାରୀ ସୁଲୋଚନାଙ୍କ ପ୍ରଶ୍ନ ଥିଲା ନଦୀଜଳ କାହିଁକି ଲାଲ୍ । ଏବେ ସେ ପ୍ରଶ୍ନର ଉତ୍ତର ସେ ଠିକ୍ ପାଇଗଲେ । ଏହି ରକ୍ତ କ୍ଷରଣ ଯୋଗୁଁ ଜଳ ଲାଲ୍ । କିନ୍ତୁ ରାଜକୁମାରୀଙ୍କ ପ୍ରଶ୍ନର ଉତ୍ତର ସିନା ମିଳିଲା, ହେଲେ ତାଙ୍କ ମନରେ ଉଠୁଥିବା ପ୍ରଶ୍ନର ତ ପୁଣି ଉତ୍ତର ମିଳିବା ଆବଶ୍ୟକ! କିଏ ଏହିସବୁ ହତଭାଗିନୀ ନାରୀ? କେଉଁ ନିର୍ମମ, ବର୍ବର ମଣିଷ ବା ରାକ୍ଷସ ଏମାନଙ୍କ ମୁଣ୍ଡକୁ ଏମିତି ଭାବରେ ଝୁଲାଇ ରଖିଛି?

ଏହି ପ୍ରଶ୍ନ ଉପରେ ସେ ଗଭୀର ଚିନ୍ତା କରୁଛନ୍ତି, ଚାହୁଁ ଚାହୁଁ ସୂର୍ଯ୍ୟ ଅସ୍ତଗଲେ । ସୂର୍ଯ୍ୟ ଅସ୍ତ ଯିବା ମାତ୍ରେ ଗଛରୁ ଝୁଲି ରହିଥିବା ମୁଣ୍ଡମାନଙ୍କ ଭିତରୁ ଗୋଟିଏ ଖିଲି ଖିଲି ହୋଇ ହସି ଉଠିଲା ଓ ତଳେ ଜଳ ଉପରେ ପଡି ତାହା ଅଦୃଶ୍ୟ ହୋଇଗଲା । ତା’ପରେ ଆଉ ଗୋଟିଏ ମୁଣ୍ଡ ମଧ୍ୟ ସେମିତି ହସି ହସି ସରୋବର ଜଳରେ ପଡିଲା । ଏହିପରି ଭାବେ ଗୋଟିଏ ପରେ ଗୋଟିଏ ସବୁ ମୁଣ୍ଡ ଜଳରେ ପଡିବା ପରେ ଚତୁର୍ଦ୍ଦିଗ ଗୋଟାଏ ଅଦ୍ଭୁତ ଆଲୋକରେ ଉଦ୍ଭାସିତ ହୋଇ ଉଠିଲା । ସରୋବର ଭିତରୁ ଉପରକୁ ଗୋଟିଏ ମନୋରମ ପ୍ରାସାଦ ଭାସି ଉଠିଲା । ସେ ପ୍ରାସାଦର ପ୍ରବେଶ ଦ୍ୱାର ସରୋବର କୂଳକୁ ଲାଗି ଆସିଲା । ଟିକିଏ ଦ୍ୱିଧା କରି ତା’ପରେ ଧୀରସିଂହ ସେ ପ୍ରାସାଦ ଭିତରେ ପ୍ରବେଶ କରି ଦେଖିଲେ, ପ୍ରାସାଦ ଅଭ୍ୟନ୍ତରରେ ଜଣେ ରୂପସୀ ତରୁଣୀ ବସିଛନ୍ତି । ତାଙ୍କୁ ଆହୁରି ଅନେକ ତରୁଣୀ ଘେରି ବସିଛନ୍ତି । ସେ ବୁଝିଲେ, ଏହିମାନଙ୍କ ମୁଣ୍ଡ ଗଛରୁ ଝୁଲି ରହିବାର ସେ ଦେଖିଥିଲେ ।

ତାଙ୍କ ଉପରେ ଆଖି ପଡିବାରୁ ସେ ତରୁଣୀମାନଙ୍କର ନେତ୍ରୀ ତାଙ୍କୁ ସ୍ୱାଗତ କଲେ ଓ ନାନା ଫଳମୂଳ ଦେଇ ତାଙ୍କ କ୍ଷୁଧା ତୃଷ୍ଣା ନିବାରଣ କଲେ । ଧୀରସିଂହ ତାଙ୍କୁ ଧନ୍ୟବାଦ ଦେଇ ପଚାରିଲେ, “ଉଉଣୀ! ତୁମମାନଙ୍କର ପରିଚୟ କ’ଣ? ତୁମମାନଙ୍କର ଏଭଳି ଅଦ୍ଭୁତ ଅବସ୍ଥା ଦେଖି ମୁଁ ବିମୂଢ ପାଲଟି ଗଲିଣି ।”

ତରୁଣୀମାନଙ୍କ ଆଖିରୁ ଅଶ୍ରୁଧାରା ବହିଗଲା । ସେମାନଙ୍କ ନେତ୍ରୀ କହିଲେ, “ତୁମେ ଯେତେବେଳେ ମୋତେ ଭଉଣୀ ବୋଲି ସମ୍ବୋଧନ କରିଛ, ସେତେବେଳେ ଆମେ ତୁମକୁ ସବୁକଥା କହିବା ଉଚିତ୍ । କିନ୍ତୁ ଆମ ଉପରେ ଏପରି ଅଭିଶାପ ରହିଛି ଯେ ସେ କଥା କହିବାକୁ ଆରମ୍ଭ କରିବା ମାତ୍ରେ ଆମ୍ଭମାନଙ୍କ ମୁଣ୍ଡ ଛିଡିଯାଇ ପୁଣି ବୃକ୍ଷରେ ଓହଳିବ । ଦେହତକ ସରୋବର ଭିତରେ ଅଦୃଶ୍ୟ ହୋଇଯିବ ।”

ଧୀରସିଂହ ପଚାରିଲେ “ତେବେ କ’ଣ ମୁଁ ଏ ପ୍ରଶ୍ନର ଉତ୍ତର କେବେ ମଧ୍ୟ ପାଇବି ନାହିଁ?”

“ଆମେ ଖାଲି ଏତିକି କହିପାରୁ ଯେ ତୁମେ ଯଦି ଧୈର୍ଯ୍ୟ ଧରି ସରୋବର କୂଳେ କୂଳେ ଯିବ, ତେବେ ହୁଏତ ଏଭଳି କାହାକୁ ଭେଟିବ, ଯିଏ କି ସବୁ କହିପାରିବେ ।” ତରୁଣୀମାନଙ୍କ ନେତ୍ରୀ ଏତକ କହିସାରିବା ବେଳକୁ ଭୀଷଣ ଶବ୍ଦ ଶୁଭିଲା । ସତେ ଅବା ସେ ପ୍ରାସାଦ ଭାଙ୍ଗି ପଡିବ । ଧୀରସିଂହ କିଛି ଦେଖିପାରିଲେ ନାହିଁ । ସେ କୂଳକୁ ଦୌଡି ଆସି ସରୋବର ଭିତରକୁ ଅନାଇ ଦେଖିଲେ, ପ୍ରାସାଦ ଅଦୃଶ୍ୟ ହୋଇଗଲାଣି । ଗଛର ଶାଖା ପ୍ରଶାଖାରେ ପୁଣି ସେ ନାରୀ ମୁଣ୍ଡମାନ ଝୁଲି ରହିଛନ୍ତି ।


ଗପ ସାରଣୀ

ତାଲିକାଭୁକ୍ତ ଗପ