ପାଠୋଈ ବୋହୂ

ବାବୁ – ଭକ୍ତିଦାୟିନୀ ସଭାକୁ

ସରସ୍ୱତୀ – କ’ଣ- କ’ଣ କହିଲ? ଭଗବତୀ ଡାହାଣୀ?

ବାବୁ ହସି ହସି କହିଲେ – “ହଁ ହଁ, ଭଗବତୀ ଡାହାଣୀ ।”

ସରସ୍ୱତୀ- ଶୋଭା କ’ଣ କହିଲେ, ସେ କ’ଣ ବଡ ଶୋଭାକାର?

ବାବୁ ଟାହୁଲି କରି କହିଲେ- “ହଁ ହଁ, ଭାରି ଶୋଭାକାର ।”

ତା’ପରେ ସେ ବାବୁ ହସି ହସି ସେଠାରୁ ଚାଲିଗଲେ, ମନ ମଧ୍ୟରେ ଭାରି ଦିକ୍ଦାରଟା ବି ସେ ହେଲେ । ବଣ ସାନ୍ତାଳ ଗାଁରୁ କି ବଣଜନ୍ତୁଟାଏ ଆସିଛି, ଭକ୍ତିଦାୟିନୀ କଥାଟା ବି ୟାକୁ କହି ଆସୁ ନାହିଁ, କହୁଛି କ’ଣ ନା, ଭଗବତୀ ଡାଆଣୀ । କ’ଣ ଖୋଜୁଥିଲି, ଆଉ ମୁଁ କ’ଣ ପାଇଲି – ଏସବୁ ମୋ କପାଳ କଥା । ଏଣେ ଏ ସରସ୍ୱତୀଦେଈ ଯେଉଁ ଜାଗାରେ ଛିଡା ହୋଇଥିଲେ, ଠିକ୍ ସେହି ଜାଗାରେ ଖୁମ୍ବଟି ପରି କାନ୍ଥକୁ ଆଉଜି ଛିଡା ହୋଇଛନ୍ତି । ରାତି ଘଡିଏ ହୋଇଗଲାଣି, ଅର୍ଜୁନା ଡାକିଦେଲା, “ମା, ଇମିତିଟା ହୋଇ ଛିଡା ହୋଇଛନ୍ତି କିଆଁ? ହାଣ୍ଡିଶାଳ ଦୁଆରେ ଘଷି କୁହୁଳା ସେ ଥୋଇ ଦେଇଛି, ପାଣି ଦୁଇ ମାଠିଆ ରଖିଦେଲିଣି, ଯାଅନ୍ତୁ ଭାତ ରାନ୍ଧିବେ ଯାଅନ୍ତୁ ।” ଅର୍ଜୁନାର ଦୁଇ ତିନି ଡାକରେ ସରସ୍ୱତୀ ‘ହୁଁ’ ବୋଲି କହି ହାଣ୍ଡିଶାଳକୁ ଯିବାଲାଗି ବାହାରିଲେ, ଚୁଲିରେ କୁହୁଳାଟା ପକାଇଦେଇ ସେ ହାଣ୍ଡି ବସାଇଦେଲେ । ରୋଜିନା ତିନିଜଣ ପାଇଁ ରନ୍ଧା ସେରେ ଚାଉଳ । ସରସ୍ୱତୀଦେଈ ଅମପା ଅପୋଛା ଚାଉଳ (ଧୁଆଏ ଚାଉଳ) ଆଣି ହାଣ୍ଡିଟିରେ ଢାଳିଦେଲେ । ଚାଉଳଟା ଅଧୁଆ । ଲୋଟାଏ ପାଣି ଢାଳିଦେଇ ଚୁଲି ଜଳା ଲଗାଇଛନ୍ତି । ଅର୍ଜୁନା ଅନାଇଥାଏ । ଦେଖି ଦେଖି ମନରେ ସେ କଲା, ଆଜି ଏ କ’ଣ ହେଉଛି! ଦଣ୍ଡବାଦେ ଅର୍ଜୁନା ଡାକିଦେଲା “ମା-ମା, ଦେଖନ୍ତୁ– ଦେଖନ୍ତୁ, ଭାତ ତଳି ଲାଗିଗଲା ପରା- ଚାଉଳ, ପୋଡା ଗନ୍ଧାଉଛି ।” ‘ହଁ’ ବୋଲି କହି ସରସ୍ୱତୀଦେଈ ଆଉ ଅଧମାଠିଏ ପାଣି ଗବଗବ କରି ସେ ହାଣ୍ଡିରେ ଢାଳିଦେଲେ । ଦଣ୍ଡକ ବାଦେ ମେଂଚାଏ ହଳଦି ଓ ମୁଠାଏ ଲୁଣ ସେ ପକାଇଦେଇ ଘାଂଟି ବସିଲେ । ଅର୍ଜୁନା ଡାକିଲା, “ମା ମା, ଭାତରେ ହଳଦି ପକାଇଲେ କିଆଁ?” ଅର୍ଜୁନାର କଥା କ’ଣ କାନରେ ପଶୁଛି? ଆକାଶ ପାତାଳ ଭାବନା, ଚିନ୍ତାର ସୀମା ନାହିଁ । ଆଖି ଆଗରେ ପୃଥିବୀଟା ଯେମନ୍ତ ଘୂରିଯାଉଛି, ଭଗବତୀ ଡାଆଣୀ ନାଚି ନାଚି ତାଙ୍କ ପାଖକୁ ଧାଇଁଆସୁଛି ।

ସରସ୍ୱତୀ ମନରେ କଲେ, ଏ ଭଗବତୀ ଡାଆଣୀ କଥା ଅର୍ଜୁନାକୁ ପଚାରି ବୁଝିବେ । ସ୍ୱାମୀ କଥା- ଅସୁନ୍ଦର କଥା । ଟୋକାଟାକୁ ପଚାରିବାକୁ ବଡ ଲାଜ ମାଡୁଛି । ଅର୍ଜୁନାକୁ ଦୁଇ ତିନିଥର ସେ ଅନାଇଲେ, ହେଲେ ସେ ତାକୁ ପଚାରି ପାରୁ ନାହାଁନ୍ତି । ଆଉ ସମ୍ଭାଳି ହୋଇପାରିଲେ ନାହିଁ, ପଚାରିଲେ, “ହଇରେ ଅର୍ଜୁନା, ତୁ ଭଗବତୀ ଡାହାଣୀକୁ କ’ଣ କେବେ ଦେଖିଛୁ?”

ଅର୍ଜୁନା- କୋଉ ଡାହାଣୀ, ମା’?

ସରସ୍ୱତୀ – ଆରେ ସେଇ ଭଗବତୀ- ସେ କ’ଣ ବଡ ଶୋଭାକାର?

ସରସ୍ୱତୀ ମନରେ କରିଛନ୍ତି, ଅର୍ଜୁନା ସବୁ ଜାଣେ, ଅବଶ୍ୟ ସେ ଜାଣେ । ଅର୍ଜୁନା ଦଣ୍ଡେଯାଏଁ ତୁନିହୋଇ ରହିଲା, ସେ ଲୋକ ଭଣ୍ଡାରି ପିଲା, ଆପଣା ଅଜଣାପଣିଆ କିଆଁ ସେ ପ୍ରକାଶ କରିବ? ତେଣୁ ସେ ଖୁବ୍ ପାଟିଟା କରି କହିଲା, “ହଁ ମା, ଦେଖିଛି, ଦେଖିଛି ।” ନିଶ୍ଚୟ ସେ ଜାଣିଶୁଣି ମିଛ କହି ନାହିଁ । କଥା କ’ଣ କି ସେ ବାବୁଙ୍କ ସାଙ୍ଗରେ ଦିନେ ରାତିରେ ଶ୍ୟାମସୁନ୍ଦର ମନ୍ଦିରକୁ ଝୁଲଣ ଯାତ୍ରା ଦେଖିବାକୁ ଯାଇଥିଲା । ସେତେବେଳେ ଗୋଟିଏ ସୁନ୍ଦରୀ ମାଇକିନିଆ ଠାକୁର ଆଗରେ ନାଚି ନାଚି ଗୀତ ଗାଉଥିଲା, ସେ ତ ତାହା ଦେଖିଆସିଛି । ଅର୍ଜୁନା ଘର ଧାମରା ଯୋର ଲୁଣାଦଣ୍ଡି ସମୁଦ୍ରକୂଳ ମଫସଲ- ମାଇକିନିଆ ନାଚନ୍ତି, ଆଉ ଏଡେ ସୁନ୍ଦର ମାଇକିନିଆ ତାହାର କୌଣସି ପୁରୁଷରେ କେହି ଦେଖି ନାହିଁ । ମନରେ କଲା, ମା’ ବୋଧେ ତାହାରି କଥା ପଚାରୁଛନ୍ତି ।

ସରସ୍ୱତୀ- ବାବୁ କ’ଣ ତା ପାଖରେ ବସିଥିଲେ?

ଅର୍ଜୁନା- “ହଁ, ତା ପାଖରେ ବାବୁ ବସିଥିଲେ ।” ତାହା ବାଦେ ସେ ତା ଆପଣାର ଜାଣନ୍ତାପଣିଆ ପ୍ରକାଶ କରିବା ଲାଗି ବର୍ଣ୍ଣନା କଲା, ସେ ଭଗବତୀ ଡାହାଣୀ କେତେ ସୁନ୍ଦର, କିମିତି ବଡ ସୁନ୍ଦର ଲୁଗା ସେ ପିନ୍ଧିଛି, ସେ ତା ଦିହରେ ମୁଣ୍ଡରେ କେତେ ସୁନା ଅଳଙ୍କାର ଲଗାଉଛି ।

ସେତେବେଳେ ସେ ସାନ୍ତାଣୀ ଗୋଟାଏ ଲୁହାଚଟୁ ଧରି ଭାତ ଘାଂଟୁଥିଲେ, ମୁହଁ ଫେରାଇ ଅର୍ଜୁନାକୁ ପଚାରିଲେ, “କ’ଣ କ’ଣ, ସେ ମୁଣ୍ଡରେ ସୁନା ଅଳକା ଲଗେଇଛି?”

ଅର୍ଜୁନା- ହଁ ମା’, ସେ ସୁନା ଅଳକା ଲଗେଇଛି, ମୁଁ ନିଜେ ଦେଖିଛି ପରା!

ଏହା ଶୁଣି ସେ ସରସ୍ୱତୀଙ୍କ ମୁଣ୍ଡରେ କିଏ ଯିମିତି ନିଆଁ ପାଛିଆଏ ଅଜାଡିଦେଲା । ହଠାତ୍ ରଡିଟାଏ ଛାଡି ସେ ସେଠାରେ ଛିଡା ହୋଇପଡିଲେ, କହିଲେ “ଏଁ- କ’ଣ? ମୋ ଶାଶୁ ପରା କହିଯାଇଥିଲେ, ମୁଁ ସୁନା ଅଳକା ମୁଣ୍ଡରେ ଲଗାଇବି, ତାକୁ ସେ ଡାହାଣୀ ମୁଣ୍ଡରେ ଲଗାଇ ସାରିଲାଣି? ତେବେ ମୁଁ ଆଉ ଏ ଜୀବନ ରଖିବି ନାହିଁ, ଆଜି ହିଁ ଜୀବନ ହରାଇଦେବି ।” ହାତରେ ଲୁହାଚଟୁ ଥିଲା ଦୁମାଦୁମ୍ ଭାତ ହାଣ୍ଡିରେ ବାଡେଇଲେ । ଚାଉଳିଆ ଭାତ ପେଜ ଖପରାରେ ଚୁଲି ପୂରିଗଲା, ନିଆଁଗୁଡାକ ଲିଭିଯାଇ ସେଁ ସେଁ କରୁଛି, ତତଲା ପେଜ ଛିଟିକି ତାଙ୍କ ଗୋଡ ହାତରେ ପଡି ଗୁଆପରି ଗୋଟା ଗୋଟା ଫୋଟକା ବାହାରି ପଡିଲାଣି । ହେଲେ ସେଥିକି ତା’ର ମୋଟେ ନଜର ନାହିଁ । ଘରେ ଯେତେ ପାଣିକଳସୀ, ତରକାରି ହାଣ୍ଡି, ଚାଉଳ ହାଣ୍ଡି ଥିଲା, ଚଟୁରେ ବାଡେଇଗଲେ, ହାଣ୍ଡିଶାଳ ଗୋଟାଯାକ ଖପରା, ପାଣି, ଚାଉଳ ପେଜରେ ପୂରିଗଲାଣି । “କ’ଣ ହେଲା, କ’ଣ ହେଲା” ବୋଲି କହି ସେ ଅର୍ଜୁନା ରଡି ଛାଡିଛି । ବାହାରକୁ ବାହାରିଆସି ଅର୍ଜୁନା ସରସ୍ୱତୀଙ୍କୁ ଧରୁ ଧରୁ ସେ ଭୂଇଁରେ ମୁଣ୍ଡ ବାଡେଇଦେଲେ । ମୁଣ୍ଡ ଫାଟିଯାଇ ରକ୍ତଧାର ଛୁଟିଛି, ପିଣ୍ଡାରେ ବସିପଡି ସେ ବାହୁନିବାକୁ ଲାଗିଲେ-

“ବୋଉ ଲୋ! ମତେ କଂସେଇ ଖୁଂଟରେ ବାନ୍ଧି ଦେଇଛୁ, ମୋ ବୋଉ ଲୋ! ମୁଁ ମରିବାବେଳେ ତୋ ମୁହଁ ଚାହିଁଲି ନାହିଁ, ମୋ ବୋଉ ଲୋ! ମୋତେ ନିଆଁ ଖାତକୁ ପେଲିଦେଲୁ, ମୋ ବୋଉ ଲୋ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ