‘ପାଷାଣ୍ଡ’ର ପରାକ୍ରମ

                ମୋହନା ରାଗିଯାଇ କହିଲେ “ଛିଃ, ତୁମେ ତୁମ ମୁହଁ ବନ୍ଦ କର । କ’ଣ ତମେ ଜାଣିନା କି ମୁଁ ସୁପର୍ଣ୍ଣ ରାଜ୍ୟର ରାଜକୁମାରୀ? ମୁଁ କ’ଣ ଜଣେ ଡାକୁକୁ ବିବାହ କରିବି? ମୂର୍ଖଙ୍କ ପରି କ’ଣ କଥା କହୁଛ?”

                ବୃଦ୍ଧ ସେବକ ଦୀପସିଂହ କହିଲେ “ଏକଥା ସତ ଯେ ଆମ ସର୍ଦ୍ଦାର ଜଣେ ଡାକୁ । କିନ୍ତୁ ଏ ସଂସାରରେ କୌଣସି ରାଜକୁମାର ରୂପ ଓ ଗୁଣରେ ତାଙ୍କର ସମକକ୍ଷ ହେବେ ନାହିଁ । ଛାଡ, ତମେ ପଛେ ତାଙ୍କୁ ବିବାହ ନକର, କିନ୍ତୁ ଏଠାରୁ ମୁକ୍ତି ପାଇବାର ଏକମାତ୍ର ଉପାୟ ହେଉଛି ସେ ଯଦି ତୁମକୁ ଦୟା କରନ୍ତି । ନଚେତ୍ ଗୁମ୍ଫା ଭିତରେ ବନ୍ଦିନୀ ହୋଇ ରହିଲେ ସାଧାରଣ ଝିଅ ଓ ଗୋଟେ ରାଜକୁମାରୀ ମଧ୍ୟରେ ତଫାତ୍ କ’ଣ ଅଛି?” ମୋହନା କ୍ରମେ ବୁଝିଲେ ଯେ ଏ ବୃଦ୍ଧ ଯାହା କିଛିବି କହୁଛି ତାହା ସତ ।

                ଦିନେ ସେ ଭଲ ଭାବରେ ସାଜସଜ୍ଜା ହୋଇ ଲାଲ୍ ଶାଢୀ ପିନ୍ଧି ପାଷାଣ୍ଡ ଆଗରେ ତାଙ୍କ ମନ ଆକର୍ଷଣ କରିବାକୁ ଥରେ ଦୁଇଥର ଯିବା ଆସିବା କଲେ । ସେତେବେଳେ ପାଷାଣ୍ଡ କୌଣସି ଏକ ବିଷୟରେ ଗଭୀର ଭାବରେ ଚିନ୍ତାମଗ୍ନ ଥାଏ । ତେଣୁ ମୋହନାଙ୍କୁ ସେ ଦେଖି ପାରି ନଥାଏ । କିଛି ସମୟ ପରେ ପାଷାଣ୍ଡ ମୋହନାଙ୍କୁ ପାଖକୁ ଡାକି କହିଲା, “ତମେ ତ ଆଜି ଭାରି ସୁନ୍ଦର ଦେଖାଯାଉଛ । କିନ୍ତୁ ନୀଳ ଶାଢୀରେ ତୁମେ ଆହୁରି ବେଶି ସୁନ୍ଦର ଲାଗୁଥିଲ ।”

                ମୋହନା ପଚାରିଲେ “ତମେ କିପରି ଏହା ଜାଣିଲ?”

                ପାଷାଣ୍ଡ କହିଲା “ମୋ ସ୍ତ୍ରୀ ମୋତେ ଏହିକଥା କହିଥିଲା । ସୌନ୍ଦର୍ଯ୍ୟ ବିଷୟରେ ତା’ର ଜ୍ଞାନ ଖୁବ୍ ଗଭୀର ।”

                ପାତକୀର ନାମ ପଡିବା ମାତ୍ରେ ମୋହନା ମନରେ ପ୍ରବଳ ରାଗ ଆସିଲା । କିନ୍ତୁ ସେ ତାହା ଦବାଇ ରଖିଲେ । ଆଉ ଦିନେ ସେ ନୀଳ ରଙ୍ଗର ଶାଢୀ ପିନ୍ଧି ବୁଲି ବୁଲି ଗୀତ ଗାଉଥା’ନ୍ତି । ସେ ଗୀତ ଗୁଡିକ ଶ୍ରୀକୃଷ୍ଣଙ୍କର ବାଳଲୀଳା ସର୍ମ୍ପକୀୟ ଥିଲା । ତାଙ୍କର କଣ୍ଠସ୍ୱର ଅତ୍ୟନ୍ତ ମଧୁର ଥିଲା ।

                ପାଷାଣ୍ଡ କହିଲା “ହେଇ ଶୁଣ । ତମେ ଶ୍ରୀକୃଷ୍ଣଙ୍କ ଲୀଳା ସଂଗୀତ ଏଠାରେ ଗାଇବ ନାହିଁ । ଶିବଙ୍କୁ ସ୍ତୁତି କରି ଗୀତ ବୋଲ । ତମେ କ’ଣ ଜାଣନାହିଁ କି ପାତକୀ ଶିବଙ୍କ ଭକ୍ତ ବୋଲି?”

                ଏଭଳି କଥା ଶୁଣି ସେ ବିଚାରୀ ମୋହନାଙ୍କ ମୁହଁ ପୁଣି ଶୁଖିଗଲା ।

                ଆଉଦିନେ ସେ ମୋହନା ଗଛ ଛାଇରେ ବୁଲୁ ବୁଲୁ ନୃତ୍ୟ କରୁଥିଲେ । ପାଷାଣ୍ଡ ଦୌଡିଯାଇ ତାଙ୍କୁ କହିଲା, “ମୋ ସ୍ତ୍ରୀ ଠାରୁ ଅନୁମତି ନେଇ ତୁମେ ଏ ନାଚ କରୁଛ ତ? ନ ହେଲେ ସେ ବହୁତ ରାଗିବ ।” ଏଥି ଉତାରେ ସେ ମୋହନା ପୁଣି ଚୁପ୍ ହୋଇଗଲେ ।

                କିଛିଦିନ ପରେ । ଦିନେ ମୋହନା ପାଷାଣ୍ଡକୁ କହିଲେ, “ଦେଖ, ତୁମର ସେବକ କହୁଥିଲା ଯେ ତମେ ଅନ୍ୟାନ୍ୟ ଚୋର ଡାକୁଙ୍କ ପରି ଯମା ନୁହଁ । କ୍ଷତ୍ରିୟ ରାଜକୁମାର ଅପେକ୍ଷା ମଧ୍ୟ ତୁମର ଅଧିକ ଶୌର୍ଯ୍ୟ ଓ ପରାକ୍ରମ । ମୁଁ ଟିକିଏ ଏସବୁ ଦେଖିବାକୁ ଚାହୁଁଛି ।”

                ପାଷାଣ୍ଡ କହିଲା “ଓ, ଏହିକଥା ତାହାହେଲେ ତ ଆମକୁ ବଣ ଭିତରକୁ ଯିବାକୁ ହେବ । ତୁମକୁ ସାଥିରେ ନେଇ ଯିବାକୁ ହେଲେ ପ୍ରଥମେ ପାତକୀଠାରୁ ଅନୁମତି ଆଣିବାକୁ ହେବ । ତମେ ବରଂ ଯାଇ ତା’ ଠାରୁ ଅନୁମତି ନେଇ ଆସ ।”

                ପାଷାଣ୍ଡର ଏପରି କଥାବାର୍ତ୍ତା ମୋହନାଙ୍କ ପାଇଁ କିଛି ନୂଆ ନଥିଲା । ତେଣୁ ସେ ଏଥିରେ ଆଉ ରାଗିଲେ ନାହିଁ । ପାତକୀ ପାଖକୁ ଯାଇ ସେ କହିଲେ, “ମୁଁ ତୁମ ସ୍ୱାମୀଙ୍କର ପରାକ୍ରମ ଦେଖିବାକୁ ଚାହୁଁଛି । ତେଣୁ ଆମକୁ ବଣକୁ ଯିବାକୁ ହେବ । ତମେ ଆପଣା ମନରେ ଅନ୍ୟ କିଛି ନ ଭାବି ଏଥିପାଇଁ ଅନୁମତି ଦେବ କି?”

                ମୋହନାର ଏଭଳି କଥାରେ ସେ ପାତକୀ ଅଳ୍ପ ହସି କହିଲା, “ତମେ ଆମ ପ୍ରେମର ଗଭୀରତା କେବେବି ବୁଝିପାରିବ ନାହିଁ । ପରସ୍ପର ଉପରେ ଆମର ଅଖଣ୍ଡ ବିଶ୍ୱାସ । କୌଣସି ସୌନ୍ଦର୍ଯ୍ୟ ମଧ୍ୟ ତାକୁ ଟଳାଇ ପାରିବ ନାହିଁ । ସୁତରାଂ ତମେ ଏଥର ଖୁସି ମନରେ ତାଙ୍କ ସହିତ ବଣକୁ ଯାଇପାର ।”

                ତା’ପରେ ମୋହନା ସେ ପାଷାଣ୍ଡ ସହିତ ବଣକୁ ଗଲେ । ବଣରେ ପାଷାଣ୍ଡ ତା’ର ଅନେକ ବିଦ୍ୟାର ଚମତ୍କାରିତା ପ୍ରଦର୍ଶନ କଲା । ପାଷାଣ୍ଡର ଅସ୍ତ୍ରବିଦ୍ୟା ଆଦିରେ ଅଦ୍ଭୁତ କୌଶଳ ଦେଖି ମୋହନା ଖୁବ୍ ଆଶ୍ଚର୍ଯ୍ୟ ହେଲେ । ଫେରିବା ବେଳେ ବାଟରେ ପାଷାଣ୍ଡ ଫଣା ଟେକି ରହିଥିବା ଏକ ନାଗସାପକୁ ହାତରେ ଧରି ତାକୁ ଘୁରାଇ ଘୁରାଇ ବହୁ ଦୂରକୁ ଫିଙ୍ଗି ଦେଲେ । ପୁଣି ଏକ ହରିଣ ଆଡେ ତୀର ମାରି ମାରି ସେ ତା’ ଚାରିପାଖରେ ଏକ ଯନ୍ତା ତିଆରି କରିଦେଲେ, କିନ୍ତୁ ସେ ହରିଣ ଦେହରେ ଗୋଟିଏ ବି ହେଲେ ତୀର ବାଜି ନଥାଏ ।

                ଏସବୁ ଘଟଣା ଦେଖି ମୋହନା କହିଲେ, “ଆଚ୍ଛା! ତାହେଲେ ତମର ଏତେ ପରାକ୍ରମ? ତମେ କୌଣସି ଦେଶର ରାଜକୁମାର ହେବା ଉଚିତ୍ ଥିଲା ।”

                ପାଷାଣ୍ଡ କହିଲା ତମେ ତ ମୋର ଏତେ ପ୍ରଶଂସା କରୁଛ । କିନ୍ତୁ ମୋ ସ୍ତ୍ରୀ ପାତକୀ ଆଜିପର୍ଯ୍ୟନ୍ତ ଥରେ ହେଲେ ବି ମୋର ପ୍ରଶଂସା କରିନାହିଁ । ବରଂ ସଦା ସର୍ବଦା ସେ ମୋତେ ଥଟ୍ଟା କରି କୁହେ, ‘ଯଦି ତମେ ଅର୍ଜ୍ଜୁନଙ୍କ ପରି ତୀର ମାରି ପାତାଳଗଙ୍ଗାଙ୍କୁ ଆଣି ପାରିବ ତେବେ ଯାଇ ମୁଁ ତୁମର ପରାକ୍ରମ ମାନିବି ।’


ଗପ ସାରଣୀ

ତାଲିକାଭୁକ୍ତ ଗପ