‘ପାଷାଣ୍ଡ’ର ପରାକ୍ରମ

                ପାଷାଣ୍ଡର ଏତେ ବେଶୀ ପତ୍ନୀଗତ ପ୍ରାଣ ଦେଖି ମୋହନା ମନେ ମନେ ବଡ ଦୁଃଖିତ ହେଲେ । ପରେ ସେ ନିଜକୁ ନିଜେ ସଂଜତ ହୋଇ କହିଲେ, “ମୁଁ ତ ତୁମର ସମସ୍ତ ବିଦ୍ୟା ଓ ପରାକ୍ରମ ଦେଖିଲି । କ’ଣ ତମେ ମୋର ବିଦ୍ୟା ସବୁ ଦେଖିବ ନାହିଁ?”

                ପାଷାଣ୍ଡ କହିଲା “ତୁମ ବିଦ୍ୟାର ପ୍ରଦର୍ଶନ ମୁଁ ମୋ ସ୍ତ୍ରୀ ସହିତ ଦେଖିବି । ମାତ୍ର ଏକାକୀ ନୁହେଁ ।”

                ଏକଥା ଶୁଣି ମୋହନାଙ୍କ ମୁହଁ କ୍ରୋଧ ଓ ଲଜ୍ଜାରେ ଲାଲ୍ ହୋଇଗଲା । କିନ୍ତୁ କୌଣସିମତେ ସେ ନିଜକୁ ସଂଯତ କରି କହିଲେ, “ମୋର ସୌନ୍ଦର୍ଯ୍ୟ ଯୋଗୁଁ ମୋତେ ବିବାହ କରିବା ପାଇଁ ଅନେକ ଦେଶରୁ ରାଜକୁମାର ମାନେ ପ୍ରାର୍ଥୀ ଥିଲେ । କିନ୍ତୁ ମୁଁ ସେମାନଙ୍କୁ ମୋର ଅଯୋଗ୍ୟ ବୋଲି କହି ପ୍ରତ୍ୟାଖ୍ୟାନ କରିଛି । ସ୍ୱାମୀ ସମକ୍ଷରେ ତା’ ସ୍ତ୍ରୀ ବିଷୟରେ କିଛି କହିବା ମଧ୍ୟ ଉଚିତ୍ ନୁହେଁ । ତଥାପି ମଧ୍ୟ ମୁଁ କହୁଛି ଯେ ତୁମର ସ୍ତ୍ରୀ ତୁମର ଯୋଗ୍ୟ ନୁହେଁ, ନା କୌଣସି ସୌନ୍ଦର୍ଯ୍ୟରେ ନା ଗୁଣରେ । ତାଛଡା ତାଙ୍କ ମଧ୍ୟରେ ଏଭଳି କୌଣସି ଉଚ୍ଚ ସଂସ୍କାରହିଁ ନାହିଁ । ତଥାପି ମଧ୍ୟ ମୁଁ ଆଶ୍ଚର୍ଯ୍ୟ ଯେ, ତମେ ତାଙ୍କ ପ୍ରତି ଏତେ ଆକୃଷ୍ଟ ଓ ମୋତେ ଉପେକ୍ଷା କରୁଛ ।”

                ପାଷାଣ୍ଡ ମୋହନାଙ୍କୁ ଚାହିଁ ଅଳ୍ପ ହସି କହିଲା, ମୁଁ ବାହ୍ୟ ସୌନ୍ଦର୍ଯ୍ୟ ଅପେକ୍ଷା ଅନ୍ତରର ସୌନ୍ଦର୍ଯ୍ୟକୁ ଅଧିକ ମୂଲ୍ୟ ଦିଏ । ସେଥିପାଇଁ ମୁଁ ମୋ ସ୍ତ୍ରୀକୁ ଏତେ ଭଲପାଏ ।”

                ଗୁମ୍ଫାକୁ ଫେରି ମୋହନା ସେ ବୃଦ୍ଧ ସେବକ ଦୀପସିଂହଙ୍କୁ ସବୁକଥା କହିଲେ । ଶେଷରେ ସେ କହିଲେ, “ଏଠାରୁ ମୁକ୍ତ ହେବା ପାଇଁ ମୋର କୌଣସି ଉପାୟ ନାହିଁ ।”

                “ଏବେ ତୁମ ଆଗରେ ମାତ୍ର ଗୋଟିଏ ପନ୍ଥା ଅଛି । ତୁମେ ଯେକୌଣସିମତେ ସେ ପାତକୀକୁ ପ୍ରସନ୍ନ କରାଅ । କାହିଁକିନା କେବଳ ସେହିଁ ଚାହିଁଲେ ତୁମକୁ ଏଠାରୁ ମୁକ୍ତି ମିଳିପାରିବ ।” ଦୀପସିଂହ ମୋହନାକୁ ଏତକ କହିଲା ଓ ପରେ ସେ ତାଙ୍କୁ କିଛି ପରାମର୍ଶ ବି ଦେଲା ।

                ପରଦିନ ସେ ପାତକୀ ଯିବା ରାସ୍ତାରେ ଦୀପସିଂହ କଦଳୀ ଚୋପାଟିଏ ପକାଇ ଦେଇଥାଏ । ପାତକୀ ଉକ୍ତ ଚୋପାଟି ମାଡି ଠିକ୍ ପଡିଯିବା ବେଳକୁ ମୋହନା ଯାଇ ତାକୁ ଧରିନେଲେ । ଏଥିରେ ସେ ପାତକୀ ବହୁତ ଖୁସି ହୋଇ ଯାଇ କହିଲା, “ରାଜକୁମାରୀ, ମୁଁ ତୁମର ଏଭଳି ଆଚରଣରେ ଅତ୍ୟନ୍ତ ପ୍ରୀତ । ଏବେ ମୁଁ ତୁମକୁ ଏଠାରୁ ମୁକ୍ତି ଦେଉଛି । କିନ୍ତୁ ଏଥିଲାଗି ମୋର ମଧ୍ୟ ଗୋଟିଏ ସର୍ତ୍ତ ଅଛି । ତୁମେ ତୁମ ପିତାଙ୍କୁ କହି ଆମ ପାଇଁ ନଗରରେ କୌଣସି ସ୍ଥାନ ଦେବ । ନହେଲେ ଏଇ ପାହାଡରେ ଜୀବନ ବିତାଇବାକୁ ମୋତେ ଆଉ ମୋଟେ ଭଲ ଲାଗୁନାହିଁ ।”

                ମୋହନା ସଙ୍ଗେ ସଙ୍ଗେ ଏକଥା ସ୍ୱୀକାର କରିନେଲେ । ପାତକୀ ପାଷାଣ୍ଡକୁ ଡାକି କହିଲା, “ରାଜକୁମାରୀଙ୍କୁ ସାବଧାନରେ ନେଇ ଛାଡିବ । ସେ ତାଙ୍କ ପିତାଙ୍କୁ କହିବେ ତୁମର ପୂର୍ବ ଅପରାଧ କ୍ଷମା କରି, ଆମକୁ ପୁଣି ନଗରୀ ମଧ୍ୟରେ ରହିବାକୁ ସେମାନେ ସ୍ଥାନ ଦେବେ ।”

                ଏଥିଉତାରେ ସେ ପାଷାଣ୍ଡ ମୋହନାକୁ ନିଜ ଘୋଡାରେ ବସାଇ ନେଇ ସିଧା ଯାଇ ରାଜଧାନୀରେ ପହଁଚିଲେ । ମୋହନାଙ୍କ ଆଦେଶ ଯୋଗୁଁ ରାଜସୈନିକମାନେ ପାଷାଣ୍ଡଙ୍କୁ ଛାଡିଦେଲେ; ବନ୍ଦୀ କଲେ ନାହିଁ ।

                ତା’ପରେ ପାଷାଣ୍ଡ ରାଜାଙ୍କ ହାତରେ ମୋହନାଙ୍କୁ ସମର୍ପଣ କରି କହିଲା, “ମହାରାଜ ଇଏ ନିଅନ୍ତୁ ଆପଣଙ୍କ କନ୍ୟାଙ୍କୁ । କୌଣସି ପ୍ରୟୋଜନ ଯୋଗୁଁ ତାଙ୍କୁ ମୁଁ ବଣରେ ରଖିବାର ଧୃଷ୍ଟତା କରିଛି । ଏଣୁ ଆପଣ ମୋତେ କ୍ଷମା କରିବେ । ବାକି ସବୁକଥା ସେ ନିଜେ କହିବେ ।” ଏହାପରେ ସେ ମୋହନା ତାଙ୍କ ପିତାଙ୍କୁ କହିଲେ, “ବାବା, ଏ ଯୁବକ ପରମ ପରାକ୍ରମଶାଳୀ ଓ ବୀର ମଧ୍ୟ । ଏହାଙ୍କ ସହିତ ବିବାହ କରିବାକୁ ମୁଁ ରାଜି । କିନ୍ତୁ ସେ ବିବାହିତ!”

                ଏକଥା ଶୁଣିବାମାତ୍ରେ ସେ ରାଜା ତାଙ୍କ ଝିଅ ମୋହନାଙ୍କୁ କହିଲେ, “ଝିଅ, ଆଜି ତୁ ବହୁତ ଦିନ ପରେ ବିବାହ କରିବା ପାଇଁ କହୁଛୁ, ତେଣୁ ମୁଁ ଖୁବ୍ ଖୁସି । ତୁ ଆଉ କିଛି ଚିନ୍ତା କରନା । ବାକି ମୁଁ ସେସବୁ କଥା ବୁଝିବି ।”

                ଏହାପରେ ମହା ଜାକଜମକରେ ମୋହନାଙ୍କର ବିବାହ ହୋଇଗଲା । ବିବାହ ପରେ ମୋହନା ପାଷାଣ୍ଡକୁ କହିଲେ, “ଏ ବିବାହ ତ ତୁମର ଇଚ୍ଛା ବିରୁଦ୍ଧରେ ହୋଇଛି, ତମେ ଜଣେ ଡାକୁ ପୁଣି ବିବାହିତ ମଧ୍ୟ । କିନ୍ତୁ ଏସବୁ ସତ୍ତ୍ୱେ ମଧ୍ୟ ତୁମକୁ ମୁଁ ମୋ ସ୍ୱାମୀ ରୂପରେ ପାଇ ଖୁବ୍ ଖୁସି । ତମେ ମୋ ସହିତ ରହିବାକୁ ପସନ୍ଦ ନ କଲେ ଏଠାରୁ ଚାଲିଯାଇ ପାର । ମୁଁ କିନ୍ତୁ ସାରା ଜୀବନ କେବଳ ତୁମରି ଅପେକ୍ଷାରେ ରହିବି । ମୋର ଆଶା ଦିନେ ନା ଦିନେ ତୁମେ ମୋପାଖକୁ ନିଶ୍ଚୟ ଫେରି ଆସିବ ।”

                ପାଷାଣ୍ଡ ଅତ୍ୟନ୍ତ ସ୍ନେହ ସହକାରେ ମୋହନାଙ୍କୁ ତଳୁ ଉଠାଇ କହିଲା, “ଯଦି ମୁଁ ଏଠୁ ଯାଏ ତ ତୁମକୁ ସାଥୀରେ ନେଇ ଯିବି । ମୋହନା! ତମେ ଏସବୁ ଯାହାବି କିଛି ଦେଖିଲ ସେସବୁ କପଟ ନାଟକ ଓ ସବୁ ମିଥ୍ୟା । ସବୁ ରାଜକୁମାରଙ୍କୁ ତମେ ପ୍ରତ୍ୟାଖ୍ୟାନ କରିଛ ଏସବୁ ଦେଖି ତୁମ ପିତା ମୋତେହିଁ ବାଛିଲେ ଓ ମୋ ସହିତ ପରାମର୍ଶ କରି ଏପରି ନାଟକ କରା ହେଲା । ଏସବୁ ଯାହାବି କିଛି ହେଲା କେବଳ ତୁମ ମନର ପରିବର୍ତ୍ତନ ପାଇଁ । ମୋର ପ୍ରକୃତ ନାମ ସୁରସେନ । ମୁଁ ମଗଧର ରାଜକୁମାର । ମୁଁ ଠିକ୍ ଜାଣିଥିଲି ତୁମ ପ୍ରତି ଉପେକ୍ଷା ଭାବ ଦେଖାଇଲେହିଁ ତମେ ମୋ ପ୍ରତି ଆକର୍ଷିତ ହେବ । କୁହ, ଏବେ ତମେ ମୋ ସହିତ ମୋ ରାଜ୍ୟକୁ ଯିବ ତ?”

                ପ୍ରକୃତକଥା ଜାଣି ମୋହନା ବିସ୍ମୟ ଓ ଆନନ୍ଦରେ ବିହ୍ୱଳ ହୋଇ ପଡିଲେ । ସେ କହିଲେ, “କାହାଦ୍ୱାରା ମାନମର୍ଯ୍ୟାଦା ପାଇବାହିଁ ପ୍ରକୃତ ସୌନ୍ଦର୍ଯ୍ୟ । ସଦାଶୟତା ଓ ବିନୟଶୀଳତା ହେଉଛି ସର୍ବଶ୍ରେଷ୍ଠ ସୌନ୍ଦର୍ଯ୍ୟ । ମୁଁ ତୁମ ପାଖରେ ପାହାଡ ଗୁମ୍ଫାରେ ରହି ଏସବୁ ଶିଖିଛି ।”

                ମୋହନାଙ୍କର ଏରକମ ପରିବର୍ତ୍ତନରେ ସମସ୍ତେ ଅତ୍ୟନ୍ତ ଖୁସି । ଶୁଭଦିନ ଦେଖି ସୁରସେନ ଓ ମୋହନା ମହା ଆଡମ୍ବର ସହକାରେ ମଗଧ ଯାତ୍ରା କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ