ପିତୃଙ୍କର ଶ୍ରାଦ୍ଧ ଭୋଜି

ହେ ତପସ୍ୱୀ ଆମ୍ଭେମାନେ ତୁମ କଥାରେ ଏକମତ ହେଲୁ ମୃଗ ଦିଅ । ରାଜପୁତ୍ରମାନଙ୍କ କଥା ଶୁଣି ତପସ୍ୱୀ, କହିଲେ କଥାରେ କହିଲେ ହେବ ନାହିଁ । ତୁମ୍ଭ ଅଙ୍ଗରେ ମୁଁ ଗୋଟିଏ ଚିହ୍ନ ଦେବି । ତୁମ୍ଭେମାନେ ଦେଖ ମୋର ଲୁହା ଚିମୁଟା ତତାଇ ମୁଁ ତୁମ୍ଭ ଅଙ୍ଗରେ ଚିହ୍ନ ଦେବି । ସେ ଚିହ୍ନ ତୁମ୍ଭ ଶରୀରରେ ଥିବା ପର୍ଯ୍ୟନ୍ତ ଭୂତ ପ୍ରେତ ଭୟରୁ ତୁମ୍ଭେମାନେ ଉଦ୍ଧାର ପାଇବ । ରାଜପୁତ୍ରମାନେ ବିଚାର କଲେ ପିଚାରେ ବସ୍ତ୍ର ରହିବ । ତପସ୍ୱୀ ଦାଗ ନେଲେ କିଏ ବା ଦେଖିବ । ସମସ୍ତ ପୁତ୍ରମାନେ ବସ୍ତ୍ର ଖୋଲି ପିଚା ଦେଖାଇଲେ । କପଟି ତପସ୍ୱୀ ଚିମୁଟା ତତାଇ ଦାଗଦେଲେ । ତପସ୍ୱୀ ସେମାନଙ୍କୁ ମୃଗ ଗୋଟିଏ ଦେଲେ । ମୃଗଟିକୁ ଧରି ଗୃହକୁ ପ୍ରତ୍ୟାବର୍ତନ କଲେ । ନିମନ୍ତ୍ରଣ ପାଇଥିବା ରାଜାମାନେ ଗୃହରେ ମିଳିଲେ । ବିକ୍ରମାଦିତ୍ୟ ମଧ୍ୟ ମାୟା ତପସ୍ୱୀ ବେଶ ତେଜ୍ୟାକରି ରାଜାବେଶ ପରିଧାନ କରିବା ସହିତ ଶିବିକାରେ ବସାଇ ରାଣୀଙ୍କୁ ଧରି ଦାସଦାସୀମାନଙ୍କ ସଙ୍ଗରେ ତାଙ୍କୁ ତାଙ୍କ ପିତାଙ୍କ ଗୃହକୁ ପଠାଇ ଦେଲେ । ସେ ରାଜ୍ୟର ଲୋକ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । କହିଲେ ଏଇତ ଆମ୍ଭର ରାଜଜେମା । ମନୋରମାଙ୍କର ପିତା ମାତା କନ୍ୟାକୁ ଦେଖି ଆନନ୍ଦ ହେଲେ । ଅତି ସ୍ନେହରେ କନ୍ୟାକୁ କୋଳରେ ବସାଇ ମୁଖରେ ଚୁମ୍ବନ ଦେଲେ ଓ କୁଶଳ ବାର୍ତା ପଚାରିଲେ । ମନୋରମାଙ୍କର ଭାଇମାନେ ଭଉଣୀକୁ ଦେଖି ପୂର୍ବ ଶତ୍ରୁତା ପାଶୋରି ଆଦର କଲେ । ଭାଉଜମାନେ ମଧ୍ୟ ଈର୍ଷା ତ୍ୟାଗ କରି ନଣନ୍ଦକୁ କୋଳାଇ ନେଲେ । ସରପୁଳି ସାଙ୍ଗରେ ମିଷ୍ଟାନ୍ନ ଖୁଆଇଲେ । ମନୋରମା ଏମାନଙ୍କର ବ୍ୟବହାର ଦେଖି ହସି ଉଠିଲେ । ଶ୍ରାଦ୍ଧକାର୍ଯ୍ୟ ରାଜା ଆୟୋଜନ କଲେ । ପାତ୍ରମନ୍ତ୍ରୀମାନେ ସହଯୋଗ କଲେ । ମରାଠା ନୃପତିଙ୍କର ଏକୋଇଶ ନନ୍ଦନ । ଏକୋଇଶ ବନ୍ଧୁ । ସମସ୍ତେ ସଭାମଧ୍ୟରେ ଉପସ୍ଥିତ ହେଲେ । ଠିକ୍ ଏହି ସମୟରେ ରାଜା ବିକ୍ରମାଦିତ୍ୟ ଶ୍ରାଦ୍ଧରେ ଆସି ଯୋଗ ଦେଲେ । ଶରୀରରୁ ଜ୍ୟୋତି ବାହାରୁ ଥିଲା । କର୍ଣ୍ଣରେ କୁଣ୍ଡଳ ମସ୍ତକରେ ମୁକୁଟ ଶୋଭା ଦିଶୁଥିଲା । ଶାଳକମାନଙ୍କର ଗୁପ୍ତ କଥା ପ୍ରକାଶ କରିବାପାଇଁ ସେ ଲୌହ ଚିମୁଟାଟିକୁ ଗୁପ୍ତରେ ଆଣିଛନ୍ତି । ଅଶ୍ୱପୃଷ୍ଠରେ ବସି ରାଜା ଆସିଛନ୍ତି । ସଭାରେ ବିରାଜ କରିଥିବା ରାଜାଗଣ ଓ ତାଙ୍କର ବନ୍ଧୁମାନେ ଆଶ୍ଚର୍ଯ୍ୟ ହୋଇଗଲେ । ଶୂନ୍ୟରୁ ବିକ୍ରମାଦିତ୍ୟ ଓହ୍ଲାଇ ସଭାରେ ପହଁଚିଲେ । ରାଜାମାନେ ବିକ୍ରମାଦିତ୍ୟଙ୍କୁ ଦେଖି ଚିହ୍ନି ପାରିଲେ ନାହିଁ । ବେତାଳ କହିଲେ ହେ ନୃପତି ଗଣ! ତୁମେ ଭୟଭୀତ ହୁଅ ନାହିଁ । ଏ ଉଜ୍ଜୟିନୀର ମହାମାନ୍ୟ ସମ୍ରାଟ ବିକ୍ରମାଦିତ୍ୟ । ନୃପଗଣ ତାଙ୍କର ପରିଚୟପାଇ ପଦବନ୍ଦନା କଲେ । ମରାଠା ନୃପତି ମଧ୍ୟ ତାଙ୍କର ପଦ ବନ୍ଦନା କଲେ । ରାଜା ବିଳମ୍ବ ନକରି ଆସନରୁ ଉଠି ସିଂହାସନ ଉପରେ ଉପବେଶନ କଲେ । ବିକ୍ରମାଦିତ୍ୟଙ୍କ ରୂପଦେଖି ନାରୀମାନେ କନ୍ଦର୍ପ ବାଣରେ ପୀଡିତ ହେଲେ । ରମଣୀମାନେ ନିର୍ନିମେଷ ନୟନରେ ତାଙ୍କର ରୂପଲାବଣ୍ୟକୁ ଦରଶନ କରୁଥାନ୍ତି । ତାଙ୍କର ରୂପ ଚାହିଁ ସକଳ ନାରୀଗଣ ଲଜ୍ଜିତ ହେଲେ କିନ୍ତୁ କିଛି କହିପାରିଲେ ନାହିଁ । ନାରୀମାନେ କହିଲେ କୋଟିଏ ଶିବ ସେବା କରିଥିବ କିମ୍ବା ପ୍ରୟାଗରେ ଯେ ଝାସ ଦେଇଥିବ ସେ ଏ ପୁରୁଷର ହସ୍ତ ଧରିବ । ଧନ୍ୟ କନ୍ୟା ମନୋରମା, କେତେ ତପ କରିଥିଲା ବରରୂପେ ଏହାକୁ ପାଇଲା । ବିକ୍ରମାଦିତ୍ୟଙ୍କ ରୂପ ଦେଖି କେଉଁ ନାରୀ ରନ୍ଧନ କରୁଥିବା ଦ୍ରବ୍ୟ ପୋଡିଦେଲା । ଆନ କେହୁ ଚୁଲି ଲିଭିଛି ଜାଣେନା ରନ୍ଧନ କରିବାରେ ବ୍ୟସ୍ତ । କେହୁ ରାନ୍ଧିଥିବା ଦ୍ରବ୍ୟମାନେ କୁକୁର ହାଣ୍ଡିରୁ ଖାଇଲାଣି ସେ ଜାଣିପାରୁ ନାହିଁ । ଏହି ସମୟରେ ବିକ୍ରମାଦିତ୍ୟ ସଭାରେ ପହଁଚିଗଲେ । ମରାଠା ନରପତି ତାଙ୍କୁ ସମ୍ମାନ ଜଣାଇ କହିଲେ ହେ ରାଜା ବିକ୍ରମାଦିତ୍ୟ ସମସ୍ତ ଜ୍ୱାଇଁଙ୍କ ମଧ୍ୟରେ ତୁମ୍ଭେ ଶ୍ରେଷ୍ଠ । ମୋର ବଡ ଭାଗ୍ୟ ମୁଁ ତୁମ୍ଭର ଶ୍ୱଶୁର ହୋଇପାରିଛି । ମୋର କନ୍ୟା ମନୋରମା ବରଣ କଲାବେଳେ ମୁଁ ତୁମ୍ଭଙ୍କୁ ଜାଣିପାରି ନଥିଲି । ତମ୍ଭେ ମୋର ଦୋଷ କ୍ଷମାକର । ବିନା ନିମନ୍ତ୍ରଣରେ ତୁମ୍ଭେ ଆସିଛ । ମୁଁ ବଡ ଆନନ୍ଦିତ । ରାଜା ବିକ୍ରମାଦିତ୍ୟ କହିଲେ ମୁଁ ତୁମ୍ଭର ପିତୃଶ୍ରାଦ୍ଧ ଭୋଜି ଖାଇବାକୁ ଆସି ନାହିଁ । ଅପମାନର ପ୍ରତିଶୋଧ ନେବାକୁ ଆସିଛି । ମରାଠା ନୃପତିଙ୍କୁ ବିକ୍ରମାଦିତ୍ୟ କହିଲେ ତୁମ୍ଭ ଗୃହରେ ମୋର ଦାସମାନେ ଅଛନ୍ତି । ମରାଠା ନୃପତି କହିଲେ କୁହନ୍ତୁ ମୋ ନଗରରେ କେ ତୁମ୍ଭର ଦାସ ଅଛି କହିଲେ ମୁଁ ତୁମ୍ଭ ପାଖକୁ ଡକାଇ ଦେବି ।


ଗପ ସାରଣୀ

ତାଲିକାଭୁକ୍ତ ଗପ