ପିତୃଙ୍କର ଶ୍ରାଦ୍ଧ ଭୋଜି

        ବିକ୍ରମାଦିତ୍ୟ ଶ୍ୱଶୁରଙ୍କ ମୁଖରୁ ଏପରି କଥା ଶୁଣି ତାଙ୍କର ଶାଳକମାନଙ୍କ ଆଡକୁ ନିଜର ଅଙ୍ଗୁଳି ନିର୍ଦେଶ କରି କହିଲେ ଏମାନେ ମୋର ଦାସ । ବିକ୍ରମାଦିତ୍ୟଙ୍କର କଥା ଶୁଣି ମରାଠା ନୃପତି କହିଲେ ମୋର ପୁତ୍ରମାନେ କିପରି ତୁମ୍ଭ ଦାସ ହେଲେ । ରାଜା ବିକ୍ରମାଦିତ୍ୟ କହିଲେ ସେମାନଙ୍କ ଶରୀରରେ ମୁଁ ଚିହ୍ନ ରଖିଛି । ରାଜପୁତ୍ରମାନେ ଏ କଥା ଶୁଣି ପରସ୍ପର ଠରାଠରି ହେଲେ । ଚିନ୍ତାକଲେ କପଟି ସନ୍ନ୍ୟାସୀ ସାଜି ବିକ୍ରମାଦିତ୍ୟ ଆମକୁ ମୃଗ ଦେଇଛନ୍ତି । ଏବେ ସେ ଚିହ୍ନ ଦେଖାଇ ଆମ୍ଭମାନଙ୍କୁ ଅପମାନ ଦେବ ।

        ବିକ୍ରମାଦିତ୍ୟ ତାଳ, ବେତାଳଙ୍କୁ କହିଲେ ମୋ ଚାକରମାନଙ୍କୁ ଟାଣି ଆଣ । ତାଙ୍କ ପିଚାରେ ଦେଇଥିବା ଚିହ୍ନ ମୋ ଶ୍ୱଶୁରଙ୍କୁ ଦେଖାଇ ଦିଅ । ତାଳ, ବେତାଳ ଆଜ୍ଞାପାଇ ରାଜାଙ୍କ ପୁତ୍ରମାନଙ୍କୁ ଆଣି ତାଙ୍କ ପିଚାରୁ ବସନ ଖୋଲି ଦେଖାଇ ଦେଲେ । ରାଜାମାନେ ପୋଡାଚିହ୍ନ ଦେଖି ହସିଲେ । ମରାଠା ନୃପତିଙ୍କୁ ବିକ୍ରମାଦିତ୍ୟ କହିଲେ ଏବେ ସତ୍ୟ କି ମିଥ୍ୟା ତାଙ୍କଠାରୁ ବୁଝ । ବିକ୍ରମାଦିତ୍ୟ କହିଲେ ସେମାନେ କହିବାକୁ ଲଜ୍ଜାବୋଧ କରୁଛନ୍ତି । ମୁଁ କହୁଛି ଶୁଣ । ବିକ୍ରମାଦିତ୍ୟ ସମସ୍ତ ଘଟଣା କହିଗଲେ । ମରାଠାର ନୃପତି ଶୁଣି ମନଦୁଃଖ କରି କହିଲେ ହେ ନୃପତି ମୋର ଦୋଷ କ୍ଷମାକର । ବିକ୍ରମାଦିତ୍ୟ କହିଲେ ହେ ପିତା, ତୁମ୍ଭେ ମୋର ଗୁରୁଜନ ମୋର ଦୋଷ କ୍ଷମା କର । ପରିହାସ କରି ଶାଳକମାନଙ୍କ ଅଙ୍ଗରେ ଦାଗ ଦେଇଥିଲି । ସେକଥା ଧରିବେ ନାହିଁ । ତା’ପରେ ଭୋଜିରେ ସମସ୍ତେ ଏକତ୍ର ବସି ଭୋଜନ କଲେ । ଭୋଜିଖାଇ ନରପତିମାନେ ନିଜ ଦେଶକୁ ପ୍ରତ୍ୟାବର୍ତନ କଲେ । ରାଜା ବିକ୍ରମାଦିତ୍ୟ ଶ୍ୱଶୁରଗୃହରେ ଅବସ୍ଥାନ କଲେ । ମରାଠା ରାଜା ନିଜର ଜେମାଙ୍କୁ ଦାସ ଦାସୀ ଘୋଡା, ହାତୀ ସହିତ ଅନେକ ଧନରତ୍ନ ଦେଲେ । ମନୋରମାଙ୍କୁ ସାଙ୍ଗରେ ଧରି ବିକ୍ରମାଦିତ୍ୟ ନିଜ ରାଜ୍ୟରେ ପ୍ରବେଶିଲେ । ରାଜା ବିକ୍ରମାଦିତ୍ୟଙ୍କର ସମାଗମ ଦେଖି ରାଜ୍ୟର ଲୋକେ ଖୁସି ହେଲେ । ମନୋରମା ରାଣୀହଂସପୁରେ ରହିଲେ । ରାଜା ବିକ୍ରମାଦିତ୍ୟ ବତ୍ରିଶ ପିତୁଳି ଖଚିତ ସିଂହାସନରେ ଉପବେଶନ କଲେ । ବିକ୍ରମାଦିତ୍ୟଙ୍କ ବିଜୟ କଥା ଶୁଣି ପ୍ରଜାମାନେ ଆସି ଉପସ୍ଥିତ ହୋଇ ରାଜାଙ୍କୁ ପଚାରିଲେ ଆପଣ ଆଜିଯାଏଁ କେଉଁଠି ଥିଲେ । ବନ୍ଦୀଗଣମାନେ ଆସି ରାଜାଙ୍କର ସ୍ତବଗାନ କଲେ । ପୂଜକମାନେ ଆସି ମନ୍ଦିରରେ ପୂଜା କଲେ । ବିକ୍ରମାଦିତ୍ୟ ସେମାନଙ୍କୁ ସେମାନଙ୍କର ପାରିଶ୍ରମିକ ଦେଲେ । ବିକ୍ରମାଦିତ୍ୟ ମନୋରମାଙ୍କ ସହିତ ଆନନ୍ଦରେ କାଳାତିପାତ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ