ପିତୃଭକ୍ତି

ସୁଦର୍ଶନର ମା’ ଖୁବ୍ ଚତୁରତାର ସହିତ ପ୍ରସଙ୍ଗ ବଦଳେଇ କହିଲେ “ମହାଶୟ, ମୁଁ ଏହି ବିଷୟରେ କଥା ହେବା ପାଇଁ ଆସି ନାହିଁ । ସୁଦର୍ଶନ ହୃଦୟରେ ପିତୃଭକ୍ତିର ଭାବ ସଂଚାର କରିବା ପାଇଁ ତା ମନରେ ପିତାଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନଭାବ ବଢାଇବା ପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଛି ।”

ଗୋପାଳସ୍ୱାମୀ ପୁନଶ୍ଚ ସାବଧାନ କରାଇ ଦେଇ କହିଲେ “ଠିକ୍ ଅଛି, ମୋ ଦ୍ୱାରା ଯାହା ହୋଇ ପାରିବ ମୁଁ ତାହା କରିବି । କିନ୍ତୁ ନିଜ କନ୍ୟା ବିଷୟରେ ଯାହା କହିଲି ତାହା ଆଦୌ ଭୁଲିବ ନାହିଁ । କନ୍ୟାର ମନ ନ ବଦଳିବା ଯାଏଁ ପୁତ୍ରର ମନ ବଦଳିବା ମୋଟେ ସମ୍ଭବପର ନୁହେଁ ।”

ସୁଦର୍ଶନର ମା’ ତାଙ୍କର ସେ ଚେତାବନୀ ପ୍ରତି ଆଦୌ କୌଣସି ଗୁରୁତ୍ୱ ନ ଦେଇ କହିଲେ, “ମୋ ପୁତ୍ରର ମନ ପରିବର୍ତ୍ତନ ପାଇଁ ଏଠାକୁ ଦୁଇଦିନ ଆସିବାକୁ ପଡିବ । ଏଇ କଥା ତ? ତୁମ କଥାନୁସାରେ ଦ୍ୱିତୀୟ ଦିନ ଜଡିବୁଟିର ପ୍ରଭାବ କାମ କରିବ । ତେଣୁ ପ୍ରଥମ ଦିନ ତା’ ସାମ୍ନାରେ ତାର ପିତାଙ୍କୁ ଖୁବ୍ ଗାଳି ଦେବ । ତା’ହେଲେ ସେ ଆପେ ଦ୍ୱିତୀୟ ଦିନ ଏଠାରେ ଆସି ପହଁଚିବ ।”

ଗୋପାଳସ୍ୱାମୀ କହିଲେ “ମୁଁ ଯାହା କହିବି, ତା’ର ବୁଦ୍ଧି ଅନୁସାରେ ଫଳ ମିଳିବ । ଏବେ ତୁମେ ଏଠୁ ଯାଇପାର ।”

ଗୃହକୁ ଫେରି ସୁଦର୍ଶନର ମା’ ତାଙ୍କ ସ୍ୱାମୀଙ୍କୁ ସବୁକଥା ଜଣାଇ କହିଲେ, “ତୁମେ ନିଶ୍ଚିନ୍ତ ରହ । ସବୁ ମନୋମାଳିନ୍ୟ ତୁଟିଯିବ ।”

“ଆଜି ପର୍ଯ୍ୟନ୍ତ କ’ଣ ତୁମେ ତୁମ ପୁତ୍ରର ସ୍ୱଭାବ ବୁଝି ପାରୁ ନ ଥିଲ? ତା ମନରେ ପିତା ପ୍ରତି ଟିକେ ହେଲେ ବି ସମ୍ମାନ ନାହିଁ । ତୁମେ ତ ସବୁବେଳେ ପୁତ୍ରକୁ ସମର୍ଥନ କରି ଆସିଛ । ଏବେ ପୁତ୍ରର ଔଦ୍ଧତ୍ୟ ସୀମା ଟପିବାକୁ ବସିଲା ବେଳକୁ ତୁମର ବୁଦ୍ଧି କାମ କରୁଛି । କାରଣ ଏବେ ପୁଅବୋହୁ ପାଖରେ ରହିବେ ନାହିଁ ।” ଏଭଳି କେତେ କଥା କହି ପ୍ରଭାକର ବିରକ୍ତିରେ ତାଙ୍କ ପତ୍ନୀଙ୍କୁ କଡା କଥା ଶୁଣାଇଲେ ।

ପତ୍ନୀ ମଧ୍ୟ ଦବି ନ ଯାଇ କହିଲେ, “ପରିବାରର ମଙ୍ଗଳ ପାଇଁ ମୁଁ ଗୋପାଳସ୍ୱାମୀଙ୍କ ନିକଟକୁ ଯିବା କଥା ଚିନ୍ତା କଲି । ତୁମେ କ’ଣ ଏକଥା ଭାବି ପାରିଥିଲ?” ଏହାପରେ ପତିପତ୍ନୀ ପରସ୍ପର ଆଲୋଚନା କରି ପୁତ୍ରକୁ ଡାକି କହିଲେ, “ଆଜିଯାଏଁ ତୋର ସମସ୍ତ ଇଚ୍ଛା ଆମେ ପୂରଣ କରି ଆସିଛୁ । ବିବାହ ସମ୍ବନ୍ଧରେ ତୋର ମତକୁ ମଧ୍ୟ ଆମେ ଏଡାଇ ଦେବୁ ନାହିଁ । ଆଜି ଗୋପାଳସ୍ୱାମୀଙ୍କ ପାଖକୁ ଯିବା । ସେ ତୋର ମାମୁଁ ସମ୍ପର୍କୀୟ ହେବେ । ତାଙ୍କଠାରୁ ଆଶୀର୍ବାଦ ପାଇବା ପରେ ଆମେ ଯାହା କରିବା ।”

ଅତି ସ୍ନେହରେ ମାତା ପିତା ଏପରି କହିବାରୁ ସୁଦର୍ଶନ ରାଜି ହୋଇ ଗୋପାଳସ୍ୱାମୀଙ୍କ ଘରକୁ ଗଲେ । ସୁଦର୍ଶନ ସହିତ ଆଲୋଚନା କରି ସେ ସବୁ ବିଷୟ ଶୁଣିବା ପରେ କହିଲେ, “ତୁମ ମା’ ନିଜ କନ୍ୟା ମନରେ ଯେଉଁ ଦୁର୍ବୁଦ୍ଧିର ମଞ୍ଜି ପୋତିଥିଲେ ତା’ର ଫଳ ଏବେ ସେ ପାଉଛନ୍ତି । ଏପରି ସ୍ତ୍ରୀଲୋକ ଭାଗ୍ୟରେ ବୋହୂ ରଖିବାର ସୌଭାଗ୍ୟ ଲେଖା ନାହିଁ । ତେଣୁ ଅନ୍ୟତ୍ର ପରିବାର ବସାଇବା ନିଷ୍ପତି ନେଇ ତୁମେ ଠିକ୍ କରିଛ । ଏବେ ତୁମ ପିତାଙ୍କ କଥା ବିଚାର କର । ସେ କିପରି ସାରା ଗ୍ରାମଲୋକ ତାହା ଭଲଭାବେ ଜାଣନ୍ତି । ଏପରି ପିତାର ପୁତ୍ର ହୋଇ ମଧ୍ୟ ତୁମ ଭିତରେ ଏତେ ବଡପଣ, ମହତ୍ପଣିଆ ରହିଛି ତାହା ଦେଖି ଆମେ ଭାରି ଆଶ୍ଚର୍ଯ୍ୟ ହେଉଛୁ । ବୃଦ୍ଧାବସ୍ଥାରେ ସେପରି ଲୋକ ତୁମ ପରି ଉତ୍ତମ ସେବା ପାଇବାକୁ ଯୋଗ୍ୟ ନୁହେଁ । ତୁମ ମନରେ ଭଗବାନ ସଦ୍ବୁଦ୍ଧି ଦେଇ ଥିବାରୁ ତୁମେ ଏପରି ଉତ୍ତମ ନିର୍ଣ୍ଣୟ ଗ୍ରହଣ କରିବାକୁ ସକ୍ଷମ ହୋଇ ପାରିଲ ।” ଏହିପରି ବିଭିନ୍ନ ପ୍ରକାର କଥା କହି ଗୋପାଳସ୍ୱାମୀ ପ୍ରଭାକରଙ୍କର ନିନ୍ଦାଗାନ କଲେ ।

ଅଧିକ ସମୟ ଆଉ ଧୈର୍ଯ୍ୟ ରଖି ନ ପାରି ସୁଦର୍ଶନ କହିଲା, “ଆପଣଙ୍କୁ ଏତେ କଥାରୁ କ’ଣ ମିଳିବ? ଆଶୀର୍ବାଦ ପାଇଁ ମା’ ଓ ବାପା ଏଠାକୁ ପଠାଇଛନ୍ତି ।”

ଗୋପାଳସ୍ୱାମୀ କହିଲେ “ତୁମର ବାପାଙ୍କୁ କ’ଣ ମାଲୁମ ଅଛି କେଉଁ ଶୁଭ ମୁହୂର୍ତ୍ତରେ ଆଶୀର୍ବାଦ ମିଳି ପାରିବ । ସେ ଗୋଟାଏ ଅତ୍ୟନ୍ତ ବୋକା ଲୋକ । କାଲିକୁ ଶୁଭ ବେଳା ଅଛି । କାଲି ଆସିଲେ ଆଶୀର୍ବାଦ ମିଳିବ ।”

ସୁଦର୍ଶନ ଗୃହକୁ ଫେରି ପିତାମାତାଙ୍କୁ ସବୁ ଜଣାଇ କହିଲେ, “ମୋର ନିଜର ଆତ୍ମ ସମ୍ମାନ ଅଛି । ମୋର ଇଚ୍ଛା ଅନୁସାରେ ମୁଁ ନିଷ୍ପତି ନେବି । ମୋର ପିତାମାତାଙ୍କ ପ୍ରତି ମୋର ସମ୍ମାନ, ଆଦର ରହିଛି । ଗୋପାଳସ୍ୱାମୀ ମା’ଙ୍କୁ କେତେ କଥା କହି ସମାଲୋଚନା କଲେ । ପୁଣି ବାପାଙ୍କୁ ଦୋଷ ଦେଇ ଗାଳି କଲେ । ମୁଁ ତାହା ସହ୍ୟ କରି ପାରିଲି ନାହିଁ । ଏପରି ବ୍ୟକ୍ତି ପାଖରୁ ମୋର ଆଶୀର୍ବାଦ ଲୋଡା ନାହିଁ । ମୋତେ ସେଠାକୁ ଯିବାପାଇଁ ଆଉ କେବେବି କହିବେ ନାହିଁ କି ନିଜେ ବି ଭବିଷ୍ୟତରେ ଆଉ କେବେବି ତାଙ୍କ ଦୁଆର ମାଡିବେ ନାହିଁ ।” ସୁଦର୍ଶନ ଆବେଗରେ ଆସି ଏତେ କଥା କହିଯିବା ପରେ ପୁତ୍ର ହୃଦୟରେ ସ୍ନେହଭାବକୁ ପ୍ରଭାକର ଠିକ୍ ବୁଝି ପାରିଲେ । ତେଣୁ ତାଙ୍କ ମନରେ ଥିବା ସମସ୍ତ ବିଷାଦଭାବ କୁଆଡେ ଦୂରେଇଗଲା ।

କିନ୍ତୁ ଏବେ ଗୋପାଳସ୍ୱାମୀଙ୍କ କଥା ପାଳନ କରି ନିଜର ସ୍ତ୍ରୀଙ୍କର ସ୍ୱଭାବରେ ପରିବର୍ତ୍ତନ ଆଣିବାକୁ ଚାହିଁଲେ । ଦୁହେଁ ସତ୍ ମାର୍ଗରେ ପରିଚାଳିତ ହେଲେ ପରିବାରର ମଙ୍ଗଳ ହେବ, ଏହି ସତ୍ୟ ସେ ବୁଝି ପାରିଲେ, ଉଭୟେ କନ୍ୟାକୁ ତା’ର କର୍ତ୍ତବ୍ୟ ଓ ଦାୟିତ୍ୱ ସମ୍ବନ୍ଧରେ ବୁଝାଇ ପୁନଶ୍ଚ ତାକୁ ତା’ ଶାଶୁ, ଶ୍ୱଶୁରଙ୍କ ନିକଟକୁ ପଠାଇ ଦେଲେ । ସେମାନଙ୍କର ପରିବାର ମଧ୍ୟ ହସଖୁସିରେ ଭରିଗଲା ।

ସୁଦର୍ଶନ ମନରେ ପିତୃଭକ୍ତି ଯଥାବତ୍ ରହିଲା । ସେ ପିତାଙ୍କ ପରାମର୍ଶରେ ନିଜର ଜୀବନକୁ ପରିଚାଳିତ କଲା । ପରିବାରରେ ସନ୍ତୋଷ ଓ ସଂତୃପ୍ତି ଭରିଗଲା । ବିବାହ ପରେ ସେ ନିଜ ସ୍ତ୍ରୀକୁ ପିତା, ମାତାଙ୍କ ସେବା କରିବା ପାଇଁ ଅନୁପ୍ରାଣିତ କଲା । ଫଳରେ ସୁଦର୍ଶନର ଗୁଣ ଗ୍ରାମରେ ବିକଶିତ ହେଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ