ପିଲାଟିଦିନରୁ ବିପ୍ଳବୀ ନେତା

ନିଜର ଆର୍ଥିକ ଅବସ୍ଥା ଆଦୌ ସ୍ୱଚ୍ଛଳ ନ ଥିବାରୁ ସେ ଅଧ୍ୟାପକ ଚାକିରି କରିବାକୁ ମନ ବଳାଇଥିଲେ ବି ସେଥିରେ ସେ ବିଫଳ ହୋଇଥିଲେ । ସୁତରାଂ ବେକାର ହୋଇ ବସିବା ଅପେକ୍ଷା ସମାଜର ଖଟିଖିଆ ଲୋକଙ୍କୁ ନେଇ ପୁଞ୍ଜିପତିଙ୍କ ବିରୋଧରେ ଆନ୍ଦୋଳନ ଚଳାଇବା ପାଇଁ ସେ ଶ୍ରେୟ ମଣିଲେ । ଏଥିଲାଗି ପ୍ରଥମେ ଜନଜାଗରଣ ସୃଷ୍ଟି କରିବା ଉଦ୍ଧେଶ୍ୟରେ ଖଣ୍ଡିଏ ପତ୍ରିକା ସେ ସଂପାଦନ କଲେ । ଏହି ପତ୍ରିକା ମାଧ୍ୟମରେ ସେତେବେଳର ସରକାରୀ କୁଶାସନ ବ୍ୟବସ୍ଥାକୁ ସେ କଡା ସମାଲୋଚନା କଲେ । ଏହାଦ୍ୱାରା ସରକାରଙ୍କ ଦୋଷ ଦୁର୍ବଳତା ସବୁ ପଦାକୁ ବାହାରି ଆସିବାରୁ ସରକାର ଏହି ପତ୍ରିକାକୁ ବନ୍ଦ କରିଦେଲେ ।

ତା’ପରେ ମାର୍କସ୍ ପ୍ୟାରିସ୍ ଚାଲିଗଲେ । ଯୋଗକୁ ସେଠାରେ ଫ୍ରେଡାରିକ୍ ଏଙ୍ଗେଲ୍ ନାମରେ ଆଉ ଜଣେ ବିଦ୍ରୋହୀ ସହିତ ତାଙ୍କର ଭେଟ ହୋଇଗଲା । ଫଳରେ ଜନ ଆନ୍ଦୋଳନକୁ ଜୋର୍ଦାର୍ କରିବା ଲାଗି ତାଙ୍କୁ ଗୋଟେ ସୁଯୋଗ ମିଳିଗଲା । ସେହି ବିଦେଶରେ ରହି ସେ ଏକ ପତ୍ରିକା ବି ବାହାର କଲେ । ତା’ପରେ ଦୁରାଚାରୀ ଶାସକ ଓ କଳୁଷିତ ସାମାଜିକ ରୀତିନୀତି ବିରୋଧରେ ଖଣ୍ଡିକ ପରେ ଖଣ୍ଡିଏ ବହି ସେ ଲେଖି ଚାଲିଲେ । ଏହାଦ୍ୱାରା ସୁପ୍ତ ଜନତା ମନରେ ସତେ ଯେମିତି ଶିହରଣ ଖେଳିଗଲା । ହଠାତ୍ ସେ ଚେଇଁ ଉଠିଲା ।

ସମାଜରେ ପରିଶ୍ରମୀ ବ୍ୟକ୍ତି କାହିଁକି ସକଳ ସୁଖସୁବିଧାରୁ ବଂଚିତ ହେବ? – ଏହାହିଁ ଥିଲା ମାର୍କ୍ସଙ୍କର ଚିନ୍ତାର ବିଷୟ । ଏଥିଲାଗି ଶ୍ରମିକ ଶ୍ରେଣୀର ଲୋକଙ୍କୁ ନ୍ୟାୟ ଦେବାପାଇଁ ସେ ଆରମ୍ଭ କରିଦେଲେ ସାମାଜିକ ବିପ୍ଳବ । ୧୮୪୮ ମସିହାରେ ବ୍ରସେଲସ୍ରେ ତାଙ୍କର ବିଶ୍ୱବିଖ୍ୟାତ କମ୍ୟୁନିଷ୍ଟ ଇସ୍ତାହାର ପ୍ରଥମ କରି ପ୍ରକାଶ ପାଇଲା । ସେଥିରେ ସାମ୍ୟବାଦର ପ୍ରଧାନ ଉଦ୍ଧେଶ୍ୟ ସମ୍ବନ୍ଧରେ ଲେଖାଥିଲା ।

କାର୍ଲମାର୍କସଙ୍କ ପରିବାର ଅଭାବ ଅନଟନ ଭିତରେ ଗତି କରୁଥିଲାବେଳେ ତାଙ୍କର ତିନୋଟି ପିଲା ଖାଦ୍ୟ ଓ ଚିକିତ୍ସା ଅଭାବରୁ ଅକାଳ ମୃତ୍ୟୁବରଣ କରିଥିଲେ । ଦଳିତ ସମାଜର ଉତ୍ଥାନ ପାଇଁ ଲେଖାଲେଖି କରିବା ଦ୍ୱାରା ସେ ଆଉ ଯଥେଷ୍ଟ ଟଙ୍କାପଇସା ରୋଜଗାର କରିପାରିଲେ ନାହିଁ । ଏଥିପାଇଁ ତାଙ୍କର ବନ୍ଧୁ ଏଙ୍ଗେଲ ତାଙ୍କୁ ବହୁତ ସାହାଯ୍ୟ କରିଥିଲେ । ତଥାପି କାର୍ଲସ ତାଙ୍କର କର୍ତ୍ତବ୍ୟ ପଥରୁ ଆଦୌ ଓହରି ଯାଇନଥିଲେ । ୧୮୬୭ ମସିହାରେ ମାର୍କସ୍ଙ୍କର ପ୍ରକୃତ ପରିଚୟ ମିଳିଥିଲା । ତାଙ୍କ ଲିଖିତ “ଦାସ-କାପିଟାଲ୍” ପୁସ୍ତକପାଇଁ ସେ ବିଶ୍ୱବିଖ୍ୟାତ ହୋଇଗଲେ । ଏହି ମହାନ୍ ଗ୍ରନ୍ଥକୁ ସର୍ବହରାର ବାଇବେଲ୍ ବୋଲି ମଧ୍ୟ କୁହାଯାଏ ।

କାର୍ଲମାର୍କସ ଏକ ଭବିଷ୍ୟତ ବାଣୀ ଶୁଣାଇ କହିଥିଲେ ଯେ, “ପ୍ରଥମେ ରୁଷିଆରେ ହିଁ ସମାଜ ବିପ୍ଳବ ଦେଖାଯିବ ।” ସତକୁ ସତ ତାହାହିଁ ଘଟିଥିଲା । କାର୍ଲମାର୍କସଙ୍କର ଜୀବନର ଅନ୍ତିମ କାଳ ଅତ୍ୟନ୍ତ ଦୁର୍ବିସହ ହୋଇପଡିଥିଲା । ପଂଚଷଠି ବର୍ଷ ବୟସରେ ସେ ମୃତ୍ୟୁବରଣ କରିଥିଲେ । ଏହା ପୂର୍ବରୁ ଅଭାବ ଅନଟନ ଭିତରେ ତାଙ୍କର ସ୍ତ୍ରୀ ଓ ବଡ ଝିଅର ଅକାଳ ବିୟୋଗ ଘଟିଥିଲା । ଏହିଭଳି ଜୀବନସାରା ଅଭାବ ଅନଟନ ଭିତରେ ଜଣେ ଯୁଗପୁରୁଷର ଅବସାନ ଘଟିଲା ସିନା, ହେଲେ ତାଙ୍କର ନାମ ଓ କୃତି ଯୋଗୁଁ କାର୍ଲମାର୍କସ ଦୁନିଆରେ ଚିରଦିନ ଲାଗି ଅମର ରହିଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ