ପୁଣ୍ୟଦାନର ମହିମା

ଗୁଣଗୁପ୍ତଙ୍କ ସମସ୍ତ କଥା ଶୁଣି ମହାନନ୍ଦ ନିଜର ମତ ପ୍ରକାଶ କରିବାକୁ ଯାଇ କହିଲେ – “ତାହା ତ ତମେ ନିଜେ ସ୍ଥିର କର” । ଗୁଣଗୁପ୍ତ କିଛି ସମୟ ଚିନ୍ତା କରିବା ପରେ କହିଲେ, ଯଦି ମୋ ପୁଣ୍ୟ ବଳରେ ମହାରାଜାଙ୍କ ଅସୁସ୍ଥତା ଦୂର ହେବା ସମ୍ଭବ ତେବେ ଏହିକ୍ଷଣି ମୁଁ ତାଙ୍କୁ ମୋର ସମସ୍ତ ପୁଣ୍ୟ ଦାନ କରିବାକୁ ଚାହେଁ, କାରଣ ମୋ ପୁତ୍ରର ସ୍ୱାସ୍ଥ୍ୟ କେବେ ଯେ ଭଲ ହେବ ତା ତ ମୋତେ ଜଣାନାହିଁ । ମାତ୍ର ମହାରାଜା ଆରୋଗ୍ୟ ହେଲେ, ସମସ୍ତଙ୍କର କଲ୍ୟାଣ ହେବ ।

ଗୁଣଗୁପ୍ତ ରାଜାଙ୍କୁ ନିଜର ସମସ୍ତ ଅର୍ଜିତ ପୁଣ୍ୟ ସମର୍ପିତ କଲେ । ତା’ପରେ ରାଜାଙ୍କ ପିଠିରୁ ସେହି ବିଷାକ୍ତ ଘା’ ଆପେ ଆପେ ଅଦୃଶ୍ୟ ହୋଇଗଲା । ମହାରାଜା ଗୁଣଗୁପ୍ତଙ୍କୁ ପୁରସ୍କୃତ କରିବା ପାଇଁ ଚାହିଁଲେ, କିନ୍ତୁ ଗୁଣଗୁପ୍ତ ସେ ମହାରାଜାଙ୍କୁ କହିଲେ, ଆପଣ ମୋତେ ଯାହା ଦେବାକୁ ଚାହୁଁଛନ୍ତି, ତାହା ଯଦି ପ୍ରଜାମାନଙ୍କର କଲ୍ୟାଣ ନିମନ୍ତେ ବିନିଯୋଗ କରିବେ, ସେଥିରେ ମୋର ଆନନ୍ଦ । ଏହିପରି ନିଃସ୍ୱାର୍ଥପରତାର ଚରମ ଦୃଷ୍ଟାନ୍ତ ଦେଖାଇ ଗୁଣଗୁପ୍ତ ସେଠାରୁ ବିଦାୟ ନେଲେ ।

ଗୁଣଗୁପ୍ତ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କଲେ । ସେତେବେଳକୁ ତା’ଙ୍କ ପିତା ଧନଗୁପ୍ତ ମଧ୍ୟ ତୀର୍ଥଯାତ୍ରାରୁ ଫେରି ଆସିଥିଲେ । ଏତିକିବେଳେ ସର୍ବ ସମକ୍ଷରେ ଏକ ଅଦ୍ଭୁତ ଘଟଣା ଘଟିଲା । ସେ ଧନଗୁପ୍ତ ଆଣିଥିବା ଗଙ୍ଗାଜଳ ପାନକରି ତାଙ୍କ ନାତି ତଥା ମଣିଗୁପ୍ତ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇ ଉଠିଲା । ଫଳରେ ସମସ୍ତେ ଆନନ୍ଦିତ ହେଲେ ।

ବେତାଳ କାହାଣୀଟିକୁ ରାଜା ବିକ୍ରମାଦିତ୍ୟଙ୍କୁ ଶୁଣାଇବା ପରେ ପ୍ରଶ୍ନ ପଚାରି କହିଲା – “ହେ ରାଜନ ଗୁଣଗୁପ୍ତ ତ ଅନେକ ପୁଣ୍ୟକାମ କଲେ । ତେଣୁ ସାରା ରାଜ୍ୟରେ ତାଙ୍କର ସୁନାମ ବ୍ୟାପିଗଲା । ଏପରି ଜଣେ ମହାନ ପୁଣ୍ୟବାନ ପୁରୁଷଙ୍କ ପୁଣ୍ୟବଳରେ ତାଙ୍କ ପୁତ୍ର ଆରୋଗ୍ୟ ହେଲା ନାହିଁ । କିନ୍ତୁ ଧନଗୁପ୍ତ ପରି ପରମ ପାପୀ ଜନ କଲ୍ୟାଣ ଦ୍ୱାରା ତାହା ସମ୍ଭବ କଲା, ଏପରି ହେଲା କାହିଁକି? ମୋର ଏହି ସନ୍ଦେହର ଉତ୍ତର ଜାଣି ମଧ୍ୟ ନିରବ ରହିଲେ, ତୁମର ଶିର ଶତଧା ବିଦୀର୍ଣ୍ଣ ହେବ ।”

ତହୁଁ ରାଜା ବିକ୍ରମାଦିତ୍ୟ ଉତ୍ତର ଦେଲେ, ଯେଉଁ ସମୟରୁ ଧନଗୁପ୍ତ ନିଜର ସମସ୍ତ ସମ୍ପତ୍ତି ପୁତ୍ର ହାତରେ ସମର୍ପଣ କରି ନାତିର ଆରୋଗ୍ୟ କାମନା ଉଦ୍ଧେଶ୍ୟରେ ଜନ କଲ୍ୟାଣରେ ବାହାରିଛି ସେହିକ୍ଷଣରୁ ସେ ଆଉ ପାପୀ ନୁହେଁ । କିନ୍ତୁ ମଣିଗୁପ୍ତ ସୁସ୍ଥ ହୋଇ ଉଠିବାର କାରଣ ଧନଗୁପ୍ତଙ୍କର ଗଙ୍ଗାଜଳ ନୁହେଁ । ତାହା କେବଳ ଗୁଣଗୁପ୍ତଙ୍କର ପୁଣ୍ୟ ବଳରୁ ହିଁ ସମ୍ଭବ ହେଲା । ଗୁଣଗୁପ୍ତ ଏବେଯାଏଁ ଯେତକ ପୁଣ୍ୟ କରିଥିଲେ, ତାହା ସ୍ୱାର୍ଥପୂର୍ଣ୍ଣ ଥିଲା । କାରଣ ତାଙ୍କର ଲକ୍ଷ୍ୟଥିଲା ନିଜ ପାଇଁ ପୁଣ୍ୟ ଅର୍ଜନ କରି ପୁତ୍ରର ସ୍ୱାସ୍ଥ୍ୟ ଭଲ କରିବା । କିନ୍ତୁ ସେ ଯେତେବେଳେ ନିଃସ୍ୱାର୍ଥପର ଭାବରେ ରାଜାଙ୍କୁ ନିଜର ସମସ୍ତ ପୁଣ୍ୟ ସମର୍ପଣ କଲେ, ତାହା ତାଙ୍କର ପୁଣ୍ୟରେ ଶକ୍ତି ଯୋଗାଇଲା । ଏପରି ସ୍ୱାର୍ଥହୀନ ଦାନ ବଳରେ ତାଙ୍କର ପୁତ୍ର ସୁସ୍ଥ ହୋଇ ଉଠିଲା । ଦାନ ମଧ୍ୟରେ ସର୍ବୋତ୍କୃଷ୍ଟ ଦାନ ହେଉଛି “ପୁଣ୍ୟ ଦାନ” । ଏହିପରି ରାଜାଙ୍କର ମୌନଭଙ୍ଗ କରିବାରେ ସଫଳ ହୋଇ ଶବ ଓ ସେ ଶବସ୍ଥିତ ବେତାଳ ରାଜାଙ୍କ କାନ୍ଧରୁ ଖସିଯାଇ ପୁନର୍ବାର ବୃକ୍ଷ ଡାଳରେ ଝୁଲି ପଡିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ