ପୁଷ୍ପବତୀ କଥା

       ଗଛରୁ ଓହ୍ଲାଇ ଜଙ୍ଗଲ ମଧ୍ୟରେ କୁଆଡେ ଯିବେ କିଛି ଠିକ୍ କରି ପାରିଲେ ନାହିଁ । ଅନେକ ସମୟ ଏଣେ ତେଣେ ଘୂରି ବୁଲିବା ପରେ ଏକ ଝରଣା କୂଳରେ କୁଡିଆଟିଏ ଦେଖିଲେ । ସେଠାକୁ ଯିବା ସମୟରେ ଗଛରୁ ଓହ୍ଲାଇ ଏକ ମାଙ୍କଡୀ (ମାଈ ମାଙ୍କଡ) ବିଭିନ୍ନ ଭାବଭଙ୍ଗୀ ମାଧ୍ୟମରେ କିଛି ବୁଝାଇବାକୁ ଚେଷ୍ଟା କରୁଥାଏ । ମହାରାଜ କିଛି ବୁଝି ନ ପାରି ଫଳମୂଳ ଖାଇ ସେଇ ଗଛମୂଳରେ ବିଶ୍ରାମ କଲେ । କ୍ରମେଣ ସନ୍ଧ୍ୟା ଘନେଇ ଆସିଲା । ମହାରାଜ ଦେଖିଲେ ଜଣେ ସନ୍ନ୍ୟାସୀ ସେଇ କୁଡିଆକୁ ଗଲେ । ସେ କିଛି ସଙ୍କେତ ଦେଲେ ଯାହା ଫଳରେ ସେ ମାଙ୍କଡୀଟି ମଧ୍ୟ କୁଡିଆ ଭିତରକୁ ଗଲା । ମହାରାଜ ଖୁବ୍ ସନ୍ତର୍ପଣରେ ସେଠାକୁ ଯାଇ ଝରକାଦେଇ ନିରେଖି ଚାହିଁଲେ । ମନରେ ଅନେକ ଉତ୍କଣ୍ଠା । ସନ୍ନ୍ୟାସୀ ଜଣକ ମାଙ୍କଡୀକୁ କାହିଁକି ଭିତରକୁ ଡାକିଲେ? ସେ କିପରି ତାଙ୍କର ସଙ୍କେତ ବୁଝି ପାରିଲା? ସେ ସତରେ ଗୋଟିଏ ମାଙ୍କଡୀ ନା ସେଇ ରୂପରେ ଅନ୍ୟ କେହି?

       ମହାରାଜ ଦେଖିଲେ ସନ୍ନ୍ୟାସୀ ଜଣକ ମାଙ୍କଡୀକୁ ଦେଖି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବସାଇଲେ ଯେଉଁଠାରେ ଦୁଇ ପାଖରେ ଦୁଇଟି ଘଡା ରଖାଯାଇଥିଲା । ଗୋଟିଏ ଘଡାରେ ହାତ ପୂରାଇ ପାଣି ଆଣି ସିଂଚି ଦେବାରୁ ମାଙ୍କଡୀଟି ଏକ ସୁନ୍ଦରୀ ରାଜକୁମାରୀ ପାଲଟିଗଲା । ତା’ପରେ ସେ ସନ୍ନ୍ୟାସୀଙ୍କ ପାଇଁ ରୋଷେଇ କରି ଖାଇବାକୁ ଦେଲା । ତାଙ୍କର ସେବାଯତ୍ନ କଲା । ଗୋଡ ମୋଡିଦେଲା । ସନ୍ନ୍ୟାସୀ ଶୋଇଯିବାରୁ ସେ ମଧ୍ୟ ତାଙ୍କ ପାଦତଳେ ଭୂମିଉପରେ ଶୋଇଗଲା ।

       ମହାରାଜ ସକାଳ ହେବାକୁ ଅପେକ୍ଷା କଲେ । ସୂର୍ଯ୍ୟଉଦୟ ହେବାପରେ ସନ୍ନ୍ୟାସୀ ନିତ୍ୟକର୍ମ ଶେଷ କରି ରାଜକୁମାରୀକୁ ସେଇ ନିର୍ଦ୍ଦିଷ୍ଟ ସ୍ଥାନରେ ବସାଇ ଅନ୍ୟ ଘଡାରୁ ପାଣି ଆଣି ସିଂଚିବାରୁ ସେ ପୁଣି ମାଙ୍କଡୀ ପାଲଟି ଗଲା । ସନ୍ନ୍ୟାସୀ ତାଙ୍କୁ ବାହାରେ ଛାଡି ଦେଇ କୁଡିଆ ଦ୍ୱାର ବନ୍ଦକରି ନିଜର ଗନ୍ତବ୍ୟପଥରେ ଚାଲିଗଲେ । ମାଙ୍କଡୀ ଗଛରେ ଚଢି ଏ ଡାଳରୁ ସେ ଡାଳ ଡେଇଁଲା । କିଛି ସମୟ ପରେ ମହାରାଜାଙ୍କ ସାମ୍ନାକୁ ଆସି କିଛି ସଙ୍କେତ ଦେଲା ଯେଉଁଥିରୁ ମହାରାଜା ଅନୁମାନ କରି ପାରିଲେ ଯେ ସେ ତାଙ୍କର ସାହାଯ୍ୟ ଚାହୁଁଛି ।

       ତା’ପରେ ମହାରାଜା ମାଙ୍କଡୀକୁ ନେଇ ସନ୍ନ୍ୟାସୀଙ୍କର କୁଡିଆକୁ ଗଲେ । ସେଠାରେ ସନ୍ନ୍ୟାସୀଙ୍କ ଅନୁରୂପ ମାଙ୍କଡୀକୁ ସେଇ ନିର୍ଦ୍ଦିଷ୍ଟ ସ୍ଥାନରେ ବସାଇ ପ୍ରଥମ ଘଡାରୁ ପାଣି ଆଣି ସିଂଚିବାରୁ ମାଙ୍କଡୀ ଅପୂର୍ବ ସୁନ୍ଦରୀ ରାଜକୁମାରୀ ପାଲଟିଗଲା । ସଙ୍ଗେ ସଙ୍ଗେ ହାତଯୋଡି ପ୍ରଣାମ କରି କହିଲା, “ମହାରାଜ ବିକ୍ରମାଦିତ୍ୟ! ମୋର ପ୍ରଣାମ ଗ୍ରହଣ କରନ୍ତୁ ।”

       ସୁନ୍ଦରୀ ରାଜ୍ୟକୁମାରୀଙ୍କୁ ଦେଖି ବିମୋହିତ ହୋଇଥିବା ମହାରାଜ ତା ମୁଖରୁ ନିଜର ନାମ ଶୁଣି ଆଶ୍ଚର୍ଯ୍ୟ ଚକିତ ହେଲେ । ରାଜକୁମାରୀ ଓଠରେ ହସ ଖେଳାଇ କହିଲା, “ଆଶ୍ଚର୍ଯ୍ୟ ହେଉଛନ୍ତି ମୁଁ କେମିତି ଆପଣଙ୍କୁ ଜାଣିଲି ବୋଲି? ତେବେ ପ୍ରଥମେ ମୋ କଥା ଶୁଣନ୍ତୁ । ତା’ପରେ ଆପେ ଆପେ ସବୁକଥା ବୁଝି ପାରିବେ । ମୋ ନାମ କାମିନୀ । କାମଦେବ ମୋର ପିତା ଏବଂ ଅପ୍ସରା ପୁଷ୍ପବତୀ ମୋର ମାଆ । ପିଲାଦିନେ ଶିକାର ଖେଳିବା ମୋର ସଉକ ଥିଲା । ଦିନେ ମୁଁ ଏକ ହରିଣୀକୁ ଦେଖି ତୀର ମାରିଲି ଯେ ତାହାଯାଇ ଜନୈକ ତପସ୍ୱୀଙ୍କ ବାହୁରେ ବାଜିଲା । ସେ କ୍ରୋଧିତ ହୋଇ ଅଭିଶାପ ଦେଲେ ଯେ ମୁଁ ଦିନରେ ମାଙ୍କଡୀ ଓ ରାତିରେ ରାଜକୁମାରୀ ହୋଇ ଜଣେ ତପସ୍ୱୀଙ୍କର ସେବା କରି ବଂଚିବି ।

       ମୁଁ ଖୁବ୍ ମନସ୍ତାପ କଲି । ତାଙ୍କ ପାଦତଳେ ପଡି କ୍ଷମା ମାଗିଲି । ଶାପ ଫେରାଇ ନେବାକୁ ଅନୁରୋଧ କଲି । ମାତ୍ର …. । ତପସ୍ୱୀ କହିଲେ ତାଙ୍କ ଅଭିଶାପ ବ୍ୟର୍ଥ ହେବ ନାହିଁ । ତେବେ ଜଙ୍ଗଲ ମଧ୍ୟରେ ଯେଉଁଦିନ କେହି ପ୍ରଥମ ମଣିଷ ମୋର ସାମ୍ନା ସାମ୍ନି ହେବେ, ସେ ମୋତେ ଶାପମୁକ୍ତ କରାଇବେ । କାରଣ ସେ ଜଣେ ସାଧାରଣ ମଣିଷ ନୁହଁନ୍ତି, ପ୍ରବଳ ପରାକ୍ରମୀ ମହାରାଜ ବିକ୍ରମାଦିତ୍ୟ । ସେଇଥିପାଇଁ ମୁଁ ଆପଣଙ୍କୁ ଚିହ୍ନି ପାରିଲି ।

       ମୁଁ ସଂପୂର୍ଣ୍ଣ ଶାପମୁକ୍ତ ହେବି ଯେତେବେଳେ ତପସ୍ୱୀ ପ୍ରୀତ ହୋଇ ମୋତେ କିଛି ଉପହାର ପ୍ରଦାନ କରିବେ । ସେଇ ଉପହାର ପାଇବା ପରେ ମୁଁ ଆପଣଙ୍କ ରାଣୀ ହୋଇ ପାରିବି । ଭାବୁଛି ମୁଁ ଆଜିହିଁ ସନ୍ନ୍ୟାସୀଙ୍କୁ ସେବାରେ ମୁଗ୍ଧ କରି ଉପହାର ଆଣିବି ।”

       ସବୁକଥା ଶୁଣିବା ପରେ ମହାରାଜ ରାଜକୁମାରୀଙ୍କୁ ପୁଣି ମାଙ୍କଡୀ କରି ବାହାରକୁ ଆସିଲେ । ସନ୍ଧ୍ୟା ହେବାକୁ ଅପେକ୍ଷା କଲେ । ସନ୍ନ୍ୟାସୀ ମାଙ୍କଡୀକୁ ରାଜକୁମାରୀ କରିଦେଲେ । ସେ ସ୍ୱାଦିଷ୍ଟ ଭୋଜନ କରି ତାଙ୍କୁ ଖୁଆଇଲା । ମନ ଲଗାଇ ସେବାଯତ୍ନ କଲା । ସନ୍ନ୍ୟାସୀ ପ୍ରୀତ ହୋଇ ଉପହାର ସ୍ୱରୂପ ଏକ କମଳ ପୁଷ୍ପ ଦେଲେ ଏବଂ କହିଲେ, “ଏହା ଆଦୌ ମଉଳିବ ନାହିଁ । ପ୍ରତିଦିନ ତୁମକୁ ଏକ ମୂଲ୍ୟବାନ ରତ୍ନ ପ୍ରଦାନ କରିବ । ମୁଁ ଜାଣେ ତୁମ ପାଇଁ ମହାରାଜ ବିକ୍ରମାଦିତ୍ୟ ଆସି ଯାଇଛନ୍ତି । ଆଜିଠାରୁ ତୁମେ ଶାପମୁକ୍ତ । ଯାଅ ବିକ୍ରମାଦିତ୍ୟଙ୍କ ରାଣୀ ହୋଇ ସୁଖରେ କାଳ କାଟିବ । ମୋ ତରଫରୁ ଏଇ କମଳ ପୁଷ୍ପ ତମେ ମହାରାଜାଙ୍କୁ ଦେବ ।”

       ପରଦିନ ସକାଳେ ମହାରାଜ ରାଜକୁମାରୀ କାମିନୀକୁ ଧରି ନିଜ ରାଜ୍ୟକୁ ଫେରିବା ପାଇଁ ଚାହିଁଲେ । ଅନୁଗତ ବେତାଳକୁ ସ୍ମରଣ କଲେ । ବେତାଳମାନେ ମହାରାଜ ଏବଂ ରାଜକୁମାରୀଙ୍କୁ ନେଇ ରାଜ୍ୟରେ ପହଁଚାଇ ଦେଲେ । ଛୋଟ ପିଲାଟିଏ ରାଜକୁମାରୀଙ୍କୁ ହାତରେ ସୁନ୍ଦର କମଳପୁଷ୍ପଟିଏ ଦେଖି ନେବାପାଇଁ ଅଳି କରିବାରୁ ମହାରାଜା ତାହା ତାକୁ ଦେଇ ରାଜକୁମାରୀଙ୍କୁ ନେଇ ଉଆସକୁ ଗଲେ । ବିଧିମୁତାବକ କାମିନୀଙ୍କୁ ବିବାହକରି ରାଣୀର ମାନ୍ୟତା ପ୍ରଦାନ କଲେ ।

       କିଛିଦିନ ପରେ କଟୁଆଳ ମାନେ ଜଣେ ଲୋକଙ୍କୁ ଧରି ଆଣିଲେ ଯିଏ କି ବହୁମୂଲ୍ୟ ରତ୍ନ ବିକ୍ରିକରିବାକୁ ଚାହୁଁଥିଲେ । ସେ ରାଣୀଙ୍କ ଆଗରେ ସ୍ୱୀକାର କଲା ଯେ, ମହାରାଜା ତା’ ପୁଅକୁ ଦେଇଥିବା କମଳ ମାଧ୍ୟମରେ ହିଁ ସେ ମୂଲ୍ୟବାନ୍ ରତ୍ନ ପାଇଛି । ମହାରାଜ ତାଠୁଁ ଉଚିତ ମୁଲ୍ୟରେ ରତ୍ନ ଏବଂ କମଳପୁଷ୍ପ କିଣି ନେଲେ ।

       କାହାଣୀ ଶୁଣାଇ ପୁଷ୍ପବତୀ ନିଜ ସ୍ଥାନକୁ ଫେରିଗଲେ । ଭୋଜରାଜ ଆତ୍ମ ସମୀକ୍ଷା କରୁ କରୁ ନିଜ ଉଆସକୁ ଫେରିଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ