ପ୍ରକୃତ ଚୋର

ସେଠ୍ ରତ୍ନଗୁପ୍ତ ଚନ୍ଦ୍ରନଗରର ଜଣେ ବଡ ବ୍ୟବସାୟୀ ଥିଲେ । ଦିନେ ରାତିରେ ତାଙ୍କ ଘରୁ ଦଶହଜାର ସ୍ୱର୍ଣ୍ଣମୁଦ୍ରା ଚୋରି ହୋଇଗଲା । ସକାଳେ ଉଠି ସେଠ୍ ଯେତେବେଳେ ଏହି ଚୋରି କଥା ଜାଣିଲେ, ସେତେବେଳେ ସେ ହଠାତ୍ ସ୍ତବ୍ଧ ହୋଇଗଲେ । କାହିଁକିନା ଦିନେ ଏଭଳି ଘଟଣା ଘଟିବ ବୋଲି ସେ କେବେବି କଳ୍ପନା ସୁଦ୍ଧା କରି ନଥିଲେ । ଯାହାହେଉ, ସେ ସେଠ୍ ଶୀଘ୍ର ପ୍ରକୃତିସ୍ଥ ହୋଇ କିପରି ଭାବରେ ଚୋରି ହେଲା, କିଏ ଚୋରି କଲା ସେସବୁ କଥା ଠଉରାଇବାକୁ ଚେଷ୍ଟା କଲେ । ଯେଉଁ ଘରେ ଧନରତ୍ନ ସବୁ ରଖା ହୋଇଥିଲା ତା’ରି ପାଖ ଘରେ ଚାରିଜଣ ଚାକର ଜଗିକରି ଶୋଉଥା’ନ୍ତି । ତେଣୁ ସେଠଙ୍କର ସେହି ଚାକରମାନଙ୍କ ଉପରେ ଟିକେ ସନ୍ଦେହ ହେଲା ।

କିନ୍ତୁ ସେ ସେଠ୍ ଜଣେ ଅତ୍ୟନ୍ତ ସାଧୁ ପ୍ରକୃତିର ଲୋକ ଥିଲେ । ସେ କାହାକୁ କଡା କରି ପଦେ କଥା ମଧ୍ୟ କହି ପାରନ୍ତି ନାହିଁ । ଏବେ ସେ କ’ଣ କରିବେ; ଅନେକ ଭାବିଚିନ୍ତି ଶେଷରେ ସେ ଠିକ୍ କଲେ ଏହିକଥା ସେ ତାଙ୍କର ବନ୍ଧୁ ସୋମଚନ୍ଦ୍ରଙ୍କୁ କହିବେ । କାରଣ ସେ ବହୁତ ବୁଦ୍ଧିମାନ ଲୋକ । ସେ ହୁଏତ ପ୍ରକୃତ ଚୋରକୁ ଧରି ଦେଇ ପାରିବେ ।

ସୋମଚନ୍ଦ୍ରଙ୍କୁ ଡାକି ସେଠ ତାଙ୍କୁ ସବୁକଥା ଗୋଟିଗୋଟି କରି କହିଲେ ଓ ତାଙ୍କୁ ସେ ଏହା ମଧ୍ୟ ଅନୁରୋଧ କଲେ ଯେ, ଯେପରି ଚାକରମାନଙ୍କୁ କୌଣସି ପ୍ରକାର କଷ୍ଟ ନ ଦେଇ ପ୍ରକୃତ ଚୋର ଧରା ହୁଏ । ସୋମଚନ୍ଦ୍ର ତତ୍କ୍ଷଣାତ୍ ତାଙ୍କ କାମରେ ଲାଗିଗଲେ । ସେ ତୁରନ୍ତ ଚାରିଜଣ ଚାକରଙ୍କୁ ଡକେଇ ସେମାନଙ୍କୁ ଧମକ ଦେଇ କହିଲେ, “ଦେଖ, ତୁମେ ଚାରିଜଣ ପାଖ ଘରେ ଶୋଇଥିବା ବେଳେହିଁ ଧନ ଚୋରି ଯାଇଛି । ଅର୍ଥାତ୍ ତୁମ ଭିତରୁ ଅବଶ୍ୟ କେହି ଜଣେ ବା ଏକାଠି ଏ କାମ କରିଛ । ସେଠ୍ ଅତ୍ୟନ୍ତ ଭଦ୍ରଲୋକ ବୋଲି ଏକଥା ସେ ବାହାରେ ପ୍ରକାଶ କରି ନାହାଁନ୍ତି ବା ସିପାହୀ ମାନଙ୍କୁ ଏ ବିଷୟରେ କୌଣସି ଖବର ଦେଇ ନାହାଁନ୍ତି । ତମେମାନେ ସଂଧ୍ୟା ସୁଦ୍ଧା ଧନ ଆଣି ପୂର୍ବସ୍ଥାନରେ ରଖିଦିଅ; ତାହାହେଲେ ତୁମମାନଙ୍କ ଭିତରୁ କେହିବି ଦଣ୍ଡ ଆଦୌ ପାଇବ ନାହିଁ । ସତ କହିଲେ କେହି ମଧ୍ୟ ଦଣ୍ଡ ପାଇବ ନାହିଁ । ଯଦି ଧନ ନ ଫେରାଅ ତେବେ ତୁମମାନଙ୍କ ଅବସ୍ଥା ବହୁତ ଖରାପ ହେବ । ଅଯଥାରେ ସମସ୍ତେ ଦଣ୍ଡ ପାଇବ ।”

ଚାକରମାନେ କେହି କିଛି ଜାଣନ୍ତି ନାହିଁ ବୋଲି ସଫାସଫା କହିଦେଲେ । ମାତ୍ର ସୋମଚନ୍ଦ୍ର ସେଥିପ୍ରତି ଆଦୌ କର୍ଣ୍ଣପାତ ନ କରି କହିଲେ, “ସଂନ୍ଧ୍ୟା ସୁଦ୍ଧା ମୁଁ ତୁମମାନଙ୍କୁ ସମୟ ଦେଲି । ଏଥର ତୁମେମାନେ ଏଠୁ ଯାଅ ।”

ସଂନ୍ଧ୍ୟା ସୁଦ୍ଧା କିଛି ବି ସନ୍ଧାନ ମିଳିଲା ନାହିଁ । ତା’ ପରଦିନ ସୋମଚନ୍ଦ୍ର ଗୋଟିଏ ଘରେ ବସି ଜଣ ଜଣ କରି ସେ ଚାକରମାନଙ୍କୁ ଡାକିଲେ । ଧର୍ମବୀର ନାମକ ଚାକର ପ୍ରଥମେ ଆସିଲା । ସୋମଚନ୍ଦ୍ର ତାକୁ କହିଲେ, “ଧର୍ମବୀର, ଚୋରି ତୁମେ କରିଛ । ସେଥିପାଇଁ ମୋ ପାଖରେ ଯଥେଷ୍ଟ ପ୍ରମାଣ ବି ଅଛି । ଏଥର ତୁମେ ନିଜର ଅପରାଧ ସ୍ୱୀକାର କରି ଧନ ଫେରାଇ ଦିଅ । କେହି ତୁମର କିଛି ବି କରିବେ ନାହିଁ । ନହେଲେ ତୁମେ ବହୁତ ଦଣ୍ଡ ପାଇବ ।”

ଏକଥା ଶୁଣି ଧର୍ମବୀର ଖୁବ୍ ଦୁଃଖିତ ହୋଇ କହିଲା, “ମୁଁ ଏହି ସେଠ୍ଙ୍କ ଘରେ ଗଲା ଦଶବର୍ଷ ଧରି କାମ କରୁଛି । କେବେ ଏପରି ଘଟଣା ମୋ ଜୀବନରେ ଘଟିନାହିଁ । ଆଜି ପୁଣି ମୁଁ ନିମକହାରାମି କରିବି? ଏତେ ବଡ ବଦନାମ୍ ନିଜ ନାମରେ ଶୁଣିବାଠାରୁ ତା’ ଅପେକ୍ଷା ବରଂ ମୃତ୍ୟୁ ଶ୍ରେୟସ୍କର । ମୋର ଦୁର୍ଭାଗ୍ୟ ଯେ ମୋ ନାମରେ ଏପରି କୁତ୍ସିତ କଳଙ୍କ ଲାଗିଲା ।”


ଗପ ସାରଣୀ

ତାଲିକାଭୁକ୍ତ ଗପ