ପ୍ରକୃତ ଚୋର

ତା’ପରେ ସୋମଚନ୍ଦ୍ର ଧର୍ମବୀରକୁ ସେଠାରୁ ପଠାଇ ଦେଇ ଭୁଷଣଲାଲକୁ ଡାକିଲେ ଓ ଧର୍ମବୀରକୁ ସେ ଯାହା ଯାହା କହିଥିଲେ ତାକୁ ମଧ୍ୟ ସେ ସେଇଆ କହିଲେ । ସେକଥା ଶୁଣି ସେ ଭୟରେ ଥରିଲା ଓ କହିଲା, “ବାବୁ ମୋତେ ଏଥିରୁ ରକ୍ଷା କରନ୍ତୁ । ଏ ଭୟଙ୍କର ଅପବାଦ ଭିତରକୁ ମୋତେ ଯମା ଠେଲି ଦିଅନ୍ତୁ ନାହିଁ । ଆଜ୍ଞା ମୁଁ ତ ଏ ସମ୍ପର୍କରେ ଏକବାରେ ନିର୍ଦ୍ଦୋଷ ।”

ସୋମଚନ୍ଦ୍ର କହିଲେ, “ତୁମେ ଯଦି ଚୋରି କରିନାହଁ ତ ତେବେ ତମେ କାହିଁକି ଏତେ ଡରୁଛ? ମୋ ପାଖରେ ସବୁ ପ୍ରମାଣ ଅଛି । କାଲି ମୁଁ ସବୁ ଠିକ୍ କରିଦେବି ।”

ତା’ପରେ ରାମନାଥ ଆସିଲା । ସୋମଚନ୍ଦ୍ରଙ୍କ କଥା ଶୁଣି ସେ ହଠାତ୍ ରାଗିଯାଇ କହିଲା, “ବାବୁ, ଆପଣ ଭାବିଚିନ୍ତି କଥା କୁହନ୍ତୁ । ଆମେ ଗରୀବ ହେଲୁ ବୋଲି ଆପଣ ଯେ ଆମ ଉପରେ ଏଭଳି କଳଙ୍କ ଲଗାଇ ଦେବେ, ଏକଥା କିଏ ସହିବ?”

“ଆରେ ମୁଁ ଏପରି ଅନେକ ଲୋକ ଦେଖିଛି, ଖାଲି ମୁହଁରେ ବଡ କଥା । ତମେ ଚାରିଜଣ ଧନାଗାର ଜଗିକରି ଶୋଇଥିଲ ଆଉ ଧନ ଚୋରିଗଲା ଅଥଚ ତମେ କେହି କିଛି ବି ଜାଣନାହିଁ; ଇଏ ପୁଣି କିପରି କଥା? ଯାଅ, ମୋ ପାଖରେ ଯଥେଷ୍ଟ ପ୍ରମାଣ ଅଛି । କାଲି ଦେଖାଯିବ ।” ଏକଥା କହି ସୋମଚନ୍ଦ୍ର ରାମନାଥକୁ ସେଠାରୁ ବିଦା କରିଦେଲେ । ଶେଷରେ ଚନ୍ଦ୍ରନାଥ ଆସିଲା ।

ସେ ମଧ୍ୟ ଦୃଢ କଣ୍ଠରେ ସୋମଚନ୍ଦ୍ରଙ୍କ ଅଭିଯୋଗକୁ ନିନ୍ଦା କଲା । ସୋମଚନ୍ଦ୍ର କହିଲେ, “ଯେତେବେଳେ ସେଠ୍ଙ୍କ ସମ୍ପତ୍ତି ଚୋରି ଯାଇଥିଲା, ସେତେବେଳେ ତମେମାନେ ଗଭୀର ନିଦରେ ଶୋଇବା ତ ଏକ ପ୍ରକାର ଅକ୍ଷମଣୀୟ ଅପରାଧ ।”

ତାଙ୍କ କଥା ଶୁଣି ଚନ୍ଦ୍ରନାଥ ରାଗିଯାଇ କହିଲା, “ମୋତେ ତ ଏ ଘରର କାମଦାମ ଦେଖିବାକୁ ରଖା ହୋଇଛି, ହେଲେ ଧନାଗାର ଜଗିବାକୁ ତ ନୁହେଁ! ମୁଁ ଦିନଯାକ ଖଟି ଖଟି ରାତିରେ ଗଭୀର ନିଦରେ ଶୋଇବାଟା ତ କିଛି ଅପରାଧ ନୁହେଁ । ମୋତେ ପହରା ଦେବାର ଦାୟିତ୍ୱ ଦିଆଯାଉ ତାହେଲେ ମୁଁ ଦିନଯାକ ଶୋଇବି ଓ ରାତ୍ରିରେ ପହରା ଦେବି । ସେତେବେଳେ ଯଦି କିଛି ଚୋରି ଯାଏ ତ ତେବେ ଆପଣ ମୋତେ ଦାୟୀ କରିବେ ।”

ସୋମଚନ୍ଦ୍ର ଚନ୍ଦ୍ରନାଥକୁ ବିଦା କରିଦେଇ ସେଠ୍ଙ୍କ ପାଖକୁ ଯାଇ କହିଲେ, “ସେଠଜୀ, ସେମାନଙ୍କ କଥାବାର୍ତ୍ତାରୁ ଏହା ଜଣାଗଲା ଯେ, ଧର୍ମବୀର ଓ ରାମନାଥ ଏ ଦୁହେଁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ । ଏଭଳି ପରିସ୍ଥିତିରେ ମୁଁ କେବଳ ଭୁଷଣଲାଲକୁହିଁ ସନ୍ଦେହ କରୁଛି । ବୋଧହୁଏ ସେ ଚନ୍ଦ୍ରନାଥର ସହାୟତାରେ ଏ ଚୋରି କରିଛି । ତେଣୁ ଆମେ ଯାଇ ସେ ଦୁହିଁଙ୍କ ଘର ଖୋଜିବା, ଯଦି ଆମକୁ ସେଠୁ କିଛି ମିଳେ ।”

ସେଠ୍ ରତ୍ନଗୁପ୍ତ ନିଜ କୋଠାର ପଛପାଖରେ ତାଙ୍କ ଚାକରମାନଙ୍କ ପାଇଁ ଛୋଟ ଛୋଟ ଘର ତୋଳିଥିଲେ । ସେଠାରେ ସେମାନଙ୍କ କୁଟୁମ୍ବମାନେ ମଧ୍ୟ ଥା’ନ୍ତି । କିନ୍ତୁ ଏମାନେ ରାତିରେ ସେଠ୍ ଙ୍କ ଘରେ ରହନ୍ତି । ବହୁତ ସନ୍ଧାନ କରିବା ପରେ ମଧ୍ୟ ସେ ଦୁଇଜଣଙ୍କ ଘରୁ କୌଣସି ଜିନିଷ ବି ମିଳିଲା ନାହିଁ । ସୋମଚନ୍ଦ୍ର କହିଲେ, “ସେଠଜୀ, ଏବେ ମୋର ମନେହୁଏ ଚନ୍ଦ୍ରନାଥ ନିର୍ଦ୍ଦୋଷ । କେବଳ ଭୁଷଣଲାଲ୍ ଉପରେ ମୋର ଯାହା ଟିକେ ସନ୍ଦେହ ରହିଛି । ସେ ନିଜେ କରିଛି ବା ସେ ଠିକ୍ ଜାଣେ କିଏ ଏ ଚୋରି କରିଛି ।”

ରତ୍ନଗୁପ୍ତ ପଚାରିଲେ “କିନ୍ତୁ ଏ କଥା ସେ ସ୍ୱୀକାର କରିବ ବା କାହିଁକି?”

ତା’ପରେ ସୋମଚନ୍ଦ୍ର କହିଲେ “ଏବେ କେବଳ ଏକମାତ୍ର ପନ୍ଥା ହେଉଛି ତା’ ଉପରେ ଆମକୁ କଡା ନଜର ରଖିବାକୁ ହେବ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ