ପ୍ରକୃତ ପ୍ରତିନିଧି

ତା’ପରେ ସତ୍ୟବାନ୍ ନିଜ ଗ୍ରାମକୁ ଫେରିଗଲେ ଓ ସେ ଗ୍ରାମର ମୁଖିଆ ହେବାକୁ ସେ ତାଙ୍କ ପୁତ୍ର ସତ୍ୟଶୀଳକୁ ଶିକ୍ଷା ଦେଲେ । କିନ୍ତୁ ସତ୍ୟଶୀଳ ଏତେ ସହଜରେ ସେସବୁ ଜ୍ଞାନ ଅର୍ଜ୍ଜନ କରି ପାରୁନଥାଏ । ଶିକ୍ଷା ସମାପ୍ତ କରିବାକୁ ତାଙ୍କୁ ସମ୍ପୂର୍ଣ୍ଣ ପାଂଚବର୍ଷ ଲାଗିଗଲା । ପାଂଚବର୍ଷ ପରେ ଦିନେ ସତ୍ୟବାନ୍ ତାଙ୍କ ପୁତ୍ର ସତ୍ୟଶୀଳକୁ କହିଲେ, “ତୁମେ ଏବେ ଏହି ଚିଠିଟିଏ ନେଇ ଚିତ୍ରଦୁର୍ଗ ଗ୍ରାମକୁ ଯାଅ । ଏହି ଚିଠିଯୋଗୁଁ ସେମାନେ ତୁମକୁ ତାଙ୍କ ଗ୍ରାମର ମୁଖିଆ କରି ନେବେ ।”

ସତ୍ୟଶୀଳ ଚିତ୍ରଦୁର୍ଗ ଗ୍ରାମରେ ଯାଇ ପହଁଚି ଦେଖିଲେ ଯେ ସେଠାରେ ଗୁଣନାଥ ନାମକ ଜଣେ ବ୍ୟକ୍ତି ନିଜକୁ ସତ୍ୟବାନ୍ଙ୍କର ପ୍ରତିନିଧି ବୋଲି କହି ମୁଖିଆ ହୋଇ ବସିଛି । ସତ୍ୟଶୀଳ ତାଙ୍କ ପିତାଙ୍କର ପତ୍ର ସହିତ ଚନ୍ଦ୍ରସେନାଙ୍କ ଘରକୁ ଯାଇ ତାଙ୍କୁ ସବୁକଥା କହିଲେ । ଏହି କଥାରେ ଚନ୍ଦ୍ରସେନା ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ ଗୁଣନାଥଙ୍କ ପାଖରେ ଆସି ପହଁଚିଲେ ।

ଚନ୍ଦ୍ରସେନାଙ୍କ ସବୁକଥା ଶୁଣି ଗୁଣନାଥ ତିଳେ ମଧ୍ୟ ବିଚଳିତ ନ ହୋଇ କହିଲେ, “ମୁଁ ତ ସତ୍ୟବାନ୍ଙ୍କ ପ୍ରତିନିଧି ।”

ଏହା ଶୁଣି ସତ୍ୟଶୀଳ ରାଗିଯାଇ କହିଲେ, “ଆଶ୍ଚର୍ଯ୍ୟ କଥା ତ । ନିଜ ପଦକୁ ଛାଡିବା ପାଇଁ ଏତେ ମିଛ?” ଏଥର କେତେକ ଲୋକ ଗୁଣନାଥଙ୍କ ସପକ୍ଷରେ ଓ ଆଉ କେତେକ ସତ୍ୟଶୀଳଙ୍କ ସପକ୍ଷରେ ରହିଲେ । ଝଗଡା ଓ ଅଶାନ୍ତି ମଧ୍ୟରେ କିଛିଦିନ ବିତିଗଲା; ଦିନେ ସତ୍ୟଶୀଳ ଚନ୍ଦ୍ରସେନାଙ୍କୁ କହିଲେ, “ଏମିତି ଆଉ କେତେ ଦିନ ଚାଲିବ । ଆପଣ ବରଂ ମୋ ବାପାଙ୍କୁ ଡାକି ଆଣନ୍ତୁ । ତେବେ ଯାଇ ସବୁକିଛି ପରିଷ୍କାର ହୋଇଯିବ ।”

ଖବର ପାଇ ସତ୍ୟବାନ୍ ସେହି ଗ୍ରାମକୁ ଆସିଲେ ଓ ଗୁଣନାଥଙ୍କ ସହ ଏକାନ୍ତରେ ସେ କିଛି ସମୟ କଥାବାର୍ତ୍ତା କଲେ । ଗୁଣନାଥ ବଡ ନମ୍ରତା ସହକାରେ କହିଲେ, “ମହାଶୟ ମୁଁ ଏଠାକୁ ପଦମର୍ଯ୍ୟଦାର ମୋହ ଯୋଗୁଁ ଆସିନାହିଁ । ଆପଣ ଯିବା ପରେ ଏଠାରେ ପୁଣି ଝଗଡା ଆରମ୍ଭ ହେଲା । ଏଠାରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ମୋର ଜଣେ ମିତ୍ର ମୋତେ ଏଠାକୁ ଡାକି ଆଣିଲେ, କେବଳ ସେଇଥିପାଇଁ ମୁଁ ଏଠାକୁ ଆସିଥିଲି । ଆପଣଙ୍କ ଆଦର୍ଶକୁ ଅନୁକରଣ କରି ମୁଁ ଏଠାରେ ମୁଖିଆ ହୋଇ ମୋ ଦାୟିତ୍ୱ ଚଳାଇଲି । ଏହାକୁ ଏକ ଆଦର୍ଶ ଗ୍ରାମ କରିବାରେ ମୁଁ ସେଥିରେ ସଫଳ ମଧ୍ୟ ହେଲି । ଆପଣଙ୍କ ପୁଅ ପ୍ରଥମେ ମୋ ପାଖକୁ ନଆସି ଚନ୍ଦ୍ରସେନା ପାଖକୁ ଯିବାରୁ ମୁଁ ଖୁବ୍ ରାଗିଗଲି ଓ ଅସୁବିଧା ପରିସ୍ଥିତିରୁ ନିଜକୁ ବଂଚାଇବାକୁ ଯାଇ ଏପରି ସବୁ ମିଛକଥା ମୁଁ କହିଲି ।  ମୁଁ ବି ଚାହୁଁଥିଲି ଯେ ଆପଣ ଆସିଲେ ଭାରି ଭଲ ହୁଅନ୍ତା । ଆପଣଙ୍କ ଦର୍ଶନ ପାଇଲି । ଏବେ ଏଥିରୁ ମୋତେ ଉଦ୍ଧାର କରନ୍ତୁ ।”

ସତ୍ୟବାନ୍ ବାହାରେ ଘୋଷଣା କଲେ କି ଗୁଣନାଥ ହିଁ ତାଙ୍କର ପ୍ରକୃତ ପ୍ରତିନିଧି । ତା’ପରେ ସେ ତାଙ୍କ ପୁଅକୁ ନେଇ ନିଜ ଗ୍ରାମକୁ ଫେରିଗଲେ ।

                ବେତାଳ ତା’ କାହାଣୀଟି ଗପିସାରି ଦୃଢକଣ୍ଠରେ ପ୍ରଶ୍ନକଲା, ‘ରାଜନ୍’ ସତ୍ୟବାନ୍ର ବ୍ୟବହାର କ’ଣ ତୁମକୁ ଆଶ୍ଚର୍ଯ୍ୟ ଲାଗୁନାହିଁ? ସତ୍ୟଶୀଳ ଗ୍ରାମ ମୁଖିଆ ହେବାକୁ କେବେବି ଭାବି ନଥିଲା; ସେ ନିଜେ ତା ମୁଣ୍ଡରେ ସେସବୁ କଥା ପୁରାଇଲେ, ଶିକ୍ଷା ଦେଇ ତାକୁ ପ୍ରସ୍ତୁତ କଲେ ଓ ପରେ ସମସ୍ତିଙ୍କ ସାମ୍ନାରେ ଏପରି ଘୋଷଣା କରିବାଟା କ’ଣ ଭଲ ହେଲା? ଏହା ମାନସିକ ଦୁର୍ବଳତା ନା ପୁତ୍ର ବିରୁଦ୍ଧରେ ଲୁକ୍କାୟିତ କ୍ରୋଧ? ଏସବୁ କଥା ମୋତେ ପରିଷ୍କାର କରି କୁହ । ମୋ ପ୍ରଶ୍ନର ଉତ୍ତର ଜାଣି ଯଦି ତମେ ନୀରବ ରହିବ ତେବେ ତମ ଶୀର ସ୍କନ୍ଧଚ୍ୟୁତ ହେବ ।

                ରାଜା ବିକ୍ରମ କହିଲେ, “ବେତାଳ, ସତ୍ୟବାନ୍ ତ ସତ୍ୟଶୀଳର କାହିଁ କୌଣସି ବି ଅବମାନନା କରିନାହାଁନ୍ତି । ବରଂ ଏହା ଥିଲା ତା’ପାଇଁ ଏକ ଶିକ୍ଷା । ଯଦି ଗୁଣନାଥ ତାଙ୍କର ପ୍ରତିକ୍ରିୟା ପରେ ଗ୍ରାମର ପୁରା ସେବା କରୁଛି ତେବେ ତାକୁ ସେଇଥିରେ ଛାଡିଦେବା ଉଚିତ୍ । କିନ୍ତୁ ସତ୍ୟଶୀଳର ଝଗଡା ପ୍ରକୃତି ଯୋଗୁଁ ତା’ର ମୁଖିଆ ହେବାର କୌଣସି ଯୋଗ୍ୟତା ନାହିଁ ସେକଥା ପ୍ରମାଣ ହୋଇଗଲା । କିନ୍ତୁ ଗୁଣନାଥ ପ୍ରକୃତରେ ସତ୍ୟବାନଙ୍କ ଆଦର୍ଶରେହିଁ କାମ କରୁଛି । ସେ ଗ୍ରାମର ମଙ୍ଗଳ ପାଇଁ ଗୁଣନାଥଙ୍କ ଯୋଗ୍ୟତା ବେଶି । ତେଣୁ ସତ୍ୟବାନ୍ ଗୁଣନାଥଙ୍କୁ ନିଜର ପ୍ରତିନିଧି ଭାବେ ସ୍ୱୀକାର କରି, ତଥା ଘୋଷଣା କରି, ପୁଅକୁ ନେଇ ସେଠାରୁ ଫେରିଗଲେ ।”

                ଏଭଳି ଉତ୍ତର ଦେବାରୁ ରାଜାଙ୍କର ମୌନଭଙ୍ଗ ହେଲା । ପୂର୍ବସର୍ତ୍ତ ଅନୁସାରେ ବେତାଳ ତାଙ୍କ କାନ୍ଧରୁ ଖସିଯାଇ ପୁନଶ୍ଚ ପୂର୍ବୋକ୍ତ ଡାଳରେ ଯାଇ ଝୁଲି ପଡିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ