ପ୍ରକୃତ ସାହାଯ୍ୟ

ଏହା ଶୁଣି ହରି କହିଲେ, “ମୋର ସେହି ମୁଦ୍ରିକାଟି ପୂଜା-ମନ୍ଦିରରେ ରହିଯାଇଛି । ତା’ର ନକଲ କାଢିବା ଏବେ ଆଦୌ ସମ୍ଭବ ନୁହେଁ । ଏହି ପାଖରେ ମୋର ଭାଇ ଗିରି ରହନ୍ତି । ତାଙ୍କ ପାଖରେ ମଧ୍ୟ ଠିକ୍ ମୋ ପରି ଏକ ମୁଦ୍ରିକା ଅଛି । କିନ୍ତୁ ସେ ମହାକୃପଣ । ସେ ମୁଦିର ନକଲ ଉତାରିବା ପାଇଁ ଖର୍ଚ୍ଚର ପଇସାଟିଏ ବି ତୁମକୁ ସାହାଯ୍ୟ କରିବ ନାହିଁ । ମୁଁ ତୁମକୁ ଏହି ଶହେଟଙ୍କା ଦେଉଛି, ଯାହା ଅର୍ଥ ଲାଗିବ ଖର୍ଚ୍ଚ କରିବ ।” ପ୍ରଦୀପଙ୍କ ହାତରେ ଜୋର୍ କରି ଶହେଟଙ୍କା ଧରେଇ ଦେଇ ହରି ସେଠାରୁ ଅନ୍ୟ ଆଡେ ଚାଲିଗଲେ ।

ପ୍ରଥମରୁ ଗିରି ଜଣେ କୃପଣ ଲୋକ ବୋଲି ଜାଣିଥିବାରୁ, ସେ ତାଙ୍କ ଘରକୁ ଯିବା ପାଇଁ ଆଗ୍ରହୀ ନ ଥିଲେ । ମାତ୍ର ଏବେ ସେଠାକୁ ନ ଯାଇ ତାଙ୍କ ପାଖରେ ଅନ୍ୟ କିଛି ଉପାୟ ନାହିଁ ।

ଗିରିଙ୍କ ଘରେ ପହଁଚିବାରୁ, ପ୍ରଦୀପକୁ ସେ ସ୍ୱାଗତ ଜଣାଇଲେ । ଥଣ୍ଡା ପାନୀୟ ପିଇବାକୁ ଦେଇ ତାଙ୍କ ସହିତ ସେ ମଧୁର ଆଳାପ କଲେ । ପ୍ରଦୀପ ନିଜର ସମସ୍ୟା ବିସ୍ତାର ପୂର୍ବକ ଜଣାଇଲେ । ଗିରି ସମସ୍ତ କଥା ଧ୍ୟାନର ସହିତ ଶୁଣି କିଛି ପ୍ରଶ୍ନ କଲେ ଓ ବିଷୟର ଗମ୍ଭୀରତା ହୃଦୟଙ୍ଗମ କରିପାରିଲେ ।

ଏହା ପରେ ସେ ପ୍ରଦୀପକୁ କହିଲେ, “ପ୍ରକୃତରେ ତୁମର ସମସ୍ୟା ଜଟିଳ । ବଡ ସତର୍କତାର ସହିତ କାମ କରିବା ପାଇଁ ପଡିବ । ଠିକ୍ ଏଇ ପ୍ରକାରର ମୁଦ୍ରିକା ତିଆରି କରିପାରିବାର ଦକ୍ଷତା ବଜ୍ରପୁରୀ ଗ୍ରାମର ରତ୍ନଗୁପ୍ତଙ୍କର ରହିଛି । କିନ୍ତୁ ସେ ତ ଏବେ ଜଣେ କୋଟିପତି । ଏପରି ଛୋଟ ଛୋଟ କାମ ସେ ଆଉ ତାଙ୍କ ହାତକୁ ନେଉ ନାହାଁନ୍ତି । ତେବେ ମଧ୍ୟ ତାଙ୍କୁ ବୁଝାଇ ସୁଝାଇ କାମଟି କରାଇବା । ତୁମ ସହିତ ମୁଁ ନିଜେ ଯିବି ।”

ପ୍ରଦୀପ କହିଲେ “ମହାଶୟ, ମୋ ପାଖରେ ତ ଏତେ ଧନ ନାହିଁ । ମୋତେ ଗ୍ରାମକୁ ଯାଇ ଆବଶ୍ୟକ ଅର୍ଥ ଆଣିବା ପାଇଁ ପଡିବ ।”

ଏହା ଶୁଣି ଗିରି କିଛି ସମୟ ଚିନ୍ତା କଲେ । “ତୁମର ପିତା, ଭଉଣୀର ବିବାହ ପାଇଁ ଯେଉଁ ଅର୍ଥ ସଂଚୟ କରିଛନ୍ତି, ସେହି ଅର୍ଥରେ ମୁଦ୍ରିକା ତିଆରି କଲେ ବି ବିବାହ ଆୟୋଜନର ଖର୍ଚ୍ଚ କେଉଁଠାରୁ ସେ ଆଣିବେ? ଯେଉଁ ବିବାହ ପାଇଁ ଆମର ଏତେ ପରିଶ୍ରମ, ତାହା ବୃଥା ହୋଇଯିବ । ଏଥିପାଇଁ ତୁମ ପିତାଙ୍କୁ ଅର୍ଥ କରଜ ଆଣିବାକୁ ପଡିବ । ସେହି କରଜ ସେ ମୋ ଠାରୁ ହିଁ ନେଇ ଯିବେ ।”

ଗିରିଙ୍କର ଏପରି କଥା ପ୍ରଦୀପକୁ ଆଚମ୍ବିତ କଲା । କାରଣ ସେ ଆଗରୁ ତାଙ୍କର କୃପଣତା ବିଷୟରେ ଅନେକ କଥା ଶୁଣିଥିଲା । ଏହା ପରେ ଦୁହେଁ ବଜ୍ରପୁରୀ ଅଭିମୁଖେ ବାହାରିଲେ । ଯାତ୍ରା ସମୟର ଖର୍ଚ୍ଚ ଓ ପଥ ମଧ୍ୟରେ ଭୋଜନ ଖର୍ଚ୍ଚ ଗିରି ନିଜ ହାତରୁ ଦେଲେ । ଦୁଇ ଦିନ ମଧ୍ୟରେ ରତ୍ନଗୁପ୍ତଙ୍କର ଠାରୁ ଅବିକଳ ସେହିପରି ଏକ ମୁଦ୍ରିକା ତିଆରି କରି ଆଣିବାରେ ଗିରି ସଫଳ ହେଲେ ।

ମୁଦିଟି ସାଥିରେ ନେଇ ଗିରି ଓ ପ୍ରଦୀପ ଅଚଳପତିଙ୍କ ସମୁଦିଙ୍କ ଗ୍ରାମକୁ ଗଲେ । ସେଠାରେ ପହଁଚିବା ପରେ ଗିରି ଅଚଳପତିଙ୍କ ସମୁଦିଙ୍କୁ ସାକ୍ଷାତ କରି କହିଲେ, “ମହାଶୟ, ସମୁଦୁଣୀ ମନା କରୁଥିଲେ ମଧ୍ୟ ଅଚଳପତିଙ୍କ ପତ୍ନୀ ତାଙ୍କ ଅଙ୍ଗୁଳୀରେ ମୁଦିଟିଏ ପିନ୍ଧାଇ ଦେଲେ । ସେତେବେଳେ ସେ ଜାଣି ନ ଥିଲେ ଯେ, ସେହି ମୁଦିଟି ତାଙ୍କର ନୁହେଁ । ଏଥିରେ ଅନ୍ୟ କାହାର ନାମ ଖୋଦେଇ ହୋଇଛି । ଅତି ଛୋଟ ଅକ୍ଷର ହୋଇଥିବାରୁ, ଏହାକୁ କେହି ମଧ୍ୟ ଦେଖି ପାରିନାହାଁନ୍ତି । ପତ୍ନୀଙ୍କର ଏହି କାମରେ ଅଚଳପତି ଖୁବ୍ ବ୍ୟସ୍ତ ହେଲେ । ସେ ଠିକ୍ ଏହି ପ୍ରକାରର ଅନ୍ୟ ଏକ ମୁଦି ତିଆରି କରି, ସେଥିରେ ସମୁଦୁଣୀଙ୍କ ନାମ ଖୋଦେଇ କରିଛନ୍ତି । ସେ ମୋତେ ମୁଦିଟି ଦେଇ ପଠେଇଛନ୍ତି । ଆପଣ ଭୁଲ୍ ନ ବୁଝି ଏଇ ମୁଦିଟି ରଖି, ପୂର୍ବର ସେହି ମୁଦିଟି ଫେରାଇ ଦିଅନ୍ତୁ ।”

ଅଚଳପତିଙ୍କର ଏପରି ବନ୍ଧୁ ବତ୍ସଳତା ଦେଖି ତାଙ୍କର ସମୁଦି ଆନନ୍ଦିତ ହେଲେ । ଗିରିଙ୍କର କଥାରେ ସେ ରାଜି ହୋଇ ପତ୍ନୀଙ୍କ ଠାରୁ ମୁଦିଟି ବଦଳାଇ ଆଣିଲେ । ବିଦାୟ ଦେବା ସମୟରେ ଗିରିଙ୍କୁ ସେ କହିଲେ, “ପ୍ରକୃତରେ ଆମ ସମୁଦିଙ୍କ ପରି ଉଚ୍ଚ କୋଟୀର ଲୋକ ଏହି ସଂସାରରେ ବିରଳ । ତାଙ୍କୁ କହିବେ, ଆମ ପରିବାରର ସମସ୍ତେ ତାଙ୍କର ଏପରି ଆଚରଣରେ ଅତ୍ୟନ୍ତ ସନ୍ତୁଷ୍ଟ ।”

ଗିରି ଓ ପ୍ରଦୀପ ଦୁହେଁ ସେଠାରୁ ଯାଇ ଅଚଳପତିଙ୍କ ଗ୍ରାମରେ ପହଁଚିଲେ । ପ୍ରଦୀପ ପିତାଙ୍କୁ ସମସ୍ତ ଘଟଣା ଜଣେଇ, ମୁଦିଟି ଧନପତିଙ୍କୁ ଫେରାଇଦେବା ପାଇଁ ଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ