ପ୍ରକୃତ ସାହାଯ୍ୟ

ଅଚଳପତି ଗିରିଙ୍କର ଦୁଇ ହାତ ଧରି ପକେଇ କହିଲେ, “ଆପଣଙ୍କ ପରି ଉଦାର ହୃଦୟ ଲୋକ ମୁଁ କେଉଁଠାରେ ବି ଦେଖି ନାହିଁ । କାହାରି ମନରେ କଷ୍ଟ ନଦେଇ, ଉଭୟ ପରିବାରର ସମ୍ମାନ ରକ୍ଷା କରି ଆପଣ ଯେପରି ଦକ୍ଷତାର ସହ ଏହି କାମ ତୁଲାଇଲେ, ତା’ର କୌଣସି ତୁଳନା ନାହିଁ । ଠିକ୍ ସମୟରେ ଅର୍ଥ କରଜ ଦେଇ ମୋତେ ସାହାଯ୍ୟ କଲେ । ଆପଣଙ୍କର କରଜ ମୁଁ ସୁଧ ସହିତ ଶୁଝିଦେବି । କେଉଁ ଭାଷାରେ ମୁଁ କୃତଜ୍ଞତା ଜଣାଇବି, ତାହା ଜାଣିପାରୁନାହିଁ ।”

ଗିରି ତାଙ୍କୁ ପ୍ରବୋଧନା ଦେଇ କହିଲେ, “ମହାଶୟ, ଅପରକୁ ଆବଶ୍ୟକ ସମୟରେ ସାହାଯ୍ୟ କରିବା ପ୍ରତ୍ୟେକ ମନୁଷ୍ୟର ଧର୍ମ । ଭଗବାନଙ୍କ କରୁଣାରୁ ମୋର ଧନ ସମ୍ପତ୍ତିର ଅଭାବ ନାହିଁ । ମୋର କରଜ ଶୁଝିବା ସମ୍ବନ୍ଧରେ ଆପଣ ଚିନ୍ତିତ ହେବେ ନାହିଁ । ଯେତେବେଳେ ସୁବିଧା ହେବ ଦେଇ ଦେବେ । ନିଜକୁ ଋଣୀ ମନେ କରି ଆଦୌ ମନଦୁଃଖ କରିବେ ନାହିଁ ।”

ଗିରିଙ୍କର ଏପରି ଆଚରଣ ପ୍ରଦୀପକୁ ବିସ୍ମିତ କରୁଥାଏ । ଶେଷରେ ସେ କହିଲେ, “ସମସ୍ତଙ୍କ ନିକଟରୁ ମୁଁ ଶୁଣି ଥିଲି, ଆପଣ ଜଣେ ଅତି କୃପଣ ପ୍ରକୃତିର ମଣିଷ । ଆପଣଙ୍କର ଭାଇଙ୍କର ଯେତିକି ସମ୍ପତ୍ତି, ଆପଣ ମଧ୍ୟ ଠିକ୍ ସେତିକି ଧନର ଅଧିକାରୀ । କିନ୍ତୁ ସେ ଐଶ୍ୱର୍ଯ୍ୟମୟ ଜୀବନ ଯାପନ କରୁଥିବା ବେଳେ ଆପଣ କାହିଁକି ଏପରି ସରଳ ଜୀବନ ବିତାଉଛନ୍ତି? ଅସୁବିଧାରେ ପଡି ଯେ କୌଣସି ଲୋକ ଆପଣଙ୍କ ଠାରୁ ସାହାଯ୍ୟ ଲୋଡିଲେ, ଆପଣ ନିଜର ଲାଭକ୍ଷତି କଥା ନ ମାନି ତା’ର ସହାୟତା କରନ୍ତି । ତଥାପି ମଧ୍ୟ ଆପଣଙ୍କର ଦାନ-ଗୁଣର ପ୍ରଶଂସା କାହାଠାରୁ ବି ଶୁଣିବାକୁ ମିଳେ ନାହିଁ । କେହି ଆପଣଙ୍କୁ ଭଲ ପାଆନ୍ତି ନାହିଁ । ଅଥଚ ଆପଣଙ୍କ ଭାଇଙ୍କର ଜୟଗାନ କରନ୍ତି । ଏହାର କାରଣ ମୁଁ ଆଦୌ ବୁଝି ପାରୁନାହିଁ ।”

ପ୍ରଦୀପର ଏଭଳି କଥା ଶୁଣି ଗିରି ହସି ଉଠିଲେ । ତା’ପରେ ଆଦର ପୂର୍ବକ ତାଙ୍କୁ ସେ କହିଲେ, “ପୁତ୍ର, ଯିଏ ପାଖକୁ ଆସି ସାହାଯ୍ୟ ମାଗିବ, ତା’ର ସମସ୍ୟା ବିଷୟରେ କିଛି ନଜାଣି, ତାକୁ କିଛି ନ ପଚାରି ଆଖିବୁଜି ସାହାଯ୍ୟ କଲେ ସମସ୍ତେ ଦାନୀକର୍ଣ୍ଣ କହି ପ୍ରଶଂସା କରିବେ । ଏହିପରି ଦାନୀ କର୍ଣ୍ଣ ମାନେ ସମାଜର ଉପକାର ତ କରନ୍ତି ନାହିଁ, ଅପର ପକ୍ଷରେ ଅନେକ ଅକାମୀ ଲୋକଙ୍କର ସୃଷ୍ଟିର କାରଣ ହୁଅନ୍ତି । ସେହି ଲୋକମାନଙ୍କର ଏପରି ହାତ ପତେଇ ସାହାଯ୍ୟ ମାଗି ଚଳିବା ବ୍ୟତୀତ ଅନ୍ୟ କିଛି ସାହାରା ନ ଥାଏ । ମୁଁ ସର୍ବଦା ଅନ୍ୟର ପ୍ରକୃତ ଅସୁବିଧା ଜାଣିବା ପାଇଁ ଚାହିଁଥାଏ । ତା’ର ସମସ୍ୟାର ସତ୍ୟତା ଓ ଗୁରୁତ୍ୱ ଉପଲବ୍ଧି କରିବା ପରେ ଯାଇ, ମୁଁ ସହାୟତା କରେ । ଏଥିରେ ମୋତେ ଆନନ୍ଦ ମିଳିଥାଏ । ଏବେ ମୋର ସରଳ ଜୀବନ ଯାପନର ରହସ୍ୟ ଶୁଣ । ମୁଁ ମୋ ପିତାଙ୍କଠାରୁ ଯେଉଁ ସମ୍ପତ୍ତି ଉତ୍ତରାଧିକାରୀ  ସୂତ୍ରରେ ପାଇଛି, ତାହା ମୋର ସନ୍ତାନକୁ ସମର୍ପଣ କରିବା ମୋର କର୍ତ୍ତବ୍ୟ । ମୁଁ ନିଜେ ପରିଶ୍ରମ କରି ଯାହା ଉପାର୍ଜନ କରେ ସେହିଥିରେ ମୁଁ ଚଳିଯାଏ । ମୋର ଉପାର୍ଜନରୁ ମୁଁ ଅନ୍ୟକୁ ସାହାଯ୍ୟ କରେ । ଯଦି କେଉଁ ସମୟରେ ପିତାଙ୍କ ସମ୍ପତ୍ତିରୁ ଅର୍ଥବ୍ୟୟ କରି ମୋତେ କାହାକୁ ସାହାଯ୍ୟ କରିବାକୁ ପଡେ, ତେବେ ମୁଁ ତାହା କରିଥାଏ । ଯେଉଁ ଲୋକ କରଜ ନେଇଥାଏ ସେ ଯଦି ଠିକ୍ ସମୟରେ ପରିଶୋଧ କରିଦିଏ, ତେବେ ତାହା ପୈତୃକ ସମ୍ପତ୍ତିରେ ଭରଣା ହୋଇଯାଏ । ଆଉ ଯଦି କୌଣସି କାରଣରୁ ସେହି ଅର୍ଥ ମୁଁ ଫେରି ନପାଏ, ତାହେଲେ ନିଜ ଖର୍ଚ୍ଚ କାଟ କରି ଅର୍ଥ ସଂଚୟ କରି, ପୂର୍ବ ସମ୍ପତ୍ତିରେ ତାହାକୁ ମୁଁ ମିଶାଇଦିଏ । ଆଜିଯାଏଁ ମୁଁ ଯେତେ ଲୋକଙ୍କୁ କରଜ ଦେଇଛି, ସେଥି ମଧ୍ୟରୁ ଅଧିକାଂଶ ଭାଗ ମୁଁ ପୁନଶ୍ଚଫେରି ପାଇନାହିଁ । ତେଣୁ ମୁଁ ଏପରି ସରଳ ଜୀବନଯାପନ କରି ଅର୍ଥ ସଂଚୟ କରୁଛି । କେବଳ ଏହି କାରଣରୁ ଅନେକେ ମୋତେ ମହାକୃପଣ ବୋଲି ମନେ କରନ୍ତି ।”

ଅଚଳପତି ଗିରିଙ୍କୁ ତାଙ୍କ ଗ୍ରାମରେ ନେଇ ଛାଡିବା ପାଇଁ ଏକ ଗାଡିର ଆୟୋଜନ କଲେ । କିନ୍ତୁ ଗିରି ତାହା ପ୍ରତ୍ୟାଖ୍ୟାନ କରି କହିଲେ ଯେ, ମୋର ଯାତ୍ରା ସମ୍ବନ୍ଧୀୟ ସମସ୍ତ ଖର୍ଚ୍ଚ ମୁଁ ବହନ କରିବି । ଆପଣ ଅଯଥା ବ୍ୟସ୍ତ ହୁଅନ୍ତୁ ନାହିଁ ।” ଏପରି କହି ସେ ତାଙ୍କଠାରୁ ବିଦାୟ ନେଲେ ।

ଏବେ ପ୍ରଦୀପ ସଠିକ୍ ବୁଝିପାରିଲେ ଯେ, ଗିରିଙ୍କୁ କୃପଣ ଭାବରେ ଅଭିହିତ କରୁଥିବା ଲୋକମାନଙ୍କର ଧାରଣା ପୁରାପୁରି ଭୁଲ୍ ଅଟେ । ପ୍ରକୃତରେ ଗିରି ଜଣେ ପରୋପକାରୀ ଓ ବିବେକବାନ୍ ବ୍ୟକ୍ତି । ସେ ତାଙ୍କର ଚିନ୍ତାଧାରା ଦ୍ୱାରା ପ୍ରଭାବିତ ହେଲେ ଓ ପିତାଙ୍କ ସହିତ ପରାମର୍ଶ କରି ନିଜ ପରିବାରକୁ ମଧ୍ୟ ସେହି ଆଦର୍ଶରେ ଅନୁପ୍ରାଣିତ କଲେ । ଫଳତଃ ଏକବର୍ଷ ମଧ୍ୟରେ ସେମାନେ ଗିରିଙ୍କ ଠାରୁ ଆଣିଥିବା କରଜ ପରିଶୋଧ କରିପାରିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ