ପ୍ରତାପଙ୍କ ଉପବାସ

ଚତୁର୍ଥ ଦିବସ ଆସି ପହଁଚିଲା । ବଳରାମ ଭାବିଲେ, ପ୍ରତାପ କଠୋର ଉପବାସ କରିବେ, କିନ୍ତୁ ପ୍ରତାପ ନିଜ ରୋଷେଇଆକୁ ଡାକି ରାନ୍ଧିବା ପାଇଁ ଆଦେଶ ଦେଲେ । ସେଦିନ ସେ ତିନିଥର ପୁରାପେଟ ଭୋଜନ କଲେ । ପଚାରିବାରୁ କହିଲେ, “ଏମିତି ତ ମୁଁ ଦିନରେ ଛଅଥର ଭୋଜନ କରେ । ଏହି ତିନିଥର ଖାଇବା, ମୋ ପାଇଁ କଠୋର ଉପବାସ ସଦୃଶ ଅଟେ ।”

ବଳରାମ ପୁଣି ଚିନ୍ତିତ ହେଲେ । ପରଦିନ ସକାଳେ ପ୍ରତାପ, ହାତରେ କୋଦାଳ ଧରି ଜମି ଖନନ କଲେ । ପ୍ରଥମ ଚୋଟରେ ହିଁ ଝଣ୍ଝଣ୍ ଶବ୍ଦ ଭିତରୁ ଶୁଭିଲା । ଆଉଟିକେ ଗଭୀରକୁ ଖୋଳିବାରୁ, ସୁନା ମୋହର ଭର୍ତ୍ତି ଏକ ବଡ ଗରା ମିଳିଲା ।

ଏହି କାହାଣୀଟି ବେତାଳ ଶୁଣାଇବା ପରେ ରାଜାଙ୍କୁ ସେ ପ୍ରଶ୍ନ କଲା, “ରାଜନ୍! ସନ୍ନ୍ୟାସୀ ତ ବଳରାମଙ୍କୁ କହିଥିଲେ, ଗୁପ୍ତଧନ ପ୍ରାପ୍ତି ପାଇଁ ଜଣେ ଉତ୍ତମଲୋକକୁ ତିନିଦିନ ଖାଇବାକୁ ଦେବାପରେ, ଚତୁର୍ଥଦିନ ଉପବାସ ରହିବା ପାଇଁ ପଡିବ । ଏୟା ତ? କିନ୍ତୁ ପ୍ରତାପ ସନ୍ନ୍ୟାସୀଙ୍କ କଥାନୁଯାୟୀ ଚତୁର୍ଥଦିନ ଉପବାସ ରହିଲେ ନାହିଁ । ତଥାପି ତାଙ୍କ ଦ୍ୱାରା ଗୁପ୍ତଧନର ସନ୍ଧାନ ମିଳିଲା । ଏବେ ପ୍ରତାପଙ୍କ ଠାରେ ଥିବା ଉତ୍ତମ ପୁରୁଷର ଲକ୍ଷଣଗୁଡିକ ଆଲୋଚନା କରିବା । ନିଜ ପତ୍ନୀର ଅସୁସ୍ଥତାବଶତଃ ବିଚଳିତ ହେଉଥିବା ଜଣେ ଲୋକକୁ ସମବେଦନା ଜଣେଇବା ଦୂରର କଥା, ଓଲଟି ସେ ତାଙ୍କୁ ଗାଳି ଦେଇ କହିଲେ, “ଏ କଷ୍ଟ ତାଙ୍କୁ ତ ସହିବାକୁ ହିଁ ପଡିବ ।” ପିତାଙ୍କ ମୃତ୍ୟୁରେ କାତର ନରସିଂହଙ୍କୁ ସାନ୍ତ୍ୱନା ଦେବେ କ’ଣ, ସେ ତାଙ୍କୁ କଡାକଡା କଥା କହି ତାଙ୍କ ପିତାଙ୍କ ଚରିତ୍ର ସଂହାର କଲେ । ବଳରାମଙ୍କ ଗୁପ୍ତଧନରୁ ଭାଗ ମାଗିଲେ । ଏହା ସବୁ ଦେଖି ମନେ ହେଉଛି, ସଂଯୋଗବଶତଃ ବଳରାମଙ୍କୁ ଧନପ୍ରାପ୍ତି ହୋଇଛି, ସୁଗୁଣର ପ୍ରଭାବ ଯୋଗୁଁ ଆଦୌ ନୁହେଁ । ମୋ ଦୃଷ୍ଟିରେ ସନ୍ନ୍ୟାସୀଙ୍କ ଭବିଷ୍ୟତବାଣୀ ବା ପ୍ରତାପଙ୍କ ଉତ୍ତମ ମଣିଷ-ପଣିଆ ବଳରାମଙ୍କୁ ଗୁପ୍ତଧନ ମିଳିବାର କାରଣ, ଏହା ସମ୍ପୂର୍ଣ୍ଣ ଭୁଲ୍ ଧାରଣା । ମୋର ଏହି ସନ୍ଦେହ ଦୂର କରିବାର ସାମର୍ଥ୍ୟ ଥାଇ ମଧ୍ୟ, ତୁମେ ଯଦି ନିରୁତ୍ତର ରହିବ, ତେବେ ତୁମର ମସ୍ତକ ଶତଧା ବିଦିର୍ଣ୍ଣ ହେବ ।”

ବିକ୍ରମାର୍କ ତୁରନ୍ତ ଉତ୍ତର ଦେଲେ, “ମଣିଷ ମାତ୍ରକେ ଭୁଲ୍ ରହିବ । କୌଣସି ବ୍ୟକ୍ତି ସମ୍ପୂର୍ଣ୍ଣ ଉତ୍ତମ ଲକ୍ଷଣ ପ୍ରକାଶ କରିବା ଏକ ଛଳନା ମାତ୍ର । ଆମେ ତା’କୁ ହିଁ ଉତ୍ତମ ବ୍ୟକ୍ତି ଭାବେ ଗ୍ରହଣ କରୁ, ଯିଏକି ନିଜର ଦୁର୍ଗୁଣକୁ ପରିସ୍ଥିତି ଓ ସମୟ ଅନୁଯାୟୀ ଗୋପନୀୟ ରଖି ଓ ଉତ୍ତମ ଗୁଣର ପରିପ୍ରକାଶ କରେ । ପ୍ରତାପ ନିଜ ବ୍ୟକ୍ତିତ୍ୱକୁ ଦୁଇଭାଗରେ ବିଭକ୍ତି କରିଛନ୍ତି – ଭଲ ଓ ଖରାପ । ସେ ସର୍ବଦା ସ୍ପଷ୍ଟବାଦୀ । ତେଣୁ ଭଲ ବା ଖରାପ, କୌଣସି ପ୍ରତିକ୍ରିୟାକୁ ସେ ଲୁଚାଇ ରଖନ୍ତି ନାହିଁ । ପ୍ରଥମ ବ୍ୟକ୍ତିତ୍ୱ ଅନୁସାରେ, ସେ ଅପରକୁ ସହାୟତା କରନ୍ତି, ଦ୍ୱିତୀୟ ବ୍ୟକ୍ତିତ୍ୱ ଦ୍ୱାରା ପରିଚାଳିତ ହୋଇ, କଟୁକଥା କହନ୍ତି । ସ୍ୱୟଂ ବିଭବଶାଳୀ ହୋଇ ମଧ୍ୟ ବଳରାମଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି । ବଳରାମଙ୍କ ପତ୍ନୀଙ୍କ ହାତରନ୍ଧା ରୋଷେଇ ଖାଇଛନ୍ତି । ତାଙ୍କ ଭିତରେ ଥିବା ଖରାପ ସ୍ୱଭାବର ବ୍ୟକ୍ତି, ରୋଷେଇଆ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଖାଇବା ପାଇଁ ଇଚ୍ଛା କରୁଛି । ତାଙ୍କର ଉତ୍ତମ ଗୁଣ, ତାଙ୍କୁ ଛଅଥର ପ୍ରତିବଦଳରେ ତିନିଥର ଖାଇବା ପାଇଁ, ପ୍ରେରଣା ଦେଇଛି, ଯାହା ତାଙ୍କ ପରି ଭୋଜନଲୋଭୀ ବ୍ୟକ୍ତି ପାଇଁ କଠୋର ଉପବାସ ସହିତ ସମାନ ଅଟେ । ସେହି କାରଣରୁ, ତାଙ୍କ ଦ୍ୱାରାହିଁ ବଳରାମଙ୍କ ଗୁପ୍ତଧନର ସନ୍ଧାନ ମିଳିଛି । ଏହା ଆଦୌ ସଂଯୋଗ ବଶତଃ ନୁହେଁ ।”

ରାଜାଙ୍କ ମୌନତା ଭଙ୍ଗ କରିବାରେ ସଫଳ ହୋଇ ବେତାଳ, ଶବ ସହ ତାଙ୍କ କାନ୍ଧରୁ ଖସି ପୁନର୍ବାର ସେ ଯାଇ ବୃକ୍ଷଡାଳରେ ଝୁଲି ପଡିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ