ପ୍ରତିଭା ପ୍ରତିଯୋଗିତା

ରାଜଗୁରୁ ପୁଣି ପ୍ରଶ୍ନ କଲେ “ଆପଣ ଏତେ ଶୀଘ୍ର ଏଡେ ସୁନ୍ଦର କବିତା କିପରି ଶେଷ କଲେ?”

ତହୁଁ ଦେବୀଦାସ କହିଲେ, “ଏପରି କାମ ତ ମୁଁ ଏକାଧିକବାର କରିଛି । ମୁଁ ଏକବର୍ଷ ଭିତରେ ମହାଭାରତର ପଦ୍ୟାନୁବାଦ କରି ପାରିଥିଲି । ପୁଣି ଦୁଇବର୍ଷରେ ଅଷ୍ଟାଦଶ ମହାପୁରାଣର ଅନୁବାଦ କରିଥିଲି ।”

ରାଜା କହିଲେ “ହଁ ଗୁରୁଦେବ, ଏହା ସତ ।”

ତା’ପରେ ସେ ରାଜଗୁରୁ ପ୍ରସନ୍ନଙ୍କୁ ପଚାରିଲେ “ଆପଣଙ୍କର କିଛି ବକ୍ତବ୍ୟ ଅଛି?”

ଆଦେଶ ପାଇ ପ୍ରସନ୍ନ କହିଲେ, “ଗୁରୁଦେବ! ରାଜକବୀ ଦେବୀଦାସଙ୍କ କଥା ଠିକ୍ । ମୁଁ ଏ କବିତା ରଚନା କରିବା ବେଳେ ବେଦ ଉପନିଷଦ୍ର ମର୍ମ ବୁଝିବା ନିମନ୍ତେ ଅନେକ ପଣ୍ଡିତଙ୍କ ସହାୟତା ନେଇଛି । ସେମାନେ ଦେଇଥିବା ବ୍ୟାଖ୍ୟାରୁ ଅନେକ ଶବ୍ଦ ଓ ଭାବ ମୋ କବିତାରେ ସ୍ଥାନ ପାଇଛି । ମୁଁ ତ ପୁରସ୍କାର ପାଇଁ ଏହା ଲେଖି ନାହିଁ, ବରଂ ଲୋକେ ଲାଭବାନ ହେବା ପାଇଁ ଲେଖିଛି । ବାସ୍ତବିକ ରାଜକବି ଦେବୀଦାସଙ୍କ ତୁଳନାରେ ମୁଁ କବିତାରେ ଶିକ୍ଷାର୍ଥୀ ମାତ୍ର । ତାଙ୍କର ପାଣ୍ଡିତ୍ୟ ଆଗରେ ମୋର ଜ୍ଞାନ ତୁଚ୍ଛ ।”

ଉଭୟ ପକ୍ଷର ସମସ୍ତ ବକ୍ତବ୍ୟ ଶୁଣି ରାଜଗୁରୁ ଗମ୍ଭୀର ଭାବରେ ରାଜାଙ୍କୁ କହିଲେ, “ବତ୍ସ! ପୁରସ୍କାର ପ୍ରସନ୍ନଙ୍କୁ ମିଳୁ ।”

ଗୁରୁଙ୍କ କଥାରେ ରାଜା ଦ୍ୱିରୁକ୍ତି ନକରି ପ୍ରସନ୍ନଙ୍କୁ ପୁରସ୍କାର ଦେଇଦେଲେ ।

ବେତାଳ ତା’ ଗପଟି କହିସାରି ଟିକିଏ ଚୁପ୍ ରହି ପ୍ରଶ୍ନ କଲା, “ରାଜା! ମୋର କିଛି ସନ୍ଦେହ ରହିଛି । ରାଜଗୁରୁ ହଠାତ୍ ନିଜ ମତ ପରିବର୍ତ୍ତନ କଲେ କାହିଁକି? ଏହା ତାଙ୍କର ଖାମ୍ ଖିଆଲି ଭାବ ନୁହେଁ କି? ଯଦି ଦୁଇ କବିଙ୍କ କବିତା ଏକା ପର୍ଯ୍ୟାୟର ବୋଲି ରାଜଗୁରୁ ବୁଝୁଥିଲେ, ତେବେ ବୟସ ଓ ଜ୍ଞାନଗାରିମା ଦୃଷ୍ଟିରୁ ଦେବୀଦାସଙ୍କ ସପକ୍ଷରେ ତାଙ୍କ ରାୟ ଯିବା ଉଚିତ୍ ନୁହେଁ କି? ପାରିଲେ ମୋ ପ୍ରଶ୍ନର ଉତ୍ତର ଦିଅ । ଆଉ ଉତ୍ତର ଦେବାର ଶକ୍ତି ଥିବା ସତ୍ତ୍ୱେ ଯଦି ତମେ ନୀରବ ରହିବ, ତେବେ ତମ ଶୀର ସ୍କନ୍ଧଚ୍ୟୁତ ହେବ ।”

ରାଜା ବିକ୍ରମାର୍କ ମୁହୂର୍ତ୍ତେ ମଧ୍ୟ ବିଳମ୍ବ ନକରି ଉତ୍ତର ଦେଲେ, “ମାନବ ଚରିତ୍ର ବଡ ବିଚିତ୍ର । ଦେବୀଦାସ ଯେଉଁ ପ୍ରସନ୍ନକୁ ରାଜଦରବାରରେ ସ୍ଥାନ ଦେଇଥିଲେ, କାଳକ୍ରମେ ସେହି ପ୍ରସନ୍ନଙ୍କ ପ୍ରତି ତାଙ୍କର ଇର୍ଷା ଜାତ ହୋଇଥିଲା । ରାଜଗୁରୁଙ୍କ ରାୟର ବିଶେଷତ୍ୱ ବୁଝିବା ନିମନ୍ତେ ଆମକୁ ଗୋଟିଏ ଗୁଢ ସତ୍ୟ ବୁଝିବାକୁ ହେବ । ଏହି ନିର୍ଦ୍ଦିଷ୍ଟ କବିତା ଲୋକଙ୍କ ଭିତରେ କଳହ ଭାବ ଦୂର କରିବା ନିମନ୍ତେ ଲେଖା ଯାଉ ବୋଲି ରାଜା କହିଥିଲେ । ଲୋକେ ଅହଙ୍କାରବଶତଃ କଳହ କରନ୍ତି । ଦେଖାଗଲା, ଦେବୀଦାସ ନିଜ ଅହଙ୍କାର ଉପରେ ବିଜୟ ଲାଭ କରି ନାହାଁନ୍ତି । ତେଣୁ ସେ ଯେଉଁ ପ୍ରକାର ଚେତନାରେ କବିତା ଲେଖିଛନ୍ତି, ସେ ଚେତନା ନିର୍ମଳ ନୁହେଁ । ପୁରସ୍କାର ଆଶାରେ ହିଁ ସେ ଲେଖିଥିଲେ । ସେଭଳି କବିତା ଭାଷା ଓ ଶୈଳୀ ଦୃଷ୍ଟିରୁ ଯେତେ ଉନ୍ନତ ହେଉ ନା କାହିଁକି, ଲୋକଙ୍କ ଉପରେ ତା’ର ପ୍ରଭାବ ଆଶାନୁରୂପ ହେବ ନାହିଁ । ଏଣେ ପ୍ରସନ୍ନ ଅତି ନମ୍ର ଭାବରେ ଲେଖିଥିଲେ । ତାଙ୍କ ଉଦ୍ଧେଶ୍ୟ ଥିଲା ଲୋକଙ୍କୁ ବେଦ ଉପନିଷଦର ମର୍ମ ବୁଝାଇବା, ପୁରସ୍କାର ଲାଭ ନୁହେଁ । ତେଣୁ ରାଜଗୁରୁ ବୁଝିଲେ, ସେ ଉପଯୁକ୍ତ ଚେତନାରେ ଥାଇ କବିତା ଲେଖିଛନ୍ତି ଏବଂ ସେ କବିତାର ପ୍ରଭାବ ଅଧିକ ହେବ । ଦେବୀଦାସ ଜଣେ ଭଲ ମଣିଷ । କିନ୍ତୁ ତାଙ୍କର ଦୁର୍ବଳତା ତାଙ୍କ ଅହଙ୍କାର ଥିଲା । ସେ ଅହଙ୍କାର ଉପରେ ଆଘାତ ଲାଗିଲେ ତାଙ୍କରହିଁ ମଙ୍ଗଳ ହେବ ବୋଲି ରାଜଗୁରୁ ବୁଝୁଥିଲେ ।

ରାଜାଙ୍କ ଉତ୍ତର ଦାନ ଶେଷ ହେବା ମାତ୍ରେ ଶବ ସହ ଶବସ୍ଥିତ ସେ ବେତାଳ ମଧ୍ୟ ତାଙ୍କ କାନ୍ଧରୁ ଖସିଯାଇ ପୁନର୍ବାର ସେହି ବୃକ୍ଷଡାଳରେ ଝୁଲି ପଡିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ