ପ୍ରତ୍ୟକ୍ଷ ଶିକ୍ଷା

ରମାକାନ୍ତ ଜଣେ ଛୋଟ ବ୍ୟବସାୟୀ ଥିଲା । ତା’ ଗ୍ରାମରୁ ସହର ଚାରିକୋଶ ଦୂର । ସେ ସହରରୁ ନାନା ପ୍ରକାର ଜିନିଷ କିଣିଆଣି ବେଶି ଦାମ୍ରେ ସେସବୁକୁ ନିଜ ଗ୍ରାମରେ ବିକେ ।

                ଦିନେ ସେ ଟଙ୍କା ପଇସା ଧରି ଘରୁ ବାହାରୁ ବାହାରୁ ଟିକିଏ ଡେରି ହୋଇଗଲା । ତେଣୁ ସବୁ ଭଡାଗାଡିମାନେ ଆଗରୁ ଚାଲିଯାଇଥା’ନ୍ତି । ମହା ହଇରାଣରେ ପଡି ସେ ଭାବିଲା, “ଯଦି ମୁଁ ଆଜି ସହର ନ ଯାଏ, ତେବେ ଦୋକାନ କ୍ଷତି ସହିବ । ପୁଣି ଗ୍ରାମରେ ଯେଉଁମାନେ ମୋ’ ଦୋକାନ ଉପରେ ନିର୍ଭର କରି ଚଳୁଛନ୍ତି ସେମାନେ ମଧ୍ୟ ହଇରାଣ ହେବେ । ତେଣୁ ଯାଉଛି ଗୋଟିଏ ଗୋଟିଏ ଚାଲି ଚାଲି ଯାଇ ମୁଁ ସହରରେ ପହଁଚିଯିବି; ଦେଖାଯାଉ ।” ତା’ପରେ ସେ ଟଙ୍କା ଥଳୀ ଅଂଟାରେ ଭଲ କରି ବାନ୍ଧି ଦେଇ ସହର ଦିଗରେ ଆଗେଇଲା ।

                ଚାଲିବାର ଅଭ୍ୟାସ ନ ଥିବାରୁ କିଛି ସମୟ ଚାଲିବା ପରେ ସେ ଥକ୍କା ହୋଇଗଲା, ରାସ୍ତା ପାଖରେ ଥିବା ଗୋଟିଏ ବଡଗଛର ଛାଇରେ ଆସି ବସିଲା । ଦୂରରୁ ଦେଖିଲା ଜଣେ ଲୋକ ତା’ରି ଆଡକୁ ଆସୁଛି । ସେ ଚାଲି ଚାଲି ସେଠାରେ ଆସି ପହଁଚି ରମାକାନ୍ତକୁ କହିଲା, “ଭାଇ କୁଆଡକୁ ଯାଉଛ?” ରମାକାନ୍ତ ସରଳ ଭାବରେ କହିଲା, ସହରକୁ କିଛି ଜିନିଷ ପତ୍ର କିଣିବାକୁ ଯାଉଛି । ଚାଲି ଚାଲି ଥକି ପଡିବାରୁ ଏଠାରେ ଟିକିଏ ବିଶ୍ରାମ କରୁଛି ।”

                ଲୋକଟି ନିଜ ମୁଣ୍ଡ ଉପରୁ ଏକ ବିରାଟ ଗଣ୍ଠିଲି ତଳେ ରଖିଦେଇ ରମାକାନ୍ତ ପାଖରେ ବସିପଡି କହିଲା, “ଭଲ ହେଲା, ଆମେ ଦୁହେଁ ବ୍ୟବସାୟୀ । ଖାଲି ଏତିକି କଥା ପ୍ରଭେଦ ତମେ ଯୋଉସବୁ ଜିନିଷ କିଣିବାକୁ ଯାଉଛ ଓ ମୁଁ ସେସବୁ ବିକ୍ରି କରିବାକୁ ଯାଉଛି । ମୋର ନାମ ଗୁରୁଦାସ ।” ଏତିକି କହି ସେ ହସିଲା ।

                ରମାକାନ୍ତ ହସି ହସି କହିଲା, “ପ୍ରଭେଦ କଥା କହୁଛ ତ ଅନେକ ପ୍ରଭେଦ ଅଛି । ମୁଁ ଆସି ପଚାଶ ବର୍ଷ ଟପିବାକୁ ବସିଲିଣି । ହେଲେ ତମେ ତ ଏକବାରେ ଯୁବକ । ମୁଁ କିଛି ଜିନିଷ ନ ବୋହି ମଧ୍ୟ ଏତିକି ବାଟ ଆସି ଥକି ଗଲିଣି । ଆଉ ତମେ ଏ ବିରାଟ ଗଣ୍ଠିଲି ବୋହି ବୋହି ଚାଲିଛ ପୁଣି ଥକି ପଡୁନାହଁ ।”

ଗୁରୁଦାସ କହିଲା “ସତକଥା, ଏହି ବୟସରେ ତୁମେ କାହିଁକି ନିଜେ ସଉଦା କରିବାକୁ ଯାଉଛ? ଗୁମାସ୍ତା ବା ବନ୍ଧୁବାନ୍ଧବ କାହାକୁ ପଠାଇଲେ ତ ହୋଇଥା’ନ୍ତା ।”

ରମାକାନ୍ତ କହିଲା, “ଆଜିକାଲି ଯୁଗରେ ବିଶ୍ୱାସ କାହାକୁ କରିବ? ନିଜ ସ୍ତ୍ରୀ ପିଲାଙ୍କ ଉପରେ ତ ବିଶ୍ୱାସ ନାହିଁ ।”

ଗୁରୁଦାସ ଆଶ୍ଚର୍ଯ୍ୟ ହୋଇ ପଚାରିଲା “ଅର୍ଥାତ୍? ତମେ କାହାକୁ ବି ବିଶ୍ୱାସ କର ନାହିଁ?”

ରମାକାନ୍ତ କହିଲା “ହଁ ଭାଇ, ଏଇ ଦୁନିଆରେ ବିଶ୍ୱାସ କାହାକୁ କରିବା କଥା ନୁହେଁ । ଯିଏ ବା ବିଶ୍ୱାସ କରିଛି ସେ ପଛରେ ପୁଣି ସେଥିପାଇଁ ଅନେକ ପଶ୍ଚାତାପ କରିଛି । ବିଶ୍ୱାସ କରି ଭଲ ଫଳ ହୋଇଥିବା ଘଟଣା ଖୁବ୍ କମ୍ । ଏହି କଳିଯୁଗର ରୀତି ଏହିପରି । ବିଶ୍ୱାସ କରିବାକୁ ହେଲେ ଆଗରୁ ଠକି ହେବା ପାଇଁ ପ୍ରସ୍ତୁତ ହେବା ଦରକାର । ତେବେ ମୋ କ୍ଷେତ୍ରରେ ନିଜେ କାମ କରି ଯଦି ଚଳିଯାଉଛି ତେବେ ମୁଁ କାହିଁକି ବା ଅନ୍ୟ ଉପରେ ନିର୍ଭର କରିବି? ପୁଣି ଅନ୍ୟ ଉପରେ ଦାୟିତ୍ୱ ଦେଇ ନିଜେ ମାନସିକ ଅଶାନ୍ତି ଭୋଗିବି । ଲୋକଟି ନ ଫେରିବା ଯାଏଁ ମନ ଭିତରଟା ଛଟପଟ କରୁଥିବ । ତା’ ଅପେକ୍ଷା ନିଜେ କରିବା ଭଲ ।”

“ଆଚ୍ଛା, ଆଚ୍ଛା, କଥା ତ ବହୁତ କହିଲ, ଚାଲି ଚାଲି ବହୁତ ଥକ୍କା ହୋଇ ପଡିଥିବ, ପାଦଟା ବଢାଇ ଦିଅ ମୁଁ ଟିକିଏ ତୁମର ସେବା କରେ ।”

ରମାକାନ୍ତ କହିଲା “ନାହିଁ ନାହିଁ, ସେବାର କୌଣସି ଆବଶ୍ୟକତା ନାହିଁ । ଟିକିଏ ଛାଇରେ ବିଶ୍ରାମ କଲେ କ୍ଳାନ୍ତ ଦୂର ହୋଇଯିବ ।”

“ସେଥିପାଇଁ ଦ୍ୱିଧା କାହିଁ କରୁଛ? ମୁଁ ତ ଆପଣଙ୍କଠୁ ବୟସରେ ସାନ ଟିକିଏ ସେବା କରିଦେଲେ କ’ଣ ଏମିତି ଖରାପ ହୋଇଗଲା ।” ଗୁରୁଦାସ ଏତିକି କହି ରମାକାନ୍ତର ପାଦ ଟାଣିଆଣି ଧୀରେ ଧୀରେ ତାଙ୍କୁ ଘସି ଦେବାକୁ ଆରମ୍ଭ କଲା । ଫଳରେ ରମାକାନ୍ତଙ୍କୁ ବଡ ଆରାମ୍ ଲାଗିଲା । କ୍ରମେ ପାଦରୁ ଆରମ୍ଭ କରି, ହାତ, କାନ୍ଧ ଓ ମୁଣ୍ଡସବୁ ଘସି ଦେବାରୁ ରମାକାନ୍ତ କିଛି ସମୟ ବଡ ଆରାମ୍ରେ ଶୋଇଗଲା । ଗୁରୁଦାସ ରମାକାନ୍ତଙ୍କ ଅଂଟାରୁ ଟଙ୍କା ଥଳୀ ଖୋଲି ନେଇ ଚାଲିଗଲା ।

କିଛି ସମୟ ପରେ ରମାକାନ୍ତଙ୍କ ନିଦ ଭାଙ୍ଗିବାରୁ ସେ ଗୁରୁଦାସକୁ ଏପଟ ସେପଟ କରି ବହୁତ ଖୋଜିଲା । ଦୂରରୁ ଦେଖିଲା ଗୁରୁଦାସ ଆସୁଛି । ଦୌଡି ଯାଇ ସେ ତା’ ବେକ ଧରି କହିଲା, “ଠକ, ଦିନ ଦ୍ୱିପହରରେ ତୁ ମୋ ଟଙ୍କା ଥଳୀ ଠକି ନେଇ ଯାଉଛୁ?”

“ନେଲି ଆଉ କାହିଁ? ତମେ ଯେତେ ସମୟ ଆରାମ୍ରେ ଶୋଇଥିଲ ମୁଁ ତ ଟଙ୍କା ନେଇ କେତେ ବାଟ ପଳାଇଥା’ନ୍ତି । ମୁଁ ତ ଟଙ୍କା ଦେବାକୁ ଆପେ ଆସିଛି । ତମେ ଏତେ ରାଗ କ’ଣ ଦେଖାଉଛ? ନିଅ ତମ ଟଙ୍କା” ଏହା କହି ଗୁରୁଦାସ ଟଙ୍କା ଥଳୀ ରମାକାନ୍ତ ଉପରକୁ ଫିଙ୍ଗି ଦେଲା ।

ରମାକାନ୍ତ ଗଣି ଦେଖିଲା ସବୁ ଠିକ୍ ଅଛି । ସେ କହିଲା, “ତେବେ ତମେ ଏମିତି କାହିଁକି କଲ?”

“କାରଣ ମୁଁ ତୁମକୁ ଏକ ଶିକ୍ଷା ଦେବାକୁ ଚାହୁଁଥିଲି । ଏ ସଂସାରରେ ସମସ୍ତେ ଚୋର ନୁହଁନ୍ତି । ତମେ ତ ମୋତେ ଦଶମିନିଟ୍ ଦେଖାରେ ବିଶ୍ୱାସ କରି ଶୋଇଗଲ । ମୁଁ ନେଇଥିଲେ ତ ସବୁ ନେଇ ପଳାଇଥା’ନ୍ତି । ଆଚ୍ଛା ଏବେ ଶିଖ ଯେ ମଣିଷ ଭିତରେ ଚୋର ବି ଥା’ନ୍ତି ଓ ସାଧୁ ବି ଥା’ନ୍ତି । ଏବେ ମୁଁ ମୋ ରାସ୍ତାରେ ଯାଏ ।” ଏତିକି କହି ସେ ତା’ ଗଣ୍ଠିଲିଟି ଧରି ଚାଲିଲା । ରମାକାନ୍ତ ଅବାକ୍ ହୋଇ ତା’ର ଯିବା ରାସ୍ତାକୁ ଚାହିଁ ରହିଥାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ