ପ୍ରଭାବତୀ କଥା

ଦଶମଦିନ ଭୋଜରାଜ ଯାଇ ସିଂହାସନ ପାଖରେ ପହଁଚିଲେ । ଅନୁକୂଳ କରି ସିଂହାସନରେ ଆରୋହଣ କରିବା ପୂର୍ବରୁ ଦଶମ ପୁତ୍ତଳିକା ପ୍ରଭାବତୀ ମୂର୍ତ୍ତିମତୀ ହୋଇ କହିଲା, “ମହାରାଜ! ଆପଣ ପ୍ରଥମେ ମୁଁ ଯେଉଁ କାହାଣୀ କହୁଛି ଶୁଣନ୍ତୁ । ତା’ପରେ ବିବେଚନା କରି ଦେଖନ୍ତୁ, ଆପଣ ବିକ୍ରମାଦିତ୍ୟଙ୍କ ସହିତ କେଉଁ କେଉଁ ଗୁଣରେ ସମକକ୍ଷ ଏବଂ ଉପଯୁକ୍ତ ମନେକଲେ ସିଂହାସନରେ ବସନ୍ତୁ ।”

       ଥରେ ବିକ୍ରମାଦିତ୍ୟ ଜଙ୍ଗଲକୁ ଶିକାର କରିବାକୁ ଯାଇଥାନ୍ତି । ଦୈବାତ୍ ଝଡ ତୋଫାନ ମାଡି ଆସିବାରୁ କିଏ କୁଆଡେ ଛାଡବଡ ହୋଇଗଲେ । ସୈନ୍ୟ ଏବଂ ଅନୁଚର ଗଣ ଗୋଟିଏ ପଟେ ଆଗେଇ ଗଲେତ ମହାରାଜ ଭିନ୍ନ ପଥରେ ଯାଇ ଘନ ଜଙ୍ଗଲ ଭିତରେ ବାଟବଣା ହୋଇଗଲେ । ଏଣେ ତେଣେ ଘୂରୁ ଘୂରୁ ଦେଖିଲେ କିଛି ଦୂରରେ ଜଣେ ହୃଷ୍ଟପୃଷ୍ଟ ସୁନ୍ଦର ଯୁବକ ଗଛ ଡାଳରେ ଚଢି ଗଳାରେ ଫାଶୀ ଲଗାଇ ଆତ୍ମହତ୍ୟା କରିବାର ଉଦ୍ୟମ କରୁଛି । ମହାରାଜ କ’ଣ କରିବେ କିଛି ଠିକ୍ କରିପାରୁ ନ ଥାନ୍ତି । ଆଖି ପିଛୁଳାକେ ଯୁବକଟି ଝୁଲିପଡିବା ମାତ୍ରେ ମହାରାଜା ଦୌଡିଯାଇ ତା’ପାଦକୁ ତଳୁ ଟେକି ଧରି ଆଦେଶ ଦେବା ଭଙ୍ଗୀରେ କହିଲେ, “ବେକରୁ ଫାଶୀ ଖୋଲି ଦିଅ । ନ ହେଲେ ଆତ୍ମହତ୍ୟା ଉଦ୍ୟମ କରୁଥିବା ହେତୁ ମୁଁ ତୁମକୁ କଠୋର ଦଣ୍ଡ ଦେବାକୁ ବାଧ୍ୟହେବି ।”

       ଯୁବକଟି ନିଜ ଗଳାରୁ ଫାଶୀ ଦଉଡି ଖୋଲିଲା । ମହାରାଜା ତାକୁ ତଳକୁ ଓହ୍ଲାଇ ଆଣି ତା ଆତ୍ମ ହତ୍ୟାର ପ୍ରକୃତ କାରଣ ପଚାରିଲେ । ପ୍ରକୃତ ସତକଥା ପ୍ରକାଶ କଲେ ତାକୁ ସାହାଯ୍ୟ କରିବା ପାଇଁ ନିର୍ଭୟ ପ୍ରତିଶୃତି ଦେଲେ ।

       ଯୁବକଟି କହିଲା, “ମୋର ନାମ ବସୁ । ମୁଁ କାଲିଞ୍ଜରର ରାଜକୁମାର । କିଛିଦିନ ପୂର୍ବରୁ ମୁଁ ଜଙ୍ଗଲରେ ଶିକାର କରୁ କରୁ ଏକ ଅପୂର୍ବ ଦୃଶ୍ୟ ଦେଖିଲି । ଝରଣାକୂଳରେ ଅପସରୀଙ୍କ ଠାରୁ ଅଧିକ ସୁନ୍ଦରୀ ଯୁବତୀଟିଏ ଦେଖିଲି । ସେ ନିଜର ସହଚରୀଙ୍କ ଗହଣରେ ଜଳକେଳୀରେ ମାତିଥିଲା । ତା’ର ରୂପ ସୌନ୍ଦର୍ଯ୍ୟ, ଆଚରଣ ମୋତେ ଏଭଳି ବିମୋହିତ କଲା ଯେ ମୁଁ ତା’ ଉପରୁ ଆଖି ଫେରାଇ ପାରିଲି ନାହିଁ । ଅନୁଭବ କଲି ଯେପରି ତା’ ବିନା ମୁଁ ମୁହୂର୍ତେ ବଂଚି ପାରିବିନି । ମୁଁ ତା ନିକଟକୁ ଯାଇ ପ୍ରଣୟ ନିବେଦନ କଲି । ସେ କିଛି ଉତ୍ତର ନ ଦେଇ ଖିଲିଖିଲି ହୋଇ ହସିଲା” । ମୁଁ ତା ହସିବାର କାରଣ ପଚାରିବାରୁ କହିଲା, “ମୋର ଦୁର୍ଭାଗ୍ୟକୁ ନେଇ ମୁଁ ହସୁଛି । ଏମିତି ଏକ ବିଚିତ୍ର ସମୟରେ ମୋର ଜନ୍ମ ହୋଇଛି ଯେ ମୁଁ କାହାରିକୁ ଭଲପାଇ ପାରିବି ନାହିଁ ବା ବିବାହ ମଧ୍ୟ କରିପାରିବି ନାହିଁ । ମୁଁ ରାଜକୁମାରୀ । ରାଜ ପରିବାରରେ ଜନ୍ମ । ଜ୍ୟୋତିଷଙ୍କ କହିବାନୁସାରେ ଯୋଉ ଯୁବକ ଫୁଟୁଥିବା ତେଲ କଡେଇରେ ପଶି ଅକ୍ଷତ ଅବସ୍ଥାରେ ବାହାରି ଆସିବ, ସେଇ କେବଳ ମୋତେ ବିବାହ କରିପାରିବ । ତାଙ୍କ କଥା ଶୁଣି ମୋ ମାତାପିତା ମୋତେ ଜଣେ ଯୋଗୀଙ୍କୁ ଦେଇ ଦେଇଛନ୍ତି । ସେ ମୋତେ ପାଳି ପୋଷି ବଡ କରିଛନ୍ତି । ନିଜ ଇଚ୍ଛାନୁସାରେ ମୁଁ କିଛି କରିବି ନାହିଁ । ମୋ ଯୋଗୀ ପିତାଙ୍କ ନିଷ୍ପତି ଉପରେ ମୋର ଭବିଷ୍ୟତ ନିର୍ଭର କରେ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ