ପ୍ରସନ୍ନତା

ହରିନାରାୟଣ ନାମକ ଜଣେ ବ୍ୟକ୍ତିର ମୁଖରେ ସର୍ବଦା ହସ ଲାଗି ରହିଥାଏ । ତେଣୁ ଭାରି ହସଖୁସିରେ ସେ ରହୁଥାଏ । କେହି କେବେବି ତାକୁ ଦୁଃଖ କରିବାର ମୋଟେ ଦେଖି ନଥାନ୍ତି ।

ହରିନାରାୟଣକୁ ଜଣେ ଭଦ୍ରବ୍ୟକ୍ତି କିଛିଦିନ ଲକ୍ଷ୍ୟ କଲାପରେ, ଦିନେ ତାଙ୍କୁ ପଚାରିଲେ “ଭାଇ ତୁମକୁ କେତେ ବା ମଜୁରୀ ମିଳୁଛି ଯେ ସେହିଥିରେ ତୁମେ ସର୍ବଦା ଏପରି ଆନନ୍ଦରେ ଅଛ?” ଏକଥା ଶୁଣି ସେ ହରିନାରାୟଣ କହିଲା – ଆଜ୍ଞା କ’ଣ କହିବି ମୁଁ ଚାରିଟଙ୍କା ମଜୁରୀ ପାଉଛି ।

ଏହା ଶୁଣି ସେ ଭଦ୍ରବ୍ୟକ୍ତି ଜଣକ ଖୁବ୍ ଆଶ୍ଚର୍ଯ୍ୟ ହୋଇ କହିଲେ ମାତ୍ର ଚାରିଟଙ୍କା ପାଉଛ, ତୁମେ ତାକୁ କିପରି ଖର୍ଚ୍ଚ କରୁଛ? ତହୁଁ ସେ ହରିନାରାୟଣ କହିଲା ଆଜ୍ଞା ମୁଁ ଏକଟଙ୍କା କରଜ ଶୁଝେ, ଏକଟଙ୍କା କରଜ ଦିଏ, ଏକଟଙ୍କା ଭବିଷ୍ୟତ ପାଇଁ ଜମା ରଖେ ଓ ଏକଟଙ୍କା ଖାଏ । ତେଣୁ ମୋର ଆଦୌ କିଛିବି ଚିନ୍ତା ନଥାଏ ।

ଏଥିରୁ ସେ ଭଦ୍ରବ୍ୟକ୍ତି ଜଣକ କିଛିବି ବୁଝି ନପାରି କହିଲେ – ତୁମେ ମୋତେ ଟିକେ ବୁଝାଇ କୁହ । ଏଥର ସେ ହରିନାରାୟଣ କହିଲା “ମୋର ପିତାମାତା ପିଲାଟିବେଳୁ ମୋତେ ଖୁଆଇ ପିଆଇ ବଡ କରିଛନ୍ତି । ସେମାନଙ୍କର ଏବେ ବାର୍ଦ୍ଧକ୍ୟ ଅବସ୍ଥା । ତେଣୁ ମୁଁ ଏକଟଙ୍କା ସେମାନଙ୍କ ପଛରେ ଖର୍ଚ୍ଚ କରି ଋଣ ଶୁଝୁଛି । ଏକଟଙ୍କା ମୁଁ ମୋ ପିଲାଙ୍କ ପାଇଁ ବି ଖର୍ଚ୍ଚ କରୁଛି ଯାହାକୁ କି ସେମାନେ ମୋତେ ବାର୍ଦ୍ଧକ୍ୟବେଳେ ଶୁଝିବେ । ଏହାର ଅର୍ଥ ମୁଁ ଏକଟଙ୍କା କରଜ ଦିଏ । ଏକଟଙ୍କା ଦାନ ତଥା ଦୁଃଖୀ ଓ ଦରିଦ୍ରଙ୍କ ପାଇଁ ଖର୍ଚ୍ଚ କରେ, ମାନେ ଅନ୍ୟର  ଖୁସି କୁ ମୁ କିଣେ। ଦରିଦ୍ରତା ଅନେକ ସାମାଜିକ ପାପକୁ ଜନ୍ମ ଦିଏ, ଯଦି ମୋରୋ କିଛି ଅର୍ଥ ଏହି ପାପକୁ କମ୍ କରିଦେଇ ପାରେ ତେବେ ମୋର ଆଗନ୍ତୁକ ବଂଶଧରମାନେ ସୁସ୍ଥ ସମାଜରେ ସୁଖରେ ଚଳି ପାରିବେ।  ବାକି ଏକଟଙ୍କା ମୁଁ ମୋ ସୁଖଦୁଃଖ ପାଇଁ ଖର୍ଚ୍ଚ କରେ । ତେଣୁ ମୁଁ ସର୍ବଦା ଖୁସି ରହିଥାଏ । ବାସ୍ତବିକ ଏହା ଏକ ଆଦର୍ଶ ପରିବାରର ଜୀବନ୍ତ ଚିତ୍ର ।


ଗପ ସାରଣୀ

ତାଲିକାଭୁକ୍ତ ଗପ