ପ୍ରହ୍ଲାଦଙ୍କ ଭକ୍ତି ପରୀକ୍ଷା

ଯଥା ସମୟରେ ରାଜା ନୈମିଷାରଣ୍ୟରେ ପହଁଚି ସେଠାରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ପାଇଲେ । ସେ ଦେଖିଲେ ଅଳ୍ପ ଦୂରରେ ଏକ କୃଷ୍ଣଚର୍ମର ଆସନ ଉପରେ ଦୁଇଜଣ ଜଟାଜୁଟଧାରୀ ସନ୍ନ୍ୟାସୀ ତପସ୍ୟା କରୁଛନ୍ତି । ସେମାନଙ୍କ ପାଖରେ ଥିବା ଏକ ବିଶାଳ ଶାଳ୍ମଳୀ ବୃକ୍ଷ ମୂଳରେ ପ୍ରଚୁର ପରିମାଣର ବାଣ ରଖା ଯାଇଛି । ଏଥି ସହିତ ତା ପାଖରେ ଦୁଇଟି ଦିବ୍ୟଧନୁ ଓ ଅକ୍ଷୟ ତୂଣୀର ମଧ୍ୟ ରହିଅଛି । ଏହା ଦେଖି ରାଜା ପ୍ରହ୍ଲାଦଙ୍କୁ କେମିତି ଅଡୁଆ ଅଡୁଆ ଲାଗିଲା । ସେଥିରେ ସେ ନିଜର ଉତ୍କଣ୍ଠାକୁ ଚାପିଧରି ନ ପାରି ସେମାନଙ୍କ ପାଖକୁ ଯାଇ ଅତି ବିନମ୍ରତାର ସହ ପଚାରିଲେ, ‘ମହାଭାଗ ! ଆପଣମାନେ ଆଧ୍ୟାତ୍ମ ସାଧନାରେ ମଗ୍ନ ଅଥଚ ଆପଣମାନଙ୍କ ପାଖରେ ଏପରି ଅସ୍ତ୍ରଶସ୍ତ୍ର ସଜ୍ଜିତ ହୋଇଛି କାହିଁକି? ଏହା ଦ୍ୱାରା ଆପଣମାନେ ଧର୍ମବିନାଶକାରୀ କାର୍ଯ୍ୟ କରୁଛନ୍ତି ବୋଲି ଲୋକମାନେ ବିଶ୍ୱାସ କରିବେ ନାହିଁକି? ବର୍ତ୍ତମାନର ଦୃଶ୍ୟ ଆପଣମାନଙ୍କ କାର୍ଯ୍ୟର ବିରୋଧାଭାସ କରୁଛି ।’

                ଏକଥା ଶୁଣିବା ପରେ ଜଣେ ଋଷି କହିଲେ, ‘ଦୈତ୍ୟରାଜ ! ଯିଏ ବୀର, ସେ ସଦାବେଳେ ବୀରୋଚିତ କାର୍ଯ୍ୟ କରିଥାଏ ।’ ମାତ୍ର ଏ କଥାରେ ସେ ଦୈତ୍ୟରାଜ ପ୍ରହ୍ଲାଦ ଆଦୌ ସନ୍ତୁଷ୍ଟ ହୋଇ ପାରିଲେ ନାହିଁ । ବରଂ ଏଥିରେ କ୍ଷୁବ୍ଧ ହୋଇ ସେ ପ୍ରତିଜ୍ଞା କଲେ କି, ଋଷିଙ୍କର ଏପ୍ରକାର ଦାମ୍ଭିକତା ପୂର୍ଣ୍ଣ କଥାରେ ଉଚିତ୍ ଜବାବ୍ ଦେବେ । ଏହାଦ୍ୱାରା ସେ ନିଜ ଅଜାଣତରେ ଦାମ୍ଭିକତାର ଚରମସୀମାକୁ ଉଠିଯାଇ ଯୁଦ୍ଧ କରିବା ନିମନ୍ତେ ଆହ୍ୱାନ ଜଣାଇଲେ । ଫଳରେ ଉଭୟ ପକ୍ଷ ମଧ୍ୟରେ ଘମାଘୋଟ ଯୁଦ୍ଧହେଲା । ଏଥିରେ ଋଷିଙ୍କ ପ୍ରେରିତ ବ୍ରହ୍ମାସ୍ତ୍ର ତଥା ଦିବ୍ୟାସ୍ତ୍ରର ସମ୍ମୁଖୀନ ହୋଇ ନ ପାରି ଦୈତ୍ୟରାଜ ପ୍ରହ୍ଲାଦ ବାଧ୍ୟ ହୋଇ ଯୁଦ୍ଧରେ ପଛଘୁଂଚା ଦେଲେ । ଶେଷରେ ସେ ନିରୁପାୟ ହୋଇ ଭଗବାନ ବିଷ୍ଣୁଙ୍କୁ ସ୍ମରଣ କଲେ । ତହୁଁ ଭଗବାନ ବିଷ୍ଣୁ ସେଠାରେ ଆବିର୍ଭାବ ହୋଇ କହିଲେ, ‘ଲୋକପିତା ସ୍ୱୟଂ ନାରାୟଣ ଅଜେୟ । ସେ ପରମଜ୍ଞାନୀ ଦେବତା ଅଟନ୍ତି । ସମସ୍ତ ଋଷି, ଅସୁରଙ୍କ ପାଖରେ ସେ ଅଜେୟ । ତାଙ୍କୁ କେହି ବି ପରାଜିତ କରି ପାରିବେ ନାହିଁ । ଆଉ ତୁମେ ତାଙ୍କୁ ଯୁଦ୍ଧରେ ପରାଜିତ କରିବ ବୋଲି ଚିନ୍ତା କରୁଛ କେମିତି? ସବୁ ଶୁଣି ଦୈତ୍ୟରାଜ ପ୍ରହ୍ଲାଦ କହିଲେ, ‘ପ୍ରଭୁ ! ମୁଁ ତାଙ୍କୁ ମୋର ଅଜ୍ଞତା ବଶତଃ ଜାଣି ପାରି ନାହିଁ । ହେଲେ ମୁଁ ତ ପ୍ରତିଜ୍ଞା କରି ସାରିଛି । ତେଣୁ ତାଙ୍କୁ ମୁଁ ଏବେ ଯୁଦ୍ଧରେ ପରାଜିତ କରିବି କିପରି? ଦୟାକରି ମୋତେ ଏହାର ଉପାୟ କୁହନ୍ତୁ । ଶେଷରେ ଭଗବାନ ବିଷ୍ଣୁ କହିଲେ, ‘ଶୁଣ ଦାନବ ଶ୍ରେଷ୍ଠ ରାଜା ପ୍ରହ୍ଲାଦ, ଯେଉଁଠି ଶକ୍ତି ପରାଜିତ, ସେଠାରେ ଭକ୍ତି ହିଁ  ଜିବିତ । ତେଣୁ ଭକ୍ତିର ଶ୍ରେଷ୍ଠତ୍ୱ ଏଇଠି ପ୍ରତିପାଦିତ ହୋଇଥାଏ । ଏହି ସତ୍ୟକୁ କେହି କେବେବି ଅସ୍ୱୀକାର କରିପାରିବେ ନାହିଁ । ଅତଏବ ତୁମେ ଯଦି ନାରାୟଣଙ୍କ ଉପରେ ବିଜୟ ଲାଭ କରିବାକୁ ଚାହୁଁଛ, ତେବେ ତୁମେ ତାଙ୍କୁ ହିଁ ପ୍ରାର୍ଥନା କର । ତୁମେ କେବଳ ଏତିକି ଜାଣିରଖ ଯେ, ବିଶ୍ୱର ମଙ୍ଗଳ ପାଇଁ ମୁଁ ନିଜେ ନାରାୟଣଙ୍କ ସହ ସେଠାରେ ତପସ୍ୟାରତ’ ।


ଗପ ସାରଣୀ

ତାଲିକାଭୁକ୍ତ ଗପ