ପ୍ରେମ ଜ୍ୟୋତି

                କିଛି ସମୟ ପରେ ପିତା ଚାଲିଗଲେ । ବଳ୍କଲଚୀର ମଧ୍ୟ ସେ ନର୍ତ୍ତକୀମାନଙ୍କୁ ଖୋଜି ଖୋଜି ଆସି ବଣ ମଧ୍ୟରେ ଥିବା ରାସ୍ତାରେ କିଛି ଦୂର ଚାଲିଗଲେ । ବଳଦ ଗାଡିଟିଏ ଯାଉଥାଏ । ସେ ପଚାରିଲେ, “ମୁନିବର, ପୋତନମ ଆଶ୍ରମକୁ ରାସ୍ତା କୁଆଡେ?”

ତାଙ୍କ କଥାଶୁଣି ସେ ଗାଡିବାଲା କହିଲା “ପୋତନମ ଯିବାକୁ ଚାହୁଁଛ ତ ଆସ ଏ ଗାଡିରେ ବସିପଡ । ଆମେ ବି ସେଇଠାକୁ ଯାଉଛୁ ।”

ଗାଡିରେ ବସି ବଳ୍କଲଚୀର ପଚାରିଲେ, “ମୁନିବର, ପୋତନମ ଆଶ୍ରମରେ କେଉଁ କେଉଁ ଋଷି ଅଛନ୍ତି । କେତେଜଣ ମୁନିକୁମାର ସେଠାରେ ଅଛନ୍ତି?”

ତାଙ୍କର ଏପରି ପ୍ରଶ୍ନରେ ଗାଡିବାଲା ଓ ତା’ ସ୍ତ୍ରୀ ହସିବାକୁ ଲାଗିଲେ ।

ରାସ୍ତାରେ ହଠାତ୍ ଜଣେ ଡାକୁ ଆସି ସେମାନଙ୍କ ଗାଡି ଅଟକେଇ ଦେଲା । କିନ୍ତୁ ସେ ଗାଡିବାଲା ଖୁବ୍ ସାହସୀ ଥିଲା । ସେ ହଠାତ୍ ଡାକୁର ମୁଣ୍ଡରେ ଜୋର୍ରେ ଆଘାତ କଲା । ହାତରେ ତ ବାଡି ଥିଲା । ଡାକୁ ବେହୋସ୍ ହୋଇ ତଳେ ପଡିଗଲା । ଗାଡିବାଲା ଓଲଟା ସେ ଡାକୁର ଧନରତ୍ନ ନେଇ ଗାଡି ଚଳାଇ ଚାଲିଲା ।

ପୋତନମରେ ଗାଡି ପହଁଚିବା ପରେ ଗାଡିବାଲା ବଳ୍କଲଚୀରଙ୍କୁ କହିଲା, “ପୁଅ, ଦେଖ ଏଇ ହେଉଛି ପୋତନମ ଆଶ୍ରମ, ସେଠାରେ ତୁମର କିଛି ଧନର ମଧ୍ୟ ଆବଶ୍ୟକତା ପଡିପାରେ ଏଇ ନିଅ, ଏତକ ରଖ ।” ଏତକ କହି ସେ ଡାକୁ ଧନରୁ କିଛି ତାଙ୍କୁ ଦେଇ ସେଠାରେ ଛାଡିଦେଇ ସେ ଗାଡିବାଲା ଚାଲିଗଲା ।

ବଳ୍କଲଚୀର ଏଡେ ବଡ ନଗରୀ ଓ ତାହାର ଦୋକାନ, ବଜାର, ସାଜସଜ୍ଜା ଦେଖି ଅତ୍ୟନ୍ତ ଚକିତ ହେଲେ । ସେ ତାଙ୍କ ସ୍ୱପ୍ନରେ ସୁଦ୍ଧା କେବେବି ଭାବି ନ ଥିଲେ ଯେ ଏପରି ସୁନ୍ଦର ଆଶ୍ରମ ମଧ୍ୟ ଅଛି । ରାସ୍ତାରେ କୌଣସି ଲୋକ ଦେଖିଲେ ତାକୁ ସେ “ମୁନିବର, ପ୍ରଣାମ” ବୋଲି କହି ନମସ୍କାର କରୁଥା’ନ୍ତି । ଏମିତି ଚାଲି ଚାଲି ସେ କୌଣସିମତେ ଯାଇ ରାଜନର୍ତ୍ତକୀର ଘରେ ପହଁଚିଲେ ।

ସେଠାରେ ରାଜନର୍ତ୍ତକୀକୁ ସେ କହିଲେ, “ତପସ୍ୱିନୀ ମାତା, ମୋର ରହିବା ପାଇଁ କୁଟୀରଟିଏ କରାଇ ଦିଅନ୍ତୁ ।” ଏତକ କହି ପାଖରେ ଥିବା ସମସ୍ତ ଧନ ତା’ହାତରେ ବଳ୍କଲଚୀର ଦେଲେ ।

ରାଜନର୍ତ୍ତକୀ ତା’ର ସେବକମାନଙ୍କୁ ନିର୍ଦେଶ ଦେଲା କି ବଳ୍କଲଚୀରଙ୍କୁ ଯେପରି ଭଲ ଭାବରେ ସ୍ନାନ ଓ ଭୋଜନ କରାଇବେ । ରାଜନର୍ତ୍ତକୀ ନିଜ ଝିଅକୁ ବଳ୍କଲଚୀରଙ୍କୁ ବିବାହ ଦେବା ପାଇଁ ଇଚ୍ଛା କଲା ।

ସମସ୍ତ ପ୍ରକାର ମଙ୍ଗଳ ବାଦ୍ୟ ବାଜିଲା ଓ ବିବାହର ସମସ୍ତ ବନ୍ଦୋବସ୍ତ କରାଗଲା । ବିଚରା ବଳ୍କଲଚୀର ଆଉ କରିବେ କ’ଣ ତାଙ୍କୁ ଯାହା ନିର୍ଦେଶ ଦିଆଯାଉଥାଏ ସେ କିଛି ନ ବୁଝି ତାହା କରୁଥାନ୍ତି ।

ଇତିମଧ୍ୟରେ ସମସ୍ତ ଘଟଣା କେହି ଜଣେ ରାଜା ପ୍ରସନ୍ନଚନ୍ଦ୍ରଙ୍କୁ ଯାଇ କହି ଦେଇଛି । ସେ ତତ୍କ୍ଷଣାତ୍ ସେଠାକୁ ଯାଇ ସେ ବିବାହ ବନ୍ଦ କରାଇ ନିଜ ଭାଇକୁ ନିଜର ପରିଚୟ ଦେଇ ରାଜବାଟୀକୁ ତାଙ୍କୁ ନେଇ ଆସିଲେ । କିଛିଦିନ ପରେ ଯେତେବେଳେ ବଳ୍କଲଚୀର ରାଜବିଦ୍ୟା ସବୁରେଶିକ୍ଷା ସମାପ୍ତ କଲେ, ପ୍ରସନ୍ନଚନ୍ଦ୍ର ତାଙ୍କୁ ଏକ ସୁନ୍ଦରୀ ଓ ଗୁଣବତୀ ରାଜକୁମାରୀଙ୍କ ସହିତ ବିବାହ କରାଇ ଦେଲେ ।

କିଛିଦିନ ପରେ ରାଜସେବକମାନେ ପୂର୍ବୋକ୍ତ ଗାଡିବାଲା ପାଖରେ ଏତେ ଧନ ଦେଖି ସନ୍ଦେହ କରି ରାଜାଙ୍କ ପାଖକୁ ତାକୁ ଧରି ଆଣିଲେ । କିନ୍ତୁ ବଳ୍କଲଚୀର ସବୁକଥା ଗୋଟିଗୋଟି କରି ରାଜାଙ୍କୁ କହି ତାକୁ ମୁକ୍ତ କରାଇଲେ ।

ଏଣେ ସୋମଚନ୍ଦ୍ର ପୁତ୍ର ବିଚ୍ଛେଦରେ କାନ୍ଦି କାନ୍ଦି ନିଜ ଦୃଷ୍ଟିଶକ୍ତି ହରାଇ ଅନ୍ଧ ହୋଇ ବସିଥା’ନ୍ତି । ବଣରେ ଥିବା ଅନ୍ୟ ମୁନିମାନେ ବଳ୍କଲଚୀରଙ୍କ ବିଷୟରେ ଖବର ନେଇ କହିଲେ ଯେ ସେ ପ୍ରସନ୍ନଚନ୍ଦ୍ରଙ୍କ ପାଖରେ ବେଶ୍ ଭଲରେ ଅଛନ୍ତି ।

ଏଣେ ଏ ବଳ୍କଲଚୀର ରାଜଭବନରେ ଯେତେ ସୁଖ ଐଶ୍ୱର୍ଯ୍ୟରେ ରହିଲେ ମଧ୍ୟ ପିଞ୍ଜିରାବଦ୍ଧ ପକ୍ଷୀ ସଦୃଶ ହରାଇଥିବା ମୁକ୍ତ ଜୀବନକୁ ବିଶେଷତଃ ସେ ତାଙ୍କର ସ୍ନେହମୟ  ପିତାଙ୍କୁ ସର୍ବଦା ଝୁରି ହେଉଥାନ୍ତି । ଦିନେ ସେ ଭାଇଙ୍କୁ କହିଲେ, “ମୁଁ ଯିମିତି ହେଲେ ପିତାଙ୍କୁ ଦେଖିବାକୁ ଯିବି ।” ତାଙ୍କ କଥା ଶୁଣି ପ୍ରସନ୍ନଚନ୍ଦ୍ର କହିଲେ, “ମୁଁ ବି ତୁମ ସହିତ ଯିବି ।” ଏହାପରେ ସେ ଦୁଇଭାଇ ନିଜ ପିତାଙ୍କୁ ଭେଟିବାକୁ ବଣକୁ ଗଲେ । ଦୁଇ ପୁତ୍ରକୁ ଭେଟିବା ମାତ୍ରେ ସୋମଚନ୍ଦ୍ର ଆନନ୍ଦରେ ସେ ଦୁହିଁଙ୍କୁ ଆଲିଙ୍ଗନ କଲେ । ଚକ୍ଷୁରୁ ତାଙ୍କର ଲୋତକଧାରା ବହିବାକୁ ଲାଗିଲା । ସେ ଲୋତକ ବାତ୍ସଲ୍ୟ ରସର ଅମୀୟ ଧାରା ଥିଲା । କ୍ରମେ ସେ ତାଙ୍କ ଦୃଷ୍ଟିଶକ୍ତି ଫେରି ପାଇଲେ । ଏହି ଅଲୌକିକ ଘଟଣା ଦେଖି ଅନ୍ୟ ଋଷିମାନେ କହିଲେ, “ଚକ୍ଷୁର ଏହି ନୂତନ ଦୃଷ୍ଟିଶକ୍ତି ହେଉଛି ବାତ୍ସଲ୍ୟ ପ୍ରେମର ଜ୍ୟୋତି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ