ବଚନର ମୂଲ୍ୟ

ଅଜିଜ୍ଙ୍କୁ ଚାକର ମାନେ ଉଦ୍ୟାନକୁ ନେଇଗଲେ । ଅଜିଜ୍ ପ୍ରଥମେ ସେଠାରେ ଘୋଡା ଚଢି ପହଁଚି ଦେଖିଲେ ଶଙ୍ଖମଲ୍ମଲ୍ ପଥରର ଏକ ମଣ୍ଡପ ଉପରେ ଶାହାଜାଦୀ ବସିଛନ୍ତି । ତାଙ୍କ ସୌନ୍ଦର୍ଯ୍ୟରେ ଅଜିଜ୍ ଖୁବ୍ ମୁଗ୍ଧ ହୋଇଗଲେ । ଶାହାଜାଦୀଙ୍କୁ ମଧ୍ୟ ଅଜିଜ୍ ବହୁତ ଭଲ ଲାଗିଲେ । ଶାହାଜାଦୀ ଭାବିଲେ, “ଏପରି ମୂଲ୍ୟବାନ୍ ସୁନ୍ଦର ଘୋଡା ତ କେବଳ ଏହି ଯୁବକଙ୍କ ପାଇଁହିଁ ଯୋଗ୍ୟ; ମୋର ବୃଦ୍ଧ ପିତାଙ୍କ ପାଇଁ ନୁହେଁ ।”

ତା’ପରେ ସେ ଘୋଡା ପାଖକୁ ଆସି ତାକୁ ପରୀକ୍ଷା କରି ଅଜିଜ୍ଙ୍କୁ କହିଲେ, “ହେ ଯୁବକ, ତୁମେ ଘୋଡାକୁ ଶସ୍ତାରେ ବିକ୍ରି ନ କଲେ ସମସ୍ତେ ତୁମକୁ ଆକ୍ରମଣ କରି ଛଡାଇ ନେବେ । ତେଣୁ ଏଠାରୁ ପ୍ରାଣ ନେଇ ପଳାଇ ଯିବା ପାଇଁ ଉପାୟ କର । ମୋର ପରିଚାରିକା ବା ଚାକର ଆସିବା ମାତ୍ରେ ତୁମେ କହିବ ତୁମକୁ ଶୋଷ ହେଉଛି । ମୁଁ ପାଣି ଆଣିବା ବାହାନାରେ ଭିତରୁ ପୋଷାକ ବଦଳାଇ ଆସିବି । ସେହି ପୋଷାକର ଭିତର ପଟରେ ବହୁ ରତ୍ନ ସିଲେଇ କରାହୋଇ ରଖା ହୋଇଛି । ତା’ପରେ ଆମେ ଦୁହେଁ ଘୋଡାରେ ବସି ଏଠୁ ପଳାଇବା ।”

ଇତିମଧ୍ୟରେ ନବାବ ସେଠାକୁ ଆସିଲେ । ଅଜିଜ୍ କହିଲେ କି ତାଙ୍କୁ ବଡ ଶୋଷ ହେଉଛି । ଅଜିଜ୍ଙ୍କ କଥା ଶୁଣି ଶାହାଜାଦୀ ଘର ଭିତରକୁ ଯାଇ ପୂର୍ବୋକ୍ତ ପୋଷାକଟି ବଦଳାଇ ପାଣିପାତ୍ର ହାତରେ ଧରି ଫେରି ଆସିଲେ । ପାଣି ନେବାର ବାହାନା କରି ଅଜିଜ୍ ତାଙ୍କ ହାତ ଧରି ଘୋଡାରେ ବସାଇଦେଲେ ଓ ନିଜେ ବିଜୁଳିଗତିରେ ଘୋଡାଚଢି କୁଆଡେ ଅଦୃଶ୍ୟ ହୋଇଗଲେ ।

ନବାବ ତ ଆଶ୍ଚର୍ଯ୍ୟ ହୋଇ ଚାହିଁଛନ୍ତି । ସେ କେତେକ ଘୋଡାସବାର ତାଙ୍କ ପଛରେ ପଠାଇଲେ ହେଲେ ସେମାନଙ୍କର ଆଉ କୌଣସି ବି ପତା ମିଳିଲା ନାହିଁ ।

ତା’ପରେ ଅଜିଜ୍ ଶାହାଜାଦୀଙ୍କ ସହ ଅନେକ ଦେଶ ଘୁରି ବୁଲିଲେ । ଶେଷରେ ସେ ବୁଢାର ସର୍ତ୍ତ କଥା ମନେ କରି ସର୍ବଦା ବିମର୍ଷ ହୋଇ ରହିଲେ । ଦିନେ ଶାହାଜାଦୀ ତାଙ୍କୁ ପଚାରିଲେ, “କଥା କ’ଣ? ଏପରି କାହିଁକି ବିମର୍ଷ ଦେଖା ଯାଉଛ?” ଅଜିଜ୍ ସବୁକଥା ଖୋଲି କହିଲେ । “ବୁଢାର ଘୋଡା ଯୋଗୁଁ ତୁମକୁ ପାଇଲି, ସର୍ତ୍ତ ଅନୁସାରେ ତୁମକୁ ମୁଁ ସେ ବୁଢା ହାତରେ ସମର୍ପଣ କରିବା କଥା ତୁମ ଧନରତ୍ନ ସହିତ । କିନ୍ତୁ …”

ଅଜିଜ୍ଙ୍କ କଥା ଶୁଣି ଶାହାଜାଦୀ କହିଲେ, “ମୁଁ ତୁମ ସହିତ ପଳେଇ ଆସିଲି ତମେ ତ ମୋତେ ଆଣି ନାହଁ । ତାଙ୍କୁ ତ ଘୋଡାର ମୂଲ୍ୟ ଦରକାର ତୁମେ ତାଙ୍କୁ ହଜାରେ ଦିନାର୍ ଦେଇଦିଅ ।”

କିନ୍ତୁ ଅଜିଜ୍ ନିଜ ସହରରେ ପହଁଚିବା ମାତ୍ରେ ହମିଦ୍ଙ୍କ ପାଖକୁ ଯାଇ କହିଲେ, “ଆପଣଙ୍କ ଘୋଡା ଯୋଗୁଁ ଏହି ଶାହାଜାଦୀଙ୍କୁ ଓ ତାଙ୍କର କିଛି ଧନରତ୍ନ ମୁଁ ପାଇଛି । ଏବେ ଆପଣ କୁହନ୍ତୁ କ’ଣ କରାଯିବ ।”

ଅଜିଜ୍ଙ୍କର ଏଭଳି ସତ୍ୟନିଷ୍ଠା ଦେଖି ହମିଦ୍ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ କହିଲେ, “ଯୁବକ, ତୁମେ ତୁମ କଥା ରଖିଛ ସେଥିପାଇଁ ମୁଁ ବହୁତ ଖୁସି । ଶାହାଜାଦୀଙ୍କୁ ତମେ ନିଜ ଗୁଣରୁ ଜିତିଛ । ତେଣୁ ତୁମେ ତାଙ୍କୁ ବିବାହ କର । ଆଉ ଧନରତ୍ନ ଆମେ ଆମ ନିଜ ଭିତରେ ବାଂଟିନେବା । ଆଉ ଏ ଘୋଡାଟି ସବୁଦିନ ପାଇଁ ତୁମର ।”

ହମିଦ୍ଙ୍କର ସ୍ନେହପୂର୍ଣ୍ଣ କଥାରେ ସେମାନେ ବହୁତ ଖୁସି ହେଲେ । ହମିଦ୍ହିଁ ନିଜେ ସେ ଦୁହିଁଙ୍କର ବିବାହ ଉତ୍ସବ କରାଇଲେ । ତା’ପରେ ସମସ୍ତେ ଖୁସିରେ ରହିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ