ବନପରୀ

ଏପରି ଭାବି ମହାରାଜ ପ୍ରଶ୍ନକଲେ – ମା’ ! ଏ ବନକୁ ହତଶ୍ରୀ କଲା କିଏ? ତୁ ଏକୁଟିଆ ଏଠାରେ ଗଛ ଲଗାଉଛୁ କାହିଁକି? ତହୁଁ ସେ ବନପରୀ ସେମିତି ଗଛ ଲଗାଉ ଲଗାଉ ଯାହାସବୁ ଘଟିଯାଇଥିଲା ସେସବୁ ଗୋଟି ଗୋଟି କରି ବର୍ଣ୍ଣନା କଲା । ଶେଷରେ କହିଲା – ମହାରାଜା ଫେରିବା ପୂର୍ବରୁ ମୁଁ ପୁଣି ଏ ବଣମୂଲକର ପୂର୍ବାବସ୍ଥା ଫେରାଇ ଆଣିବାକୁ ଚାହୁଁଛି । ଏସବୁ ଶୁଣି ବିକ୍ରମଜିତ୍ ଖୁସି ହୋଇ କହିଲେ ହଉ ମା’ ବନପରୀ, ଏଥର ମତେ ଗୋଟିଏ ଚାରା ଦେ । ମୁଁ ଗୋଟିଏ ପୋତିଦିଏ ।

ହଠାତ୍ ବନପରୀ ଡାକରେ ସେ ଝିଅଟି ଚମକି ପଡିଲା । ତାପରେ ସେ ନିଜ ମୁହଁଟେକି ଚାହିଁଲା । ହଠାତ୍ ସେ କହିପକାଇଲା – ମହାରାଜ, ଆପଣ….. । ମୋତେ କ୍ଷମା କରନ୍ତୁ । ଆପଣ କେତେବେଳୁ ଆସିଲେଣି, ହେଲେ ମୁଁ ଜାଣିପାରିନାହିଁ । ବନପରୀ ମହାରାଜଙ୍କୁ ପ୍ରଣାମ କଲା ।

ଏହି ସମୟରେ ବନପରୀକୁ ଖୋଜି ଖୋଜି ସେଠାରେ ଯୁବରାଜଙ୍କ ସମେତ ଅନ୍ୟମାନେ ବି ପହଁଚିଲେ । ଯୁବରାଜ ଓ ସୈନ୍ୟରୂପୀ ଶବରମାନଙ୍କୁ ଆସୁଥିବାର ଦେଖି ହଠାତ୍ ବିକ୍ରମଜିତ୍ ଟିକେ ଚକିତ ହେଲେ । ସେତେବେଳେ ସେ ମହାରାଜଙ୍କର ନିଶ ଦାଢିରେ ଭରିଯାଇଥିବା ଜରାଜୀର୍ଣ୍ଣ ଚେହେରା ଦେଖି ତାଙ୍କୁ କେହି ବି ଆଦୌ ଚିହ୍ନିପାରିଲେ ନାହିଁ । ତାଙ୍କୁ କେହି ବି ଚିହ୍ନି ନପାରିବାରୁ ମହାରାଜ ଖାଲି ଚକିତ ହେଲେ । ତାପରେ ସେ ମନଦୁଃଖ ବି କଲେ । କେହି ମହାରାଜାଙ୍କୁ ଚିହ୍ନିପାରୁନଥିବା ଦେଖି ବନପରୀ ଖୁବ୍ ଆଶ୍ଚର୍ଯ୍ୟହେଲା । ଏସବୁ ଦେଖି ସେ ବନପରୀ ଖୁବ୍ ଚିତ୍କାର କରି କହିଲା – ଆପଣମାନେ କ’ଣ ସତରେ ଅନ୍ଧ ହୋଇଗଲେଣି? ନିଜ ମହାରାଜାଙ୍କୁ କ’ଣ ଚିହ୍ନିପାରୁ ନାହାଁନ୍ତି? ତାପରେ ସମସ୍ତେ ନିରେଖି ଦେଖି ରାଜାଙ୍କୁ ଚିହ୍ନି ପାରିଲେ ଓ ମହାରାଜାଙ୍କୁ ପ୍ରଣାମ କଲେ । ତେଣେ ପ୍ରସନ୍ନଜିତ୍ ବି ନିଜ ଭୁଲପାଇଁ କ୍ଷମାଭିକ୍ଷା କଲେ ।

ଏସବୁ ଦେଖି ବିକ୍ରମଜିତ୍ କେବଳ ହସି ହସି ସମସ୍ତଙ୍କୁ କହିଲେ – ପୁଅ ଭୁଲ୍କଲେ ତାକୁ ମା’ ହିଁ ସୁଧାରେ । ତା ମହନୀୟତାର ବି ପରିଚୟ ଦିଏ । ହେଲେ ମା’ ଯଦି ଭୁଲ୍ କରେ ତେବେ ତାକୁ ସୁଧାରିବ କିଏ? ମୁଁ ଆଜି ଛାତି ଫୁଲାଇ ଗର୍ବକରି କହୁଛି ଯେ, ମୁଁ ବନପରୀ ଭଳି ମା’ଟିଏ ପାଇଛି । ଏହା କେବଳ ମୋର ସୌଭାଗ୍ୟ ନୁହେଁ, ଏହା ସାରା ସପନପୁରୀ ରାଜ୍ୟର ସୌଭାଗ୍ୟ । ଯେଉଁ ଦେଶରେ ବନପରୀ ଭଳି ମା’ ଅଛନ୍ତି ସେ ଦେଶ କେବେବି ପଛରେ ପଡି ନପାରେ । “ମା ଜାଗିଲେ ଦେଶ ଜାଗିବ” ଏଥିରେ କିଛିବି ସନ୍ଦେହ ନାହିଁ, ତାପରେ ସମସ୍ତେ ଅତ୍ୟନ୍ତ ଆନନ୍ଦରେ ରାଜଧାନୀ ଅଭିମୁଖେ ପ୍ରତ୍ୟାବର୍ତ୍ତନ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ