ବଳରାମ ଓ ଜଗନ୍ନାଥ

ଅତ୍ୟନ୍ତ କାନ୍ଦି କାନ୍ଦି ଶେଷରେ ବଳରାମ ପୁରୀ ଛାଡିଲେ । ପୁରୀଠାରୁ ଅଳ୍ପ ଦୂରରେ ଗୋଟିରେ ଗାଁରେ ବଳରାମ ଅତ୍ୟନ୍ତ ଦୁଃଖରେ ଦିନ ବିତାଉଥାଆନ୍ତି । କେବଳ ଜଗନ୍ନାଥଙ୍କୁ ଝୁରି ଝୁରି ବଳରାମଙ୍କର ଆଖିରୁ ଅନବରତ ଲୁହ ଝରୁଥାଏ । ଲକ୍ଷ୍ମୀ ମା’ ଭୁଲ୍ ବୁଝି ତାଙ୍କୁ ତ ଅଭିଶାପ ଦେଲେ । ତେଣୁ ସେ ବଳରାମ ପ୍ରଭୁ ଜଗନ୍ନାଥଙ୍କୁ ନିଜର ସମସ୍ତ ଦୁଃଖ ଜଣାଇ ସବୁବେଳେ ଖାଲି ତାଙ୍କୁ ପ୍ରାର୍ଥନା କରୁଥାଆନ୍ତି ।

ପୁରୀରେ ତ ବାର ମାସରେ ତେର ଯାତ୍ରା । ସେଇ ଗାଁ ପାଖ ଜଗନ୍ନାଥ ସଡକରେ ଯାତ୍ରୀମାନେ ପୁରୀଯିବାର ଦୃଶ୍ୟ ସେ ବଳରାମ ଦାସ ଦେଖନ୍ତି । ତେଣୁ ବଳରାମଙ୍କର ମନ ମଧ୍ୟ ଖାଲି ଉଡି ବୁଲୁଥାଏ ଜଗନ୍ନାଥଙ୍କ ପାଖକୁ । ମାତ୍ର ଏବେ ଆଉ ତାଙ୍କର ଉପାୟ ବା କ’ଣ? ପୁଣି ରାଜାଙ୍କର ଆଦେଶକୁ କିଏ ଅବା ଭାଙ୍ଗି ପାରିବ?

କଥାରେ ତ ଅଛି ଚିନ୍ତା ଖାଏ ଗଣ୍ଡି । ଦୁଃଖ ଆଉ ଅନୁତାପରେ ବଳରାମ ରୋଗରେ ପଡି ଶେଷରେ ଶେଯ ଧରିଲେ । ସେ ବି ଆଉ ଉଠି ବସିପାରିଲେ ନାହିଁ । ଏଥର ବଳରାମ ଠିକ୍ ବୁଝିପାରିଲେ, ତାଙ୍କର ଦିନକାଳ ସରି ଆସୁଛି । ସେ ଏଣିକି ଆଉ ଅଧିକ କାଳ ବଂଚିବେ ନାହିଁ ।

ତେଣୁ ସେ ବଳରାମ କେବଳ ପ୍ରଭୁ ଜଗନ୍ନାଥଙ୍କୁ ଜଣାଣ କରୁଥାଆନ୍ତି – ‘ଚକାଡୋଳା ଜଗନ୍ନାଥ ! ମୋତେ ଏ ଦୁଃଖରୁ ଉଦ୍ଧାର କର । ଜୀବନର ଏହି ଶେଷ ଅବସ୍ଥାରେ ମୋତେ ଦୟାକରି ଦର୍ଶନ ଦିଅ । ମୋର ଏହା ଛଡା ଆଉ କିଛି ବି ମାଗୁଣି ନାହିଁ ।

ଚାହୁଁ ଚାହୁଁ ସେଇ ଶେଷଦିନଟି ଆସି ପହଁଚିଗଲା । ବଳରାମ ଦାସ ତ ଖାଲି ପ୍ରଭୁ ଜଗନ୍ନାଥଙ୍କୁ ଝୁରି ହେଉଥାଆନ୍ତି । ତେଣେ ରତ୍ନସିଂହାସନରେ ପ୍ରଭୁଙ୍କର ମନ ଖୁବ୍ ବିକଳ ହେଲା । ପ୍ରଭୁ ତ ଭକ୍ତର ଅଧୀନ । ସେ ଆଉ ସମ୍ଭାଳୁଛନ୍ତି କେତେକେ ! ତେଣୁ ଲକ୍ଷ୍ମୀଦେବୀଙ୍କୁ ସାଙ୍ଗରେ ଧରି ପ୍ରଭୁ ଜଗନ୍ନାଥ ବଳରାମ ରହୁଥିବା ଗାଁରେ ଯାଇ ପହଁଚିଲେ । ବଳରାମଙ୍କୁ ଜଣାଗଲା ଯେ, ତାଙ୍କ ଘରଟିରେ ହଠାତ୍ ଆଲୁଅ ବିଛାଡି ହୋଇପଡିଲା । ଚାରିଆଡେ କେତେ ଧୂପ ଆଉ ଫୁଲର ମହକ । ତାପରେ ଯାଇ ବଳରାମ ନିଜ ଆଖି ଖୋଲିଲେ । ସତକୁ ସତ ତାଙ୍କର ପ୍ରଭୁ ଜଗନ୍ନାଥ ଆଉ ମା’ ଶ୍ରୀଲକ୍ଷ୍ମୀ ତାଙ୍କ ଶେଯ ପାଖରେ ବସିଛନ୍ତି । ଏସବୁ ଦେଖି ବଳରାମଙ୍କର ଜୀବନ ଧନ୍ୟ ହୋଇଗଲା । କାଳିଆ ତାଙ୍କର ଡାକ ଶୁଣି ନିଜେ ପଳାଇ ଆସିଛି । ତାପରେ ସେ ଜଗନ୍ନାଥ କେତେ ଆଦରରେ ବଳରାମଙ୍କ ଦେହରେ ହାତ ବୁଲାଇ ଆଣିଲେ । ସେହିକ୍ଷଣି ହିଁ ବଳରାମଙ୍କର ସବୁ କଷ୍ଟ କୁଆଡେ ଉଭେଇ ଗଲା ।

ଏସବୁ ଲକ୍ଷ୍ମୀଙ୍କି ଖାଲି ତାଟକା ଲାଗୁଥାଏ । ସତରେ ପ୍ରଭୁ ତାଙ୍କର ବଳରାମଙ୍କୁ କେତେ ଆଦର ନ କରନ୍ତି । ଲକ୍ଷ୍ମୀ କିନ୍ତୁ ପୂର୍ବକଥା ଆଦୌ ଭୁଲି ନ ଥିଲେ । ତେଣୁ ଲକ୍ଷ୍ମୀ କହିଲେ, ବଳରାମ ! ମୁଁ କ’ଣ କହିଥିଲି ! ତୋତେ ଆଉ ପୁରୀକ୍ଷେତ୍ର ଯୋଗ ହେବନାହିଁ ବୋଲି ।

ଏପରି କଥା ଶୁଣି ବଳରାମ ଟିକେ ମୁରୁକେଇ ହସିଲେ । ତାପରେ ଆପେ ଆପେ ହାତ ଦୁଇଟି ଯୋଡି ହୋଇ ଯାଉଥାଏ ସେ ବଳରାମଙ୍କର । ବଳରାମ କହିଲେ – “ପ୍ରଭୁ ହେ ! ମୋ ଟେରୀମା’ ତଥାପି ବି କିଛି ଜାଣିପାରିଲା ନାହିଁ । ଯେଉଁଠାରେ ପ୍ରଭୁ ଜଗନ୍ନାଥ ଏବଂ ମାତା ଲକ୍ଷ୍ମୀ ବିରାଜମାନ, ସେଇ ତ ଶ୍ରୀକ୍ଷେତ୍ର । ଆଉ ମୁଁ ପାଇଲି ନାହିଁ କ’ଣ?”

ଏତିକି କହୁ କହୁ ସବୁଦିନ ପାଇଁ ବଳରାମଙ୍କର ଆଖି ମୁଦି ହୋଇଗଲା । ନୀଳାଚଳପତି ପ୍ରଭୁ ଜଗନ୍ନାଥ ଯାହାର ସହାୟ, ତାର କ’ଣ ମୁକ୍ତିର ଅଭାବ ଅଛି?

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ । (Promotional racial con story)


ଗପ ସାରଣୀ

ତାଲିକାଭୁକ୍ତ ଗପ