ବହ୍ନି ଦ୍ୱୀପ

                ଉଗ୍ରାକ୍ଷ କହିଲା “ତେବେ ଆଉ ବିଳମ୍ବର ହେତୁ କ’ଣ? ଆମେ ସେମାନଙ୍କ ଦୁର୍ଗ ଦଖଲ କରିବା । ବାଟ ଦେଖାଇ ଚାଲ ।”

                କନ୍ଧ କହିଲା “ରାକ୍ଷସରାଜ! ଏ କାମ ତରବରିଆ ଭାବରେ କେବେବି କରିହେବ ନାହିଁ । ବର୍ତ୍ତମାନ ସାମନ୍ତ ରାଜା ସୁଦର୍ଶନଙ୍କ କନ୍ୟା ଚନ୍ଦ୍ରଲେଖା ଶତ୍ରୁ କବଳରେ ରହିଛନ୍ତି । ରାଜକନ୍ୟାଙ୍କର ଯେପରି କୌଣସି ହାନି ନ ହେବ, ଆମକୁ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ହେବ । କପିଳପୁର ରାଜ୍ୟର କେତେକ ଲୋକଙ୍କୁ ବି ସେମାନେ ବନ୍ଦୀ କରିଥିଲେ । ମାତ୍ର ସେମାନଙ୍କ ଭିତରୁ କେତେଜଣ ଖସି ଆସିଛନ୍ତି । ସେମାନେ କହୁଛନ୍ତି କି ଅରୁଦ୍ର ବୋଲି କେହି ଜଣେ ଯୁବକ ସେମାନଙ୍କ ସହ ଯୋଗ ଦେଇଛି । ରାକ୍ଷସମାନଙ୍କ ବଳ ତଥା ଦୁର୍ବଳତା ବିଷୟରେ ସେମାନଙ୍କୁ ସବୁ ସେ କହି ଦେଇଛି ।”

                ଏହା ଶୁଣି ରାକ୍ଷସରାଜ ଉଗ୍ରାକ୍ଷ କ୍ରୋଧରେ ଗର୍ଜନ କଲା ଓ ପଚାରିଲା, “କୁଆଡେ ଗଲା ସେ ରୁଦ୍ର?”

ଶଙ୍କିତ ଭାବରେ ରୁଦ୍ର ବାହାରି ଆସି ରାକ୍ଷସରାଜ ଆଗରେ ଠିଆ ହେଲା ।

ରାକ୍ଷସରାଜ ଦାନ୍ତ କଡମଡ କରି ପଚାରିଲା “ଆରେ ରୁଦ୍ର, ଅରୁଦ୍ର ତମମାନଙ୍କର ମିତ୍ର ଥିଲାଟି? ସେ ଦେଶଦ୍ରୋହୀ କିପରି ବନିଗଲା?”

ସଙ୍କୋଚ ଭରେ ରୁଦ୍ର କହିଲା, “ସେଥିରେ ମୁଁ ବି ଅବାକ୍ । ମୋର ସନ୍ଦେହ; ସେ ରାଜକନ୍ୟା ଚନ୍ଦ୍ରଲେଖାଙ୍କୁ ବିବାହ କରିବା ଆଶାରେ ତାଙ୍କୁ ବନ୍ଦୀନୀ କରିଥିବା ଶତ୍ରୁ ପକ୍ଷର ସହାୟତା କରୁଛି ।”

ତା’କଥାରେ ଉଗ୍ରାକ୍ଷ ଗମ୍ଭୀର ଭାବରେ କହିଲା, “ରାଜକନ୍ୟା ଚନ୍ଦ୍ରଲେଖାର ବିବାହ ନିଶ୍ଚୟ ମୋ ପୁଅ ଉଗ୍ରଦତ ସହ ହିଁ ହେବ । ଏଥିରେ ଯିଏ କେହି ବି ବାଧା ଦେବ, ତାକୁ ମୁଁ ଶେଷ କରିଦେବି ।”

କନ୍ଧ ଟିକିଏ ନମ୍ର ଭାବରେ କହିଲା, “ରାକ୍ଷସରାଜ, ଏକପାଦକୁ ମାରିବା ଏତେ ସହଜ ନୁହେଁ । ସେ ଯେଉଁ ଲୋକର ରକ୍ତ ଦେଖିବ, ସେ ଲୋକ ମରିଯିବ । ପୁଣି ତା’ ରକ୍ତ ଯିଏ ଦେଖିବ, ସେ ଲୋକ ବି ମରିବ ।”

କନ୍ଧର ଏଭଳି କଥା ଶୁଣି ରାକ୍ଷସରାଜ କହିଲେ “ସର୍ଦ୍ଦାର କନ୍ଧ! ଇଏ ତ ବଡ ଅଜବ କଥା! ଏକପାଦ ଦେହରୁ ରକ୍ତ ବାହାରିବ ନାହିଁ ଅଥଚ ତାକୁ ମାରିବାକୁ ହେବ!”

କନ୍ଧ କହିଲେ “ହଁ ରାକ୍ଷସରାଜ, ଏହା ଗୋଟାଏ ଅଜବ ଅବସ୍ଥା, ଏଥିରେ କୌଣସି ସନ୍ଦେହ ନାହିଁ । ଆମ ଭିତରୁ କେତେଜଣଙ୍କୁ ପ୍ରାଣ ମାୟା ତୁଟାଇ ତାକୁ ସାମ୍ନା କରିବାକୁ ପଡିବ । ପ୍ରକୃତରେ ପାହାଡ ତଳେ ଥିବା ତା’ ଦୁର୍ଗ ଅବରୋଧ ବା ଦଖଲ କରିବା ବିଶେଷ କଠିନ କାମ ନୁହେଁ ।”

ରାକ୍ଷସରାଜ ଟିକେ ଚିନ୍ତିତ ହୋଇ ପ୍ରଶ୍ନ କଲେ “ଏକପାଦ କ’ଣ ଖୁବ୍ ବଳୁଆ?”

ଏହା ଶୁଣି କନ୍ଧ ହସିଲା ଓ କହିଲା, “ମୋଟେ ନୁହେଁ । ବରଂ ସେ ଦୁର୍ବଳ ବୋଲି କହିଲେ ଠିକ୍ ହେବ । ସେଥିରେ ପୁଣି ତା’ର ଗୋଟିଏ ଗୋଡ ଖଣ୍ଡିଆ । ତାକୁ ପାଖରେ ପାଇଲେ ବାଳକଟିଏ ମଧ୍ୟ ତାକୁ ତଳକୁ ଗଡାଇ ଦେଇ ମାରି ପକାଇ ପାରିବ ।”

ଉଗ୍ରାକ୍ଷ ଅଳ୍ପ ସମୟ ଚିନ୍ତା କରି କହିଲା, “ସର୍ଦ୍ଦାର! ମୋ ରାକ୍ଷସ ଅନୁଚରମାନେ ଅତ୍ୟନ୍ତ ବିଶ୍ୱସ୍ତ । ସେମାନେ ମୋ ପାଇଁ ପ୍ରାଣ ଦେବାକୁ କଦାପି ମଧ୍ୟ କୁଣ୍ଠାବୋଧ କରିବେ ନାହିଁ । ତେଣୁ ଏବେ ଆମେ ପ୍ରଥମେ ଦୁର୍ଗ ଦଖଲ କରିବା ଚାଲ । ତା’ପରେ ଯାଇ ଆମେ ଏକପାଦର ସନ୍ଧାନ କରିବା । କେତେଜଣ ଆଗେ ଆଗେ ଚାଲିବ । ପଛରେ ଆମେ ଆଖି ବନ୍ଦ କରି ଚାଲିବା । ଆମେ ଏକପାଦକୁ ଘେରିଯାଇ ଆଖି ବନ୍ଦ ଥିବା ଅବସ୍ଥାରେହିଁ ତାକୁ ମାରିବା ।”

କନ୍ଧ କହିଲା “କିନ୍ତୁ କେତେବେଳଯାଏଁ ଆମେ ଆଖି ବନ୍ଦ କରି ରଖିଥିବା? ଆଖି ଖୋଲିବା ମାତ୍ରେ ତ ତା’ ରକ୍ତ ଦେଖିବା!”

“ଆରେ ଭାଇ, ଏତେ କଥା ଚିନ୍ତା କଲେ ଆମେ କେବେ ବି ଶତ୍ରୁ ବିରୁଦ୍ଧରେ ପାଦଟିଏ ବି ଅଗ୍ରସର ହୋଇପାରିବା ନାହିଁ । ଆଗେ ତାକୁ ସାମ୍ନା କରାଯାଉ । ତେଣିକି ଅବସ୍ଥା ଦେଖି ବ୍ୟବସ୍ଥା କରାଯିବ ।” ଏତିକି କହି ଉଗ୍ରାକ୍ଷ ଆଉ କିଛି ଶୁଣିବାକୁ ଅପେକ୍ଷା ନକରି ଚାଲିବାକୁ ଆରମ୍ଭ କରିଦେଲା ।

ଅନ୍ୟମାନେ ବି ବାଧ୍ୟ ହୋଇ ଚାଲିଲେ । କେତେଜଣ ଭଲ୍ଲୁକଚର୍ମଧାରୀ ବାଟ ଦେଖାଇ ଅଗ୍ରସର ହେଲେ । କିଛି ବାଟ ପରେ ରାସ୍ତା ପାହାଡିଆ ଓ ବିପଦଶଙ୍କୁଳ ଦେଖାଗଲା । ସେମାନେ ନୀରବରେ ଓ ସାବଧାନରେ ଅଗ୍ରସର ହେଲେ । ହଠାତ୍ ଉପରୁ କେତେକ ବିଶାଳ ପକ୍ଷୀଙ୍କ ଛାୟା ସେମାନଙ୍କ ଉପରେ ପଡିଲା । ସଙ୍ଗେ ସଙ୍ଗେ ବ୍ୟାଘ୍ରଚର୍ମଧାରୀଙ୍କ କୋଳାହଳ ବି ଶୁଭିଲା ।

କନ୍ଧ ମୃଦୁ କଣ୍ଠରେ ଉଗ୍ରାକ୍ଷକୁ କହିଲା, ଏକପାଦ ନିଶ୍ଚୟ କୌଣସି ଯୋଜନା ପ୍ରସ୍ତୁତ କରି ରଖିଥିବ । ହୁଏତ ହଠାତ୍ ଆମ ଆଗକୁ ଆସିଯାଇ ନିଜ ଦେହରୁ ସେ ରକ୍ତ ବାହାର କରିବ । ଯାହା ଫଳରେ କି ଆମେ ସମସ୍ତେ ଏକାବେଳକେ ମରିଯିବା ।”

ଉଗ୍ରଦତ ତା’ କଣ୍ଠସ୍ୱର ଉଚ୍ଚ କରି କହିଲା, “ଶୁଣ ସମସ୍ତେ । ଯେଉଁ କେତେଜଣ ଆଗରେ ଅଛନ୍ତି, ସେମାନଙ୍କୁ ଛାଡି ଅନ୍ୟ କେହି ବି ଯେମିତି କିଲ୍ଲା ଆଡେ ଦୃଷ୍ଟିପାତ କରିବେ ନାହିଁ ।”

ତା’ପରେ ସମସ୍ତେ ସେହି ଅନୁସାରେ ଅଗ୍ରସର ହେଲେ । ଅଳ୍ପ ସମୟ ଭିତରେ ସେମାନେ ଯାଇ କିଲ୍ଲା ଆଗରେ ପହଁଚିଗଲେ । ହଠାତ୍ କିଲ୍ଲା ଉପରୁ ଏକପାଦର ଧମକ ଶୁଭିଲା । ସେ କହିଲା, “ଏଇ ଦେଖ, ମୁଁ ରାଜକନ୍ୟା ଚନ୍ଦ୍ରଲେଖାଙ୍କୁ ତଳକୁ ଠେଲି ଦେଉଛି!”

କିନ୍ତୁ କେହି ମଧ୍ୟ ତା’ ଆଡକୁ ଅନାଇଲେ ନାହିଁ । ରାକ୍ଷସରାଜ ଉଗ୍ରାକ୍ଷର ନିର୍ଦ୍ଧେଶ ମାନି ସମସ୍ତେ ତଳକୁ ଅନାଇଥାନ୍ତି ।

ପୁଣି ଏକପାଦର କଣ୍ଠସ୍ୱର ଶୁଭିଲା । କିନ୍ତୁ ଏଥର ତାହା ଆର୍ତ୍ତନାଦ ଭଳି ଶୁଭିଲା । ସେ କହୁଥାଏ, “ଆରେ, ଆରେ, ଏ ଲୋକଟା ଏଡେ ବିଶ୍ୱାସଘାତକ!”

ଏହା ପରେ ଅରୁଦ୍ରର କଣ୍ଠସ୍ୱର ଶୁଭିଲା । ସେ କହିଲା, “ଉଗ୍ରଦତ! ରାଜକନ୍ୟା ଚନ୍ଦ୍ରଲେଖା ତଳକୁ ଯେଉଁ ଦଉଡି ପକାଉଛନ୍ତି, ତାକୁ ଧରି ତୁମେ ଉପରକୁ ଉଠିଆସ । ମୁଁ ଏକପାଦକୁ ଗୋଟାଏ ଚମଡା ଥଳିରେ ଭର୍ତ୍ତି କରି ଥଳିର ମୁହଁ ବନ୍ଦ କରି ଦେଇଛି । ତେଣୁ ଭୟ କରିବାର ଆଉ କୌଣସି କାରଣ ନାହିଁ । କିନ୍ତୁ ସାବଧାନ! ଦ୍ରୋହୀ ନାଗବର୍ମା ଓ କରବୀର ଏଇ ଦ୍ୱୀପରେ କେଉଁଠାରେ ଲୁଚି ରହିଛନ୍ତି ।”

ଅରୁଦ୍ର ହଠାତ୍ କଥା କହିବା ବନ୍ଦ କଲା । ଶୁଣାଗଲା ଅସୀର ଝଣ ଝଣ ଶବ୍ଦ ତଥା ଦୁଇଟି ଅସୀ ଭିତରେ ସଂଘର୍ଷର ଶବ୍ଦ । ରାଜକନ୍ୟା ଚନ୍ଦ୍ରଲେଖା ପାଟି କରି କହିଲେ, “ଶୀଘ୍ର ଆସିଯା’ନ୍ତୁ । ଅରୁଦ୍ର ବର୍ତ୍ତମାନ କରବୀର ସହ ଲଢେଇ କରୁଛନ୍ତି । ଶୀଘ୍ର ଆସି ତାଙ୍କୁ ସାହାଯ୍ୟ କରନ୍ତୁ । ସେଇଟି, ଦ୍ରୋହୀ ନାଗବର୍ମା ବି ଏଇଠାରେ!”

ଏତିକି କହି ରାଜକନ୍ୟା ସେ କିଲ୍ଲା ଛାତରୁ ବାରନ୍ଦାକୁ ଡେଇଁ ପଡିଲେ ।

ଉଗ୍ରଦତ ଓ ଉଗ୍ରାକ୍ଷ ନିଜ ଅନୁଚରମାନଙ୍କୁ ସତର୍କ ରହିବାକୁ କହିଦେଇ ଦଉଡି ଧରି ତରତରରେ ବାରନ୍ଦା ଉପରକୁ ଉଠିଗଲେ । ଉପରକୁ ଯାଇ ଦେଖିଲେ, ଅରୁଦ୍ର କରବୀର ସହିତ ଓ ରାଜକନ୍ୟା ନାଗବର୍ମା ସହ ଲଢୁଛନ୍ତି । ଉଗ୍ରାକ୍ଷ ଉତ୍ସାହରେ କହିଲା, “ଝିଅ! ଆଉ ଭୟ ନାହିଁ । ମୁଁ ଏଥର ଆସିଗଲିଣି । ତୁ କ୍ଷତ୍ରୀୟ କୂଳର ଗୌରବ । ଭବିଷ୍ୟତରେ ତୋର ଯିଏ ଶାଶୁ ହେବେ, କପିଳପୁରର ସେ ରାଣୀ ବି ଦିନେ ବ୍ୟାଘ୍ରଚର୍ମଧାରୀଙ୍କ ସହ ଯୁଟିଥିଲେ । ମୁଁ ସ୍ୱଚକ୍ଷୁରେ ସେ ଦୃଶ୍ୟ ଦେଖିଥିଲି । ଆଜି ପୁଣି ସେହିଭଳି ଏକ ମହତ୍ ଦୃଶ୍ୟ ଦେଖିଲି ।”

ଏହା ପରେ ଉଗ୍ରାକ୍ଷ ତା’ ଭୀଷଣ ଗଦା ଉଠାଇ ନାଗବର୍ମା ଆଡକୁ ଦୌଡିଗଲା । କିନ୍ତୁ ସେ ଗଦାରେ ତାକୁ ଆଘାତ କରିବା ପୂର୍ବରୁ ରାଜକନ୍ୟାଙ୍କ ତରବାରୀ ନାଗବର୍ମାର ଜୀବନ ଅନ୍ତ କଲା ।

ରାକ୍ଷସମାନେ ଆସିବାର ଦେଖି କରବୀର ପଳାଇବାକୁ ଉଦ୍ୟତ ହେଲା । କିନ୍ତୁ ଅରୁଦ୍ରଙ୍କ ତରବାରୀ ପ୍ରହାରରେ ସେ ମଧ୍ୟ ପ୍ରାଣ ଦେଲା ।

ଏସବୁ ଦେଖି ସେ ସର୍ଦ୍ଦାର କନ୍ଧର ଉତ୍ସାହ କହିଲେ ଆଉ ନସରେ । ଯେଉଁ ଚମଡା ଥଳିରେ ଏକପାଦ ବନ୍ଧା ହୋଇଥିଲା, ତାହାକୁ ଶୂନ୍ୟକୁ ଉଠାଇ ସେ କହିଲା, “ଏକପାଦ! ବର୍ତ୍ତମାନ ତୁମେ ବୋଧହୁଏ ଅସୁବିଧାରେ ଅଛ । ଏବେ ଏ ଥଳି ମୁଁ ଅଗ୍ନି ପର୍ବତର ଗହ୍ୱର ଭିତରକୁ ପକାଇଦେଇ ତୁମର ସବୁ ଅସୁବିଧା ଦୂର କରିଦେବି ।” ଏହା ପରେ ସେ ଅଗ୍ନି ପର୍ବତ ଆଡେ ଦୌଡିବାକୁ ଲାଗିଲା ।

ଅରୁଦ୍ର କହିଲା, “ମୁଁ ଆପଣମାନଙ୍କୁ ପରିତ୍ୟାଗ କରିବାର ଅଭିନୟ କରି ଏକପାଦର ବିଶ୍ୱାସଭାଜନ ହୋଇପାରିଥିଲି । ରାଜକନ୍ୟାଙ୍କୁ ତଳକୁ ଫୋପାଡି ଦେବାର ଧମକ ଦେଲେ ସମସ୍ତେ ଉପରକୁ ଅନାଇବେ ଏବଂ ଏକପାଦ ନିଜ ଦେହରୁ ରକ୍ତ ବାହାର କରିବ ଓ ତାହା ଦେଖି ସମସ୍ତେ ମରିବେ, ଏହାହିଁ ଥିଲା ତା’ର ଯୋଜନା । ତା’ର ସେଭଳି ଯୋଜନା ସଫଳ ହେଲା ନାହିଁ, ଏହା ଆମର ଭାଗ୍ୟ । ମୁଁ ତ ଖାଲି ସୁଯୋଗ ଅପେକ୍ଷାରେ ଥିଲି । ସେ ତା’ ଘୋଷଣା ଶେଷ କରିବା ବେଳକୁ ମୁଁ ଚମଡା ଥଳି ତା’ ଉପରେ ଚାପି ତାକୁ ତହିଁ ଭିତରେ ବନ୍ଦୀ କଲି ।”

ସବୁକଥା ଶୁଣି ସମସ୍ତେ ସମସ୍ୱରରେ ଅରୁଦ୍ରର ପ୍ରଶଂସା କଲେ । ଉଗ୍ରଦତ ଉଗ୍ରାକ୍ଷ ଓ ଚନ୍ଦ୍ରଲେଖା ଆପଣା ଆପଣା ରାଜ୍ୟକୁ ଲେଉଟିଗଲେ । ସମସ୍ତେ କୂଶଳରେ ଅଛନ୍ତି ଜାଣି ରାଜା ଚିତ୍ରସେନ ଓ ସାମନ୍ତ ରଜା ସୁଦର୍ଶନଙ୍କ ଆନନ୍ଦ କହିଲେ ନ ସରେ । ଶୁଭ ମୁହୂର୍ତ୍ତରେ ଉଗ୍ରଦତଙ୍କ ସହ ରାଜକନ୍ୟା ଚନ୍ଦ୍ରଲେଖାଙ୍କ ବିବାହ ସମ୍ପନ୍ନ ହେଲା ।

ସର୍ଦ୍ଦାର କନ୍ଧ ବହୁ ଉପହାର ଧରି ସେ ବିବାହ ଉତ୍ସବରେ ଯୋଗ ଦେଲା ।

ଉଗ୍ରଦତ ଚନ୍ଦ୍ରଲେଖାଙ୍କ ପିତାଙ୍କ ରାଜ୍ୟ ତଥା ତା’ ପାଳକ ପିତାର ଅରଣ୍ୟ ରାଜ୍ୟ ସଙ୍ଗେ ସଙ୍ଗେ ନିଜ ପୈତୃକ ରାଜ୍ୟର ବି ଅଧୀଶ୍ୱର ହୋଇ ସୁଖରେ ଶାସନ କଲେ । ସେ ଓ ରାଣୀ ଚନ୍ଦ୍ରଲେଖା ପ୍ରଜାମାନଙ୍କର ବିଶେଷ ପ୍ରିୟ ହୋଇ ପାରିଥିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ