ବହ୍ନି ଦ୍ୱୀପ

ଚିତ୍ରସେନ ଆକସ୍ମିକ ଭାବରେ ବଣ ଭିତରେ ଗୋଟିଏ ଅଜବ ଉଆସର ଅଧିକାରୀ ହେଲେ । ତାଙ୍କ ପିତା ମହାରାଜା ତାରକେଶ୍ୱର ସେ ସମ୍ବାଦ ପାଇ ସେଠାକୁ ଆସି ତାଙ୍କ ସହ ସାକ୍ଷାତ୍ କଲେ । କେବେ କୌଣସି ପ୍ରକାର ଦରକାର ପଡିଲେ ତତ୍କ୍ଷଣାତ୍ ତାଙ୍କୁ ଖବର ଦେବାକୁ ପରାମର୍ଶ ଦେଇ ସେ ତାଙ୍କଠାରୁ ବିଦାୟ ନେଲେ । ତା’ପରେ–

                ପିତା ମହାରାଜ ତାରକେଶ୍ୱରଙ୍କୁ ବିଦାୟ ଦେଇ ଚିତ୍ରସେନ ନିଜ ମନ୍ତ୍ରୀମାନଙ୍କ ସହ ପ୍ରାସାଦକୁ ଫେରି ଆସି ଦେଖନ୍ତି ତ ପ୍ରାସାଦ ଆଗରେ ଅନେକ ଲୋକ ଭୀଡ ଜମାଇଛନ୍ତି ।

                ପ୍ରଥମେ ତ ସେ ଭାବିଲେ କି ସେମାନେ ତାଙ୍କୁ କେବଳ ଅଭିନନ୍ଦନ ଜଣାଇବାକୁ ହିଁ ଆସିଛନ୍ତି । ତେଣୁ ଗର୍ବରେ ତାଙ୍କ ଛାତି ଫୁଲି ଉଠିଲା । ତିନିଦିନ ଭିତରେ ସତେ ତାଙ୍କ ଜୀବନରେ କେତେ କାହିଁ ପରିବର୍ତ୍ତନ ହୋଇଗଲା! ସେ କେବେବି ଏଭଳି ଅଦ୍ଭୁତ ଘଟଣାମାନ କଳ୍ପନା ବି କରିପାରି ନଥାନ୍ତେ! କିନ୍ତୁ ସେମାନଙ୍କ ପାଖକୁ ଯାଇ ସେ ଲକ୍ଷ୍ୟ କଲେ ଲୋକେ ବିମର୍ଷ ଦେଖା ଯାଉଛନ୍ତି । ମାତ୍ର ସେ ଏହାର କାରଣ କ’ଣ କିଛି ବି ବୁଝି ପାରିଲେ ନାହିଁ । ସେମାନେ ତାଙ୍କୁ ଦେଖିବା ମାତ୍ରେ ଉଚ୍ଚ କଣ୍ଠରେ କହିଲେ, “ମହାରାଜ, “ମହାରାଜ! ଆମକୁ ରକ୍ଷା କରନ୍ତୁ! ଏ ବଣରେ ଯେଉଁ ରାକ୍ଷସ ଉଗ୍ରାକ୍ଷ ରହିଛି, ସେ ଅତ୍ୟନ୍ତ ନିର୍ମମ । ଏ ପର୍ଯ୍ୟନ୍ତ ତା’ ଅନୁଚରମାନେ ଆମମାନଙ୍କ ପାଳିତ ପଶୁମାନଙ୍କୁ ଧରିନେଇ ଯାଉଥିଲେ । ମାତ୍ର ଏବେ ପୁଣି ମଣିଷମାନଙ୍କୁ ବି ସେମାନେ ନେଇ ଯାଉଛନ୍ତି ।”

                ଉଗ୍ରାକ୍ଷ ରାକ୍ଷସର ନାମ ଶୁଣିବା ମାତ୍ରେ ପ୍ରଥମେ ପ୍ରଥମେ ତ ଚିତ୍ରସେନ ଡରିଗଲେ । ପରେ କିନ୍ତୁ ସେ ନିଜକୁ କହିଲେ କି ଏଣିକି ସେ ଆଉ ଖାଲି ରାଜକୁମାର ହୋଇ ନାହାଁନ୍ତି; ଅଧୁନା ସେ ଜଣେ ରାଜା । ତାଙ୍କର ପାତ୍ର ମିତ୍ର ମନ୍ତ୍ରୀ, ସବୁ ଅଛନ୍ତି । ସେନାବାହିନୀ ବି ରହିଛି । ତାଙ୍କ ରାଜକୋଷରେ ତ ଧନରତ୍ନର କୌଣସି ଅଭାବ ନାହିଁ । ପ୍ରଜାମାନେ ବି ବେଶ୍ ସ୍ୱଚ୍ଛନ୍ଦରେ ଚଳୁଛନ୍ତି । ତେଣୁ ସେ ଡରିବେ ବା କାହିଁକି? ପ୍ରଜାଙ୍କୁ ଯିଏ ହରକତ କରିବ, ସିଏ ମଣିଷ ହେଉ ବା ରାକ୍ଷସ ହେଉ, ତା’ର ପ୍ରତିରୋଧ କରିବା ତାଙ୍କର ପ୍ରଥମ ତଥା ପ୍ରଧାନ କର୍ତ୍ତବ୍ୟ ।  ଏପରି ଭାବି ଚିତ୍ରସେନ ତାଙ୍କ ପ୍ରଜାମାନଙ୍କୁ ପ୍ରଶ୍ନ କଲେ, “ତମ ପାଳିତ ପଶୁମାନଙ୍କୁ ବା ତମ ବସତିରୁ ମଣିଷଙ୍କୁ ଯିଏ ଧରି ନେଇଯାଉଛି, ସିଏ ଉଗ୍ରାକ୍ଷ ବୋଲି ତୁମେମାନେ କିପରି ଜାଣିଲ?”

ତାଙ୍କ ପ୍ରଶ୍ନ ଶୁଣି ଲୋକଙ୍କ ଭିତରେ ଗୁଞ୍ଜରଣ ଉଠିଲା । ସେମାନଙ୍କ ମଧ୍ୟରୁ ନେତୃ ସ୍ଥାନୀୟ ଜଣେ ବ୍ୟକ୍ତି ଆଗକୁ ଆସି କହିଲା, “ମହାରାଜ! ଉଗ୍ରାକ୍ଷ ବା ତା’ ଅନୁଚରମାନେ ଆମ ଗୃହପାଳିତ ପଶୁଙ୍କୁ ଉଠାଇ ନେଇଯିବାର ଆମେ ନିଜ ଆଖିରେ ଦେଖିଛୁ । ମଣିଷଙ୍କୁ ନେଇଯିବା ବେଳେ ଆମେ କେହି ଦେଖିନାହୁଁ ସତ, କିନ୍ତୁ ରାକ୍ଷସ ଛଡା ମଣିଷଙ୍କୁ ଆଉ ନେଇଯିବ ବା କିଏ?”

ସେମାନଙ୍କ ସବୁ ସମସ୍ୟା ବିଷୟରେ ଶୁଣି ଚିତ୍ରସେନ ପୁଣି ପଚାରିଲେ “ଉଗ୍ରାକ୍ଷ ବା ତା’ ଅନୁଚର ଭଳି ଦିଶୁଥିବା କୌଣସି ରାକ୍ଷସ କୌଣସି ମଣିଷକୁ ଉଠାଇ ନେଇ ଗଲାବେଳେ ତମମାନଙ୍କ ଭିତରୁ କେହି ତାଙ୍କୁ ଦେଖିଛି କି? କିମ୍ବା କୌଣସି ଲୋକ ସେ ରାକ୍ଷସ କବଳରୁ ଖସି ଆସି ତମମାନଙ୍କୁ ତା’ ଦୁର୍ଦ୍ଦଶା କଥା ସେ କିଛି କହିଛି କି?”


ଗପ ସାରଣୀ

ତାଲିକାଭୁକ୍ତ ଗପ