ବହ୍ନି ଦ୍ୱୀପ

ଉଗ୍ରାକ୍ଷ ଅଳ୍ପ ଦୂର ଯିବା ପରେ ଦେଖିଲା, ଗୋଟିଏ ଗଛ ମୂଳରେ କେତେଜଣ ରାକ୍ଷସ କୋଳାହଳ କରୁଛନ୍ତି । ଉପରେ ଭୟଙ୍କର ପକ୍ଷୀଟିଏ ଚକ୍ରାକାରେ ଉଡୁଛି । ଉଗ୍ରାକ୍ଷ ଆସୁଥିବାର ଦେଖି ସେମାନେ ଚୁପ୍ ହୋଇଗଲେ । ସେମାନଙ୍କ ଭିତରୁ ଜଣେ ଦୌଡି ଆସି ତାକୁ ଖଣ୍ଡିଏ ରଙ୍ଗୀନ୍ କନାରେ ବନ୍ଧା ହୋଇଥିବା ଚିଠିଟିଏ ଦେଖାଇଲା ।

ଜଣେ ରାକ୍ଷସ କହିଲା “ମାଲିକ! ଏ ଭୟଙ୍କର ପକ୍ଷୀ ଉପରେ ତିନିଜଣ ସବାର୍ ହୋଇଛନ୍ତି । କିନ୍ତୁ ସେମାନେ କେହି ବ୍ୟାଘ୍ରଚର୍ମଧାରୀ ନୁହଁନ୍ତି । ଦୁଇଜଣ ଭଲ୍ଲୁକଚର୍ମଧାରୀ । ସେମାନେ ଆମକୁ ଦଗା ଦେବା ଉଦ୍ଧେଶ୍ୟରେ ସେପରି ବେଶ ହୋଇଛନ୍ତି କି ନା କହିବା ସହଜ ନୁହେଁ । ଏ ଚିଜ ସେମାନେ ତଳକୁ ପକାଇ ଦେଇଛନ୍ତି ।”

ଉଗ୍ରାକ୍ଷ ଚିଠିଟି ଖୋଲିଲା ଓ ଆହୁରି ରାଗିଯାଇ କହିଲା, “ଆରେ ବୋକା, ମଣିଷଙ୍କ ଲେଖା ଏ ଚିଠି ମୋତେ ଦେଇ ଲାଭ କ’ଣ?”

                ସେତିକିବେଳେ ତା’ ଆଖି ଜଣେ ମଣିଷ ଉପରେ ପଡିଲା । ତାକୁ ଡାକି ଆଣି ସେ ଚିଠିଟି ପଢିବାକୁ ନିର୍ଦେଶ ଦେଲା । ଲୋକଟି ଚିଠି ପଢି ହସି କହିଲା, “ରାକ୍ଷସରାଜ! ଏ ଚିଠି ପଠାଇଛନ୍ତି ତମ ପାଳିତ ପୁତ୍ର ଉଗ୍ରଦତ । ସେ ବର୍ତ୍ତମାନ ବହ୍ନିଦ୍ୱୀପରେ । ଯେଉଁ ତିନିଜଣ ଲୋକ ବର୍ତ୍ତମାନ ଆମ ଉପରେ ଉଡୁଥିବା ଭୟଙ୍କର ପକ୍ଷୀ ଉପରେ ସବାର୍ ହୋଇଛନ୍ତି, ତହିଁ ଭିତରୁ ଜଣେ ହେଲେ ରୁଦ୍ର । ତାଙ୍କ ସହ ଦୁଇଜଣ ଭଲ୍ଲୁକଚର୍ମଧାରୀ ଅଛନ୍ତି । ସେମାନେ ତୁମ ପାଇଁ କିଛି ବାର୍ତ୍ତା ଆଣିଛନ୍ତି ।”

                ଉଗ୍ରାକ୍ଷ ବ୍ୟସ୍ତ ହୋଇ କହିଲା “ଓହୋ! ମୋ ଉଗ୍ରଦତ ତେବେ ନିରାପଦରେ ଅଛି । ବର୍ତ୍ତମାନ ସେ ସତରେ କିଭଳି ଅବସ୍ଥାରେ ରହିଛି କିଏ ଜାଣେ! ସେ ନିଜେ ନ ଆସି ରୁଦ୍ରକୁ କାହିଁକି ପଠାଇଲା? ତା’ ପ୍ରତ୍ୟାବର୍ତ୍ତନ ପାଇଁ ମୁଁ କେତେ ବ୍ୟାକୁଳ ହେଉଥିବି, ଏତକ କ’ଣ ସେ ବୁଝିପାରିଲା ନାହିଁ? ସେ ଯାହାହେଉ, ତୁମେମାନେ ସେ ଭୟଙ୍କର ପକ୍ଷୀକୁ ତଳେ ଓହ୍ଲାଇବା ନିମନ୍ତେ ସଙ୍କେତ ଦିଅ ।”

                ସଙ୍ଗେ ସଙ୍ଗେ ରାକ୍ଷସ ତଥା ଆଖପାଖରେ ଥିବା ମଣିଷମାନେ ଗଛ ଚଢି, କିଏ ବା ଖୋଲା ସ୍ଥାନରେ ଗଛ ଡାଳ ହଲାଇ ଓ ପାଟି କରି ସେ ପକ୍ଷୀକୁ ଅବତରଣ କରିବାକୁ ସଙ୍କେତ ଦେଲେ । ପକ୍ଷୀ ଏଥର ମୁଣ୍ଡ ତଳକୁ କରି ଚକ୍ରାକାରେ ଧୀରେ ଧୀରେ ଖସିବାକୁ ଲାଗିଲା ।

ପକ୍ଷୀ ମାଟିରେ ବସିବା ପୂର୍ବରୁହିଁ ରୁଦ୍ର ତା’ ପିଠିରୁ କୁଦି ପଡି ଉଗ୍ରାକ୍ଷ ଆଡେ ଦୌଡିବାକୁ ଲାଗିଲା । ନିଜ ମୁଲକକୁ ଫେରିଆସିପାରିଥିବା ଯୋଗୁଁ ତା’ ମନରେ ଆନନ୍ଦ ଉଚ୍ଛୁଳି ଉଠୁଥାଏ ।

ଉଗ୍ରାକ୍ଷ ବି ତାକୁ ଦେଖି ନିଜ ଖୁସି ଆଉ ସମ୍ଭାଳି ପାରିଲାନାହିଁ । ସେ ଥରେ ତାକୁ ଶୂନ୍ୟକୁ ତୋଳି ଧରି ତା’ପରେ ତଳେ ଠିଆ କରାଇ ଦେଲା ଓ ତାକୁ ଆପାଦମସ୍ତକ ନିରୀକ୍ଷଣ କରି କହିଲା, “ଉଗ୍ରଦତ କୂଶଳରେ ଅଛି ତ? ତୋ ସାଥିରେ ସେ କାହିଁକି ଆସିଲା ନାହିଁ? ଅରୁଦ୍ରର ଖବର କ’ଣ?”

ରୁଦ୍ର ସ୍ପଷ୍ଟ ଭାବରେ କହିଲା “ସର୍ଦ୍ଦାର! ଉଗ୍ରଦତ ଭଲ ଅଛି । ତେବେ ଅରୁଦ୍ର ଏବଂ ସାମନ୍ତ ରାଜା ସୁଦର୍ଶନଙ୍କ କନ୍ୟା ଚନ୍ଦ୍ରଲେଖା ବ୍ୟାଘ୍ରଚର୍ମଧାରୀଙ୍କ ହାତରେ ବନ୍ଦୀ ହୋଇଛନ୍ତି । ଯେ ପର୍ଯ୍ୟନ୍ତ ବ୍ୟାଘ୍ରଚର୍ମଧାରୀଙ୍କ ନେତା ଏକପାଦକୁ ଦମନ କରା ନ ହୋଇଛି, ସେ ପର୍ଯ୍ୟନ୍ତ ବୋଧହୁଏ ଉଗ୍ରଦତ ଆଉ ଏଠାକୁ ଆସିପାରିବେ ନାହିଁ କି ରାଜକୁମାରୀ ଚନ୍ଦ୍ରଲେଖା ଓ ଅରୁଦ୍ରକୁ ବି ଆମେ ମୁକ୍ତ କରିପାରିବା ନାହିଁ । ଏକପାଦକୁ ନିଧନ କରିବା ଦିଗରେ ଭଲ୍ଲୁକଚର୍ମଧାରୀଙ୍କ ସର୍ଦ୍ଦାର କନ୍ଧ ଓ ଉଗ୍ରଦତ ଆପଣଙ୍କ ସହାୟତା କାମନା କରୁଛନ୍ତି ।”

ଉଗ୍ରାକ୍ଷ ଉତ୍ତେଜିତ ଭାବରେ କହିଲା “ଉଗ୍ରଦତ ବିପଦରେ ପଡିଥିବ ଆଉ ମୁଁ ଧୈର୍ଯ୍ୟ ଧରି ବସି ପାରିବି? ସେ ସହାୟତା ମାଗିବା କ’ଣ ଦରକାର? ସେ ଯାହା ଚାହେଁ, ସେତକ ଜାଣିବା ମାତ୍ରେ ସେ ଦିଗରେ ମୋର ସବୁ ଶକ୍ତି ଖଟାଇ ଯାହା କିଛିବି କରାଯାଇ ପାରେ ମୁଁ ତ ତାହା ଅବଶ୍ୟ କରିବି । ସେ ମୋ ନୟନ ପିତୁଳା । ମୁଁ ସର୍ବଦା ତା’ ବାଟକୁ ଅନାଇ ବସିଛି । ମୋ ପରେ ତ ପୁଣି ସେ ହେବ ଏ ଅରଣ୍ୟରାଜ୍ୟର ରାଜା!”

ଉଗ୍ରାକ୍ଷ ଟିକିଏ ଶାନ୍ତ ହେବା ପରେ ରୁଦ୍ର ବହ୍ନିଦ୍ୱୀପର ହାଲ୍ଚାଲ୍ ତାକୁ ବତାଇଲା । ସେଠାରେ ଦୁଇଦଳ କିପରି ଭୀଷଣ ଭାବରେ ପରସ୍ପର ବିରୋଧ କରୁଥିଲେ, ଭଲ୍ଲୁକଚର୍ମଧାରୀମାନଙ୍କ ସର୍ଦ୍ଦାର କନ୍ଧ କିପରି ଜଣେ ସହୃଦୟ ବ୍ୟକ୍ତି ଏବଂ ତାହାରି ଯୋଗୁଁ କିପରି ଉଗ୍ରଦତ ନିରାପଦରେ ରହିଛନ୍ତି, ସେ ଏସବୁ ବର୍ଣ୍ଣନା କଲା । ତା’ପରେ ସେ କହିଲା, “ଆପଣମାନଙ୍କୁ ନୌକା ଚଢି ବହ୍ନିଦ୍ୱୀପ ଯିବାକୁ ପଡିବ । ସେଠାରେ ପହଁଚିବାକୁ ଦୁଇଦିନ ଦୁଇରାତି ଲାଗିବ । ମୋ ସହିତ ଆସିଥିବା ଭଲ୍ଲୁକଚର୍ମଧାରୀ ଦୁଇଜଣଙ୍କ ଭିତରୁ ଜଣେ ପଥ ଦେଖାଇବେ ।” ଏହା କହି ରୁଦ୍ର ଶମ୍ବୁକ ନାମକ ଭଲ୍ଲୁକଚର୍ମଧାରୀ ସହ ଉଗ୍ରାକ୍ଷର ପରିଚୟ କରାଇଦେଲା । ଏହାପରେ ପକ୍ଷୀ ଆରୋହଣ କରି ରୁଦ୍ର ଅନ୍ୟ ଲୋକଟି ସହ ବହ୍ନିଦ୍ୱୀପକୁ ପ୍ରତ୍ୟାବର୍ତ୍ତନ କଲା । ମାର୍ଗଦର୍ଶକ ଶମ୍ବୁକ ରହିଗଲା ।

ଉଗ୍ରାକ୍ଷ ନିଜ ସୈନ୍ୟମାନଙ୍କ ଭିତରୁ ପାଞ୍ଚଶହ ଜଣଙ୍କୁ ବାଛିଲା ଓ ସେମାନଙ୍କୁ ଧରି ବହ୍ନିଦ୍ୱୀପ ଅଭିମୁଖେ ବାହାରି ପଡିଲା । ସେମାନେ ବଣ ଜଙ୍ଗଲ ପାରି ହୋଇ ପ୍ରାୟ ସପ୍ତାହେ ଧରି ଚାଲି ସମୁଦ୍ର କୂଳରେ ଯାଇ ପହଁଚିଲେ ।

ରାକ୍ଷସମାନଙ୍କ ଭିତରୁ ଅନେକେ ତ ପୂର୍ବରୁ ସମୁଦ୍ର ଦେଖି ନଥିଲେ । ସେ ଜଳରାଶି ଦେଖି ସେମାନେ ନିଜ ନିଜ ଭିତରେ କହୁଥା’ନ୍ତି, “ଏହାର ଅନ୍ତ କାହିଁ? ଏହା ସେ ପାଖରେ କ’ଣ କୌଣସି ଦେଶ ଅଛି? ଆମକୁ ଆଉ କେହି ପ୍ରତାରିତ କରୁନାହିଁ ତ? ଏହି ଜଳରାଶି ଭିତରେ ହୁଏତ ଆମର ପ୍ରାଣ ଯିବ ।”

ସେମାନଙ୍କର ସେସବୁ ମନ୍ତବ୍ୟ ଉଗ୍ରାକ୍ଷ କାନରେ ପଡିଲା । ସେ ଧମକ ଦେଇ କହିଲା “ଚୁପ୍ କର! ବର୍ତ୍ତମାନ କାମରେ ଲାଗିଯାଅ । ବଡ ବଡ ଗଛ କାଟି ସେଥିରେ ନୌକାଟିମାନ ବନାଇବାକୁ ହେବ । ଯେପରିକି ଗୋଟିଏ ଗୋଟିଏ ନୌକାରେ ପଚାଶ ସରିକି ଲୋକ ବସିବେ । ସାବଧାନ, କାମ ଭଲ ନହେଲେ ତମମାନଙ୍କ ଆଶଙ୍କା ସତ୍ୟ ହେବ; ସମୁଦ୍ରରେ ପ୍ରାଣ ଯିବ ।”

ଉଗ୍ରାକ୍ଷର ନିର୍ଦେଶରେ ରାକ୍ଷସମାନେ କାମ କରିବାକୁ ଲାଗି ପଡିଲେ । ବଡ ବଡ ଗଛ କାଟି ସେମାନେ ନୌକା ତିଆରି କଲେ । ଫଳରେ ଦଶଟି ନୌକା ତିଆରି ହୋଇଗଲା ।

ଦୁଇ ତିନିଦିନ ବିତିଗଲା । ଦିନେ ସକାଳେ ସେମାନେ ଜଳଯାତ୍ରା ପାଇଁ ପ୍ରସ୍ତୁତ ହେଲେ । ଉଗ୍ରାକ୍ଷ ତା’ ନୌକାରେ ବସିବାକୁ ଯାଉଛି, କପିଳପୁରର ରାଜା ଚିତ୍ରସେନଙ୍କଠାରୁ ଜଣେ ଦୂତ କୌଣସି ସନ୍ଦେଶ ଧରି ଆସି ପହଁଚିଲା । ଦୂତ ମୁହଁରୁ ସବୁ ଶୁଣି ଉଗ୍ରାକ୍ଷ ଜାଣିଲେ କି ରାଜା ଚିତ୍ରସେନ ବହ୍ନିଦ୍ୱୀପରେ ଘଟୁଥିବା ସବୁ ବ୍ୟାପାର ଜାଣନ୍ତି । ଚିତ୍ରସେନ କହି ପଠାଇଥିଲେ କି ସେ ନିଜ ସୈନ୍ୟ ସାମନ୍ତ ନେଇ ଉଗ୍ରାକ୍ଷର ସହାୟତା କରିବାକୁ ପ୍ରସ୍ତୁତ ।

ଦୂତ କହିଲା, “ରାକ୍ଷସରାଜ! ରାଜକୁମାର ଉଗ୍ରଦତ ଓ ସାମନ୍ତରାଜାଙ୍କ କନ୍ୟା ଚନ୍ଦ୍ରଲେଖାକୁ ବ୍ୟାଘ୍ରଚର୍ମଧାରୀମାନେ ହରଣଚାଲ କରିନେଇ ଯାଇଛନ୍ତି, ଏକଥା ଜାଣି ମହାରାଜା ଚିତ୍ରସେନ ବଡ ଉଦ୍ବିଗ୍ନ । ଦ୍ରୋହୀ ନାଗବର୍ମା ସହ ମହାରାଜା ଚିତ୍ରସେନ ଯେଉଁ ଯୁଦ୍ଧ କରିଥିଲେ ସେଥିରେ ସାମନ୍ତ ରାଜା ସୁଦର୍ଶନ ଅନେକ ପ୍ରକାରେ ସାହାଯ୍ୟ କରିଥିଲେ । ସେ ପରିବାର ପୁଣି ମହାରାଣୀଙ୍କ ବନ୍ଧୁବାନ୍ଧବ । ରାଜକୁମାର ଅମିତ୍ସେନ୍ଙ୍କ ସହ ରାଜକୁମାରୀ ଚନ୍ଦ୍ରଲେଖାଙ୍କ ବିବାହ ହେଉ, ଏହାହିଁ ରାଜା ରାଣୀଙ୍କ କାମନା ଥିଲା । ବର୍ତ୍ତମାନ ରାଜକୁମାରଙ୍କୁ ରକ୍ଷା କରିବା ନିମନ୍ତେ ଯାହା ଦରକାର ତାହା କରିବାକୁ ମହାରାଜା ପ୍ରସ୍ତୁତ ।”

ଉଗ୍ରାକ୍ଷ କ୍ରୋଧରେ ଗଦା ଉଠାଇ ଦୂତକୁ ପ୍ରହାର କରିବାକୁ ଯାଇ ଅଟକିଗଲା ଓ କହିଲା, “ସେ ରାଜକୁମାର ଅମିତସେନ ନୁହେଁ, ତା’ର ନାମ ଉଗ୍ରଦତ । ସେ ମୋ ପୁଅ । ତମ ରାଜା ରାଣୀଙ୍କୁ ଯାଇ କୁହ, ମୋ ପୁଅ ପାଇଁ ସେମାନେ ଏତେ ଉତ୍କଣ୍ଠିତ ହେବାର କୌଣସି ଆବଶ୍ୟକତା ନାହିଁ । ସାମନ୍ତ ରାଜା ସୁଦର୍ଶନ କିଏ, ସେକଥା ମୁଁ ଜାଣେନା । ତାଙ୍କ କନ୍ୟା ଚନ୍ଦ୍ରଲେଖା ମୋର ବୋହୁ ହେବାକୁ ଯୋଗ୍ୟ କି ନୁହେଁ, ସେକଥା ମୁଁ ବିଚାର କରିବି । ସେଥିରେ ଆଉ କାହାରି କିଛି କହିବାର ଥାଇ ନ ପାରେ । ବାସ୍ । ତମେ ଏଥର ଏଠୁ ଯାଇପାର ।”

ଦୂତ ବୁଝିଲା କି ଉଗ୍ରାକ୍ଷ ସହିତ ଯୁକ୍ତିତର୍କ କରିବାକୁ ଯିବା ଅର୍ଥ ନିଜ ଜୀବନ ବିପନ୍ନ କରିବା । ସୁତରାଂ ସେ ଶଙ୍କି ଯାଇ ଦୂରେଇ ଠିଆ ହେଲା । ଉଗ୍ରାକ୍ଷ ନୌକା ଛାଡିବାକୁ ଆଦେଶ ଦେଲା । ସେମାନେ ପଶୁ ଛାଲରେ ତିଆରି ପାଲ ଟାଙ୍ଗିଥାନ୍ତି । ଅନୁକୂଳ ପବନରେ ଭେଳା ଭଳି ନୌକା ସବୁ ଭାସିଗଲେ । ସବା ଆଗ ନୌକାରେ ଦିଗ୍ଦର୍ଶକ ଶମ୍ବୁକ ଥାଏ । ରାକ୍ଷସମାନଙ୍କ ନୌକା ସବୁ ପୂର୍ବ ଦିଗକୁ ଯାଉଥାନ୍ତି । ଗୋଟିଏ ଦିନ ଓ ଗୋଟିଏ ରାତି ନିର୍ବିଘ୍ନରେ କଟିଗଲା । ନୌକା ଗୁଡିକ ବେଶ୍ କିଛି ଦୂର ଚାଲିଗଲେ ।

ତୃତୀୟ ଦିନ ସୂର୍ଯ୍ୟୋଦୟ ବେଳେ ଦୂରରେ ଅଗ୍ନିଶିଖା ଦେଖାଗଲା । “ବହ୍ନିଦ୍ୱୀପ! ବହ୍ନିଦ୍ୱୀପ!” ବୋଲି ରାକ୍ଷସମାନେ ହୁରି କଲେ ।

ହଠାତ୍ ସେ ଦ୍ୱୀପ ଆଡୁ କିଛି ଗୋଟାଏ ଆକାଶରେ ସେମାନଙ୍କ ଆଡକୁ ଆସୁଥିବାର ଦେଖାଗଲା । ପାଖକୁ ଆସିବାବେଳକୁ ବୁଝାଗଲା, ତାହା ଏକ ଭୟଙ୍କର ପକ୍ଷୀ ।


ଗପ ସାରଣୀ

ତାଲିକାଭୁକ୍ତ ଗପ