ବହ୍ନି ଦ୍ୱୀପ

                ଏହା କହି ଚିତ୍ରସେନ ଉଗ୍ରାକ୍ଷଠାରୁ ବିଦାୟ ନେବାକୁ ବସିଲେ । ସେ କହିଗଲେ, “ଉଗ୍ରାକ୍ଷ! ତମର ବିଶ୍ରାମ ଲୋଡା । ନିଜ କିଲ୍ଲାକୁ ମଧ୍ୟ ମଜବୁତ୍ କର । ମୁଁ ବି ମୋ ପ୍ରାସାଦର ସୁରକ୍ଷା ଦିଗରେ ଦୃଷ୍ଟି ଦେବି । ଆଚ୍ଛା, ମୁଁ ଏଥର ଚାଲିଲି ।”

                ଅନୁଚରମାନଙ୍କ ସହ ଚିତ୍ରସେନ ନିଜ ପ୍ରାସାଦ ଅଭିମୁଖେ ଚାଲିଲେ । ଉଗ୍ରାକ୍ଷ କିଛି ବାଟ ତାଙ୍କ ପଛେ ପଛେ ଯାଇ କହିଲା, “ଚିତ୍ରସେନ! ମୋର ଏ ଦୟନୀୟ ଅବସ୍ଥା ବିଷୟରେ ତମ ଲୋକେ ଯେପରି ଅନ୍ୟମାନଙ୍କ ଆଗରେ କିଛିବି ଆଲୋଚନା ନ କରନ୍ତି । ସେପରି କଲେ ମୋର ସମ୍ମାନ ଯିବ ।”

                ଚିତ୍ରସେନ ହସିବେ କି ଦୁଃଖ କରିବେ ବୁଝିପାରିଲେ ନାହିଁ । ସେ ମୁଣ୍ଡ ହଲାଇଲେ । ତାଙ୍କ ସେନାପତି ତାଙ୍କୁ କହିଲେ, “ମହାରାଜ! ଅଗ୍ନିଦ୍ୱୀପର ଶତ୍ରୁମାନଙ୍କର ମୁକାବିଲା ସକାଶେ ଆମକୁ ରାକ୍ଷସମାନଙ୍କର ପ୍ରତ୍ୟକ୍ଷ ସହଯୋଗ ଲୋଡା । ଆମେ ସାଧାରଣ ମଣିଷମାନେ ସେମାନଙ୍କ କବଳରୁ କିପରି ଆମ ରାଜ୍ୟକୁ ଆମେ ରକ୍ଷା କରି ପାରିବା?”

                ଚିତ୍ରସେନ ସେନାପତିଙ୍କ ଏ କଥା ଶୁଣି ଭାରି ବିରକ୍ତ ହେଲେ । ତେବେ ନିଜକୁ ସମ୍ଭାଳି ସେ କହିଲେ, “ସେନାପତି! ଆମେ କ’ଣ ଆମ ରାଜ୍ୟ ରକ୍ଷା କରିବା ସକାଶେ ଦଳେ ରାକ୍ଷସଙ୍କୁ ବାନ୍ଧି ନେଇଯାଇ ପାରିବା? ନା ରାକ୍ଷସମାନଙ୍କ ପାଖରେ ଆମ ରାଜ୍ୟ ବନ୍ଧକ ଦେବା? ତମେ ଜଣେ ଯୋଦ୍ଧା । ଆମେ ଯଦି ଆମ ରାଜ୍ୟ ରକ୍ଷା କରି ନ ପାରିବା, ତେବେ ମୁଁ ରାଜପଦ ଓ ତମେ ସେନାପତି ପଦ ଛାଡିଦେବା ଆବଶ୍ୟକ ।”

                ସେନାପତି ଲଜ୍ଜିତ ହେଲେ । ସେ ଆଉ କିଛିବି କହିଲେ ନାହିଁ ।

                ସେମାନେ ଅଳ୍ପ ଦୂର ଯାଇଛନ୍ତି, ପଛରୁ ଏକ ଚିତ୍କାର ଶୁଭିଲା । ଚିତ୍ରସେନ ଆଶ୍ଚର୍ଯ୍ୟ ହୋଇ ବୁଲି ଅନାଇଲେ । “ମହାରାଜ, ମହାରାଜ!” ବୋଲି ଡାକ ଛାଡି ଦୁଇଜଣ ରାକ୍ଷସ ସେମାନଙ୍କ ଆଡକୁ ଦୌଡି ଦୌଡି ଆସୁଥିବାର ସେମାନେ ଦେଖିଲେ ।

                ଚିତ୍ରସେନ ଅପେକ୍ଷା କଲେ । ପ୍ରଥମେ ଆଗେ ଆଗେ ଆସୁଥିବା ଦୁଇ ରାକ୍ଷସ ତାଙ୍କ ପାଖକୁ ଆସି ଗଭୀର ଭାବରେ ନିଃଶ୍ୱାସ ନେଇ କହିଲେ, “ମହାରାଜ! ଅଗ୍ନି ଦ୍ୱୀପର ଲୋକେ ପୁଣି ଆମ ବଣ ଉପରେ ଚଢଉ କରିବେ ନାହିଁ ତ?”

                ଚିତ୍ରସେନ ପୂର୍ବ ଦିଗକୁ ଅନାଇ କହିଲେ, “ସୂର୍ଯୋଦୟ ସକାଶେ ଆଉ ଅଧିକ ବିଳମ୍ବ ନାହିଁ । ଦିନବେଳେ ସେମାନେ ଆସିବେ ବୋଲି ମୋର ମନେ ହୁଏନାହିଁ ।”

                ଦୁଇ ରାକ୍ଷସ କହିଲେ “ମହାରାଜ, ଆମ ରାଜା ଉଗ୍ରାକ୍ଷ ଆପଣଙ୍କୁ ଡାକୁଛନ୍ତି । ସେ ବର୍ତ୍ତମାନ କୁମ୍ଭୀଢିଲା ପାଖରେ ଅଛନ୍ତି । ଦୟାକରି ସେଠାକୁ ଚାଲନ୍ତୁ ।”

                ଚିତ୍ରସେନ ଆଶ୍ଚର୍ଯ୍ୟ ହୋଇ ପଚାରିଲେ “ମୁଁ ତ ବର୍ତ୍ତମାନ ତାଙ୍କଠୁଁ ବିଦାୟ ନେଇ ଆସିଲି । ହଠାତ୍ ପୁଣି ଏମିତି କ’ଣ ଦରକାର ପଡିଲା?”

                “ମହାରାଜ, ଅଗ୍ନିଦ୍ୱୀପର ଗୋଟିଏ ଲୋକ ଅଟକି ଯାଇଛି । ତେଣୁ ଆମ ରାଜା ଆପଣଙ୍କୁ ଡାକୁଛନ୍ତି ।”

                ଚିତ୍ରସେନ ପଚାରିଲେ “ସତେ? ତାକୁ ବନ୍ଦୀ କରିଛ ତ?”

                “ନା, ମହାରାଜ! ସେ ଗଛ ଚଢି ବସିଛି । ଓହ୍ଲାଇବାକୁ ମନା କରୁଛି । ଆପଣ ଆସିଲେ ଯାହା କରିବାର କରାହେବ ।”

                ରାକ୍ଷସ ବାର୍ତ୍ତାବହଠୁଁ ଏ ଖବର ପାଇ ଚିତ୍ରସେନ ଆଉ ଦ୍ୱିଧା ନକରି କୁମ୍ଭୀଢିଲା ଆଡେ ଚାଲିଲେ । ଦୁଇ ରାକ୍ଷସ ଆଗେ ଆଗେ ବାଟ ଦେଖାଇ ଚାଲିଥାନ୍ତି । ଶତ୍ରୁ ପକ୍ଷର ଗୋଟାଏ ଲୋକ ଗଛ ଚଢି ବସିଛି । ତାକୁ ତଳକୁ ଆଣିବା ଭଳି ଶକ୍ତି କ’ଣ ଉଗ୍ରାକ୍ଷର ନାହିଁ? ନା ଏ ରାକ୍ଷସ ଦୁଇଜଣ ମଦ ପିଇ ଯାହା ମନ ତାହା ଗପୁଛନ୍ତି? ଚିତ୍ରସେନ ଏହି ସବୁ ବିଷୟ ଚିନ୍ତା କରୁଥାନ୍ତି ।

                ଅଧଘଂଟାଏ ଭିତରେ ଚିତ୍ରସେନ ଯାଇ କୁମ୍ଭୀଢିଲା ପାଖରେ ପହଁଚିଗଲେ । ସେ ଦେଖିଲେ, ଦଳେ ରାକ୍ଷସ ସେଠି ଗୋଟାଏ ଗଛ ମୂଳରେ ଜମା ହୋଇଛନ୍ତି । ସେମାନଙ୍କ ଆଗରେ ଉଗ୍ରାକ୍ଷ । ସମସ୍ତଙ୍କ ଆଖି ଗଛ ଉପରେ । ଚିତ୍ରସେନ ଟିକିଏ ପାଖକୁ ଯାଇ ଦେଖିଲେ, ବ୍ୟାଘ୍ରଚର୍ମଧାରୀ ଗୋଟାଏ ଲୋକ ଗଛ ଉପରେ ବସିଛି । ମଧ୍ୟେ ମଧ୍ୟେ ତରବାରୀ ହଲାଇ ପାଟି କରି ସେ ସମସ୍ତଙ୍କୁ ଡରାଇବାକୁ ଚେଷ୍ଟା କରୁଛି ।

                ଚିତ୍ରସେନଙ୍କୁ ଦେଖି ରାକ୍ଷସରାଜ ଉଗ୍ରାକ୍ଷ ଖୁସି ହେଲା । ଉଗ୍ରାକ୍ଷ କହିଲା “ଚିତ୍ରସେନ! ଏ ଲୋକ ତଳକୁ ଆସିବାକୁ ଆଦୌ ପ୍ରସ୍ତୁତ ନୁହେଁ । ତା’ର କାରଣ, ସେ ଭାବୁଛି ଆମେ ରାକ୍ଷସମାନେ ତାକୁ କାଳେ ଖାଇ ପକାଇବୁ । ସେ କହୁଛି କେହି ଗଛ ଚଢି ତାକୁ ଧରିବାକୁ ଚେଷ୍ଟା କଲେ ସେ ତରବାରୀ ଯୋଗେ ତାକୁ ମାରିବ ଓ ନିଜେ ବି ମରିବ । ତମେ ତାକୁ ଅଭୟ ଦେଇ ତଳକୁ ଆଣ ।”

                ଚିତ୍ରସେନ ପଚାରିଲେ “ଏ ଲୋକ ଏଠାକୁ କେଉଁଠାରୁ ଆସିଲା?”

                ଉଗ୍ରାକ୍ଷ କହିଲା “ରାତିରେ ସେମାନଙ୍କ ସହ ଆମର ଲଢେଇ ହେଉଥିବା ବେଳେ ନିଜ ଦଳଠୁଁ ଅଲଗା ହୋଇ ନିଶ୍ଚୟ ରହିଯାଇଥିବ । ଏହାଠୁଁ ଅନେକ କଥା ଜାଣିହେବ ।”

                ଚିତ୍ରସେନ ଗଛ ମୂଳକୁ ଯାଇ ସେ ଲୋକଟି ଆଡେ ଅନାଇ କହିଲେ, “ଆସ, ଆସ, ତଳକୁ ଚାଲି ଆସ । ତମର କୌଣସି ଭୟ ନାହିଁ ।”

                ଲୋକଟି ଆଶ୍ଚର୍ଯ୍ୟ ହୋଇ ଚିତ୍ରସେନଙ୍କୁ ଲକ୍ଷ୍ୟ କରି ଦେଖିଲା । ଚିତ୍ରସେନ ପୁଣି ଥରେ ତାକୁ ଓହ୍ଲାଇ ଆସିବାକୁ କହିଲେ ।

                ବ୍ୟାଘ୍ରଚର୍ମାବୃତ ଲୋକଟି ପ୍ରଶ୍ନ କଲା “ତମେ କିଏ? ତମେ କ’ଣ କୌଣସି ରାଜା?”

                “ହଁ । ମୁଁ ମହାରାଜା ଚିତ୍ରସେନ । ଏ ବଣ ପ୍ରଦେଶ ଉପରେ ମୁଁ ରାଜା । ମୁଁ ତମକୁ କଥା ଦେଉଛି, ତମର କୌଣସି ପ୍ରକାର ଅନିଷ୍ଟ ହେବ ନାହିଁ ।”

                ରାକ୍ଷସମାନେ ସେମାନଙ୍କ ଆନୁଗତ୍ୟ ଦେଖାଇବା ନିମନ୍ତେ ‘ମହାରାଜା ଚିତ୍ରସେନଙ୍କର ଜୟ’ ବୋଲି ଧ୍ୱନି ଦେଲେ ।

                ବ୍ୟାଘ୍ରଚର୍ମାବୃତ ଲୋକଟି ରାକ୍ଷସମାନଙ୍କ ଆଡକୁ ଦୃଷ୍ଟିପାତ କରି ପୁଣି ଚିତ୍ରସେନଙ୍କୁ ପଚାରିଲା, “ଏ ରାକ୍ଷସମାନେ ମୋତେ ଯେ ମାରିଦେବେ ନାହିଁ, ଏକଥା କିଏ କହିବ?”

                “ଆରେ, ଆମେ କ’ଣ ଆମ ରାଜାଙ୍କ ନିର୍ଦ୍ଧେଶ ବିରୁଦ୍ଧରେ କିଛି କରିବୁ ବୋଲି ତମେ ଭାବୁଛ?” ଉଗ୍ରାକ୍ଷ ନିଜେ ଏକଥା କହିଲା ଓ ‘ମହାରାଜା ଚିତ୍ରସେନଙ୍କର ଜୟ’ ବୋଲି ନିଜେ ଧ୍ୱନି ଦେଇ ଚିତ୍ରସେନଙ୍କୁ ଜୁହାର ହେଲା । ସେ ଯେ ରାଜା ଚିତ୍ରସେନଙ୍କ ବଶୀଭୂତ, ସେ ଏହାହିଁ ଦେଖାଇବାକୁ ଚାହୁଁଥିଲା । ଚିତ୍ରସେନ ତାଙ୍କ ମନେ ମନେ କହିଲେ, “ବାସ୍ତବିକ ଜଣେ ମହାରାକ୍ଷସର ଏ କି ଦୁର୍ଦ୍ଦଶା!”


ଗପ ସାରଣୀ

ତାଲିକାଭୁକ୍ତ ଗପ