ବହ୍ନି ଦ୍ୱୀପ

                ଅମରପାଳ କହିଲା, “ମହାରାଜ, ଆମ୍ଭେ ଉଗ୍ରାକ୍ଷକୁ ଏ ଦିଗରେ ଆଦୌ ଠକି ପାରିବା ନାହିଁ । ସେ ଦିଗରେ ଚେଷ୍ଟା କରିବା ମଧ୍ୟ ଉଚିତ୍ ନୁହେଁ । ଏକ ଦିଗରେ ସେ ରାକ୍ଷସ, ଅନ୍ୟ ଦିଗରେ ସେ ମହାବଳଶାଳୀ । ଅତି ସାବଧାନରେ ଆମକୁ ତା’ ସହ କାରବାର କରିବାକୁ ହେବ । ତେଣେ କରବୀର ଓ ନାଗବର୍ମାଠୁଁ ବିପଦର ଆଶଙ୍କା ମଧ୍ୟ ଦୂର ହୋଇ ନାହିଁ ।”

                “ତୁମେ ଠିକ୍ କହୁଛ, ଅମରପାଳ!” ଏହା କହି ଚିତ୍ରସେନ କାନ୍ତିମତିଙ୍କ ଆଡେ ଅନାଇ କହିଲେ, “ବର୍ତ୍ତମାନ ଚିନ୍ତା କରି ଆଉ କିଛି ବି ଲାଭ ନାହିଁ । ଯେତେବେଳେ ମୁଁ ତାକୁ କଥା ଦେଇଥିଲି, ସେତେବେଳେ ମୋ ନିଜ ବୟସ ଖୁବ୍ କମ୍ ଥିଲା । ଦିନେ ମୁଁ ନିଜେ ଦେଇଥିବା କଥା ମୋ ଉପରେ ଏଭଳି ଦୁଃଖଦାୟକ ବୋଝ ହେବ, ଏହା ସେତେବେଳେ ମୁଁ କଳ୍ପନା ମଧ୍ୟ କରିପାରି ନଥିଲି ।”

                କଣ୍ଠସ୍ୱର ନିମ୍ନ କରି ଅମରପାଳ ପ୍ରଶ୍ନ କଲା, “ମହାରାଜ, ଗୋଟାଏ କଥା କହିବି? ଉଗ୍ରାକ୍ଷକୁ ମାରି ପକାଇଲେ ତ କଥା ଛିଡିଯା’ନ୍ତା!”

                ତମେ ସେକଥା ଯେତେ ସହଜ ବୋଲି ଭାବୁଛ, କାମଟା ସେତେ ସହଜ ନୁହେଁ । ତା’ଛଡା ସେ ମୋର ସହାୟତା କରିଛି ଓ ମୁଁ ତା’ ହାତରେ ମୋ ପୁଅକୁ ସମର୍ପି ଦେବି ବୋଲି ପ୍ରତିଶୃତି ମଧ୍ୟ ଦେଇଛି । ବର୍ତ୍ତମାନ ଲୋକେ ମୋତେ କ’ଣ କହିବେ?”

                ଏଣେ ହଠାତ୍ କାନ୍ତିମତି ଆସନ ଛାଡି ଉଠି ଠିଆ ହେଲେ ଓ କହିଲେ, “ମହାରାଜ, ଉଗ୍ରାକ୍ଷ ଓ ରାଜକୁମାର ବ୍ୟାପାର ମୋ ଉପରେ ଛାଡି ଦିଅନ୍ତୁ ।” ଏହା କହି ସେ ତାଙ୍କ କକ୍ଷରେ ପ୍ରବେଶ କଲେ ।

                ପ୍ରାସାଦ ତଳେ ପହଁଚି ଯାଇ ଉଗ୍ରାକ୍ଷ ବଜ୍ରନାଦରେ ଡାକିଲା, “ମହାରାଜ! ମହାରାଜ!”

                ଚିତ୍ରସେନ ସଙ୍ଗେ ସଙ୍ଗେ ତଳକୁ ଓହ୍ଲାଇଗଲେ । ତା’ପରେ ସେ କହିଲେ, “ଉଗ୍ରାକ୍ଷ, କଥା କ’ଣ? ବର୍ତ୍ତମାନ ତ ଆମେ ତମରି କଥା ଆଲୋଚନା କରୁଥିଲୁଁ । ତମେ ବହୁତ ଦିନ ବଂଚିବ!”

                ଏପରି କଥା ଶୁଣି ଉଗ୍ରାକ୍ଷ କହିଲା, “ମହାରାଜ! ମୋତେ ଦଗା ଦେଲେ? ମୋ ସହ ବିଶ୍ୱାସଘାତକତା କଲେ? ମୋ ପ୍ରତି ଆପଣ ଯେ ଏପରି ବ୍ୟବହାର କରିବେ, ଏକଥା ମୁଁ କେବେବି ମଧ୍ୟ କଳ୍ପନା କରି ନଥିଲି । ଆପଣ ପରା କ୍ଷତ୍ରୀୟ? ମୁଁ ଆପଣଙ୍କର ମିତ୍ରଟି? ଆପଣଙ୍କ ସହ କାନ୍ଧକୁ କାନ୍ଧ ଲଗାଇ ମୁଁ ଲଢିଛିଟି? ଆପଣ କ’ଣ ସେସବୁ ଭୁଲିଗଲେ?” ଏତିକି କହି ଉଗ୍ରାକ୍ଷ ତାଙ୍କ କାନ୍ଧରୁ ପିଲାଟିକୁ ବାହାରକରି ଦେଲା ।

                ତହୁଁ ଅମରପାଳ କହିଲା, “ରାକ୍ଷସରାଜ! ଆମ ଦାସୀମାନଙ୍କ ଭୁଲରୁ ଏପରି ହେଲା । ତରବରରେ ରାଜପୁତ୍ର ବଦଳରେ ସେମାନେ ମନ୍ତ୍ରୀ-ପୁତ୍ରକୁ ତୁମ ହାତକୁ ଟେକିଦେଲେ ।”

                ଉଗ୍ରାକ୍ଷ ଅଟ୍ଟହାସ୍ୟ କରି ପିଲାଟିକୁ ତୋଳି ଧରିଲା ଓ କହିଲା, “ଇଏ ମନ୍ତ୍ରୀ-ପୁତ୍ର! ରାଜାଙ୍କ ପୁଝାରି କ’ଣ ତାଙ୍କ ମନ୍ତ୍ରୀ ହେଲାଣି? ଦେଖ ଅମରପାଳ, ଇଏ ମନ୍ତ୍ରୀ-ପୁତ୍ର ହେଲେ ବି ମୋ ଆବଶ୍ୟକତା ସେଥିରେ ମେଂଟିବ ନାହିଁ । ମୋର ରାଜପୁତ୍ର ଲୋଡା! ରାଜା ଚିତ୍ରସେନ! ଏବେ ଆପଣ ନିଜ ସର୍ତ୍ତ ରକ୍ଷା କରନ୍ତୁ । ରାଜପୁତ୍ର ବଦଳରେ ଯଦି ମୋତେ ସାରା ରାଜ୍ୟ ବି ଦେବେ, ତଥାପି ମଧ୍ୟ ମୁଁ ମାନିବି ନାହିଁ ।”

                ସବୁ ଶୁଣି ଚିତ୍ରସେନ ଧୀର କଣ୍ଠରେ କହିଲେ, “ଉଗ୍ରାକ୍ଷ, ଆଦୌ ଉତ୍ତେଜିତ ହୁଅ ନାହିଁ । ଦାସୀମାନଙ୍କର ଭୁଲ୍ ହୋଇଯାଇଛି । ବର୍ତ୍ତମାନ ସେମାନେ ଅସଲ ରାଜପୁତ୍ରକୁ ବେଶ କରି ଆଣୁଛନ୍ତି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ