ବାଜି ଜିତି ବାହା

ବିକ୍ରମାଦିତ୍ୟ ତ ଛନଛନ ମନରେ ଗୋଡ ଟେକିଲା ପରି ଟେକି ରହିଥିଲେ । ବେତାଳେ କହିଲା ମାତ୍ରେ ନିଜର ଚତୁରଙ୍ଗ ବଳ ତଥା ରଥାରୋହୀ, ଗଜାରୋହୀ, ଅଶ୍ୱାରୋହୀ ଓ ପଦାତିକ – ଏ ଚାରିପ୍ରକାର ସୈନ୍ୟଙ୍କୁ ସଜ ହେବାର ଆଜ୍ଞା ଦେଇ ଢୋଲ, ଟମକ, ମହୁରୀ, ବଡବାଜା, ଦାମାମା, ତୁରୀ, ଭେରୀ ବଜାଇ, ଷଣ୍ଢ ଲଢେଇ, ସଖୀନାଟ, ଚଇତିଘୋଡା, ଶବର ଶବରୁଣୀ ନାଟ ଆହୁରି କେତେ ଆତସବାଜୀ ବାଣ କାମ ସବୁ ସଙ୍ଗରେ ନେଇ ଗୋଟାଏ ବିରାଟ ପଟୁଆର କରି ମହାଆଡମ୍ବରରେ ବରବେଶ ହୋଇ ହାତୀ ଉପରେ ସୁନା ବିମାନରେ ବସି ବିକ୍ରମାଦିତ୍ୟ ବାହା ହେବାକୁ ବାହାରିଲେ । ତାଙ୍କର ପଛେ ପଛେ ଗୋଟାଏ ଗୋଟାଏ ହାତୀରେ ପାତ୍ର, ମନ୍ତ୍ରୀ, କଟୁଆଳ, ବଣିକ, ପାରିଷଦଗଣ, ନବରତ୍ନ ବିଦ୍ୱାନମାନେ ଧାଡି ଲଗାଇଥାନ୍ତି । ସାରା ରାଇଜର ଲୋକେ ସେହି ରୋଷଣୀ ଆଉ ପଟୁଆର ଦେଖିବା ପାଇଁ ଲକ୍ଷ ଲକ୍ଷ ସଂଖ୍ୟାରେ ରୁଣ୍ଡ ହୋଇ କେଉଁଠି ଶଙ୍ଖ, କେଉଁଠି ହୁଳହୁଳୀ, କେଉଁଠି ହରିବୋଲ ପକାଇ ଆନନ୍ଦରେ ଉଛୁଳି ଉଠୁଥାଆନ୍ତି । ଏମିତିକି ସେ ରାଜଦାଣ୍ଡରେ ପିମ୍ପୁଡିଟିଏ ବି ଗଳିବାକୁ ବାଟ ନଥାଏ । ସମସ୍ତେ ମହାରାଜାଙ୍କର ଜୟଗାନ କରି ଆକାଶ, ପବନ କମ୍ପାଉଥାନ୍ତି । କେତେଦିନ ପରେ ରାଜା ବିକ୍ରମାଦିତ୍ୟ ଭୋଜରାଜାଙ୍କର ରାଇଜରେ ଯାଇ ପହଁଚିଲେ । ଅଧବାଟରୁ ମନ୍ତ୍ରୀ ଚିଟାଉ ଲେଖି ମହାରାଜାଙ୍କ ବରବେଶରେ ବିଜେ ଖବର ଭୋଜରାଜାଙ୍କୁ ଚର ପଠାଇ ଜଣାଇଦେଲେ ।

ସେ ଭୋଜରାଜା ତ କୁହୁକ ବିଦ୍ୟାରେ ଏକାବେଳକେ ନିପୁଣ । ତାଙ୍କର ଦି’ ପୁଅ ନର ଆଉ ନାରାୟଣ ବି କୁହୁକ ବିଦ୍ୟାରେ ଧୁରନ୍ଧର । କଥାରେ ଅଛି – “ବାପା ଯେବେ ଚଢେ ଘୋଡା, ତାଙ୍କ ପୁଅମାନେ ବି ଥୋଡା ଥୋଡା ।” ଝିଅ ଭାନୁମତୀ ବି କୁହୁକବିଦ୍ୟା ଜାଣେ । ତା’ଛଡା ତାଙ୍କର ଉଆସରେ ଯୋଡିଏ କୁଜାକୁଜୀ, ଦାସ ଦାସୀ ହୋଇ ଥାଆନ୍ତି । ସେ ଦିହେଁ ବି ଅଦ୍ଭୁତ କୁହୁକ ଦେଖାଇ ଲୋକଙ୍କୁ ଭକୁଆ କରିଦିଅନ୍ତି ।

ବିକ୍ରମାଦିତ୍ୟଙ୍କ ଚିଟାଉ ପାଇ ଭୋଜରାଜା ମନେମନେ ଭାରି ଖୁସି ହେଲେ । ସେ ନିଜର ବଡ ପୁଅକୁ ଡାକି କହିଲେ – “ଆରେ ବାପ, ବିକ୍ରମାଦିତ୍ୟ ବୋଲି ଜଣେ ବିଖ୍ୟାତ ରାଜା ଆମର ରାଇଜରେ ପହଁଚି ଗଲେଣି । ସେ ଆମର କୁହୁକ ବିଦ୍ୟାକୁ ଜୟକରି ଭାନୁମତୀ ଜେମାକୁ ବିଭା ହେବେ ବୋଲି ମନ କରିଛନ୍ତି । ତୁ ଇମିତି ଏକ କୁହୁକ ଜାଲ ବୁଣିଦେବୁ ଯେ ଯେମିତି ସେ ବଣାହୋଇ ଆଉ ଆଗେଇ ପାରିବେ ନାହିଁ… ଯାଆ ।”

ରାଜକୁମାର ନର ତା ବାପାଙ୍କ କଥା ଶୁଣି ମନ ମଉଜରେ ଉଆସଠୁଁ କୋଶେ, ଦି’କୋଶେ ବାଟ ଆଗକୁ ଯାଇ କୁହୁକ ବଳରେ ଗୋଟାଏ ନଈ କରିଦେଲା । ଶ୍ରାବଣ ମାସର ବଢନ୍ତା ନଈ । ନଈ ପାଣି ଉଛୁଳୁ ମୁଛୁଳୁ ହୋଇ ଦି’କୂଳରେ ହାବୁକା ଖାଉଛି । ଗୋଳି ପାଣିରେ ଗଛ, ଚାଳ, ବାଉଁଶ, ସାପ, ଗାଈଗୋରୁ କେତେ କ’ଣ ଉବେଇ ଟୁବେଇ ହୋଇ ଭାସିଯାଉଛନ୍ତି । ଭାରି ଭୟଙ୍କର ଦିଶୁଛି ସେ ନଈର ଗରଭଟା । ନଈରେ ଗୋଟିଏ ଦଦରା ହୁଲିଡଙ୍ଗାରେ ଚଢି କାତ ମାରିମାରି ଆସୁଛି ମାଇପୀଟିଏ । ପୁଣି ସେ ରୋଗଣା ଯେ ଖାଲି ଟଳଟଳ ହେଉଛି, ସହଜେ ସେ ଦଦରା ନାଆଟି ବଢି ନଈର ସୁଅ ଧକ୍କାରେ ଟଳମଟଳ ହେଉଛି । ସେଇଥିରେ ବି ସେହି ତିରିଲାଟି ଡାକ ପକାଇଛି ଆସ, କିଏ ପାରିହେବ ।”

ଏତିକିବେଳେ ରାଜକୁମାର ନର ମହାରାଜା ବିକ୍ରମାଦିତ୍ୟଙ୍କୁ ନମସ୍କାର କରି ତାଙ୍କର ଉଆସକୁ ଯିବାପାଇଁ ଅତି ଆଦରରେ ନିମନ୍ତ୍ରଣ କଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ