ବାଜି ଜିତି ବାହା

ରାଜା ବିକ୍ରମାଦିତ୍ୟ ଦେଖୁଛନ୍ତି, ତାହାଙ୍କ ସାଙ୍ଗରେ ହଜାର ହଜାର ଲୋକ, ପୁଣି ରଥ, ହାତୀ, ଘୋଡା, ବାଜା, ଲସ୍କର ଅନେକ । ଡଙ୍ଗାଟିରେ ଜଣେ ଦି’ ଜଣ ପଝାରୀ ବସିଲେ ଡଙ୍ଗା ବୁଡିଯିବ । ଏତେ ଲୋକଙ୍କୁ ପୁଣି ସମ୍ଭାଳିବ କେମିତି! ରାଜା କିଛି ଉପାୟ ନ ପାଇ ହତାଷ ହୋଇ ଭାବୁଛନ୍ତି, କଅଣ କରିବେ । ହଠାତ୍ କାନ ପାଖରେ ଫୁସ୍ଫୁସ୍ କରି ବେତାଳ କହିଲା – ରାଜା, ଯାହା ଦେଖୁଛ, ଏସବୁ କେବଳ ଭେଳିକି ମାତ୍ର । ତୁମେ ଯେମିତି ଏଇପରିଯନ୍ତେ ଆସିଛ, ସୈନ୍ୟସାମନ୍ତ ଯାନବାହନ ପଟୁଆର ନେଇ ପାଣି ଭିତରେ ପଶିଯାଅ । ଦେଖିବ, ଆଖି ପିଛୁଳାକେ କେମିତି ସବୁ କିଛି ଉଭାଇଯିବ ।” ରାଜା ତ ସତ୍ୟ କରିଛନ୍ତି, ତେଣୁ ବେତାଳ କଥାରେ ରାଜା ପଟୁଆର ନେଇ ପାଣିଭିତରକୁ ପଶିଗଲେ । ସତକୁ ସତ, ଅନାଉ ଅନାଉ ସେ ଭରା ନଈ, ସେଇ ଦଦରା ଡଙ୍ଗା ଆଉ ସେଇ ରୋଗଣା ମାଇପିଟା କିଏ କୁଆଡେ ସବୁ ଉଭାଇ ଗଲେ । ଦେଖିଲା ବେଳକୁ ଖାଲି ପଡିଆଟା । ତା’ ଦି’ ପାଖରେ ବିଲ, ମଝିରେ ମାଟି ସଡକ ଲମ୍ବିଯାଇଛି । ପଟୁଆର ହସ ଖୁସି, ଗହଳ ଚହଳରେ ଚାଲିଛନ୍ତି । ଏସବୁ ଦେଖି ରାଜକୁମାର ମୁହଁ ହଠାତ୍ ଶୁଖିଗଲା । ତା’ପରେ ସେ ତରତର ହୋଇ ଆଗ ତା’ ବାପାଙ୍କ ପାଖରେ ପହଁଚି ଖବର ଦେଲେ ଯେ ରାଜା ବିକ୍ରମାଦିତ୍ୟ ପହିଲି କୁହୁକ ବିଦ୍ୟାକୁ ଜିତି ବିରାଟ ପଟୁଆର ଘେନି ଆମ ଉଆସ ଆଡକୁ ମାଡି ଆସୁଛନ୍ତି । ବଡ ପୁଅଠୁଁ ସବୁ କଥା ଶୁଣି ଭୋଜରାଜା କିଛି ବି ଚିନ୍ତା ନ କରି ତାଙ୍କ ସାନ ପୁଅକୁ ପାଖକୁ ଡାକି କହିଲେ – “ବାପରେ, ରାଜା ବିକ୍ରମାଦିତ୍ୟ ତୋ ଭାନୁ ଦେଈକୁ ବିଭା ହେବା ପାଇଁ ପହିଲି କୁହୁକ ବିଦ୍ୟାକୁ ଜିତି ଉଆସ ଆଡକୁ ଆସୁଛନ୍ତି । ତୁ ତୋର କୁହୁକ ବିଦ୍ୟା ବଳରେ ତାହାଙ୍କୁ ବାଟରୁ ବଣାକରି ହୁରୁଡାଇ ପାରିବୁକି?” ସାନପୁଅ କହିଲା – “ହଁ ବାପା, ମୁଁ ଏହିକ୍ଷଣି ଯାଉଛି ।” ଏହା କହି ସାନପୁଅ ନାରାୟଣ ବାଟେ ବାଟେ ଧାଇଁଲା ସେହିଆଡେ ।

ସାନ କୁମାର ନାରାୟଣ ବାଟରେ ଯାଉ ଯାଉ କେତେଗୁଡାଏ ବଣବୁଦା ପଡିଲା । ସେହି ସ୍ଥାନଟି ଭଲ ଭାବି ରାଜାପୁଅ ସେଇଠି ତାହାର କୁହୁକ ବିଦ୍ୟା ଖେଳାଇଦେଲା । ଚାହୁଁ ଚାହୁଁ ସେଇ ସ୍ଥାନଟିରେ ଗୋଟିଏ ସୁନ୍ଦର ବଗିଚା ହୋଇଗଲା । ଆଉ ସେ ବଗିଚା ସାରା ନାନା ଜାତିର ରଙ୍ଗ ବେରଙ୍ଗ ଫୁଲ ଫୁଟି ଇମିତି ମହକୁଛି ଯେ ଅଦିନିଆ ବାଟୋଇ ବି ଦଣ୍ଡେ ସେହି ବଗିଚା ଭିତରେ ବୁଲି ଆସିବାକୁ ମନ କରିବ । କଡମାନଙ୍କରେ କେତେଗୁଡିଏ ପାଣିର ଫୁଆରା । ପଥର ପରୀମାନଙ୍କର ମୁଣ୍ଡରୁ ଝରଝର ହୋଇ ପାଣିର ପିଚକାରୀ ବିଛୁଡି ହୋଇ ପଡୁଛି । ବଗିଚା ମଝିରେ ଗୋଟିଏ ବଡ ଫୁଆରା, କୋଟିନିଗ ହୋଇଥିବା ପଥର ହାତୀ ଶୁଣ୍ଢରୁ ପାଣି ଛତା ଆକାର ହୋଇ ଚାରିଆଡକୁ ଝିରିଝିରି ହୋଇପଡୁଛି । ତା’ ଚାରିପାଖରେ ଗୋଲ କୁଣ୍ଡ । କୁଣ୍ଡ ବାହାର ପଟରେ ବସିବା ପାଇଁ ପଥରର ଆସନ ସବୁ ସଜାହେଲା ପରି ତିଆରି ହୋଇଛି । ବଗିଚା ଚାରି କୋଣରେ ଚାରିଟା କୃଷ୍ଣଚୂଡା ଗଛ । ଗଛ ଗୁଡାକ ଖାଲି ଫୁଲରେ ଲଦି ହୋଇଛି । ଭଳିକି ଭଳି ଚଢେଇମାନେ ଡାଳରେ ବସି ସେମାନଙ୍କର କଅଁଳିଆ କଣ୍ଠରେ ମେଲି ଦେଇଛନ୍ତି ସ୍ୱର ଲହରୀ । ବଗିଚାରେ ମଲ୍ଲୀ, ଗୋଲାପ, ହେନା, ରଜନୀଗନ୍ଧା, ବଉଳ, ଚମ୍ପା, ସୁଗନ୍ଧରାଜ, ନାଗେଶ୍ୱର, ସେବତୀ ଆହୁରି ଅନେକ ଜାତି ସୁବାସ ଫୁଲ ନେଛିନେଛି ହୋଇ ଫୁଟିଛି । ସୁଗନ୍ଧରେ ପାଗଳା ହୋଇ ଭ୍ରମର, ମହୁମାଛି ଆଉ ରଙ୍ଗୀନ ପ୍ରଜାପତିମାନେ ଗୋଟିଏ ଫୁଲରୁ ଆଉ ଗୋଟିଏ ଫୁଲକୁ ଗୁଣୁଗୁଣୁ ଗୀତ ଗାଇ ଧାଁ ଧପଡ କରି ବୁଲୁଛନ୍ତି ।


ଗପ ସାରଣୀ

ତାଲିକାଭୁକ୍ତ ଗପ