ବାଜି ଜିତି ବାହା

ଠିକ୍ ଏତିକିବେଳେ ବାହାରେ ସିଂହଦୁଆର ଆଡେ କ’ଣ ପାଟିଗୋଳ ହେବାରୁ ଭୋଜରାଜ ତେଣେ କାନ ଡେରିଲେ । ସିଂହଦୁଆରର ଟୋକା ଦରୁଆନଟା ସେହିକ୍ଷଣି ଆସି ଲମ୍ବ ଓଳିକିଟିଏ ପକାଇ ଗର ଗର ହୋଇ ଜଣାଇଲା – ମଣିମା, ସିଂହଦୁଆରକୁ ଜଣେ ଅଚିହ୍ନା ଲୋକ ଆସି ଉଚ୍ଛନିଆ ହୋଇ କହୁଛି- “ହୋ… ହୋ ଜଗୁଆଳ ପୁଅ, ଗଲ… ଗଲ ତୁମର ରାଜାଙ୍କୁ କହିବ, ତାଙ୍କର ଜୁଆଁଇ ରାଜା ବିରାଟ ପଟୁଆର ନେଇ ଆସିଗଲେଣି । ଆଉ ପ୍ରାୟେ ଡାକେ ବାଟରେ ସେ ଅଛନ୍ତି । ତୁମ ରଜାଙ୍କୁ କହିବ, ସେ ପ୍ରସ୍ତୁତ ହୋଇ ବରଣି କରି ଖଣ୍ଡେ ଦୂରରୁ ଆମର ରଜାଙ୍କୁ ପାଛୋଟି ଆଣିବେ । ଏଇ ଖବର ତୁରନ୍ତ ଦେବାକୁ ଆମର ମହାମନ୍ତ୍ରୀ ମତେ ପଠାଇଲେ ।” ମୁଁ ଶୁଣି ନ ଶୁଣିଲା ପରି ତା କଥାର କିଛି ବି ଜବାବ୍ ଯେବେ ନ ଦେଲି ତେଣୁ ମୋ ଉପରେ ସେ ରାଗିମାଗି ଏକାବେଳକେ ନାଲେନାଲ । ଆଖି ରଙ୍ଗେଇ ସେ କହୁଛି – ଆରେ, ତୁମେ ଯେବେ ନଯିବ, ମତେ ବାଟ ଛାଡିଦିଅ । ମୁଁ ନିଜେ ଯାଇ ଶ୍ରୀଛାମୁରେ ସାକ୍ଷାତ କରି ତାଙ୍କୁ ସବୁକଥା କହିବି । ମୁଁ କହିଲି – “ମଣିମାଙ୍କ ଆଜ୍ଞା ନ ପାଇଲେ ମୁଁ ତୁମକୁ ଭିତରକୁ କଦାପି ମଧ୍ୟ ଛାଡି ପାରିବି ନାହିଁ । ଇମିତି ବହୁତ ପାଟିତୁଣ୍ଡ ହୁଅନ୍ତେ ମୁଁ ବାଧ୍ୟ ହୋଇ ଶ୍ରୀଛାମୁଙ୍କୁ ଜଣାଇବାକୁ ଆସିଲି ।” ଏହି ଖବର ପାଇଲା ମାତ୍ରେ ଭୋଜରାଜା ତାଙ୍କର ମନ୍ତ୍ରୀଙ୍କୁ ଆଜ୍ଞା ଦେଲେ – “ଯାଅ, ଖୁବ୍ ସମାଦର କରି ବିକ୍ରମାଦିତ୍ୟ ରାଜାଙ୍କୁ ଆମ ପାଲିଙ୍କିରେ ବସାଇ ପାଛୋଟି ଘେନିଆସ । ରଜାଙ୍କ ହୁକୁମ୍ ପାଇବା ସଙ୍ଗେ ସଙ୍ଗେ ମନ୍ତ୍ରୀ ପାଲିଙ୍କି ନେଇ ବାଟରୁ ପାଛୋଟି ଆଣିଲେ । ଦି’ରାଜା ମୁହାଁମୁହିଁ ହୋଇ ଖୁବ୍ ପୋଟଳା ପୋଟଳି ହେଲେ । ବିକ୍ରମାଦିତ୍ୟଙ୍କୁ ଭଲଭାବରେ ଚର୍ଚ୍ଚା କରି ରତନ ସିଂହାସନରେ ତାଙ୍କୁ ବସାଇ ଭୋଜରାଜା କହିଲେ – “ଯା’ ହେଉ ରାଜା, ତୁମର ବୁଦ୍ଧିକୁ ଖୁବ୍ ପ୍ରଶଂସା ନକରି ମୁଁ ଆଦୌ ରହିପାରୁ ନାହିଁ । ତୁମେ ଭାରି ଚାଲାଖିରେ ଦୁଇ ବାଜି ମୋର କୁହୁକବିଦ୍ୟାକୁ ଜୟକରି ଆସିଛ । ମୋର ପଣ ଅନୁଯାୟୀ ଆଉ ବାଜିଏ ମାତ୍ର କୁହୁକବିଦ୍ୟା ବାକି ଅଛି । ଏଥରକ ତୁମେ ଯେବେ ସେ କୁହୁକ ବିଦ୍ୟାକୁ ଜିତିଯିବ, ତୁମକୁ ନିଶ୍ଚେ ମୋର ଭାନୁମତୀକୁ ବାହା ଦେବି ।” ଏହା କହି ରାଜା ଉଆସର ମୁଦୁସୁଲୀ ଆଉ ସହଚରୀମାନଙ୍କୁ କହିଲେ – “ଏବେ ବେଶ କରି ଜେମାକୁ ସଭାକୁ ଆଣ ।” ଆଜ୍ଞା ପାଇ ମୁଦୁସୁଲୀମାନେ ଅନ୍ଦର ମହଲକୁ ଧାଇଁଗଲେ । ଏଣେ ବିକ୍ରମାଦିତ୍ୟ ଭାନୁମତୀକୁ ଟିକିଏ ଦେଖିବେ ବୋଲି ଏକାନିସ୍ତିରେ ଅନାଇ ବସିଥାଆନ୍ତି । ଏହି ସମୟରେ ଭିତରେ ଶଙ୍ଖ, କାହାଳୀ ବାଜିଉଠୁଲା । ଅବିକଳ ଏକ ରୂପ, ରଙ୍ଗ, ଢଙ୍ଗ, ବେଶଭୂଷାରେ ସଜ ହୋଇ ହଜାରଟି ଭାନୁମତୀ ଭିତର ଆଡୁ ହସି ହସି ସଭାକୁ ଆସିଲେ ସମସ୍ତଙ୍କ ହାତରେ ଏକ ସମାନ ଫୁଲର ଗଜରାମାଳ । ରାଜା ଅବାକ୍ ହୋଇ ସେମାନଙ୍କର ରୂପକୁ ଚାହିଁଛନ୍ତି । ଭୋଜରାଜା କହିଲେ – “ରାଜା, ତୁମକୁ ପରୀକ୍ଷା କରିବା ପାଳି ପଡିଲା । ସାମନାରେ ଯେଉଁ ହଜାରେ ଝିଅ ଦେଖୁଛ, ସେମାନଙ୍କ ଭିତରେ ଅସଲ ଭାନୁମତୀକୁ ଯେବେ ଚିହ୍ନିପାରିବ । ଆଉ ତା’ ହାତଧରି ଆଣିପାରିବ, ତାହା ହେଲେ ସେହି ଝିଅ ତା’ ହାତରେ ଧରିଥିବା ବରଣମାଳା ତୁମ ଗଳାରେ ଲମ୍ବାଇ ଦେବ । ଏଥିରେ ଆଉ କିଛି ବି ସନ୍ଦେହ ନାହିଁ । ରାଜା ବିକ୍ରମାଦିତ୍ୟ ଏଇ ଭେଳିକିରେ ଏକାବେଳକେ ବାଉଳା ହୋଇ ଥକା ହୋଇ ପଥରଟିପରି ବସିଥାଆନ୍ତି । ଏତିକିବେଳେ କାନ ପାଖରେ ବେତାଳ କହିଲା – “ରାଜା, ହତାଶ ହେଉଛ କିଆଁ? ଆଦୌ କିଛି ବି ଚିନ୍ତାକର ନାହିଁ । ଆମେ ଯାଉଛୁ, ଅସଲ ଭାନୁମତୀ ପାଖରେ ଭଅଁର ହୋଇ ଉଡି ବୁଲୁଥିବୁ । ତୁମେ ତାହାରି ହାତ ଧରି ପକାଇ ଆଣିବ ।” ଏକଥା ଶୁଣି ବିକ୍ରମାଦିତ୍ୟ ହାତରେ ଚାନ୍ଦ ଧରିଲା ପରି ମନେ ମନେ ଭଲ୍ଲସି ଉଠିଲେ । ଭୋଜରାଜ ବିକ୍ରମାଦିତ୍ୟଙ୍କ ହାବଭାବ, ଚୁପ୍ଚାପ୍ ବସିଥିବା ଦେଖି ଭାବିଲେ ବୋଧେ ଏହିଥର କୁହୁକ ବିଦ୍ୟାରେ ବିକ୍ରମାଦିତ୍ୟ ହାରିଗଲେ । କିନ୍ତୁ ଯେତେବେଳେ ବିକ୍ରମାଦିତ୍ୟ ଆସନରୁ ଉଠି ଭିତର ଆଡକୁ ମୁହାଁଇଲେ, ସେ ଲଜ୍ଜା ପାଇବେ ବୋଲି ଭୋଜରାଜା ଆଗରୁ ମୁହଁରେ ଲୁଗାଦେଇ କଉତୁକ ହସକୁ ଚାପି ରଖିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ