ବାଜି ଜିତି ବାହା

ରାଜା ବିକ୍ରମାଦିତ୍ୟ ଭଅଁରଙ୍କୁ ଲକ୍ଷ୍ୟ ରଖି ସିଧାସିଧା ଯାଇ ଅସଲ ଭାନୁମତୀର ହାତ ଧରି ତାଙ୍କୁ ଘେନି ଆସିଲେ । ଭୋଜରାଜା ଏହି ଆଚମ୍ବିତ ଘଟଣାରେ ତାଟକା ହୋଇଗଲେ । ଇମିତିକା ଭେଳିକି ପୁଣି ଭୋଜରାଜାଙ୍କର କାରସାଦି, ଏହାକୁ ଜିଣିଯିବା ଏତେ ସହଜ କଥା ନୁହେଁ । ଜାଣିଲା ପରି ବିକ୍ରମାଦିତ୍ୟ ସିଧାସିଧା ଯାଇ ଝିଅ ଭାନୁମତୀର ହାତଧରି ଏଠି ହାଜର । ତେବେ ତାଙ୍କ ପାଖରେ ନିଶ୍ଚୟ କିଛି ଦେବକଳା ଅଛି । ସେ ପ୍ରକୃତରେ ସବୁ ବିଦ୍ୟାରେ ବିଚକ୍ଷଣ । ୟା ଭାବି ସେ ଭାରି ଖୁସି ହୋଇ ବିକ୍ରମାଦିତ୍ୟଙ୍କୁ ଧନ୍ୟ ଧନ୍ୟ କହି ତାଙ୍କୁ ଖୁବ୍ ସାବାସି ଦେଲେ । ଅନ୍ଦର ମହଲରେ ରଖି ତାଙ୍କର ବି ଖୁବ୍ ଆଦର ଯତ୍ନ କଲେ । ନିଜ ବନ୍ଧୁବାନ୍ଧବମାନଙ୍କୁ ନିଜ ଝିଅର ବାହାଘର କଥା ଜଣାଇ ଦେବାକୁ କେତେ ଦେଶକୁ ଗୁଆ ଆଉ ଦୂର ଦେଶକୁ ଚିଟାଉ ଦେଲେ । ବିଭାଘରର ଆୟୋଜନ ହେବାକୁ ଲାଗିଲା । ରଜାଘର ବାହାଘର, କେଉଁ କଥା ପୁଣି ଅପୂରୁବ । ତା’ପରେ ଚାକର ବାକର, ପୋଇଲୀ ପରିଚାରୀମାନେ ଯେଝା କାମରେ ଯିଏ ଲାଗିଗଲେ । ଦିନ କେଇଟାରେ ସବୁଆଡେ ସବୁ କଥା ସଜିଲ ହୋଇଗଲା । କେତେ ଆଡୁ କୁଣିଆମାନେ ପଲପଲ ହୋଇ ଆସି ସେ ଉଆସରେ ରୁଣ୍ଡ ହେଲେ । ଲୋକମାନଙ୍କ ଗହଳ ଚହଳରେ ସେ ରାଜନଅର ଖାଲି ଦୁଲ୍ଲୁକିଲା । ଭୋଜରାଜା ରୋଷଣୀ, ଆତସବାଜୀ, ମେଳା, ମଉଛବ, ଯାନିଯାତରା କରି ଖୁବ୍ ଜାକଜମକରେ ଝିଅର ବିଭାଘର କଲେ । ମାସ ମାସ କାଳ ଦାନ ଧର୍ମ କରି ଦୁଃଖୀ, କାଙ୍ଗାଳମାନଙ୍କୁ ସେ ଭୋଜରାଜା ସନ୍ତୋଷ କଲେ । ନଗରର ବୁଢାବୁଢୀ ପାକଳ ଲୋକମାନେ କହିଲେ – “ଇମିତି ବାହାଘର ଆମେ ଆମ ଜୀବନରେ କେବେବି ଦେଖିନଥିଲୁ ।”

ଏଣେ ରାଣୀହଂସପୁରରେ ଭାନୁମତୀ ଆଉ ବିକ୍ରମାଦିତ୍ୟଙ୍କ ଖୁବ୍ ଭାବ ଲାଗିଗଲା । ସେମାନଙ୍କୁ ଜଣାଗଲା ଯେମିତି ପୂର୍ବ ଜନମରେ ବି ସେମାନେ ସ୍ୱାମୀ ସ୍ତ୍ରୀ ହୋଇ ଇମିତି ଏକାଠି ଚଳୁଥିଲେ । ଶଶୁର ଘରୁ ବିଦାୟ ହେବା ଦିନ ପାଖେଇ ଆସିଲାରୁ  ରାଣୀ ଭାନୁମତୀ ରାଜାଙ୍କୁ କହିଲେ – “ଦେଖ, ବାପା ସାଆନ୍ତେ ତୁମକୁ ଯଉତୁକ ନେବା କଥା ପଚାରିଲେ, ଆମର ଦି’ଜଣ ଦାସ ଦାସୀ ଅଛନ୍ତି, ସେମାନେ କୁଜା ଆଉ କୁଜୀ, ତୁମେ କେବଳ ସେହି ଦି’ଜଣଙ୍କୁ ହିଁ ମାଗିବ ।” କିଛିଦିନ ଅନ୍ତେ ବିଦା ହେବା ଦିନ ଆସି ପହଁଚିଗଲା । ଭୋଜରାଜା ବିକ୍ରମାଦିତ୍ୟଙ୍କ ଆଚାର, ବ୍ୟବହାର, ବିନୟ, ଭକ୍ତିରେ ଖୁବ୍ ସନ୍ତୁଷ୍ଟ ହୋଇ ପ୍ରସନ୍ନ ମନରେ ଯଉତୁକ ନେବା କଥା ପଚାରିଲେ । ବିକ୍ରମାଦିତ୍ୟ ତ ଆଗରୁ ସିଆଣା ହୋଇ ଯାଇଛନ୍ତି, ତେଣୁ ସେ ସେହି କୁଜା ଆଉ କୁଜୀ, ଦାସ ଦାସୀ ଯୋଡିକୁ ଯଉତୁକ ରୂପେ ମାଗିଲେ । ଏପରି କଥା ଶୁଣି ଭୋଜରାଜା ମନେମନେ ଭାବିଲେ, ମୋର ଏତେ ଧନ, ରତ୍ନ, ଐଶ୍ୱର୍ଯ୍ୟ ପୂରି ରହିଛି । ହେଲେ ଜୁଆଇଁ ସେସବୁ କିଛି ବି ମାଗିଲେ ନାହିଁ, କୁଜା ଆଉ କୁଜୀ ଦି’ଜଣଙ୍କୁ ମାଗିଲେ କାହିଁକି? ସେ ଦିହେଁ ତ ମୋର ଭୋଜବିଦ୍ୟାର ଡାହାଣ ହାତ । ଏହି ଫିସାଦ ମୋ ଝିଅ ଭାନୁମତୀର ନିଶ୍ଚୟ । ଯାହା ହେଉ, ଝିଅ ଜୁଆଇଁଙ୍କ କଥା ତ, ଏହି ମାଗୁଣୀକୁ ତ ଆଉ ମନାକରି ହେବ ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ