ବାବୁ କହିଥିଲେ

କବିରାଜ ପାଣିରେ ଟୋପାଏ ତେଲ ପକାଇ କିଛି ସମୟ ନିରେଖି ଚାହିଁଲେ । ତାପରେ ପୁରାଣ ପଢିଲା ଭଳି ଅନର୍ଗଳ କହିଗଲେ । ବାତ-ପିତ-କଫ, ତ୍ରିଦୋଷଯୁକ୍ତ । ପେଟ କୁଟୁ କୁଟୁ କରୁଥିବ, ନାହୀମୂଳ ଟାଣୁଥିବ, ଝାଡା ସଫା ହେଉନଥିବ । ଧଡର ଧଡର ଫଡର ଫଡର ଫାଡର ପେଁପାଁ ହୋଇ ବାୟୁ ଯାଉଥିବ, ଲାଳ ପଡୁଥିବ, ଅରୁଚି ଧରୁଥିବ, ଭୋକ ହେଉନଥିବ । ଯାହା ଖାଇଲେ ବି ତାହା ହଜମ୍ ହେଉନଥିବ । ପାଣି ଖୁବ୍ ଗୋଳିଆ ଦିଶୁଛି । ମେହ ଦୋଷ ଥିବ । ପରିସ୍ରା ଜଳୁଥିବ । ଘନ ଘନ ପରିସ୍ରା ଲାଗୁଥିବ । ଏମିତି କେତେ କ’ଣ ସେ କବିରାଜ କହିଗଲେ । ସପନି ସବୁ ଶୁଣି କାବା ହୋଇଗଲା । କହିଲା, “ଆଜ୍ଞା! ମୋର ତ କାହିଁ ଏସବୁ କିଛି ବି ହେଉନାହିଁ । ଚାରିପାଂଚଦିନ ହେଲା ଯାହା ମୁଣ୍ଡ ଟିକେ ବିନ୍ଧୁଛି । ସାମାନ୍ୟ ଜ୍ୱରଜ୍ୱର ଲାଗୁଛି । ପତଳା ପାଇଖାନା ହେଉଛି ।

ଏପରି କଥା ଶୁଣି ସେ ଧଡି କବିରାଜ ସପନିକୁ ଆଖି ତରାଟି ଚାହିଁଲେ । ଆଉ କହିଲେ “ମୁଁ କବିରାଜ ନା ତୁ କବିରାଜ? ମୋତେ କ’ଣ ତୁ ପାଠ ପଢଉଛୁ? ବୁଝିଲୁ ଯାହା କହିଲି ସବୁ ହେବ । ଆଜି ନହେଲେ କାଲି ହେବ । ଏସବୁ ତାର ପୂର୍ବ ଲକ୍ଷଣ । ଭଲଗତି ଅଛି ତ ମୋ ତିଆରି ବୃହତ ଅଟ୍ଟାଳିକାଚୂର୍ଣ୍ଣ ନେଇ ସକାଳେ ସଂନ୍ଧ୍ୟାରେ ବାସୀ ତୋରାଣି ସହିତ ଖା । ଭଲ ହେବୁ ।” ତହୁଁ ସେ ସପନି ବିଚରା କବିରାଜଙ୍କଠାରୁ ଔଷଧ ଆଣି ଖାଇଲା । କିନ୍ତୁ ଉପକାର କିଛି ବି ପାଇଲା ନାହିଁ । ବରଂ ତା ଦେହ ଆହୁରି ଖରାପ ହେଲା । କେତେବେଳେ ଝାଡା ତ କେତେବେଳେ ବନ୍ଦ୍ । ପେଟ ଫାମ୍ପି ଦେଉଛି । ଯାହା ଖାଇଲେ ବି ହଜମ ହେଉନି । ତେଣୁ ସପନିର ଭାରି ମନ ଖରାପ ।

ଦିନେ ସେ ଗାଆଁର ଗ୍ରାମସେବକବାବୁ ସପନିକୁ କହିଲେ, “ହେ ସପନି! ତୁ ସରକାରୀ ଡାକ୍ତରଖାନାକୁ ଯାଉନୁ । ଭାରି ଭଲ ଡାକ୍ତରବାବୁ ସେ । ତୋର ସବୁରୋଗ ସେ ନିଶ୍ଚୟ ଭଲ କରିଦେବେ । ଏମିତିକି ତୋ ହାତରୁ ପଇସାଟେବି ଖର୍ଚ୍ଚ ହେବନି । କାହିଁକିନା ସେ ଡାକ୍ତରବାବୁ ଫିସ୍ ନେବେନି । ତୁ ପରା ତାଙ୍କୁ ପ୍ରତିଦିନ ଦୁଧ ଦେଉଛୁ । ତେଣୁ ତୋ କଥା ସେ ନିଶ୍ଚୟ ବୁଝିବେ ।” ପରଦିନ ସପନି ଯାଇ ଡାକ୍ତରବାବୁଙ୍କୁ ଗୁହାରୀ ଜଣାଇଲା । ସମସ୍ତ ଗୁହାରୀ ଶୁଣି ସାରିବା ପରେ ସେ ଡାକ୍ତରବାବୁ କହିଲେ, “ତୁ କାଲି ସକାଳେ ତୋର ଝାଡା ଆଉ ପରସ୍ରା ନେଇ କରି ଆସ୍ । ମୁଁ ସେସବୁ ପରୀକ୍ଷା କଲାପରେ ଯାଇ ତୋତେ ଔଷଧ ଦେବି । ଏହାପରେ ସପନି ଘରକୁ ଫେରି ଆସି ପୁଣି ଚିନ୍ତାରେ ପଡିଗଲା ।

ଛିଛି କି ଅସନା କଥା ମ? ଝାଡା, ପରିସ୍ରା କିପରି ନେବ? କେତେ ବା ନେବ? ଝାଡା ପରିସ୍ରାରୁ ଡାକ୍ତର କ’ଣ ବା ପରୀକ୍ଷା କରିବେ? କବିରାଜ ତ ଗଡିଆ ପାଣି ଦେଖି କେତେ କଥା କହିଲା । ଅବଶ୍ୟ ସେଥିରେ କିଛି କିଛିଟା ସତଥିଲା । କିନ୍ତୁ…. । ଏହିପରି ବହୁତ ଭାବି ଚିନ୍ତି ସେ ସପନି ତା’ମନେ ମନେ ଠିକ୍ କଲା ଯେ, ଗୋଟିଏ ଛୋଟ କଳସୀରେ ପରିସ୍ରା ଓ ଆଟିକାରେ ଝାଡାନେବ । ସେଇ ଅନୁସାରେ ସପନି ସକାଳୁ ଉଠି କଳସୀରେ ପରିସ୍ରା କଲା, ଏବଂ ଆଟିକାରେ ଝାଡା ଫେରିଲା । ଦୁଇଟି ଯାକର ମୁହଁକୁ କଦଳୀପତ୍ର ଦେଇ ଭଲଭାବରେ ବାନ୍ଧି ଗାମୁଛାରେ ଓହଳାଇ ଡାକ୍ତରବାବୁଙ୍କ ବସାକୁ ଚାଲିଲା ।

ସେତେବେଳେତ ଡାକ୍ତରବାବୁ ନଥାନ୍ତି । ତେଣୁ ତାଙ୍କ ଚାକର ଅଇଁଠୁ କବାଟ ଖୋଲିଲା, ଆଉ କହିଲା “ବାବୁ ନାହାଁନ୍ତି, ପରେ ଆସ ।” ସପନି ପୁଣି କହିଲା, “ବାବୁ କହିଥିଲେ…… ।” ଏହି ସମୟରେ ଅଇଁଠୁ ଗାମୁଛାରେ ବନ୍ଧା ହୋଇଥିବା କଳସୀ, ଆଟିକାକୁ ଦେଖି ଟିକେ ଲୋଭେଇଗଲା । ସେ ଜାଣେ ସପନି ତ ଦୁଧ କାରବାର କରେ । ବାବୁ କହିଛନ୍ତି ଯେତେବେଳେ ନିଶ୍ଚୟ ଭଲଦହି ଓ ରାବିଡି ଏ ସପନି ଆଣିଥିବ । ଏଣୁ ସେ ଚାକର ଅଇଁଠୁ ସପନିକୁ କହିଲା “ବାବୁ କହିଥିଲେ ଯଦି, ଯାହା ଆଣିଚ ଦେଇଯାଅ । ବାବୁ ଆସିଲେ ମୁଁ ତାଙ୍କୁ କହିଦେବି । ତମେ ଦି’ପହର ଗଡେଇ ଆସିବ । କାହିଁକିନା ବାବୁ ଠିକ୍ ଦଶଟାବେଳକୁ ଆସି ଡାକ୍ତରଖାନାରେ ବସିବେ । ପାଖ ଗାଆଁକୁ ରୋଗୀ ଦେଖିବାକୁ ସକାଳ ଭୋଅରୁ ବାହାରି ଯାଇଛନ୍ତି । ଏହାପରେ ସେ ସପନି ଦୁଇଟିଯାକ ବାରଣ୍ଡାରେ ରଖିଦେଇ କହିଲା, “ବାବୁଙ୍କୁ କହିବ, ମୋ କଥା ଟିକେ ଭଲକି ବୁଝିବେ,” ଏତିକି କହି ସେ ସପନି ସେଠାରୁ ଚାଲି ଆସିଲା ।

ଏଣେ ଏ ଅଇଁଠୁ ଭାବିଲା ବାବୁ ଫେରିବା ଆଗରୁ ଦହିଗୁଡା ସେ ପେଟେ ଖାଇନେବ । ଏଣୁ କଳସୀ ଓ ମାଠିଆକୁ ରୋଷେଇ ଘର କୋଣରେ ଥୋଇ ସେ ସହଳ ଦାନ୍ତ ଘଷି ମୁହଁ ହାତ ଧୋଇ ଆସି ଦେଖିଲା ଆଟିକା ଚାରିପଟେ ମାଛି ଭଣଭଣ କରୁଛନ୍ତି । ଭାବିଲା ଦହି ବୋଧେ ଟିକିଏ ଖଟାଳିଆ ହୋଇଯାଇଛି । ଚିନି ଟିକିଏ ବେଶୀ ଲାଗିବ । ତାପରେ ଚୁଡା ଧୋଇ ଚିନିଡବା ଖୋଲି ଯେମିତି ଆଟିକା ମୁହଁରୁ କଦଳୀପତ୍ର ଖୋଲିଛି….ଇସ୍….କି ଦୁର୍ଗନ୍ଧ? ସେଇଥିରେ ହିଁ ନାକଫାଟି ପଡିଲା ତା’ର । ତା ସାଙ୍ଗକୁ ଭକ୍ଭକ୍ ବାନ୍ତି ବି ତା’ର ହୋଇଗଲା । ତାପରେ ସେ ଅଇଁଠୁ ସବୁ ସଫାକରି ସପନିର ଚଉଦ ପୁରୁଷକୁ ବହେ ଶୋଧିଲା । କହିଲା କ’ଣନା “ବାବୁ କହିଥିଲେ……… ।”


ଗପ ସାରଣୀ

ତାଲିକାଭୁକ୍ତ ଗପ