ବାଲେଶ୍ୱରୀ ପଙ୍ଗାଲୁଣ

                ନିମକ ପୋକ୍ତାନ ସ୍ଥାନରେ ସରକାର ତରଫରୁ ନିଯୁକ୍ତ କର୍ମଚାରୀମାନଙ୍କ ଉପାଧି- ଦାରୋଗା, ପେସ୍କାର, ଜିଲ୍ଲାଦାର, ଚପରାସୀ, ଜାଳଚୌକିଆ, ଚାଟି ପାଇକ, ଚପାଦାର ଓ କୟାଳ । ନିମକ ବିକ୍ରି ସ୍ଥାନରେ ନିଯୁକ୍ତ ଥିବା କର୍ମଚାରୀ- ଦାରୋଗା ଓ ପେସ୍କାର । ପୋକ୍ତାନ ସ୍ଥାନରେ ପ୍ରହରୀ, ପୋଲିସ କର୍ମଚାରୀ- ଜମାଦାର, ମୁନ୍ସି ଓ ଚପରାସୀ ।

                ପ୍ରତିବର୍ଷ ଆଶ୍ୱିନ ମାସରେ ପୋକ୍ତାନକାରୀମାନଙ୍କୁ ସରକାର ତରଫରୁ ଦାଦନ ଦିଆଯାଉଥିଲା । ଦାଦନ ଟଙ୍କା ଗ୍ରହଣକାରୀର ଉପାଧି-ଗୁଲିଆ । ଗୁଲିଆମାନେ ସରକାରକୁ କବୁଲିୟତ ଲେଖିଦେଇ ଦାଦନ ଗ୍ରହଣ କରନ୍ତି । ଏହି ଦାଦନ ସମୟଟା ବାଲେଶ୍ୱର ସହର ମଧ୍ୟରେ ଉତ୍ସବ ସ୍ୱରୂପ ଥିଲା । ଅନେକ ଟଙ୍କା କାରବାର ହୁଏ । ସହର ମଧ୍ୟରେ ଦୋକାନୀମାନେ ଦୋକାନ ସଜେଇ ବସିଥାନ୍ତି । ବଜାରି, ହଟାରି, ଭିକାରି, ଅମଲା, ଫଏଲା ସମସ୍ତଙ୍କର ଆଚ୍ଛା ଦୁଇ ପଇସା ହାତପୈଠ ହୁଏ । ଲକ୍ଷାବଧି ଟଙ୍କା ଦାଦନ ଦିଆଯାଉଥିଲା । ମଫସଲବାସୀ ସାଧାରଣ ଶ୍ରେଣୀ ଲୋକଙ୍କ ହାତରେ ଥୋକ କେତେଗୁଡିଏ ଟଙ୍କା ପଡିଗଲେ ଆନନ୍ଦ ମନରେ ସେମାନେ ତାଙ୍କ ସ୍ତ୍ରୀ ପୁତ୍ର ପରିବାରମାନଙ୍କ ସକାଶେ ନାନାପ୍ରକାର ଦ୍ରବ୍ୟ କ୍ରୟ କରି ଘେନିଯାଆନ୍ତି ।

                ଗୁଲିଆ ଦାଦନ ଘେନି ଚାଟିକୁ ଚାଲିଯାଏ । ଲବଣ ପୋକ୍ତାନ ସ୍ଥାନର ନାମ ‘ଚାଟି’ । କେତେଗୁଡିଏ ଚାଟିର ଏକତ୍ରରେ ସାଧାରଣ ନାମ ‘ଅଡଂ’ । ଅବଶ୍ୟ ଚାଟି ଓ ଅଡଂଗୁଡିକ ସମୁଦ୍ରକୂଳବର୍ତ୍ତୀ ସ୍ଥାନରେ ଅବସ୍ଥିତ ।

                ଗୁଲିଆ ସ୍ୱହସ୍ତରେ ଲବଣ ପ୍ରସ୍ତୁତ କରେ ନାହିଁ । କାର୍ଯ୍ୟନିର୍ବାହ ନିମନ୍ତେ କେତେଗୁଡିଏ ଲୋକ ନିଯୁକ୍ତ କରେ । ସେ (ଗୁଲିଆ) କେବଳ କର୍ତ୍ତା ସ୍ୱରୂପ ହୋଇଥାଏ ।

                ଉପଯୁକ୍ତ ସ୍ଥାନ ନିର୍ବାଚନ କରି ପାଢୀ ଉପାଧିଧାରୀ ଲୋକ ଚୁଲି ପ୍ରସ୍ତୁତ କରେ । ଏହି ଚୁଲି ସଚରାଚର ଭାତରନ୍ଧା ଚୁଲି ପରି ନୁହେଁ । ପାଠକମାନଙ୍କ ମଧ୍ୟରୁ ଯେଉଁମାନେ ପୁରୀକ୍ଷେତ୍ରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରୋଷଚୁଲି ଦେଖିଅଛନ୍ତି, ସେମାନେ ସହଜରେ ବୁଝିପାରିବେ । ପୋକ୍ତାନ ଚୁଲିଗୁଡିକ ବି ଠିକ୍  ସେହିପରି ପିରାମିଡ୍ ଆକାର ଅଟେ; ମାତ୍ର ପ୍ରଭୁଙ୍କ ରୋଷଚୁଲିଠାରୁ ଅନେକ ବଡ । କୌଣସି କୌଣସି ଚୁଲିର ନିମ୍ନ ପରିଧି ୨୦/୩୦ ହାତ ପର୍ଯ୍ୟନ୍ତ ହୋଇଥାଏ । ଉଚ୍ଚତା ପ୍ରାୟ ୩/୪ ହାତ । ବଡ ବଡ ଚୁଲିରେ ଏକାବେଳକେ ଦୁଇ ତିନିଶତ ପର୍ଯ୍ୟନ୍ତ ହାଣ୍ଡି ବସେ । ସେ ହାଣ୍ଡିଗୁଡିକ ମଧ୍ୟ ସଚରାଚର ଭାତରନ୍ଧା ହାଣ୍ଡିର ସମାନ ନୁହେଁ । ମହାପ୍ରସାଦ କୁଡୁଆ ସମାନ ଅଟେ । ଚୁଲି ପ୍ରସ୍ତୁତ ହେବା ମାତ୍ରକେ କୁମ୍ଭାର ହାଣ୍ଡି ଯୋଗାଇଦିଏ । ଗୋଟିଏ ଗୋଟିଏ ଚୁଲିରେ ଏକ ଜାଳକରେ ୨୦/୨୫ ମହଣ ଲବଣ ପୋକ୍ତାନ ହୁଏ । ଦିନମାନରେ ତିନିଜାଳ ହୁଏ । କେହି କେହି କର୍ମଠ ପାଢୀ ଚାରି ଜାଳ ପର୍ଯ୍ୟନ୍ତ କରିପାରେ ।

                ଚୁଲି ପ୍ରସ୍ତୁତ ହେବା ମାତ୍ରକେ ମଳଙ୍ଗୀ ଉପାଧିଧାରୀ କର୍ମଚାରୀ ପଛାଲରୁ ମାଟି ଚାଂଛିବାକୁ ଆରମ୍ଭ କରେ । ସମୁଦ୍ର ବେଳାଭୂମି ଉପରେ ଯେଉଁ ଅଳ୍ପ ଗଭୀର ପ୍ରାନ୍ତର ମଧ୍ୟରେ ଜୁଆର ସମୟରେ ସମୁଦ୍ର ଜଳ ପ୍ରବେଶ କରେ, ଭଟ୍ଟା ସମୟରେ ଶୁଖିଲା ପଡେ, ତାହାର ନାମ ପଛାଲ । ମଳଙ୍ଗୀ ମାଟି ଚାଂଛିଆଣି ଏକ ସ୍ଥାନରେ ବାଡି ପକାଏ । ମାଟି ସଂଗ୍ରହ ସ୍ଥାନର ନାମ ବାଡି । ବାଡି ଉପରେ ପୁନର୍ବାର ସମୁଦ୍ର ଜଳ ଢାଳି ଗୋଡରେ ଚକଟି ତରଳ କରାଯାଏ ।

                ବାଡି ନିକଟରେ ଗୋଟିଏ ଗର୍ତ ଖୋଳା ହୋଇଥାଏ, ସେ ଗର୍ତର ନାମ ‘କୁଣ୍ଡି’ । ବାଡିର ତରଳ ମାଟି ଦେହରୁ କୁଣ୍ଡି ପର୍ଯ୍ୟନ୍ତ କେରିଏ କୁଟା ଗୁଞ୍ଜି ଦିଆଯାଏ । ତାଡିକଟା ଚମାର ଖଜୁରି ଗଛ ବେକରୁ ଠେକିକୁ ଯେପରି ଖଣ୍ଡେ ଖଜୁରିପତ୍ର ଗୁଞ୍ଜିଦିଏ, ଏଟା ମଧ୍ୟ ଠିକ୍ ସେହିପରି । କୁଟା କେରାକୁ ଅବଲମ୍ବନ କରି ବାଡି ଦେହରୁ କୁଣ୍ଡିକୁ ସମସ୍ତ ଜଳ ନିଗିଡି ଆସେ, ବାଡିରେ ମାଟିସବୁ ରହିଯାଏ । ସେହି ଲବଣାକ୍ତ ଜଳର ନାମ ଦହପାଣି । ଦହପାଣିକୁ ହାଣ୍ଡିରେ ପକାଇ ମାରିଲେ ପଙ୍ଗାଲୁଣ ପ୍ରସ୍ତୁତ ହୁଏ । ଚୁଲି ଜାଳ ସମୟରେ ଆଠଠାରୁ ଷୋଳଜଣ ପର୍ଯ୍ୟନ୍ତ କର୍ମଚାରୀ ନିଯୁକ୍ତି ଥା’ନ୍ତି । ବାଲେଶ୍ୱର ଜିଲ୍ଲାରେ ଏ ପ୍ରକାର ସହସ୍ରାଧକ ଚୁଲି ଥିଲା । ଲୁଣମରା ଚୁଲିରେ କାଠ ଆଦୌ ଜଳେ ନାହିଁ । ସମୁଦ୍ର କୂଳରେ ୩/୪ ହାତ ଉଚ୍ଚ ଏକପ୍ରକାର ଘାସ ଜାତ ହୁଏ, ସେ ଘାସ ଜାଳନିରେ ପ୍ରୟୋଜନ ହୁଏ । ଭଗବାନ୍ ଯେମନ୍ତ ଲୁଣ ପୋକ୍ତାନର ସୁବିଧା ନିମନ୍ତେ ପଡିଆରେ ଏହି ଘାସ ଥୋଇ ଦେଇଥିଲେ । ‘କାଳୁଆ’ ନାମକ କର୍ମଚାରୀ ଘାସ କାଟିବାରେ ନିଯୁକ୍ତ ହୁଏ । ‘କବ’ ନାମକ ଏକପ୍ରକାର ତୀକ୍ଷ୍ଣଧାର ଅସ୍ତ୍ର ଦୁଇ ହାତରେ ଧରି ଅଭ୍ୟାସବଶରୁ ନଇଁପଡି ଅଳ୍ପ ସମୟ ମଧ୍ୟରେ ସେ ଅନେକ ଘାସ କାଟିପକାଏ । ଘାସ ଶୁଖିଗଲେ ନିଯୁକ୍ତ ବଳଦିଆମାନେ ବିଡା ବାନ୍ଧି ବଳଦରେ ଚୁଲି ପାଖକୁ ଘେନିଆସନ୍ତି । ସେହି ଘାସ ରକ୍ଷା ନିମନ୍ତେ ସରକାର ତରଫରୁ ଜାଳଚଉକିଆ ନିଯୁକ୍ତ ଥା’ନ୍ତି । ସହସ୍ର ସହସ୍ର ବଳଦ ଓ ବଳଦିଆ ଏହି କାର୍ଯ୍ୟରେ ନିଯୁକ୍ତ ଥିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ