ବିକ୍ରମାଦିତ୍ୟଙ୍କ ବିବାହ

 ନ୍ୟାୟବନ୍ତ ଧାର୍ମିକ ରାଜା ବିକ୍ରମାଦିତ୍ୟ ମରାଠା ରାଜ୍ୟରେ ପହଁଚିଗଲେ । ଏକ କୁସୁମ ଉଦ୍ୟାନ । ତା’ ନିକଟରେ ସୁନ୍ଦର ପୁଷ୍କରିଣୀ, ଅମୃତ ତୁଲ୍ୟ ତା’ର ଜଳ । ସେହି ପୁଷ୍କରିଣୀ ନିକଟରେ ସଦାଶିବଙ୍କ ମନ୍ଦିର । ରାଜା ବିକ୍ରମାଦିତ୍ୟ ଭାବିଲେ ଆଜି ରାତ୍ରି ଏଠାରେ କଟାଇ କାଲି ଅନ୍ୟସ୍ଥାନକୁ ଯିବି । ଏକ ବୃକ୍ଷମୂଳେ ତୃଣ ବିଛଣା କରି ଶୋଇଲେ । ମରାଠା ରାଜାଙ୍କର କନ୍ୟା ଶିବପୂଜା କରି ଗଲା । ଗଇଶ ଦୁଦୁରା ବିଲ୍ୱଦଳ ଦେଇ ଶିବଙ୍କୁ ଦୀପ ଜଳାଇ ପୂଜାକଲା । ପୂଜା ସାରି ଶିବଙ୍କୁ ନମସ୍କାର କଲା । ହେ ପ୍ରଭୁ ମୋର ଦୁଃଖ ଫେଡ । ବିକ୍ରମାଦିତ୍ୟ ଯେପରି ପତି ହେବେ ମୋତେ ଏହି ବର ଦିଅ । ପ୍ରଭୁ ସଦାଶିବ ତୋଷ ହୋଇ କହିଲେ, ତୋର ମନସ୍କାମନା ଆଜି ପୂର୍ଣ୍ଣ କଲି । ବିକ୍ରମାଦିତ୍ୟ ମୋର ଦେଉଳ ପଛଭାଗରେ ଶୟନ କରିଛି । ଶନିଙ୍କ ପୀଡାରୁ ନିଜର ଜ୍ୟୋତି ହରାଇଛି । ବର୍ତ୍ତମାନ ରାଜାଙ୍କୁ ଚିହ୍ନିଥିବା ଲୋକ ବି ଚିହ୍ନି ପାରିବନାହିଁ । ଅତି ଅଳ୍ପଦିନ ପରେ ରାଜା ଶନିଙ୍କ ପୀଡାରୁ ମୁକ୍ତି ହେବେ । ତୁ ତାଙ୍କୁ ପତିପଦରେ ବରଣ କର । ଏହା କହି ସଦାଶିବ ଅନ୍ତର୍ଦ୍ଧାନ ହେଲେ । ଦେଉଳ ପଛ ଭାଗକୁ ଯାଇ ଦେଖନ୍ତି ପୁରୁଷ ଗୋଟିଏ ଶୟନ କରିଛି । ମରାଠା ଜେମା ତାହାଙ୍କୁ ବିକ୍ରମାଦିତ୍ୟ ବୋଲି ଜାଣିଲେ । ମରାଠା ରାଜଜେମା ବିଳମ୍ବ ନକରି ସଦାଶିବଙ୍କ ଆଦେଶ ଅନୁସାରେ ତାଙ୍କ ପଦମଂଚାଳିଲେ । ରାଜା କ୍ଳାନ୍ତହୋଇ ଶୟନ କରିଥିଲେ । କୋମଳ କରସ୍ପର୍ଶ ପାଇ ତାଙ୍କର ନିଦ୍ରା ଭଙ୍ଗ ହେଲା । ରାଜା ଭାବିଲେ ଆକାଶରୁ ଚନ୍ଦ୍ରଦେବ ଆସି କ’ଣ ପଥକ୍ଳାନ୍ତ ଦେଖି ଦୟାକଲେ । ରାଜା ଏପରି ଚିନ୍ତି ଚାହିଁଲେ ଦେଖିଲେ ଏକ ସୁନ୍ଦରୀ ଯୁବତୀ । ରାଜା ପ୍ରଶ୍ନକଲେ ତୁମ୍ଭେ କିଏ ତୁମ୍ଭର ପରିଚୟ ଦିଅ । ମୁଁ ଅତି ଦରିଦ୍ର ମୂଢ, ତୁମେ କାହିଁକି ମୋର ସେବା କରୁଛ । ମରାଠାର ରାଜଜେମା କହିଲେ ହେ ସ୍ୱାମୀ ତୁମ୍ଭେ ରାଜା ହେଲେ ମୁଁ ରାଣୀ । ତୁମ୍ଭେ ଭିକାରି ହେଲେ ମୁଁ ଭିକାରୁଣୀ । ସଦାଶିବଙ୍କୁ ପୂଜି ମୁଁ ତୁମ୍ଭଙ୍କୁ ପାଇଛି । ସେ କହିଲେ ବିକ୍ରମାଦିତ୍ୟ ତୋର ବର ହେବେ । ଦେଉଳ ପଛ ଭାଗରେ ରାଜା ଶୋଇଛନ୍ତି । ଶନିଙ୍କ କୋପରୁ ସେ ବିରୂପ ହୋଇଛନ୍ତି । ତୁହି ତାହାଙ୍କୁ ଯାଇ ପତିପଦରେ ବରଣ କର । ମୁଁ ତୁମ୍ଭର ଦାସୀ ତୁମ୍ଭେ ମୋର ପ୍ରଭୁ, ମୋର କର୍ତ୍ତବ୍ୟ ମୁଁ କରୁଛି । ହେ ରାଜନ ତୁମ୍ଭର ଯେଉଁ ଗତି, ମୋର ମଧ୍ୟ ସେ ଗତି । ରାଜଜେମା ମୁଖରୁ ଏପରି ବଚନ ଶୁଣି ବିକ୍ରମାଦିତ୍ୟକୁ ଏପରି କହି ରାଜଜେମା ତାଙ୍କ ଗଳାରେ ପୁଷ୍ପ ମାଲ୍ୟ ପିନ୍ଧାଇ ଦେଲା । ବିକ୍ରମାଦିତ୍ୟ ନିଜ ଗଳାରୁ ମାଳାଟି କାଢି ରାଜଜେମାଙ୍କ ଗଳାରେ ପିନ୍ଧାଇ ଦେଲେ । ବିକ୍ରମାଦିତ୍ୟ ନିଜର ପତ୍ନୀଙ୍କୁ ପରିଚୟ ପ୍ରଦାନ କଲେ । ରାଜଜେମା ଶୁଣିକରି କହିଲେ ହେ କାନ୍ତ ମୁଁ ଯାହା କହୁଛି ଶୁଣ । ମୁଁ ଗୃହକୁ ଯାଇ ତୁମ୍ଭକଥା ମୋ ପିତାଙ୍କୁ କହିବି । ସେ ତୁମ୍ଭଙ୍କୁ ନେଇ ମୋତେ ବିବାହ କରିଦେବେ । ଏପରି କହି ବିକ୍ରମାଦିତ୍ୟଙ୍କୁ ଶିବଙ୍କ ପ୍ରସାଦ ଦେଇ ରାଜକୁମାରୀ ନିଜ ଗୃହକୁ ଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ