ବିକ୍ରମାଦିତ୍ୟଙ୍କ ବିବାହ

ରାଜଜେମା ମନୋରମା ପରଦିନ ପ୍ରଭାତରୁ ଉଠି ପିତାଙ୍କୁ କହିଲା ମୁଁ ଯୁବତୀ ହୋଇଛି, ମୋର ସ୍ୱୟମ୍ବର କର । ପିତାମାତା ଏକଥା ଶୁଣି ବିଳମ୍ବନକରି ସ୍ୱୟମ୍ବର ଯୋଗାଡରେ ଲାଗିପଡିଲେ । ବିବାହ ପାଇଁ ରାଜାଙ୍କ ନିମିତ୍ତ ଗୃହନିର୍ମାଣ କଲେ । ନିମନ୍ତ୍ରଣପତ୍ର ଦୂତଙ୍କ ହସ୍ତରେ ପ୍ରତ୍ୟେକ ରାଜ୍ୟର ରାଜାଙ୍କ ନିକଟକୁ ପ୍ରେରଣ କଲେ । ଦୂତମାନେ ନିମନ୍ତ୍ରଣ ଦେଇ, ସୌରାଷ୍ଟ୍ର, ଅଙ୍ଗ, ବଙ୍ଗ, କଳିଙ୍ଗ, ଉତ୍କଳ, ମଗଧ, ମାଳବ, ମତ୍ସ୍ୟ, ଗୁର୍ଜ୍ଜର, କୋଶଳ, ବିଦର୍ଭ ଆଦି ଦେଶର ନୃପତିଙ୍କୁ ସ୍ୱୟମ୍ବର କଥା କହି ନିମନ୍ତ୍ରି ଆସିଲେ । ରାଜାମାନେ ନିମନ୍ତ୍ରଣ ପାଇ ବରବେଶ ସାଜି ମରାଠାରେ ପହଁଚିଲେ । ମରାଠାର ନୃପତି ନୃପତିଗଣଙ୍କୁ ସସମ୍ମାନେ ରଖାଇଲେ । ସ୍ୱୟମ୍ବର ସଭାହେବାକୁ ଦିନେ ଅଛି ରାଜନନ୍ଦିନୀ ମନୋରମା ସଦାଶିବଙ୍କୁ ପୂଜାକରି ଗଲେ । ପୂଜାସାରି ବିକ୍ରମାଦିତ୍ୟଙ୍କୁ କହିଲେ ଆସନ୍ତା କାଲି ମୋର ସ୍ୱୟମ୍ବର । ତୁମ୍ଭେ ସଭାରେ ଯାଇ ଉପସ୍ଥିତ ହେବ । ମୁଁ ପୁଷ୍ପମାଲ୍ୟ ଦେଇ ସର୍ବ ରାଜାଙ୍କ ସମକ୍ଷରେ ତୁମ୍ଭଙ୍କୁ ବରିବି । ପିତାମାତାଙ୍କ ମନରୁ ସନ୍ଦେହ ଦୂର ହେବ । ରାଜକନ୍ୟା ମନୋରମାର କଥାଶୁଣି ବିକ୍ରମାଦିତ୍ୟ ସନମତ ହେଲେ । ରାଜନନ୍ଦିନୀ ନିଜ ଗୃହକୁ ଚଳିଗଲା । ରାତ୍ରିପାହି ପ୍ରଭାତ ହେଲା । ନୃପମାନେ ନିଜର ପ୍ରାତଃକୃତ୍ୟ ସମାପନ କରି ସୁସଜ୍ଜିତ ହୋଇ ସ୍ୱୟଂମ୍ବର ସଭାକୁ ଗଲେ । ରାଜା ବିକ୍ରମାଦିତ୍ୟ ମନୋରମାର ଅନୁରୋଧ ରକ୍ଷାକରି ଦୀନ, ହୀନ ବେଶରେ ପହଁଚିଲେ । ମନୋରମାଙ୍କର ମୁଦୁସୁଲିମାନେ ତାଙ୍କୁ ସୁବେଶ କରାଇ ସ୍ୱୟମ୍ବର ସଭାକୁ ଆଣିଲେ । ସ୍ୱୟମ୍ବର ସଭାରେ ମନୋରମା ବିକ୍ରମାଦିତ୍ୟଙ୍କୁ ଦେଖି ତାଙ୍କ ଗଳାରେ ପୁଷ୍ପମାଲ୍ୟ ପକାଇ ଦେଲେ । ଏପରି ସୁନ୍ଦରୀକୁ ପାଇବା ପାଇଁ ରାଜାମାନେ ଆସିଥିଲେ । ରାଜକୁମାରୀ ଜଣେ ଦୀନ ହୀନକୁ ବରଣ କରିବା ମୁଦୁସୁଲିମାନଙ୍କ ସଙ୍ଗରେ ରାଜା ଅନ୍ତଃପୁରକୁ ଚାଲିଗଲା । ରାଜାମାନେ ଏ ରୀତି ଦେଖି ନୃପତିଙ୍କୁ ବହୁତ ଧିକାର କଲେ ।

        ନିଜ ନିଜ ଦେଶକୁ ନୃପତିମାନେ ମନଦୁଃଖରେ ଚାଲିଗଲେ । ମରାଠାର ନୃପତିଙ୍କର ପୁତ୍ରମାନେ କ୍ରୋଧହୋଇ ଅନ୍ତଃପୁରକୁ ଗଲେ । ନିଜ ଭଉଣୀର କେଶ ଧରି ଓଟାରି ଆଣିଲେ । କିନ୍ତୁ ମରାଠା ନୃପତି ପୁତ୍ରମାନଙ୍କୁ ସେ କାର୍ଯ୍ୟରୁ ନିବୃତ କଲେ । ସ୍ତ୍ରୀ ବଧ ମହାପାପ । ତାକୁ ବଧକଲେ ତୁମ୍ଭେମାନେ କଠୋର ଯମଦଣ୍ଡ ପାଇବ । ମନୋରମାକୁ ତା’ର ପିତା ପ୍ରଶ୍ନକଲେ ମାଆ କେଉଁ ଗୁଣ ଦେଖି ତୁ ଏ ନୀଚଜନକୁ ପତିତ୍ୱରେ ବରଣ କଲୁ । ଲକ୍ଷେ ରାଜା ଆସିଥିଲେ ଓ ସେମାନେ ଅପମାନିତ ହୋଇ ଗଲେ । ମନୋରମା କହିଲେ ପିତା, ତୁମର ଜାମାତା ସସାଗରା ଧରାର ଅଧିଶ୍ୱର । ସେ ନୀଚ ଭିକ୍ଷୁକ ନୁହଁନ୍ତି । ରାଜା ନୀରବ ହେଲେ । ମନୋରମାର ଭ୍ରାତାମାନେ କଟୁ କଥା କହି ତାକୁ ଗାଳିଦେଲେ । ଭ୍ରାତାମାନଙ୍କୁ ମନୋରମା କହିଲେ ତୁମ୍ଭେମାନେ କିଛି କୁହନାହିଁ । ମୋ କର୍ମଫଳ ମୁଁ ଭୋଗିବି । ନିଜର ଅଙ୍ଗରୁ ସମସ୍ତ ଅଳଙ୍କାର କାଢି ମନୋରମା ପିତା ମାତାଙ୍କୁ ପ୍ରଦାନ କଲେ । ବିକ୍ରମାଦିତ୍ୟଙ୍କ ନିକଟରେ ଯାଇ ପ୍ରବେଶ ହେଲେ । ସ୍ୱାମୀଙ୍କୁ ସାଙ୍ଗରେ ଘେନି ସ୍ୱର୍ଣ୍ଣମତି ନଦୀତୀରେ ପହଁଚିଲେ । ସଦାଶିବଙ୍କୁ ଦୁହେଁ ସ୍ମରଣ କରି ଖୁସିରେ ରହିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ