ବିଚାରପତିଙ୍କ ନ୍ୟାୟାଦେଶ

       ଭୋରୁ ଭୋରୁ କୃଷକ ତା’ର ଜମିକୁ ହଳନେଇ ବାହାରିଥାଏ, ଏହି ସମୟରେ ଚୋର ସିପାହୀ ଗହଣା ବାକ୍ସ ନେଇ ଦୌଡୁଥିଲା । ଏକଥା କୃଷକ ଜାଣିଗଲା ପରେ ଦୌଡିଯାଇ ସିପାହୀକୁ ମାଡିବସିଲା । ତହୁଁ ଅନ୍ୟଲୋକମାନେ ଆସି ସେଠାରେ ରୁଣ୍ଢ ହୋଇଗଲେ ।

       ଏବେ ସିପାହୀ ଜଣକ ନିଜେ ଖସିଯାଇ ନିରୀହ କୃଷକକୁ ଦୋଷୀ ସାବ୍ୟସ୍ତ କରିବାପାଇଁ ହଠାତ୍ ଏକ ଷଡଯନ୍ତ୍ର ଭିଆଇଲା । ସେ ଲୁଚିକରି ଆଣିଥିବା ଅଳଙ୍କାର ବାକ୍ସଟି କୃଷକ ହାତରେ ଧରାଇଦେଇ କହିଲା, “ଗାଁ ଲୋକମାନେ, ଦେଖନ୍ତୁ, ମୁଁ ଗାଁ ଜଗିଥିବାବେଳେ ଆଜି ଏ ଚୋରକୁ ଧରିଛି । ଏପର୍ଯ୍ୟନ୍ତ ସଚ୍ଚୋଟ ବୋଲାଉଥିବା କୃଷକର ସ୍ୱରୂପ ଏବେ ଦେଖନ୍ତୁ । ବଣିଆକୁ ହତ୍ୟା କରି ଅଳଙ୍କାର ଲୁଟି ନେଉଥିବା ବେଳେ ମୁଁ ତାକୁ ଧରିଛି ।”

       କୃଷକ ଯେତେ ଯାହା କହିଲେ ମଧ୍ୟ କେହି ତା’ କଥା ବିଶ୍ୱାସ କଲେ ନାହିଁ । ତାପରେ ଚତୁର ସିପାହୀ କୃଷକକୁ ବନ୍ଦୀକରି ହାଜତରେ ଭର୍ତ୍ତି କରିଦେଲା । କହିଲା, “କୃଷକ ଭାଇ! ତୁ ମୋତେ ଛାଡି ଦେଇଥିଲେ ତୋର କିଛି କ୍ଷତି ହୋଇନଥାନ୍ତା । ମୋତେ ଧରିବାରୁ ତୁ ଅକାରଣରେ ଫସିଗଲୁ ସିନା, ଏବେ ଜେଲ ଦଣ୍ଡ କି ଫାଶୀ ମିଳିବ, କି ଲାଭ ତୋର ହେଲା?”

       କୃଷକ ଏକଥା ଶୁଣି କେବଳ ଲୁହ ଗଡାଉଥିଲା ସିନା କିଛି କହିପାରୁନଥିଲା ।

       ତହିଁ ପରଦିନ ବିଚାରପତିଙ୍କ ଆଗରେ କୃଷକକୁ ହାଜର କରାଗଲା । ସିପାହୀର ବୟାନ୍ ଓ ଗ୍ରାମବାସୀଙ୍କର ସାକ୍ଷ୍ୟ ପ୍ରଦାନ ଭିତିରେ ବିଚାରପତି କୃଷକକୁ ସିନା ମୃତ୍ୟୁଦଣ୍ଡ ଦେଲେ, ହେଲେ ତାଙ୍କର ମନ କହୁଥିଲା କୃଷକ ଆଦୌ ଦୋଷୀ ନୁହେଁ । ସେ ଘରକୁ ଯାଇ ଅନେକ ଚିନ୍ତାକଲେ କିପରି ଏଥିରୁ କୃଷକକୁ ବଂଚାଇବେ? ଶେଷରେ ଗୋଟିଏ ଉପାୟ ପାଂଚିଲେ ।

       ଯୋଜନା ଅନୁସାରେ ତହିଁ ପରଦିନ ଜଣେ ଲୋକ ବିଚାରପତିଙ୍କଠାରେ ଅଭିଯୋଗ କରି କହିଲା, “ଧର୍ମାବତାର! ମୋ’ ଭାଇକୁ ଗତକାଲି ରାତିରେ କିଏ ହତ୍ୟା କରିଛି । ଦୟାକରି ଦୋଷୀକୁ ଉପଯୁକ୍ତ ଦଣ୍ଡ ଦିଆଯାଉ ।”

       ଏହାଶୁଣି ବିଚାରପତି ସେହି ସିପାହୀ ଏବଂ ହାଜତରେ ଥିବା କୃଷକକୁ ବିଚାରାଳୟରେ ପହଂଚାଇବା ପାଇଁ ନିର୍ଦ୍ଧେଶ ଦେଲେ । ଦୁହେଁ ଉପସ୍ଥିତ ହେଲାପରେ ବିଚାରପତି କହିଲେ, “ତୁମେ ଦୁହେଁ ମୃତ ବ୍ୟକ୍ତିର ଶବକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାରେ ପହଂଚାଅ ।”

       ଆଦେଶ ପାଇ ଦୁହେଁ ତାହାହିଁ କଲେ । ମିଛରେ ମରିବାର ଅଭିନୟ କରୁଥିବା ବ୍ୟକ୍ତିର ଶବକୁ ବୋହି ନେଉଥିବାବେଳେ ସିପାହୀ ଜଣକ କୃଷକକୁ କହୁଥିଲେ, “କୃଷକ ଭାଇ! ମୁଁ ସେହିଦିନ କହୁଥିଲି ନା ମୋତେ ଛାଡି ଦିଅବୋଲି । ହେଲେ ତୁମେ ସଚ୍ଚୋଟ ପଣିଆ ଦେଖାଇ ମୋତେ ମାଡି ବସି ଗାଁ ଲୋକଙ୍କୁ ଡାକିଲ । ମୁଁ ବଣିଆକୁ ମାରି ଅଳଙ୍କାର ଲୁଟ କରିଥିଲି ସିନା, ହେଲେ ଦୋଷୀ ହେଲ ତୁମେ । ସୁତରାଂ ସତ କହି କି ଲାଭ ମିଳିଲା ତୁମକୁ? ଏବେ ତ ଫାଶୀ ପାଇବ ।”

       ମିଛରେ ମରିଥିବା ଅଭିନୟ କରୁଥିବା ଲୋକଟି ଅସଲ କଥାଟି ଜାଣି ବିଚାରପତିଙ୍କ ଆଗରେ ଗୋଟି ଗୋଟି କରି ସବୁ କହିଗଲା । ଫଳରେ ଏବେ କୃଷକ ବଦଳରେ ସିପାହୀକୁ ମୃତ୍ୟୁଦଣ୍ଡ ଆଦେଶ ହେଲା ।

       ଏହି ଗଳ୍ପରୁ ଶିକ୍ଷାମିଳେ ମିଛକଥା ବା ଅପରାଧ କେବେ ଲୁଚି ରହେ ନାହିଁ । ସୁତରାଂ ସବୁବେଳେ ସତକଥା କହି ସମସ୍ତଙ୍କର ପ୍ରଶଂସାଭାଜନ ହେବା ଉଚିତ୍ ।


ଗପ ସାରଣୀ

ତାଲିକାଭୁକ୍ତ ଗପ