ବିଚିତ୍ର ଏ ଦୁନିଆ

ଦେବକାନ୍ତ,

                ମୋ ପୁଅକୁ ତୁମର ପରିଚୟ ଦେଇ ପଠାଇଲି । ଇତି ମଧ୍ୟରେ ଦୀର୍ଘ ପଚିଶି ବର୍ଷ ତ ଗତ ହୋଇଯାଇଛି । କିନ୍ତୁ ଆଜି ବି ମନେପଡେ ଦେବକାନ୍ତ, ସ୍କୁଲ୍ ଜୀବନ କଥା । କେତେ କଳି କଜିଆ, ଥଟ୍ଟା ଟାପରା, ରାଗରୁଷା, ବଣଭୋଜି, କଷିଆମ୍ବ ଖିଆ ବିଭିନ୍ନ କଥା ମନେ ପଡେ । ପିଲା ଦିନର ସେ କଥା ତ ନିଶ୍ଚୟ ମନଥିବ । ହେଲେ ସେ ଦିନ, ଆଉ ଆଜିର ଏ ଦିନ ଭିତରେ ଆକାଶ ପାତାଳ ଫରକ । ଆଜି ଆଉ ସେ ସମୟ ନାହିଁ କି ସେ ବୟସ ମଧ୍ୟ ନାହିଁ । ମୋତେ ମନେ ପକାଇ ପାରୁଛ ମୁଁ କିଏ? ମୁଁ ସେଇ ସବିତା । ସ୍କୁଲ୍ ଦିନଗୁଡିକ ତ କୌଣସି ମତେ କଟିଗଲା । ସମୟାନୁକ୍ରମେ ଆମେ ବଡ ହେଲେ, ସ୍କୁଲ୍ ପାଠରୁ ମୋ ପାଠ ପଢାରେ ତ ଡୋରି ବନ୍ଧାଗଲା । କାରଣ ମୋ ବାପା ଜଣେ ସାଧାରଣ କୃଷକ । ମୁଣ୍ଡଝାଳ ତୁଣ୍ଡରେ ମାରି ବିଲ ବାଡିରେ କଠିନ ପରିଶ୍ରମ କରନ୍ତି ସେ । କୃଷିରୁ ଯାହା ବି ଉପାର୍ଜ୍ଜନ ହୁଏ ସେଥିରେ ହିଁ ଆମ ପରିବାର ଚଳେ । ମୋତେ କଲେଜରେ ପାଠ ପଢାଇବାପାଇଁ ମୋ ବାପାଙ୍କ ପାଖରେ ଏତେ ସମ୍ବଳ ନଥିଲା । କେବଳ ଅର୍ଥର ଅଭାବ ଯୋଗୁଁ ତ ମୁଁ ଆଉ କଲେଜରେ ପାଠ ପଢିପାରିଲି ନାହିଁ । ହେଲେ ତମେ ତ ଧନୀ ଘର ପୁଅ । କଲେଜରେ ପାଠ ପଢିବାକୁ ଗାଆଁ ଛାଡି ସହରକୁ ଚାଲିଗଲ ।

                ତା’ପରେ ମୋ ବାପା ମୋତେ ଏକ ମଧ୍ୟବିତ୍ତ ପରିବାରରେ ବିବାହ କରିଦେଲେ । ମୋ ବର ଜଣେ ଟ୍ୟାକ୍ସି ଡ୍ରାଇଭର । ମୁଁ ଗାଆଁ ଛାଡି ଶାଶୂ ଘରକୁ ଆସିଲି । ଗତ ଚାରି ପାଂଚ ଦିନ ତଳେ ଖବର କାଗଜରେ ପଢିଥିଲି । ତମେ ସୁତା ମିଲ୍ର ମ୍ୟାନେଜର । ତୁମ ମିଲ୍ରେ କିରାଣି ଚାକିରି କରିବାକୁ ପ୍ରାର୍ଥୀ ଆବଶ୍ୟକ । ଚାକିରି ବିଜ୍ଞାପନ ତଳେ ତୁମ ମିଲ୍ ମାଲିକ ଓ ତୁମ ନାମ ଲେଖାଥିବା ମୁଁ ପଢିଲି । ତେଣୁ ମନେ ମନେ ମୁଁ ବହୁତ ଖୁସି ବି ହୋଇଗଲି । ସେଦିନ ମୁଁ କେତେ ଯେ ଆନନ୍ଦିତ ହୋଇଛି ତାହା ତୁମେ କେବେବି ଅନୁଭବ କରିପାରିବ ନାହିଁ । ମୋ ନିଜକଥା ଅନେକ ଦୁଃଖଦ କାହାଣୀ । ମୋ ବିବାହର ଦେଢ ବର୍ଷ ପରେ ମୁଁ ଜନନୀ ହେଲି । ମୋ ପୁଅ ଶଶୀକାନ୍ତ । କିନ୍ତୁ ଦାରୁଣ ଦଇବ ମୋ ସୁଖ ସୌଭାଗ୍ୟକୁ ଶେଷ କରିଦେଲେ । ଦୁଃଖର ବାତ୍ୟା ମୋ ଭାଗ୍ୟଚକ୍ରକୁ ଦୋହଲାଇ ଦେଲା । ଶଶୀକାନ୍ତକୁ ଦଶବର୍ଷ ବୟସ ନ ପୂରୁଣୁ ଶଶୀକାନ୍ତର ବାପା ଏକ କାର୍ ଦୁର୍ଘଟଣାରେ ମୃତ୍ୟୁ ବରଣ କଲେ । ଆମ ମାଆ ପୁଅକୁ ଅଥଳ ଦୁଃଖ ସାଗରରେ ଭସାଇ ସବୁଦିନ ପାଇଁ ସେ ଏ ସଂସାର ଛାଡି ଚାଲିଗଲେ । କ’ଣ କରିବି ବୋଲି ଭାବି ଭାବି ଶେଷରେ ମୁଁ ଟିଉସନ୍ କଲି । ସିଲେଇ ମେସିନଟିଏ କିଣି ଦିନରାତି ଅକ୍ଳାନ୍ତ ପରିଶ୍ରମ କରି ଶଶୀକାନ୍ତକୁ ପାଠ ପଢାଇ ମଣିଷ କଲି । କହି ବସିଲେ ମୋ କାହାଣୀ ମୋଟେ ସରିବନି । ଶଶୀକାନ୍ତ ବି.ଏ. ପର୍ଯ୍ୟନ୍ତ ପାଠ ପଢିଛି । ସବୁଥିରେ ତା’ର ଫାଷ୍ଟକ୍ଲାସ୍ । ହେଲେ ଚାକିରିଟିଏ ପାଇଁ ଏ ଅଫିସ୍ରୁ ସେ ଅଫିସ୍ ହେଇ ତା’ ଚପଲ ଛିଡିଗଲାଣି । ସବୁଠି ଚାକିରି ରିଜର୍ଭ । ଖାଲି ସ୍ଥାନ ନାହିଁ । କେତେ ବଡ ଘର ପୁଅ ଚାକିରି ନ ପାଇ ବେକାର ହୋଇ ବୁଲୁଛନ୍ତି । ହେଲେ ଦେବକାନ୍ତ ସେମାନଙ୍କ ବାପାଙ୍କ ନିକଟରେ ତ ପ୍ରଚୁର ଟଙ୍କା ଅଛି । ସେମାନେ ତ ଆଉ ବ୍ୟବସାୟ କରିବେ ନାହିଁ, ଆଜି ନହେଲେ କାଲି ଲାଂଚ ଦେଇ ଚାକିରି କରିପାରିବେ । ଆଉ ପୁଣି ସେମାନଙ୍କର ଅନେକ ନିଜର ଲୋକ ମଧ୍ୟ ସହରର କୋଣେ କୋଣେ ଅଛନ୍ତି । ହେଲେ ଏ ନିରିମାଖି ଦୁଃଖିନୀ ସବିତାର କେହି ବି ନାହିଁ । କ’ଣ କରିବି? ମୋର ଅର୍ଥହୀନ ଅବସ୍ଥା ଶଶୀକାନ୍ତକୁ ସମ୍ପୂର୍ଣ୍ଣ ଦୁର୍ବଳ କରିପକାଇଛି । ଶୁଣିଲି, ତୁମ ମିଲ୍ରେ କିରାଣି ଚାକିରି ବାହାରିଛି । ଆଉ ସେହି ଚାକିରି ପାଇଁ ତୁମ ପାଖରେ ଇଣ୍ଟରଭ୍ୟୁ ହେବ । ତେଣୁ ତୁମକୁ ମୋର ବିଶେଷ ଅନୁରୋଧ, ତମେ ମୋ ପୁଅର ସମସ୍ତ ଯୋଗ୍ୟତାର ପ୍ରମାଣ ପତ୍ର ଦେଖିବ । ଦେବକାନ୍ତ ତୁମେ ମୋର ସହପାଠୀ । ପିଲାଦିନର ସାଥି ମୋର ଏ ଦୁର୍ଦ୍ଦିନରେ ମୋତେ ନିଶ୍ଚୟ ସାହାଯ୍ୟ କରିବ । ଯମା ନିରାଶ କରିବନି । ମୋ ପୁଅକୁ ଚାକିରି ଦେବ । ମୋର ଏକାନ୍ତ ଅନୁରୋଧ ତମେ ମୋ ପୁଅ ଶଶୀକାନ୍ତକୁ ନିଶ୍ଚୟ ସାହାଯ୍ୟ କରିବ ।

                                                                                                                                                                 ।   ଇତି   ।

                                                                                                                                                                      ସବିତା

               


ଗପ ସାରଣୀ

ତାଲିକାଭୁକ୍ତ ଗପ