ବିଚିତ୍ର ପୁଷ୍ପ

                “ଏବେ ତମେ ସେ ସବୁକଥା ଭୁଲିଯାଇ ମନ୍ଦିରକୁ ଆସ । ଆରତୀର ସମୟ ହୋଇଗଲାଣି ।” ଦେବୀଙ୍କ ସ୍ୱର ଓ ରୂପ କେବଳ ସେ ପୂଜକହିଁ ଶୁଣିଥିଲେ ଓ ତାଙ୍କୁ ଦେଖିଥିଲେ । ତା’ପରେ ସେ ଦେବୀଙ୍କର ଆରତୀ ଶେଷ କରି ମନ୍ଦିର ବାହାରକୁ ଆସି ଦେଖିଲେ ତାଙ୍କ ଝିଅ ଭାଗ୍ୟଶ୍ରୀ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇଯାଇଛି ଓ ଯାହାସବୁ ଘଟିଥିଲା ସେସବୁକୁ ସେ ପୁରାପୁରି ଭୁଲିଯାଇଛି ।

                ସେଠାରେ ଜମା ହୋଇଥିବା ଲୋକେ କହିଲେ ପୂଜକଙ୍କ ଅଭିଶାପ ଯୋଗୁଁ ସେହି ବ୍ୟକ୍ତି ଜଣକ ରାକ୍ଷସ ସ୍ୱଭାବର ହୋଇ ସେଠାରୁ ସେ କୁଆଡେ ଚାଲିଗଲା । ଅନ୍ୟମାନେ ସେତେବେଳେ କହିଲେ କି ସେ ହେଉଛନ୍ତି ଯୁବରାଜ ଚନ୍ଦ୍ରକେତୁ ।

                ଏସବୁ କଥାର ଖବର ପାଇ ରାଜା ବହୁତ ଲଜ୍ଜିତ ହେଲେ । ପୂଜକ ମଧ୍ୟ ରାଜାଙ୍କୁ କହିଲେ ଯେ ସେ ବି ଜାଣି ନଥିଲେ ସେହି ଦୁଷ୍ଟ ତାଙ୍କର ଭାଇ ବୋଲି । କିନ୍ତୁ ଚନ୍ଦ୍ରକାନ୍ତ ଶାନ୍ତ ଭାବରେ କହିଲେ, “ତୁମେ ତୁମ ଝିଅକୁ ଆମ ରାଜନଅରକୁ ପଠାଇ ଦିଅ ଫଳରେ ସେ ମୋଝିଅ ସହିତ କିଛିଦିନ ରହିଲେ ସମ୍ପୂର୍ଣ୍ଣ ଭଲ ହୋଇଯିବ ।”

ଗଳ୍ପଟି ଶେଷ କରି ରାଜଗୁରୁ କହିଲେ, “ମୁଁ ଏସବୁ ରାଜା ଚନ୍ଦ୍ରକାନ୍ତଙ୍କ ଜୀବନୀ ଥିବା ତାଳପତ୍ର ପୋଥିରୁ ପଢିଛି । ଦେବୀଙ୍କ ଦ୍ୱାରା ଅଭିଶାପଗ୍ରସ୍ଥ ପୁଷ୍ପ ଶହେ ବର୍ଷରେ ଥରେ ମାତ୍ର ଫୁଟେ । କେବଳ ସେଇଥିପାଇଁ ତାହାକୁ “ଶତାଦ୍ଦୀକା” ବୋଲି କୁହାଯାଏ । ଆପଣଙ୍କ ରାଜ୍ୟ ଓ ପରିବାର ଶାନ୍ତିରେ ଚଳୁଛି, ଏହି ପୁଷ୍ପ ଯୋଗୁଁ କୌଣସି କିଛି ବିପଦ ଯେପରି ନ ଆସୁ ସେଥିପାଇଁ ଆପଣଙ୍କୁ ସଚେତନ କରାଇ ଦେବା ମୋର ପରମ କର୍ତ୍ତବ୍ୟ ।”

ରାଜା ପ୍ରତାପବର୍ମା ଏସବୁ କଥା ଶୁଣିବା ପରେ ତାଙ୍କ ଝିଅଙ୍କୁ ଚାହିଁ ସେ କହିଲେ, “ପ୍ରିୟମ୍ବଦା, ରାଜଗୁରୁ ଯାହା କହିଲେ ତା’ହା ତ ତମେ ଶୁଣିଲ, ତେଣୁ ତାକୁ ଭବନ ମଧ୍ୟରେ ଆଉ ନ ରଖି ବଗିଚାରେ ରଖିବାର ବ୍ୟବସ୍ଥା କର ।”

ପ୍ରିୟମ୍ବଦା କହିଲେ, “ବାବା ଏବେ ଆପଣଙ୍କ ଆଜ୍ଞା ନିଶ୍ଚୟ ପାଳନ ହେବ ।” ତା’ପରେ ରାଜଗୁରୁଙ୍କୁ ଚାହିଁ ସେ କହିଲେ, “ଗୁରୁଦେବ, ଏତେ ସୁନ୍ଦର ପୁଷ୍ପର ପୁଣି ଏପରି ଖରାପ ପରିଣାମ ବି ହୋଇପାରେ ମୁଁ ତାହା ଆଦୌ ଜାଣି ନଥିଲି । କେବଳ ଫୁଲର ସୌନ୍ଦର୍ଯ୍ୟ ଓ ସୁଗନ୍ଧରେ ମୁଗ୍ଧ ହୋଇ ମୁଁ ତାକୁ ମୋ କକ୍ଷରେ ରଖିଥିଲି । ଏବେ ମୁଁ ତାକୁ ବଗିଚାକୁ ପଠାଇ ଦେବି ।”

ଠିକ୍ ସେତିକିବେଳେ ଜଣେ ସୈନିକ ସେଠାରେ ପ୍ରବେଶ କରି କହିଲା, “ସେନାପତି ବାହାରେ ଆପଣଙ୍କ ଅନୁମତିର ଅପେକ୍ଷା କରିଛନ୍ତି ।”

ରାଜା କହିଲେ, “ତାଙ୍କୁ ଯାଇ କୁହ ସେ ଭିତରକୁ ଆସିବେ ।” ଏହାପରେ ସେନାପତି ଆସିଲେ ଓ ରାଜା ତଥା ରାଜଗୁରୁଙ୍କୁ ସେ ତାଙ୍କ ଅଭିବାଦନ ଜଣାଇଲେ । ରାଜା କହିଲେ, “ତୁମକୁ ଦେଖିଲେ ମନେ ହେଉଛି ତୁମେ ନିଶ୍ଚୟ କୌଣସି ସମସ୍ୟା ନେଇ ଏଠାକୁ ଆସିଛ?”

ରାଜାଙ୍କ କଥା ଶୁଣି ସେନାପତି ଗମ୍ଭୀର ବର୍ମା କହିଲେ “ଆଜ୍ଞା ହଜୁର । ସମସ୍ୟାଟି ଅବଶ୍ୟ ଗୁରୁତର । ଆଜି ଆମ ରାଜ୍ୟର ଦକ୍ଷିଣ ପଟେ ଥିବା ଗ୍ରାମମାନଙ୍କର ଲୋକମାନେ ଘର ଛାଡି ପାଗଳଙ୍କ ପରି ଘୁରି ବୁଲୁଛନ୍ତି । କେହି ମଧ୍ୟ ବୁଝିପାରୁ ନାହାଁନ୍ତି ଯେ ଏପରି କାହିଁକି ହେଲା । ଭୟରେ କାତର ହୋଇ ସେମାନେ ଦୌଡୁଛନ୍ତି । କେହି କେହି ରାଜଧାନୀ ଆଡକୁ ମଧ୍ୟ ଆସୁଛନ୍ତି । ଆଜି ସକାଳୁ ସମୁଦ୍ରତଟର ସମସ୍ତ ଘର ଧରାଶାୟୀ ହୋଇ ଯାଇଛି । ଖବର ନେବାରୁ ଜଣାଗଲା ଯେ ଏସବୁ ଭୂମିକମ୍ପ ଯୋଗୁଁ ହୋଇଛି, ମାତ୍ର ପାଣି ମାଡି ଆସିବାରୁ ନୁହେଁ । ଘରସବୁ ଭାଙ୍ଗି ପଡିଛି । କିନ୍ତୁ କୌଣସି ଶବ୍ଦ ନାହିଁ । ଖବର ମିଳିଛି ଯେ ଭଗବାନ୍ଙ୍କ ଦୟାରୁ ଲୋକମାନଙ୍କର ମୃତ୍ୟୁ ହୋଇନାହିଁ । ହେଲେ ହଠାତ୍ ଏପରି କାହିଁକି ହେଲା? କେହି ହେଲେ ମଧ୍ୟ ଏହାର କାରଣ କ’ଣ ବା ହୋଇପାରେ ତାହା ଅନୁମାନ ସୁଦ୍ଧା କରିପାରୁ ନାହାଁନ୍ତି ।”

ରାଜା ପଚାରିଲେ, “ପ୍ରଜାଙ୍କର ରକ୍ଷଣା ବେକ୍ଷଣ ପାଇଁ କିଛି ବ୍ୟବସ୍ଥା କରିଛ?”

ସେନାପତି କହିଲେ “ଆଜ୍ଞା, ମୁଁ କେତେକ ସୈନିକଙ୍କୁ ସମୁଦ୍ରତଟରେ ଥିବା ଗ୍ରାମକୁ ପଠାଇଛି କୌଣସି ଲୋକ ଉପରେ କିଛି ସନ୍ଦେହ ହେଲେ ତାକୁ ତୁରନ୍ତ ବନ୍ଦୀ କରି ଆଣିବାର ଆଦେଶ ମଧ୍ୟ ମୁଁ ଦେଇଛି । ବିପଦରେ ପଡିଥିବା ଲୋକଙ୍କର ସହାୟତା କରିବା ପାଇଁ ମୁଁ ବହୁ ସୈନିକ ପଠାଇଛି । ଆହୁରି ପୁଣି ଅନେକ ସୈନ୍ୟ ସେମାନଙ୍କୁ ଆଣି ଥଇଥାନ୍ କରିବା ପାଇଁ ରଖାଇଛି । ତନ୍ମଧ୍ୟରୁ କେତେକ ଆମ ରାଜ ଭବନରେ ମଧ୍ୟ ଆଶ୍ରୟ ନେବେ । ନଚେତ୍ ଆଉ ସ୍ଥାନ କାହିଁ?”

ରାଜକୁମାରୀ କହିଲେ “କେବଳ ସ୍ତ୍ରୀ ଓ ପିଲାମାନଙ୍କୁ ରାଜଭବନରେ ସ୍ଥାନ ଦେବାର ବିଶେଷ ବ୍ୟବସ୍ଥା କରାଯାଉ ।” ଏକଥା ଶୁଣି ସେ ରାଜା କହିଲେ, “ମୋ ଝିଅ, ଠିକ୍ କଥା କହିଛି; ଏବେ ତୁମେ ସେନାପତିଙ୍କ ସହିତ ଦେଖି ରାଜଭବନର କେଉଁ ଅଂଶରେ କିଏ ରହିବ ସେସବୁର ବ୍ୟବସ୍ଥା କର ।”

ତା’ପରେ ସେ ରାଜା ତାଙ୍କ ସେନାପତିଙ୍କୁ କହିଲେ, “ଆମ ପ୍ରଜାଙ୍କର ଯେପରି କୌଣସି ପ୍ରକାରରେ କିଛି ବି କଷ୍ଟ ନହୁଏ । ଏହି ଆକସ୍ମିକ ବିପଦ ସମୟରେ ସେମାନଙ୍କୁ ରକ୍ଷାକରିବା ଆମର ପ୍ରଧାନ କର୍ତ୍ତବ୍ୟ । ପରେ ଆମେ ସେମାନଙ୍କୁ କି କାମ ଦେବା ଓ କେଉଁଠାରେ ସେମାନଙ୍କର ଥଇଥାନ୍ କରିବା, ସେ ବିଷୟରେ ବିଚାର କରିବା ।”

ରାଜା ପଚାରିଲେ “ଗୁରୁଦେବ ଆପଣ ଏ ପ୍ରସଙ୍ଗରେ କ’ଣ ଭାବୁଛନ୍ତି?”

ରାଜଗୁରୁ କିଛି ସମୟ ଗମ୍ଭୀର ଭାବରେ ଚିନ୍ତା କରି କହିଲେ, “ହଁ, ସେହିପରି କରନ୍ତୁ । ସେନାପତି ଯେଉଁ ଖବର ନେଇ ଆସିଲେ, ସେଥିରୁ ଏହା ପ୍ରମାଣିତ ହେଉଛି ଯେ “ଶତାଦ୍ଦୀକା” ଫୁଲର ଏହି ପରିଣାମ । ମହାରାଜ ମୁଁ ଯୋଉଥି ପାଇଁ ଭୟ କରୁଥିଲି ଏବେ ତାହାହିଁ ହେବାକୁ ଯାଉଛି । ତେଣୁ ସେଥିପାଇଁ ଆପଣ ଯଥାଶୀଘ୍ର କିଛିଗୋଟେ ବ୍ୟବସ୍ଥା କରନ୍ତୁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ