ବିଚିତ୍ର ପୁଷ୍ପ

(ଉତୁଙ୍ଗ ‘ଶତାଦ୍ଦିକା’ ପୁଷ୍ପ ନେଇ ରାକ୍ଷସ ଜନ୍ତୁକୁ ଖୋଜିବାକୁ ଯାଇ ନାଗପୁର ଦେଶରେ ପହଁଚିଲେ । ପାହାଡୀ ପ୍ରଦେଶର ମୁଖ୍ୟ କାବୁଇ ତାଙ୍କୁ ବହୁତ ଆଦର କଲେ ଓ ତାଙ୍କୁ ରାଜାଙ୍କ ପାଖକୁ ନେଇଗଲେ । ରାଜା ତାଙ୍କ ସାହସର ପ୍ରଶଂସା କରି କହିଲେ ତାଙ୍କର ସହାୟତା ସକାଶେ କେତେକ ସୈନ୍ୟ ସେ ଦେବେ । ରାଜକୁମାରୀଙ୍କ ଆଦେଶରେ ଜଣେ ଦେହରକ୍ଷୀ ଉତୁଙ୍ଗକୁ ରାଜକୁମାରୀଙ୍କ ପାଖକୁ ଡାକି ନେଲେ । ଏଣିକି ଆଗକୁ ପଢନ୍ତୁ )

                ସିପାହୀ ଉତୁଙ୍ଗଙ୍କୁ ନିଜ ସହିତ ରାଜକୁମାରୀଙ୍କ କକ୍ଷ ଆଡେ ଆଗେଇ ନେଲା । କିଛି ସମୟ ପରେ “ଏହିଠାରେ ଅପେକ୍ଷା କରନ୍ତୁ” ବୋଲି କହି ଉତୁଙ୍ଗକୁ ସେ ଛାଡି ରାଜକୁମାରୀଙ୍କୁ ଖବର ଦେବାକୁ ଗଲା । ଉତୁଙ୍ଗ ଏକ ବାରଣ୍ଡାରେ ଠିଆ ହୋଇଥିଲେ । ପାଖରେ ଥିବା ବାତାୟନ ଦେଇ ବାହାରକୁ ସେ ଚାଲିଗଲେ । ଅତି ଚମତ୍କାର ଉଦ୍ୟାନଟିଏ । ସେ ମୁଗ୍ଧ ହୋଇ ଚାହିଁ ରହିଥିଲେ । ଏହି ସମୟରେ ରାଜକୁମାରୀ ସେଠାରେ ଆସି ପହଁଚିଲେ । ସେ କହିଲେ, “ମନେ ହେଉଛି ତମେ ଫୁଲକୁ ବହୁତ ଭଲ ପାଅ । କିନ୍ତୁ ମୁଁ ଫୁଲକୁ ଭଲ ପାଏ ବୋଲି ତମେ କିପରି ଜାଣିଲ? ତୁମେ ଆଣିଥିବା ଫୁଲକୁ ମୁଁ ମୋ ଘରେ ସୁନ୍ଦର ଭାବରେ ଖୁବ୍ ଯତ୍ନର ସହିତ ସଜାଇ ରଖିଛି । କିନ୍ତୁ ଏବେ କୁହ ଯେ କିପରି ଏତେ ସୁନ୍ଦର ଫୁଲ ସବୁ ଶାପଗ୍ରସ୍ତ ହେଲେ?”

                ଏପରି ପ୍ରଶ୍ନ ଶୁଣି ଉତୁଙ୍ଗ ଚମକି ଉଠିଲେ । କିନ୍ତୁ ନିଜକୁ ସମ୍ଭାଳି ନେଇ ସେ କହିଲେ, “ଶାପ? କାହାପାଇଁ? “ଶତାଦ୍ଦିକା ଫୁଲ ଓ ଶାପଗ୍ରସ୍ଥ”?

                ରାଜକୁମାରୀ କହିଲେ “ମୋ ବାବାଙ୍କୁ ତମେ ସବୁ ଯାହା କହିଛ ମୁଁ ସେଥିରୁ ଅଳ୍ପ କିଛି ଶୁଣିପାରିଛି । ଅଚାନକ ସୁଗନ୍ଧ ଦ୍ୱାରା ରାଜମହଲ ପୂର୍ଣ୍ଣ ହେଲା । ମୁଁ ମଧ୍ୟ ଆକର୍ଷିତ ହୋଇ ଆସିଲି । ସେତେବେଳେ ବାବା ମନ୍ତ୍ରୀମାନଙ୍କ ସହ ଯେଉଁ ବିଷୟରେ ଆଲୋଚନା କରୁଥିଲେ, ମୁଁ ତହିଁରୁ ମଧ୍ୟ କିଛି କିଛି ଶୁଣିଛି । କାବୁଇ କହୁଥିଲେ ଯେ ଏହି ଫୁଲ ଯୋଗୁଁ ରାକ୍ଷସ ଜନ୍ତୁ ନିଶ୍ଚୟ ଆସିବ । ଆଶ୍ଚର୍ଯ୍ୟ, ରାକ୍ଷସଜନ୍ତୁ ମଧ୍ୟ ଏ ଫୁଲ ପ୍ରତି ଏତେ ଆକୃଷ୍ଟ?”

                ଉତୁଙ୍ଗ ଭାବି ପାରିଲେ ନାହିଁ ଯେ ସେ ଏହାର କ’ଣ ଉତ୍ତର ଦେବେ । କହିଲେ, “ହଁ, ଫୁଲକୁ ମୁଁ ବି ବହୁତ ଭଲପାଏ, କିନ୍ତୁ ମୁଁ ତ ଆଉ ରାକ୍ଷସଜନ୍ତୁ ନୁହେଁ ।”

                ରାଜକୁମାରୀ କହିଲେ “କିନ୍ତୁ ତୁମେ ରାକ୍ଷସଜନ୍ତୁକୁ ଖୋଜିବାକୁ ଆସିଛ ନା?”

                ଉତୁଙ୍ଗ କହିଲେ “ମୁଁ ଆପଣଙ୍କ ପାଇଁ ଫୁଲଗୁଡିକ ନେଇ ଆସିଛି । ବିଶ୍ୱାସ କରନ୍ତୁ । କିନ୍ତୁ ମୋତେ ଏଠାକୁ ଡାକିବାର କାରଣ ତ କାହିଁ ଏପର୍ଯ୍ୟନ୍ତ କିଛି କହିଲେ ନାହିଁ ।” ରାଜକୁମାରୀ କହିଲେ “ତମେ ରାକ୍ଷସଜନ୍ତୁକୁ ବିନାଶ କରିବାକୁ ଚାହୁଁଛ । ଆମେ ମଧ୍ୟ ଜଣେ ଭୟଙ୍କର ରାକ୍ଷସଜନ୍ତୁ ପରି ଲୋକକୁ ଦମନ କରିବାକୁ ତୁମର ସାହାଯ୍ୟ ଚାହୁଁ ।”

                ଉତୁଙ୍ଗ କହିଲେ “ଶତ୍ରୁ, ପୁଣି ଆପଣଙ୍କର? କାବୁଇ କହିଲେ ତ ନାଗପୁରୀର କୌଣସି ଶତ୍ରୁହିଁ ନାହିଁ ।”

                “ସେ ଯାହା କହିଛନ୍ତି ତାହା ସତ୍ୟ । ବାହାରେ ଆମର କେହିବି ଶତ୍ରୁ ନାହିଁ । କିନ୍ତୁ ଆମରି ମଧ୍ୟରେ ଜଣେ ରହିଛି, ଯିଏକି ଯେକୌଣସି ସମୟରେ ଯାହାକିଛି ମଧ୍ୟ କରିଦେଇ ପାରିବ । ସେ ଆଉ ଅନ୍ୟ କେହି ନୁହେଁ, ମୋର ମାମୁଁ ନାଗସିଂହ; ତାଙ୍କୁ ମୋ ବାବା ଏକ ବଡ ସୈନ୍ୟବାହିନୀର ଦଳପତି କଲେ ମଧ୍ୟ ସେ ସେନାପତି ହେବାକୁ ଚାହାଁନ୍ତି । ଏକଥା ମୋ ମା’ଙ୍କଦ୍ୱାରା ସେ ମୋ ବାବାଙ୍କୁ ଜଣାଇଲେ । ବାବା କିନ୍ତୁ ତାଙ୍କ ପ୍ରସ୍ତାବରେ ଆଦୌ ରାଜି ହେଲେ ନାହିଁ । ତେଣୁ ସେ କହି ପଠାଇଛନ୍ତି ସେନାପତି କ’ଣ, ମୁଁ ଇଚ୍ଛା କଲେ ଏହି ରାଜ୍ୟର ରାଜାବି ହୋଇ ପାରିବି । ଏକଥା ଶୁଣି ମୋ ବାବା କହିଲେ ଯେ ସେ ଯେପରି ରାଜମହଲରେ ପାଦ ଦେଇ ପାରିବେ ନାହିଁ । ତା’ପରେ ବାବା ମୋତେ ଓ ମୋର ମାଙ୍କୁ ତା’ଠାରୁ ଦୂରରେ ରହିବାକୁ ସାବଧାନ କରି କହିଛନ୍ତି ।” ମଣିଷ ଭାବରେ ସେ ତ ମୋଟେ ଭଲ ନୁହେଁ, ମାମୁଁ ହେଲେ କ’ଣ ହେବ? ସେହି ଗୃହଶତୃ ଅତି ଭୟଙ୍କର । ଆମର ଏ ବିପଦ କଥା ବାହାରେ କେହିବି ଜାଣନ୍ତି ନାହିଁ । ମୋ ବାବା ତୁମ ପରି ଜଣେ ଲୋକର ସାହାଯ୍ୟ ପାଇଲେ ବହୁତ ଆସ୍ୱସ୍ତ ହେବେ । ସେଥିପାଇଁ ବୋଧ୍ହୁଏ ଭଗବାନ ତୁମକୁ ଏଠାକୁ ଆଣିଛନ୍ତି ।


ଗପ ସାରଣୀ

ତାଲିକାଭୁକ୍ତ ଗପ