ବିଚିତ୍ର ପୁଷ୍ପ

                ବୀରସିଂହ ପଚାରିଲେ, “ସଙ୍ଗରେ ସୈନ୍ୟଦଳ ନେବା କି?” ସେନାପତି କହିଲେ, “ନାଁ ନାଁ, ମୋ ସହିତ ତୁମେ ଓ ଅଧିକ ତିନିଜଣ ବୁଦ୍ଧିମାନ ସୈନ୍ୟ ନେଇ ଆସ, କିନ୍ତୁ ଆଜି ରାତିରେ ଯାଉଥିବା ସୈନ୍ୟଦଳଙ୍କୁ ଯିବାକୁ ଦିଅ । ଆମେ ଅଲଗା ଯିବା, ସେକଥା ଯେପରି ଅନ୍ୟ କେହି ହେଲେ ମଧ୍ୟ ନଜାଣନ୍ତି ।”

                ସେହିଦିନ ଦ୍ୱିପ୍ରହର ବେଳକୁ ସେନାପତି ଗମ୍ଭୀରସିଂହ, ଓ ବୀରସିଂହ ଅନ୍ୟ ତିନିଜଣ ସୈନିକଙ୍କୁ ସାଥିରେ ନେଇ ସମୁଦ୍ରର ଦକ୍ଷିଣ ତଟକୁ ଗଲେ । ସେମାନେ ସେଠାରେ ସଂଧ୍ୟା ପୂର୍ବରୁହିଁ ପହଁଚି ସାରିଥିଲେ । ସେମାନେ ଯାଇ ସମୁଦ୍ର ତଟରେ ଦେଖିଲେ ବାଲି ଉପରେ କିଏ ଯେପରି ପାଦ ଘୋଷାରି ଘୋଷାରି ଯାଇଛି । ଏବଂ ତାହା ଉତ୍ତର ଦିଗକୁ ଯାଇଛି । ସେସବୁ ଦେଖି ବୀରସିଂହ କହିଲେ, “ଏହା ନିଶ୍ଚୟ କୌଣସି ଅତିକାୟ ପ୍ରାଣୀର ପଦଚିହ୍ନ ଏବଂ ସେ କେତେ ବଡ ତାହା ବୋଧହୁଏ ଆମେ କଳ୍ପନା ସୁଧା ବି କରିପାରିବା ନାହିଁ ।”

                ସେନାପତି କହିଲେ, “ତୁମେ ଯାହା କହୁଛ ଠିକ୍ ମନେହୁଏ ଯେ ସେ ପ୍ରାଣୀ ସମୁଦ୍ରରୁ ଉଠିଛି ଓ ପୁଣି ସମୁଦ୍ରକୁ ଚାଲିଯାଇଛି । ସ୍ଥଳ ଭାଗରେ ଉତ୍ତର ପଟକୁ କିଛିଦୂର ଯାଇଛି ।”

                ଧୀରେ ଧୀରେ ସଂଧ୍ୟା ହୋଇ ଆସିଲା । ଏମାନେ ସେଠାରେ ଜଗିଥିବା ସୈନ୍ୟ ଦଳଙ୍କଠାରୁ ଅନେକ ଦୂରରେ ରହିଲେ । କିନ୍ତୁ ସେମାନେ କିଛି ଜାଣିପାରିଲେ ନାହିଁ । ତାଙ୍କୁ ଏମାନେ ସେ ବିଷୟରେ କିଛି ନକହି ଲୁଚି ରହିଥା’ନ୍ତି । କ୍ରମେ ରାତ୍ରି ଗଭୀର ହେଲା । ଏକଦିଗରେ ଅନନ୍ତ ସମୁଦ୍ର । ଆଉ ଅନ୍ୟ ଦିଗରେ ବାଲୁକା ପ୍ରାନ୍ତର । ଆକାଶରେ ଦପ୍ ଦପ୍ ଜଳୁଥିବା କେତୋଟି ନକ୍ଷତ୍ର ବ୍ୟତୀତ ଆଉ କିଛି ଦୃଷ୍ଟିରେ ପଡୁନାହିଁ । ସେନାପତି ଭାବି ଚାଲିଛନ୍ତି, “ପ୍ରାଣୀଟି ନିଶ୍ଚୟ ସମୁଦ୍ରରୁ ଉଠୁଛି ଓ ଗାଁଗଣ୍ଡା ଧ୍ୱଂସ କରିଦେଇ ପୁଣି ସକାଳ ହେବା ପୂର୍ବରୁ ଜଳ ମଧ୍ୟକୁ ଫେରି ଯାଉଛି । ଏତେ ବଡ ବିରାଟକାୟ ଜନ୍ତୁକୁ କିପରି ନିପାତ କରାଯିବ । ଯାହା ହେଉ ସେନାପତି ଭାବରେ ମୋର କର୍ତ୍ତବ୍ୟ ପ୍ରାଣ ବିସର୍ଜନ କରି ମଧ୍ୟ ମୁଁ ପ୍ରଜାଙ୍କ ରକ୍ଷା ସକାଶେ ଲଢିବି । ତେଣିକି ଭଗବାନ୍ଙ୍କ ଯାହା ଇଚ୍ଛା ।

ଜନ୍ତୁଟି ପାଇଁ ସେନାପତି ଓ ତାଙ୍କ ସଙ୍ଗୀ କେତେକ ସେହି ନିର୍ଜନ ବାଲୁକା ପ୍ରାନ୍ତରରେ ଅପେକ୍ଷା କରିଥା’ନ୍ତି । ମନରେ ଅନେକ ପ୍ରଶ୍ନ । ଗୋଟିଏ ଗୋଟିଏ ମୁହୂର୍ତ୍ତ ଯୁଗଟିଏ ପରି ଲାଗୁଛି । ସେ ଭାବୁଥିଲେ ଏହା ଜନ୍ତୁଟିଏ ହେଲେ, ଏପରି ଅନେକ ଜନ୍ତୁ ତ ଥିବେ ସେମାନେ ଏକାଠି ବାହାରିଲେ ଲୋକଙ୍କ ଅବସ୍ଥା କ’ଣ ଯେ ହେବ? ଜନପଦ ପରେ ଜନପଦ ତ ସେମାନେ ଶୂନ୍ୟ କରି ଦେଇ ପାରିବେ ଏବଂ ତାହା ପୁଣି ଅନାୟାସରେ । ଏପରି ଏକ ଅଦ୍ଭୂତପୂର୍ବ ଓ ଅଶ୍ରୁତପୂର୍ବ ସମସ୍ୟାକୁ ନେଇ କ’ଣ କରାଯିବ । ଦେଖାଯାଉ ଜନ୍ତୁଟି ପ୍ରଥମେ ଦୃଷ୍ଟିପଥାରୁଢ ହେଲେ ଯାଇ ତା’ର ନିଧନ ପାଇଁ କି ପ୍ରକାରର ପଦକ୍ଷେପ ନିଆଯାଇ ପାରିବ, ସେ ବିଷୟରେ ଚିନ୍ତା କରାଯିବ ।

ଚତୁର୍ଥ ପ୍ରହରରେ ସେମାନେ ଦେଖିଲେ ଉତ୍ତର ପଟକୁ ଗୋଟିଏ କଳା ପର୍ବତ ପରି କିଛି ଧୀରେଧୀରେ ଗତି କରୁଛି । ତା’ ମୁଣ୍ଡ ବଡ ଦ୍ରୁମମାନଙ୍କ ଉପରେ ଦେଖାଯାଉ ଥାଏ । ଗୋଡଗୁଡିକ ତାଳଗଛ ପରି ଓ ହାତ ଦୁଇଟି ଅଜଗର ପରି । ସେ ଧୀରେ ଧୀରେ ଆଗକୁ ଚାଲୁଥିଲା । ତାକୁ ଦେଖି ସେନାପତିଙ୍କ ହୃଦୟ ଭୟରେ ଥରିଲା । ସେମାନେ ନିଜର ପ୍ରାଣ ବଂଚାଇବାକୁ ରାସ୍ତାରୁ ଅପସରି ଯାଇ ଏକ ପଥର ଆଢୁଆଳରେ ଲୁଚିଲେ । ସୈନ୍ୟମାନେ ମଧ୍ୟ ଦୂରକୁ ହଟିଗଲେ । ନହେଲେ ତା’ର ପାଦ ତଳେ ମନ୍ଥି ହୋଇଯାଇଥା’ନ୍ତେ । କିଛିବାଟ ଯିବାପରେ ସୂର୍ଯ୍ୟ ଉଦୟ ହେବାର ବହୁ ପୂର୍ବରୁ ସେ ପୁଣି ପାଣି ଭିତରକୁ ଯାଇ ଅଦୃଶ୍ୟ ହୋଇଗଲା ।

ସେନାପତି ଭାବିଲେ ଯେ କୌଣସି ମଣିଷ ଏହା ସହିତ ଲଢିପାରିବ ନାହିଁ । ଏତିକି କଥା ଜଣାଗଲା ଯେ ରାତ୍ରିର ଶେଷ ସମୟରେ ସେ ଆସେ ଓ ଉତ୍ତର ଦିଗକୁ ଯାଏ ପୁଣି ସୂର୍ଯ୍ୟୋଦୟ ପୂର୍ବରୁ ସମୁଦ୍ର ଜଳ ଭିତରେ କୁଆଡେ ନିଶ୍ଚିହ୍ନ ହୋଇଯାଏ । ତା’ପରେ ସେ ତାଙ୍କ ସହିତ ଆସିଥିବା ତିନିଜଣ ସୈନିକଙ୍କୁ ରାଜଧାନୀ ପଠାଇ ଦେଲେ । ପହରା ଦେଉଥିବା ସୈନ୍ୟମାନଙ୍କର କୌଣସି ପତା ନାହିଁ । ସେନାପତି ଭାବିଲେ କି ସେମାନେ ବୋଧହୁଏ ରାକ୍ଷସର ପାଦ ତଳେ ଦଳିହୋଇ ମରିଥିବେ ।

ବୀରସିଂହ ସେନାପତିଙ୍କୁ କହିଲେ, “ମୋର ମନେହୁଏ ଅଧିକ ସୈନ୍ୟଙ୍କୁ ମରଣ ମୁହଁକୁ ଠେଲିଦେବା କିଛି ବିବେକ ବୁଦ୍ଧିର କାମ ନୁହେଁ । ତା’ପରେ ରାକ୍ଷସ ଯଦି ଥରେ ରାଜ୍ୟ ଭିତରକୁ ଯିବ ତେବେ ତ ସର୍ବନାଶ । ତେଣୁ ଆମେ ପୂର୍ବରୁ କୌଣସି ପ୍ରକାରେ ସାବଧାନ ହେବା ଉଚିତ୍ ।”

ସେନାପତି କହିଲେ “ହଁ, ତୁମେ ଯାହା କହୁଛ ଠିକ୍ କଥା କହୁଛ । ଏବେ ଆମକୁ କୌଣସି ଉପାୟ ସ୍ଥିର କରିବାକୁ ପଡିବ, ଯେପରି ସେ ରାଜଧାନୀ ଆଡକୁ ନ ଯାଏ । ସେଥିପାଇଁ କିଛି ଯୋଜନା ପ୍ରସ୍ତୁତ କରିବା । ଏବେ ଆମେ ତୁରନ୍ତ ରାଜଧାନୀରେ ପହଁଚି, ରାଜାଙ୍କୁ ଏ ଘଟଣା କହିବା ।” ତା’ପରେ ସେ ଦୁହେଁ ଖୁବ୍ ଜୋର୍ରେ ଘୋଡା ଛୁଟାଇ ରାଜଧାନୀ ଆଡେ ଚାଲିଲେ ।

                ସେନାପତି ରାଜନଅରରେ ପହଁଚି ଦେଖିଲେ ରାଜା ପ୍ରତାପବର୍ମା ରାଜଗୁରୁ ଗୌରୀନାଥଙ୍କ ସହ ପରାମର୍ଶ କରୁଛନ୍ତି । ସେମାନେ ସେନାପତିଙ୍କୁ ଦେଖିବା ମାତ୍ରେ ପଚାରିଲେ, “କ’ଣ ହେଲା, ତୁମେ କ’ଣ ସେ ରାକ୍ଷସକୁ ଦେଖି ପାରିଲ? ପୁଣି ତାକୁ ବଧ କରିବା ପାଇଁ କୌଣସି ଉପାୟ ମିଳିଲା କି?

ସେନାପତି କହିଲେ, “ମହାରାଜ, ଆମେ ସ୍ୱଚକ୍ଷୁରେ ସେହି ରାକ୍ଷସକୁ ଦେଖିଲୁ । ସୈନିକମାନଙ୍କ କଥାରେ କୌଣସି ଅତିରଞ୍ଜନ ନାହିଁ । ସେ ରାତ୍ରିର ଶେଷ ପ୍ରହରରେ ଜଳ ମଧ୍ୟରୁ ନିଷ୍ଟାନ୍ତ ହୋଇ ଉତ୍ତର ଆଡକୁ କିଛିବାଟ ଯାଇ ପୁଣି ସୂର୍ଯ୍ୟ ଉଦୟ ପୂର୍ବରୁ ସମୁଦ୍ର ମଧ୍ୟରେ ପ୍ରବେଶ କରି ନିଶ୍ଚିହ୍ନ ହୋଇ ଯାଉଛି । ତାକୁ ସାମନା କରିବାଭଳି ଶକ୍ତି ବା ସାହସ କାହାର ନାହିଁ ହେବା ମଧ୍ୟ ଅସମ୍ଭବ ।” ଅବଶ୍ୟ ଏତିକି କଥା ଲକ୍ଷ୍ୟ କରି ଦେଖିଲି ଯେ ଯାହା କିଛି ଧ୍ୱଂସ ହେଉଛି ବା ସୈନ୍ୟ ମରୁଛନ୍ତି ତାହା ସେ ଇଚ୍ଛା କରି କରୁନାହିଁ । ସେ ଅତିକାୟ, ବିରାଟ ଏକ ରାକ୍ଷସ କିନ୍ତୁ ଶାନ୍ତ ଭାବରେ ଉତ୍ତର ଆଡକୁ ଯାଉଥାଏ । ତା’ପାଦତଳେ ଯିଏ ଧ୍ୱଂସ ହେଉଛନ୍ତି ତାହା ତ ସ୍ୱାଭାବିକ । କିନ୍ତୁ ସେ ନିଜେ କିଛି ଧ୍ୱଂସ କରିବା ପରି ବ୍ୟବହାର କରୁନାହିଁ ବା ଆଗ୍ରହ ପ୍ରକାଶ କରୁନାହିଁ । ମନେହୁଏ ସେ କିଛି ଖୋଜୁଛି ଅଥଚ ତାହା ସେ ପାଉନାହିଁ । ଏକ ଲକ୍ଷ୍ୟରେ ଉତ୍ତର ଆଡକୁ ସେ ଯାଉଛି । ଇତି ମଧ୍ୟରେ ସକାଳ ହେବାରୁ ଚୁପ୍ଚାପ୍ ସମୁଦ୍ରର ଢେଉମାନଙ୍କ ମଧ୍ୟରେ ସେ କୁଆଡେ ନିଶ୍ଚିହ୍ନ ହୋଇ ଯାଉଛି । କିନ୍ତୁ ଆମେ ନିଜ ଆଡୁ ତା’ ସହିତ ଲାଗିଲେ ସେ ଯଦି ରାଗିଯାଏ ତ ସର୍ବନାଶ ।


ଗପ ସାରଣୀ

ତାଲିକାଭୁକ୍ତ ଗପ