ବିଚିତ୍ର ପୁଷ୍ପ

                ସେନାପତି କହିଲେ “ଆଜ୍ଞା, ଚାଲନ୍ତୁ ।” ରାଜା ଓ ସେନାପତି ସେଠାରେ ପହଁଚି ଦେଖିଲେ ଶରଣାର୍ଥୀମାନେ ଧାଡି ଧାଡି ହୋଇ ବସିଛନ୍ତି । ପ୍ରିୟମ୍ବଦା ଓ ତାଙ୍କ ପରିଚାରିକା ମାନେ ସେମାନଙ୍କୁ ଖାଦ୍ୟ ପରଶି ଦେଉଛନ୍ତି । ସେସବୁ ଦେଖି ରାଜା ବହୁତ ଖୁସି ହୋଇ ତାଙ୍କ ଝିଅକୁ କହିଲେ, “ପ୍ରିୟମ୍ବଦା, ତୁମର ଉଦାର ସ୍ୱଭାବ ଅତିବ ପ୍ରଶଂସନୀୟ । କୌଣସି ଦୁଃଖୀ, ରୋଗୀ ବା ଅସୁସ୍ଥ ଲୋକର ସେବା କରିବାରେହିଁ ପ୍ରକୃତ ମାନବଜନ୍ମର ସାର୍ଥକତା ରହିଛି । ତୁମର ଏପରି ଆଚରଣ ଦେଖି ମୁଁ ମନରେ ଗର୍ବ ଅନୁଭବ କରୁଛି । ଏମାନେ ତୁମର ପ୍ରଶଂସା କରିବେ ଓ ସବୁଦିନ ପାଇଁ ମନେ ରଖିବେ । ସେମାନେ ନିଜ ଘରକୁ ଫେରିବା ପର୍ଯ୍ୟନ୍ତ କେବଳ ତୁମେହିଁ ଏହି କାର୍ଯ୍ୟର ଦେଖାଶୁଣା କର ।”

                ରାଜକୁମାରୀ ଅଳ୍ପ ହସି କହିଲେ, “ବାବା ମୁଁ ଏତିକି ଜାଣିଛି ଯେ ଏପରି ପରିସ୍ଥିତିରେ ମୋର କର୍ତ୍ତବ୍ୟ କ’ଣ! ଯେଉଁ ପ୍ରଜାମାନେ ଆମର ଏତେ ପ୍ରିୟ ଓ ଆମକୁ ଏତେ ଭଲପା’ନ୍ତି, ସେମାନଙ୍କ ସକାଶେ କ’ଣ ଏତେ ଟିକିଏ କାମ ମୁଁ କରିପାରିବି ନାହିଁ? ସେମାନଙ୍କ ବିଷୟରେ ଆପଣ ଏଥର ନିଶ୍ଚିନ୍ତ ରହନ୍ତୁ । ଏମାନଙ୍କ କଥା ତ ମୁଁ ବୁଝୁଛି । ଅନ୍ୟାନ୍ୟ ଶରଣାର୍ଥୀ ଶିବିର ବିଷୟରେ ଆପଣ ଚିନ୍ତା କରନ୍ତୁ ।”

                ରାଜା ଓ ସେନାପତି ସେଠାରୁ ବାହାରି ଅନ୍ୟାନ୍ୟ ଶିବିର ଦେଖିବାକୁ ଯାଉଛନ୍ତି । ଦେଖିଲେ ଜଣେ ସୈନ୍ୟ ବ୍ୟସ୍ତ ବିବ୍ରତ ହୋଇ ପହଁଚିଲା ।

                ସେନାପତି ତାକୁ ପଚାରିଲେ – “କ’ଣ ହେଲା, କାହିଁକି ଏତେ ବିବ୍ରିତ?”

                “ଆଜ୍ଞା, କାଲି ଆମର ଯେଉଁ ସୈନ୍ୟମାନେ ଦକ୍ଷିଣ ଦିଗକୁ ଯାଇଥିଲେ ସେମାନଙ୍କ ବିଷୟରେ ଆଦୌ କିଛି ଖବର ମିଳୁନାହିଁ । ସେମାନେ କେଉଁଠି ଅଛନ୍ତି ସେକଥା କହିବାକୁ ମଧ୍ୟ ସେଠାରେ କେହି ନାହିଁ । ଆଜି ସେଠାକୁ ପଠା ହୋଇଥିବା ସୈନିକମାନେ କହିଲେ ସେଠାରେ ଜନମାନବଶୁନ୍ୟ ପ୍ରାନ୍ତର ଓ ଭଙ୍ଗାରୁଜା ଘର ପଡିଛି । ଚାରିଆଡେ ନୀରବତା ଛାଇ ରହିଛି । ତା’ଛଡା ଆହୁରି କେତେକ ଗ୍ରାମ ମଧ୍ୟ ଉଜୁଡି ଯାଇଛି ।”

                ସେନାପତି ପଚାରିଲେ, “ଆଜି ସକାଳେ ଯେଉଁ ସୈନିକମାନେ ଯାଇଥିଲେ, ସେମାନେ ଫେରିଛନ୍ତି ତ?”

                ସୈନ୍ୟଟି କହିଲା “ସେମାନଙ୍କ ମଧ୍ୟରୁ ତିନିଜଣ ଏଠାକୁ ଆସି ସବୁ ବିଷୟ କହି ପୁଣି ଫେରି ଯାଇଛନ୍ତି । ସେମାନଙ୍କ ସହିତ ଆମର ଦଳପତି ବୀରସିଂହ ମଧ୍ୟ ଯାଇଛନ୍ତି ।”

                ସେନାପତି ସୈନ୍ୟକୁ କହିଲେ, “ବୀରସିଂହ ଫେରିବା ମାତ୍ରେ ତାଙ୍କୁ ମୋ ସହିତ ଦେଖା କରିବାକୁ କୁହ । “ଆଜ୍ଞା,” ଏତିକି କହି ସେ ସେଠାରୁ ଚାଲିଗଲା । ରାଜା କହିଲେ, “ସେଠାରେ କ’ଣ ଘଟୁଛି ସେ କଥା ଏହି ଭୀତଭ୍ରସ୍ତ ଶରଣାର୍ଥୀଙ୍କୁ ଯେପରି କୁହା ନ ଯାଏ, ସେମାନେ ଜାଣିଲେ ଆହୁରି ଅଧିକ ଭୟଭୀତ ହେବେ । ସେଠାରେ ହୁଏତ ଅଧିକ ସୈନ୍ୟଙ୍କର ଦରକାର ପଡିବ ତେଣୁ ତୁମେ ଯାଇ ଏକ ବଡ ସେନାବାହିନୀ ପ୍ରସ୍ତୁତ କରି ରଖ ।”

                “ଆଜ୍ଞା, ସେହିପରିହିଁ କରାଯିବ । ବୀର ସିଂହ ଫେରିଲେ ମୁଁ ପୁଣି ଆପଣଙ୍କୁ ଦେଖା କରିବି ।” ଏତିକି କହି ସେନାପତି ସେଠାରୁ ଚାଲିଗଲେ ।

                ସେଦିନ ଯାଇଥିବା ଛୋଟ ସୈନ୍ୟଦଳ ଓ ତାଙ୍କର ଅଧିପତି ଫେରି ସେନାପତିଙ୍କ ପାଖରେ ବଡ ବ୍ୟସ୍ତ ବିବ୍ରତ ଅବସ୍ଥାରେ ପହଁଚିଲେ ।

                ସେନାପତି ପଚାରିଲେ “କଥା କ’ଣ? ଏଥିରେ ଏତେ ବ୍ୟସ୍ତ ହେବାର କ’ଣ ଅଛି? ମୋତେ ସବୁକଥା ଖୋଲିକି କୁହ ।”

                ଦଳପତି କହିଲେ “ଆଜ୍ଞା, ଯାହାସବୁ ଘଟୁଛି ସବୁ ବିଚିତ୍ର । ଏକଥା ନିଶ୍ଚିତ ଯେ ଆମ ସୈନ୍ୟମାନେ ସମୁଦ୍ର ତୀରରେ ପହଁଚିଛନ୍ତି । ସେମାନଙ୍କ ପାଦଚିହ୍ନ ଏବେ ମଧ୍ୟ ଅଛି; କିନ୍ତୁ ସେଠାରେ ଖବର ଦେବାକୁ ତ ଜଣେ ହେଲେ ନାହିଁ ।” ସେନାପତି ପଚାରିଲେ “ତେବେ କ’ଣ କରାଯିବ?”

                ଦଳପତି କହିଲେ “ମୁଁ ଭାବୁଛି, ଏବେ ଯାଇଥିବା ଦଳ ତିନି ଭାଗ ହୋଇ ରହିବେ, ପ୍ରଥମ ଦଳ ସମୁଦ୍ର ତୀରରେ; ଦ୍ୱିତୀୟ ମଝିରେ ଏବଂ ତୃତୀୟ ଦଳ ଆଉ କିଛି ଦୂରରେ ରହିବେ ଓ ସର୍ବଦା ନିଜ ନିଜ ଭିତରେ ଖବର ସରବରାହ ଚାଲିଥିବ । ଆପଣ ଆଜ୍ଞା ଦେଲେ ମୁଁ ଯାଇ ଟିକିଏ ସେଠାକାର ପରିସ୍ଥିତି ଦେଖି ଫେରି ଆସନ୍ତି ।”

                ସେନାପତି କହିଲେ “ନିଶ୍ଚୟ, ଶୀଘ୍ର ଯାଇ ସମାଚାର ନେଇ ଫେରି ଆସ । ମୁଁ ତୁମର ଫେରିବା ବାଟକୁ ଅପେକ୍ଷା କରି ରହିଲି ।” ତା’ପରେ ସେନାପତି ବିଭିନ୍ନ ଶିବିର ପରିଦର୍ଶନରେ ବାହାରି ଗଲେ । ନଗର ବାସୀମାନେ ମଧ୍ୟ ବଡ ଉତ୍ସାହର ସହିତ ସେମାନଙ୍କର ସେବା କରୁଥା’ନ୍ତି । ଏସବୁ ଦେଖି ତାଙ୍କ ମନ ବଡ ଆନନ୍ଦ ହେଲା ।

                ପରଦିନ ସକାଳୁ ବୀରସିଂହ ସେନାପତିଙ୍କ ଘରେ ଯାଇ ପହଁଚିଲେ । ସେତେବେଳେ ସେ ବଡ ବ୍ୟସ୍ତ ଥିଲେ । ସେନାପତି ପଚାରିଲେ, “କଥା କ’ଣ? ଏତେ ବ୍ୟସ୍ତ କାହିଁକି?” ଦଳପତି କହିଲେ, “ଆଜ୍ଞା, ପରିସ୍ଥିତି ବଡ ଭୟଙ୍କର ସୈନ୍ୟମାନେ କହିଲେ ଜଣେ ରାକ୍ଷସ ବାରମ୍ବାର ଆସୁଛି । ଅଧରାତି ବେଳକୁ ସମୁଦ୍ର ଗର୍ଭରୁ ଏକ ବିରାଟକାୟ ରାକ୍ଷସ ଉପରକୁ ଉଠିବା ସୈନ୍ୟମାନେ ନିଜ ଆଖିରେ ଦେଖିଛନ୍ତି । ସେ ମାଟିରେ ଚାଲୁଛି ନା ପବନରେ ଉଡୁଛି ତାହା ମୋଟେ ଜଣାପଡୁନାହିଁ । କିନ୍ତୁ ସେ ଯେତେବେଳେ ଏପଟ ସେପଟ ଦେଖୁଥାଏ ଓ ପାଦ ପକାଇ ଚାଲେ, ତା’ର ସେହି ପାଦ ତଳେ ଘରବାଡି, ଜନପ୍ରାଣୀ ଗଛ ଲତା ସବୁ ମାଟିରେ ମିଶିଯା’ନ୍ତି । ସେ କୌଣସି ଶବ୍ଦ ନ କରି ମୁଣ୍ଡ ହଲାଇ ହଲାଇ ଉତ୍ତର ଦିଗକୁ ଗଲା । ସମୁଦ୍ରତଟରେ ଥିବା ଅଧିକାଂଶ ସୈନ୍ୟ ତା’ର ପାଦତଳେ ଦଳି ହୋଇ ମରିଛନ୍ତି । ଦୂରରେ ଥିବା ସୈନ୍ୟମାନେ ନିଜକୁ କୌଣସିମତେ ବଞ୍ଚାଇ ଫେରି ଆସିଛନ୍ତି । ମୁଁ ସେମାନଙ୍କଠାରୁ ଯାହା ବର୍ଣ୍ଣନା ଶୁଣିଛି ସେପରି ଅତିକାୟ ରାକ୍ଷସକୁ କୌଣସି ମତେ ପ୍ରତିହତ କରି ହେବ ନାହିଁ । କେବଳ ସୈନ୍ୟ ଦଳ ମରିବା ଯାହା ଖାଲି ସାର ହେବ । ସମ୍ମୁଖ ଯୁଦ୍ଧର ତ କୌଣସି ପ୍ରଶ୍ନହିଁ ଉଠୁନାହିଁ । ଯଦି କୌଣସି ପ୍ରକାରରେ କୌଶଳ କରି ତାକୁ ମରାଯାଏ ତ ଭଲ ନ ହେଲେ ନିରୁପାୟ ।”

                ସେନାପତି ଭାବୁଥିଲେ “ସେ କି ପ୍ରକାର ରାକ୍ଷସ ହୋଇପାରେ? ସେ ପୁଣି ଉତ୍ତର ଦିଗକୁ କାହିଁକି ବା ଗଲା?” ଏହିଭଳି କିଛିସମୟ ଭାବିବା ପରେ ସେ କହିଲେ, “ତୁମେ କହୁଛ ତ ସେ ଉତ୍ତର ଦିଗକୁ ଗଲା । ସେ ସମୁଦ୍ରରୁ ଆସିଛି ତେଣୁ ରାତି ପାହିବା ପୂର୍ବରୁ ସମୁଦ୍ର ଭିତରକୁ ସେ ଚାଲିଯିବ । ଉତ୍ତର ଦିଗକୁ କିଛି ସୈନ୍ୟ ପଠାଅ ସେଠାରେ ଆଉ ମଧ୍ୟ କିଛି ବିପଦ ପଡିପାରେ । ଦକ୍ଷିଣ ପଟରେ ବି ପୂର୍ବପରି ସୈନ୍ୟଦଳ ରଖ । ଗତ ରାତ୍ରି ପରି ସେମାନଙ୍କୁ ତିନି ଦଳ କରି ରଖ । ସେହି ବିଚିତ୍ର ରାକ୍ଷସ ବିଷୟରେ ଅଧିକ କିଛି ଖବର ପାଇବା ମାତ୍ରେ ମୋତେ ତୁରନ୍ତ ଜଣାଅ । ମୁଁ ଯାଉଛି ରାଜାଙ୍କୁ ଏହି ଖବର ଦେବି । ପ୍ରଜାଙ୍କୁ ସେଥିରୁ ରକ୍ଷା କରିବାର ଦାଇତ୍ତ୍ଵ ଆମର । ଏଭଳି ଏକ ବିଚିତ୍ର ଜଳ ରାକ୍ଷସ ବିଷୟରେ ଖବର ସଂଗ୍ରହ କରିବାକୁ ହେବ । ଏପରି ଦାନବ ଇତିହାସରେ ଯେ କେବେ କେଉଁଠି ଥିଲା ଓ କିପରି ତା’ର ସାମନା କରାଯିବ । ତା’ପରେ ଦେଖାଯିବ କୌଶଳ କରି କିପରି ତାକୁ ମାରିବା । ଅନ୍ୟମାନେ ସେନାପତିଙ୍କ କଥାର ଯଥାର୍ଥ୍ୟ ଉପଲବ୍ଧି କଲେ । ଆପାତତଃ ସେଇଠି କଥା ଶେଷ ହେଲା ।”


ଗପ ସାରଣୀ

ତାଲିକାଭୁକ୍ତ ଗପ