ବିଚିତ୍ର ପୁଷ୍ପ

“ସ୍ୱପ୍ନ ତ? ସ୍ୱପ୍ନ କ’ଣ ଏକ ସତ୍ୟ ଘଟଣା ଯେ ତୁମେ ଏତେ ବ୍ୟାକୁଳ ହୋଇ ପଡୁଛ? ତୁମ ଭାଇ ପରି ବୀର ପୁରୁଷକୁ କେହି ସମୁଦ୍ରରେ ଠେଲି ପକାଇ ଦେଇ ପାରିବ ନାହିଁ । ସେ ରାକ୍ଷସଜନ୍ତୁ ସହିତ ଯୁଦ୍ଧ କରିବାକୁ ଯାଇ ନାହାଁନ୍ତି, ତାକୁ ଫୁଲ ଦେଖାଇ ଭୁଲାଇ ନେଇ ଦୂରରେ ଛାଡି ଦେବାକୁ ଯାଇଛନ୍ତି ଯଦ୍ୱାରା ସେ ସମୁଦ୍ର ତୀରସ୍ଥ ଜନପଦମାନଙ୍କର କୌଣସି କ୍ଷତି କରିବ ନାହିଁ । ଦେଖିବ ତୁମ ଭାଇ ଦିଗବିଜୟୀ ହୋଇ ନିଶ୍ଚୟ ଦିନେ ନା ଦିନେ ଫେରିବେ । ତେଣୁ ଦୁଃଖ ନ କରି ଶୋଇଯାଅ ।”ଏପରି କଥା ସବୁ କହି ରାଜକୁମାରୀ ରଜନୀକୁ ସାନ୍ତ୍ୱନା ଦେଲେ ।

ରାଜକୁମାରୀ ପ୍ରିୟମ୍ବଦା ରଜନୀକୁ ସାନ୍ତ୍ୱନା ଦେଲେ ସିନା, ହେଲେ ନିଜେ ମନଭିତରେ ବେଶ୍ ଭୟ କରିଥିଲେ । କାହିଁକି ଉତୁଙ୍ଗ ଏତେ ଦିନ ହେବ ଫେରିଲେ ନାହିଁ । ହୁଏତ ରାକ୍ଷସ ତାଙ୍କୁ ମାରି ଦେଇଥିବ ବା ସେ କିଛି ବିପଦରେ ପଡିଥିବେ । ସେପରି ହେଲେ ରାଜାଙ୍କର ତ ବଦନାମ ହେବ ଯିଏ କି ଉତୁଙ୍ଗଙ୍କୁ ପଠାଇବାକୁ ଉତ୍ସାହ ଦେଇଥିଲେ । ତେଣୁ ସେ ମନ ମଧ୍ୟରେ ପ୍ରାର୍ଥନା କଲେ କି ଯେପରି ସେ ଦିଗ୍ବିଜୟୀ ହୋଇ ଫେରି ଆସନ୍ତି ।

ଏଣେ ଉତୁଙ୍ଗ ନୌକାରେ ବସି ତଟ ଦିଗକୁ ଚାଲିଲେ । ସମୁଦ୍ରର ଢେଉ ଗୁଡିକ ସେଦିନ ବଡ ଭୟଙ୍କର ଥିଲେ । ଯାହାହେଉ ଗୋଟିଏ ବଡ ଢେଉ ଦ୍ୱାରା ତାଙ୍କ ନୌକା ଆସି ସ୍ଥଳ ଭାଗରେ ପହଁଚିଲା । ସେ ନୌକାରୁ ଓହ୍ଲାଇ ନୌକାଟିକୁ ଉପରକୁ ଟାଣି ନେଇ ରଖିଲେ । ତା’ପରେ ସେ ଲୋକାଳୟକୁ ଗମନ କଲେ । ପ୍ରଥମେ ସେ କାବୁଇଙ୍କ ଘରେ ପହଁଚି କବାଟ ବାଡେଇଲେ କାବୁଇଙ୍କ ଝିଅ ଚିତ୍ରା କବାଟ ଖୋଲି ପଚାରିଲା, “ତୁମେ? କ’ଣ ହେଲା?”

ଉତୁଙ୍ଗ ଜାଣିଥିଲେ ଯେ ସମସ୍ତେ ଏହି ଏକହିଁ ପ୍ରଶ୍ନ କରିବେ । ତେଣୁ ସେ ସଙ୍କେତ ଦ୍ୱାରା ପଚାରିଲେ, “କାବୁଇ କାହାଁନ୍ତି?”

ତହୁଁ ଚିତ୍ରା କହିଲା “ବାବା ସେନାପତିଙ୍କ ପାଖକୁ ଯାଇଛନ୍ତି ।” ଉତୁଙ୍ଗ ଦୌଡି ଦୌଡି ରାଜଧାନୀରେ ଯାଇ ପହଁଚିଲେ । ସେଠାରେ ସେନାପତିଙ୍କ ଘରେ ଯାଇ ଦେଖିଲେ ସେନାପତି ଓ କାବୁଇ କିଛି ଗୁପ୍ତ କଥା କଥାବାର୍ତ୍ତା ହେଉଛନ୍ତି । ସେମାନେ ଉତୁଙ୍ଗଙ୍କୁ ଦେଖି ବ୍ୟସ୍ତ ବିବ୍ରତ ହୋଇ ପଚାରିଲେ, “ଉତୁଙ୍ଗ, କ’ଣ ହେଲା? ଦଳପତି ନାଗସିଂହ କାହାଁନ୍ତି?”

ଉତୁଙ୍ଗ କହିଲେ, “ମୁଁ ସମୁଦ୍ରରେ ପଡିଗଲି, ମୁଁ ଜାଣେ ନାହିଁ ତାଙ୍କର ଅବସ୍ଥା କ’ଣ ହେଲା ।”

କାବୁଇ ପଚାରିଲେ, “କ’ଣ ରାକ୍ଷସଜନ୍ତୁ ଘୋର ଆକ୍ରମଣ କଲା?”

“ନାହିଁ, ମଣିଷ ଜନ୍ତୁ ନାଗସିଂହ ମୋ ଉପରେ ଆକ୍ରମଣ କରି ମୋତେ ସମୁଦ୍ରକୁ ଠେଲି ଦେଲା ।” ତା’ପରେ ଯାହାସବୁ ହୋଇଥିଲା ଉତୁଙ୍ଗ ଟିକିନିଖି କରି ସବୁ କାବୁଇଙ୍କୁ କହିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ